Latest Odisha News

BREAKING NEWS

ଜଙ୍ଗଲ ବେକରେ ସରକାରୀ କୁରାଢ଼ୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଆମେ ସମସ୍ତେ ଜାଣିଛେ ଓ ପିଲା ବେଳୁ ପଢ଼ି ଆସୁଛେ, ଜଙ୍ଗଲର ମଣିଷ ସମାଜ ପାଇଁ ବହୁତ ଅବଦାନ ଅଛି । ପରିବେଶକୁ ଠିକ୍ ରଖିବା ପାଇଁ ଜଙ୍ଗଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ଜଙ୍ଗଲର ଭୂମିକାକୁ ଆଖିରେ ରଖି ସରକାରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ନାମରେ ଏକ ସ୍ୱତନ୍ତ୍ର ମନ୍ତ୍ରାଳୟ ବି ଅଛି । କିନ୍ତୁ ଦିନକୁ ଦିନ ଦେଖାଯାଉଛି ଯେ, ଏହି ମନ୍ତ୍ରାଳୟ ଜଙ୍ଗଲକୁ ସୁରକ୍ଷା ଦେବା ପରିବର୍ତେ ଜଙ୍ଗଲକୁ ଉଜାଡ଼ିବା ପାଇଁ ଲାଇସେନ୍‌ସ ଦେବା କାମରେ ଲାଗିଛି । ଏହି ଲକ୍ ଡାଉନ୍‌ର ସମୟ ମଧ୍ୟରେ ଅର୍ଥାତ ଗତ ଚାରି ମାସ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ୩୧ ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଏହି ସମସ୍ତ ପ୍ରକଳ୍ପ ଜଙ୍ଗଲକୁ ସଂପୂର୍ଣ୍ଣ ଭାବେ ବା ଆଂଶିକ ଭାବେ ନଷ୍ଟ କରି ହିଁ ତିଆରି ହେବାକୁ ପ୍ରସ୍ତାବିତ ହୋଇଛି ।

କେବଳ ଏପ୍ରିଲ୍ ମାସରେ ପରିବେଶ ମନ୍ତ୍ରାଳୟର ‘ଏକ୍ସପର୍ଟସ ଆପ୍ରାଇଜାଲ୍ କମିଟି’ର ୯ଟି ବୈଠକ ହୋଇ ଏକାଧିକ ଶିଳ୍ପ ଓ ଖଣି ଭିତିକ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏପ୍ରିଲ୍ ୭ରେ ବଣ୍ୟଜନ୍ତୁ ବୋର୍ଡ଼ର ସ୍ଥାୟୀ ସମିତିର ବୈଠକ ଭିଡ଼ିଓ କନ୍‌ଫରେନ୍‌ସ ମାଧ୍ୟମରେ ଅନୁଷ୍ଠିତ କରାଗଲା ଓ ଏକାଧିକ ଆପତି ଅଭିଯୋଗ ସତ୍ୱେ ବି ଅନେକ ଘନ ଜଙ୍ଗଲ ଥିବା ସ୍ଥାନରେ ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦିଆଗଲା । ଏହି କମିଟି ପରିବେଶ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ୨୯୩୩ ଏକର ଜମିର କିସମ ପରିବର୍ତନକୁ ଅନୁମତି ଦେବା ସହିତ ୧୦ କିଲୋମିଟର ସଂରକ୍ଷିତ ଜଙ୍ଗଲ ଅଂଚଳରେ ତଥାକଥିତ ବିକାଶ ପ୍ରକଳ୍ପ ପାଇଁ ଅନୁମୋଦନ ଦେଇଛି ।

ଏସବୁ ପ୍ରକଳ୍ପ ଆରମ୍ଭ ହେଲେ, ଆସନ୍ତା ସମୟରେ ଆମ ଦେଶରେ ଜଙ୍ଗଲ ସମ୍ପଦ ଦ୍ରୁତ ଗତିରେ ନଷ୍ଟ ହେବ, ଏଥିରେ ସନ୍ଦେହ ନାହିଁ । ଆସାମର ଦୋହିଙ୍ଗ ପତକଲି ସଂରକ୍ଷିତ ଜଙ୍ଗଲର ୯୮.୫୯ ହେକ୍ଟର ଅଂଚଳକୁ କୋଲ୍ ଇଣ୍ଡିଆ ଲିମିଟେଡ଼୍‌କୁ କୋଇଲା ଖୋଳିବା ପାଇଁ ଅନୁମତି ଦିଆଯାଇଛି । ଏହି ଜଙ୍ଗଲ ଏତେ ଘନ ଓ ଏହା ଜୈବ ବିବିଧତାରେ ଏତେ ଭରପୁର୍ ଯେ, ଏହାକୁ ପୂର୍ବର ଆମାଜନ୍ କୁହାଯାଏ । ପାଖାପାଖି ପାଂଚଶହ ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ବ୍ୟାପିଥିବା ଏହି ଜଙ୍ଗଲରେ ୩୦ରୁ ଅଧିକ ପ୍ରକାରର ବିରଳ ପ୍ରଜାପତି, ଶହେରୁ ଅଧିକ ପ୍ରକାରର ଔଷଧୀୟ ବୃକ୍ଷ ଓ ଆହୁରି ଅନେକ ପ୍ରକାରର ବିରଳ ଜୀବଜନ୍ତୁଙ୍କର ବାସସ୍ଥାନ । ଏହି ଜଙ୍ଗଲକୁ କାଟିଦେଲେ, ଜୈବ ବିବିଧତା ନଷ୍ଟ ହେବା ସହିତ ଏହା ସ୍ଥାନୀୟ ଅଂଚଳର ଜୟବାୟୁକୁ ବି ଗୁରୁତର ଭାବେ ପ୍ରଭାବିତ କରିବ । ଗୋଟିଏ ପଟେ ଜଳବାୟୁ ପରିବର୍ତନକୁ ନେଇ ସମଗ୍ର ବିଶ୍ୱ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଚାଲୁଥିବା ବେଳେ ଆମେ ଆମ ଜୈବ ବିବିଧତାରେ ଭରପୁର୍ ଜଙ୍ଗଲକୁ କାଟିବା ପାଇଁ ରାସ୍ତା ସଫା କରିଦେଉଛେ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଗତ ଦଶ ବର୍ଷ ମଧ୍ୟରେ ଆମ ଦେଶରେ ବିଭିନ୍ନ ପ୍ରକାର ବିକାଶ ଯୋଜନା, ଖଣି ଖନନ ଆଦି ପ୍ରକଳ୍ପ ପାଇଁ ପ୍ରାୟ ୩୮ କୋଟିରୁ ଉର୍ଦ୍ଧ୍ୱ ଗଛ କଟାଯାଇଛି । ବିଶ୍ୱର ପରିବେଶ ସୁରକ୍ଷା ସୂଚକାଂକରେ ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୭୭ । ଏଥିରୁ ବୁଝାପଡ଼ୁଛି, ଗୋଟେ ଦେଶ ହିସାବରେ ପରିବେଶ ସୁରକ୍ଷାକୁ ନେଇ ଆମେ କେତେ ଚିନ୍ତିତ ଓ କେତେ ସତର୍କ । ଉତରାଂଚଳର ଡେରାଡୁନ୍ ଓ ଟିହରୀ ଗଡ଼ବାଲ୍ ଜିଲ୍ଲାରେ ଲଖବାର ବହୁମୂଖୀ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହି ପ୍ରକଳ୍ପ ବିନୋଗ ବଣ୍ୟଜନ୍ତୁ ଅଭୟାରଣ୍ୟ ସୀମା ଠାରୁ ମାତ୍ର ତିନି କିଲୋମିଟର ଦୂରତା ମଧ୍ୟରେ ପ୍ରସ୍ତାବିତ ହୋଇଛି । ବଣ୍ୟଜନ୍ତୁ ଅଭୟାରଣ୍ୟ ଠାରୁ ଏତେ କମ୍ ଦୂରତାରେ ଏପରି ଏକ ପ୍ରକଳ୍ପ ହେଲେ, ଏହାର ପ୍ରଭାବ ନିଶ୍ଚିତ ବଣ୍ୟଜନ୍ତୁ ମାନଙ୍କ ଉପରେ ପଡ଼ିବ ଓ ସେଠାରେ ଥିବା ବଣ୍ୟଜନ୍ତୁ ମାନେ କ୍ଷତିଗ୍ରସ୍ତ ହେବେ । ଏହି ପ୍ରକଳ୍ପ ପାଇଁ ୭୬୮ ହେକ୍ଟର ଜଙ୍ଗଲ ଜମି ଓ ୧୦୫ ହେକ୍ଟର ଘରୋଇ ଜମିର ଆବଶ୍ୟକତା ଅଛି ।

ଏହି ପ୍ରକଳ୍ପକୁ ଦିଆଯାଇଥିବା ପରିବେଶ ମଞ୍ଜୁରୀକୁ ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଗତ ବର୍ଷ ବାତିଲ୍ କରିଦେଇଥିଲା । ତଥାପି ବି ଏବେ ଏହି ପ୍ରକଳ୍ପକୁ ପରିବେଶ ମନ୍ତ୍ରାଳୟର ଏକ୍ସପର୍ଟସ ଆପ୍ରାଇଜାଲ୍ କମିଟି ଅନୁମୋଦନ ଦେଇଛି । ଏଥିରୁ ବୁଝାପଡ଼ୁଛି, ପରିବେଶ ମନ୍ତ୍ରାଳୟ ପରିବେଶ ତଥା ଜଙ୍ଗଲକୁ ସୁରକ୍ଷା ଦେବା ଅପେକ୍ଷା ପ୍ରକଳ୍ପ ତିଆରି କରିବା କାମକୁ ଅଧିକ ପ୍ରାଧାନ୍ୟ ଦେଉଛି । ଅରୁଣାଚଳ ପ୍ରଦେଶର ଦିବାଙ୍ଗ ଉପତ୍ୟକାର ଘନ ଜଙ୍ଗଲକୁ ନଷ୍ଟ କରି ୩୦୯୭ ମେଗାୱାଟ୍‌ର ଏକ ଜଳବିଦ୍ୟୁତ୍ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ତେଲେଙ୍ଗାନାର ନାଲାମୂଲା ଜଙ୍ଗଲରେ ୟୁରାନିୟମ୍ ଖନନ ପାଇଁ ଏହି କମିଟି ଅନୁମୋଦନ ପ୍ରଦାନ କରିଛି । ଗୁଜୁରାଟ୍‌ର ଗୀର ଅଭୟାରଣ୍ୟରେ ବିଜୁଳି ତାର ବିଛେଇବାର ଯୋଜନା ଚୁଡ଼ାନ୍ତ ହୋଇଥିବା ବେଳେ ତେଲେଙ୍ଗାନାର କବାଲ୍ ବ୍ୟାଘ୍ର ସଂରକ୍ଷଣ ଅଂଚଳରେ ରେଳ ଧାରଣା ବିଛେଇବାକୁ ମଧ୍ୟ ଯୋଜନା ହୋଇଛି । ଏହା ବ୍ୟତୀତ ତେଲେଙ୍ଗାନାର ଇଟାନଗରମ ଅଭୟାରଣ୍ୟ ଭିତରେ ଗୋଦାବରୀ ନଦୀ ଉପରେ ବନ୍ଧ ବାନ୍ଧିବା ପାଇଁ ପ୍ରାୟ ଦଶ ହେକ୍ଟର ଜଙ୍ଗଲ କାଟିବାକୁ ଅନୁମତି ଦିଆଯାଇଛି । ପ୍ରକଳ୍ପର ରେକର୍ଡ଼ ପତ୍ରରେ ଯେତିକି ଜଙ୍ଗଲ କଟିବ ବୋଲି ଉଲ୍ଲେଖ ଅଛି, ଅସଲରେ ତା’ ଠାରୁ ଅଧିକ ଜଙ୍ଗଲ କଟିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ପରିବେଶ ମନ୍ତ୍ରାଳୟର କମିଟି ଏସବୁ ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ନଦେଇ ତରବରିଆ ଭାବେ ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦେଇଛନ୍ତି । ମିଜୋରମ୍‌ର ଡମ୍ପା ବ୍ୟାଘ୍ର ସଂରକ୍ଷଣ ଭିତରେ ରାସ୍ତା ଚଉଡ଼ା କରିବା ପାଇଁ ପାଖାପାଖି ଦୁଇ ହେକ୍ଟର ଜଙ୍ଗଲକୁ କାଟିଦିଆଯାଇଛି ।

ଦେଶର ସମୁଦାୟ ଜୈବ ବିବିଧତାର ସିଂହ ଭାଗ ଦକ୍ଷିଣ ଭାରତରେ ଅବସ୍ଥିତ ପଶ୍ଚିମଘାଟ ପର୍ବତମାଳାରେ ମହଜୁଦ୍ ଅଛି ଓ ପରିବେଶର ସନ୍ତୁଳନ ରକ୍ଷା ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଅଂଚଳ ଅଟେ । ଏହାକୁ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ଭାବେ ମଧ୍ୟ ଘୋଷଣା କରାଯାଇଛି । ଏହା ସତ୍ୱେ ବି ରେଳ ଧାରଣା ବିଛେଇବା ପାଇଁ ଏଥିରୁ ୫୯୬ ହେକ୍ଟର ଜଙ୍ଗଲ କାଟିବାକୁ ଅନୁମତି ଦିଆଯାଇଛି । ଏଠାରେ ପ୍ରାୟ ଅଢ଼େଇ ଲକ୍ଷ ଗଛ କାଟିବାକୁ ପଡ଼ିବ ବୋଲି ପ୍ରକଳ୍ପ ପ୍ରସ୍ତାବରେ ଅନୁମାନ କରାଯାଇଛି ।

ଜଙ୍ଗଲ କାଟିବାର କାମକୁ ଆହୁରି ବ୍ୟାପକ କରିବା ପାଇଁ ସଂପ୍ରତି ସରକାରଙ୍କ ଦ୍ୱାରା ଜଙ୍ଗଲର ସଂଜ୍ଞା ବଦଳେଇବାକୁ ପ୍ରୟାସ ଚାଲୁଛି । ଗୋଟିଏ ସ୍ଥାନରେ ନିର୍ଦ୍ଧିଷ୍ଟ ପରିମାଣର ଓ ନିର୍ଦ୍ଧିଷ୍ଟ ଘଂଚର ଗଛ ନଥିଲେ ତାକୁ ଆଉ ଜଙ୍ଗଲ କୁହାନଯିବା ପାଇଁ ଯୋଜନା ହୋଇଛି । ଫଳରେ ସରକାରଙ୍କୁ ଜଙ୍ଗଲ କାଟିବା ପାଇଁ ଅନୁମତି ଦେବା ସହଜ ହୋଇଯିବ । ପ୍ରଥମେ ଜଙ୍ଗଲ ବିଭାଗ ଦ୍ୱାରା ଜଙ୍ଗଲର ଘଂଚତାକୁ ନଷ୍ଟ କରାଯାଉଛି ଓ ପରବର୍ତୀ ସମୟରେ ତାହାକୁ ଆଉ ଜଙ୍ଗଲର ସଜ୍ଞା ଦିଆଯିବ ନାହିଁ ଓ ତାକୁ କାଟିବାକୁ ଅନୁମତି ଦେଇଦିଆଯିବ । କେତେ ସୁନ୍ଦର ଉପାୟ କରି ଜଙ୍ଗଲ ଉଜାଡ଼ିବା ପାଇଁ ରାସ୍ତା ସଫା କରାଯାଉଛି!

ଆମ ରାଜ୍ୟରେ ବି ଆମେ ଦେଖୁଛେ ଯେ ଦିନକୁ ଦିନ ମଣିଷ ଓ ବଣ୍ୟଜନ୍ତୁଙ୍କ ଭିତରେ ସଂଘର୍ଷ ବୃଦ୍ଧି ପାଉଛି । ହାତୀ ମାନେ ଜନପଦକୁ ବା ଗାଁ ଓ ସହର ଭିତରକୁ ଚାଲି ଆସୁଛନ୍ତି । କେବେ ହାତୀ ମଣିଷକୁ ମାରୁଛନ୍ତି ବା ମଣିଷ ହାତୀ ଓ ଅନ୍ୟାନ୍ୟ ବଣ୍ୟଜନ୍ତୁକୁ ମାରୁଛି । ଏହାର ଏକମାତ୍ର କାରଣ ଜଙ୍ଗଲ ବ୍ୟାପକ ପରିମାଣରେ ଉଜୁଡ଼ିବାକୁ ଲାଗୁଛି ବା ପତଳା ହେବାରେ ଲାଗୁଛି । ଫଳରେ ବଣ୍ୟଜନ୍ତୁମାନେ ବାଧ୍ୟ ହୋଇ ଜନପଦ ଭିତରକୁ ପଶି ଆସୁଛନ୍ତି । ଜଙ୍ଗଲ ନଷ୍ଟର ଏଭଳି ପ୍ରଭାବ ମଧ୍ୟ ଏବେ ମଣିଷମାନେ ଭୋଗିବାକୁ ଆରମ୍ଭ କଲେଣି ।
ଗତ ପାଂଚ ଦଶନ୍ଧି ମଧ୍ୟରେ ଆମ ଦେଶରେ ବ୍ୟାପକ ପରିମାଣରେ ଜଙ୍ଗଲ ନଷ୍ଟ ହୋଇଛି । ଏହା ଦ୍ୱାରା ବଣ୍ୟଜନ୍ତୁ ଓ ବନବାସୀ ମଣିଷ ମାନେ ପ୍ରତ୍ୟେକ୍ଷ ଭାବେ ବ୍ୟାପକ କ୍ଷତି ସହିଛନ୍ତି । ତଥାକଥିତ ବିକାଶ ପ୍ରକଳ୍ପ ନାମରେ ସଂପ୍ରତି ଏହି ଜଙ୍ଗଲ ନଷ୍ଟର କାର୍ଯ୍ୟକ୍ରମ ଏବେ ଶିଖରକୁ ଛୁଇଁଛି ।

ଦୁର୍ଭାଗ୍ୟଜନକ ଭାବେ ପରିବେଶ ମନ୍ତ୍ରାଳୟର ଖୋଦ୍ ଏହି କାମକୁ ତୀବ୍ରତାର ସହିତ ଆଗକୁ ବଢ଼ାଉଛି । ଏହିପରି ଭାବେ ବ୍ୟାପକ ପରିମାଣରେ ଜଙ୍ଗଲ ନଷ୍ଟର ପରିଣାମ ସ୍ୱରୁପ ବ୍ୟାପକ ଭାବେ ପରିବେଶ ଅସନ୍ତୁଳନକୁ ଆମେ ଭୋଗୁଛେ । ପ୍ରାକୃତିକ ବିପର୍ଯ୍ୟୟର ପରିମାଣ ପୂର୍ବ ତୁଳନାରେ ବହୁତ ବଢ଼ିଛି । ତଥାପି ବି ସରକାର ଏଥିପ୍ରତି ସଚେତନ ନହୋଇ ଜଙ୍ଗଲକୁ ଉଜାଡ଼ି ପ୍ରକଳ୍ପକୁ ଅନୁମୋଦନ ଦେବାରେ ଲାଗିଛନ୍ତି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

e-mail-bichitrabiswal@gmail.com

Leave A Reply

Your email address will not be published.