Latest Odisha News

BREAKING NEWS

ଅରୁନ୍ଧତୀ

ଅରୁନ୍ଧତୀ

ଦେବବ୍ରତ ମଦନରାୟ

ଏଭଳି ଦୃଶ୍ୟଟେ ମୋ’ ପାଇଁ ଅପେକ୍ଷା କରିଥିବ, ତାହା ଆଶା କରି ନଥିଲି । ଚିନ୍ତିତ ଓ ବ୍ୟଥିତ ହୋଇ ବସିଚି ସୋଫାରେ ଅରୁନ୍ଧତୀ । ତା’ ଜୀବନରେ ଯାହା ଘଟିଚି, ତାହା ସେତେ ଗୁରୁତ୍ୱପୂର୍ଣ୍ଣ ହୋଇ ନପାରେ ମୋ’ ପାଇଁ । ମୁଁ ଜଣେ ଗାଳ୍ପିକ। ଅନେକ ଚରିତ୍ରକୁ ନେଇ ଲେଖିଚି ଗପ । ଅରୁନ୍ଧତୀକୁ ନେଇ ଗୋଟିଏ ଗପ ଲେଖିପାରିବି ବୋଲି କହିବା ନିରର୍ଥକ । ଦେଖିଲି, ସେ ଚାପିରଖିପାରିଲା ନାହିଁ ନିଜର କୋହ । ଲୁହରେ ଓଦା ହେଲା ତା’ ମୁହଁ ।

ସମ୍ଭବତଃ ଏକ ପ୍ରତିଶ୍ରୁତିବିହୀନ ସକାଳ । ଅଷ୍ଟମ ଶ୍ରେଣୀରେ ମୁଁ ପଢ଼ୁଥିଲି । ମୋ’ ସାଙ୍ଗ ପ୍ରଶାନ୍ତ । ଦେଖିବାକୁ କଳା, କୋଇଲା ରଙ୍ଗ ପରି । ସୁମନ୍ତ ପତଳା, ଡେଙ୍ଗା । ଅବଶ୍ୟ ସେ ଆମ କ୍ଲାସରେ ସବୁଠାରୁ ଭଲ ପଢ଼ୁଥିଲା । ନାରାୟଣ ସାରଙ୍କ ପାଖରେ ଆମେ ଟିଉସନ ହେଉଥିଲୁ । ସପ ଉପରେ ଚକଚକ କରେ ସୁନେଲି ଖରା । ଆମ ସାଙ୍ଗରେ ବସୁଥିଲା ସାରଙ୍କ ଝିଅ ଅରୁନ୍ଧତୀ । ସେ ଆମ ଉପର ଶ୍ରେଣୀରେ ପଢେ଼ । ରଙ୍ଗ ତୋଫା ଗୋରା । ଲାଲ ଓଠ । ଢ଼ଳଢ଼ଳ ଆଖି ।

ଅରୁନ୍ଧତୀ ଖାତାରେ ଗଣିତ କଷିବାବେଳେ, ସୁମନ୍ତର ମନେ ହେଉଥିଲା, ସେ କାହା ପାଖକୁ ଲେଖୁଚି ପ୍ରେମଚିଠି । ଅବଶ୍ୟ ଥରେ ଦି’ଥର ଏହି କଥା ଆମ ଆଗରେ ପ୍ରକାଶ କରିଚି ସୁମନ୍ତ । ତା କଥା ଶୁଣି ଆମ ମନ ଭିତରେ ସୃଷ୍ଟି ହୋଇଚି ଆଲୋଡ଼ନ ।

ଏତେ ସୁନ୍ଦର ଦିଶୁଥିବା ଝିଅଟି କାହାକୁ ପ୍ରେମ ନକରି ରହିଥିବା କଥାଟି ବିଶ୍ୱାସଯୋଗ୍ୟ ମଧ୍ୟ ନୁହେଁ। ବହି ପୃଷ୍ଠା ଭିତରୁ ନ ହେଲେ ଖାତା ଭିତରୁ କେତେବେଳେ ପ୍ରେମଚିଠିଟିଏ ଆବିଷ୍କୃତ ହେବ, ସେହି ମୁହୂର୍ତ୍ତକୁ ଆମେ ଅପେକ୍ଷା କରିଥାଉ ।

ଅରୁନ୍ଧତୀ ଦିନକୁଦିନ ଦିଶେ ଅଧିକ ସୁନ୍ଦର ହଳଦିଆ, ନ ହେଲେ ଲାଲ ରଙ୍ଗର ଫ୍ରକରେ । ସ୍କୁଲ ହତା ଭିତରେ ଚାକୁଣ୍ଡାଗଛ । ତା’ରି ଛାଇରେ ଚାହିଁ ରହିଥାଏ ପ୍ରଶାନ୍ତ । ପବନରେ ଉଡେ଼ ଅନିନ୍ଦ୍ୟ କେଶ । ଅଳ୍ପ ଟେକିହେଲାପରି ଲାଗେ ଫ୍ରକ । ଅରୁନ୍ଧତୀର ଗୋରା ରଙ୍ଗର ପାଦ ଦୁଇଟି ଅଦ୍ଭୁତ କମ୍ପନ ସୃଷ୍ଟି କରେ ପ୍ରଶାନ୍ତର ହୃଦୟ ଭିତରେ । ଶୁଖିଯାଏ ତଣ୍ଟି । ଅଳ୍ପ ମେଲିଯାଏ ଓଠ । ଧଳା ଦାନ୍ତ ଦି’ ଧାଡ଼ି ସୂଚେଇଦିଏ, ସିଏ ବି ଅରୁନ୍ଧତୀକୁ ଭଲପାଉଚି ।

ଏଠାରେ ମୋ’ ସମ୍ପର୍କରେ ପଦେ ଦି’ପଦ କଥା ନ କହିଲେ ଠିକ ହେବ ନାହିଁ । ଅରୁନ୍ଧତୀକୁ ଦେଖିଲେ, କାହିଁକି କେଜାଣି ମୁଁ ସଙ୍କୁଚିତ ହୋଇପଡେ଼ । ଭଲ ଭାବରେ ଚାହିଁପାରେ ନାହିଁ ଢ଼ଳଢ଼ଳ ହେଉଥିବା ଆଖି ଦୁଇଟିକୁ । ଲାଗେ, ମୋର କୌଣସି ଦାବି ନାହିଁ ସେଇ ରୂପସୌନ୍ଦର୍ଯ୍ୟଭରା ଝିଅଟି ଉପରେ । ଛଟପଟ ହୁଏ । ମନେପଡେ଼, ଗାଆଁରେ ଛାଡ଼ିଆସିଥିବା ଗୋଟେ ଅଭାବଗ୍ରସ୍ତ ପରିବାର। ସାନଭାଇ ଓ ତିନି ଭଉଣୀ । ରୋଗିଣା ମାଆ । ବିଲରେ ଖଟି ମୋ’ ପଢ଼ିବା ଖର୍ଚ୍ଚ ତୁଲାଉଥିବା ବାପା । ଚାଳଘରର ପୋକଖିଆ ବାଉଁଶ ଶେଣିରୁ ଝରିପଡ଼ୁଥିବା ଧଳାଗୁଣ୍ଡ ମୋତେ ଆଦୌ ବାଟବଣା ହେବା ପାଇଁ ସାହାଯ୍ୟ କରେ ନାହିଁ । ତେଣୁ ଅରୁନ୍ଧତୀ ମୋ’ ଆଗରେ ଚାଲିଗଲେ, ମୋତେ ଲାଗେ ଲାଲ ରଙ୍ଗର ରିବନ ପବନରେ ଉଡ଼ିଯିବା ପରି ।

ଅଥଚ ଏକ ଶୋଚନୀୟ ପରିସ୍ଥିତିର ସାମନା କରିବାକୁ ଡରିଗଲି । ଟିଉସନ ହେଉଥିବାବେଳେ ଜଣେ ଲୋକ ଆସି ଠିଆହେଲା ନାରାୟଣ ସାରଙ୍କ ସାମନାରେ । ଘାତକ ପରି । ଆମ ତିନିଜଣଙ୍କ ବିରୋଧରେ ଥିଲା ତାହାର ଅଭିଯୋଗ । ଅଭିଯୋଗର ସତ୍ୟତା ପ୍ରତି କୌଣସି ଗୁରୁତ୍ୱ ଥିବା ପରି ବୋଧ ନ ହେଉଥିଲେ ମଧ୍ୟ ସାର କିଛି ବୁଝି ନଥିଲେ । ପିଟିଚାଲିଲେ ବେତ ବାଡ଼ିରେ । ତା’ ଫଳରେ ଆମ ହାତ ଆଉ ଗୋଡ଼ରେ ଦିଶିଲା ଲାଲ ଦାଗ । ରାଗ ଶାନ୍ତ ହେବା ପରେ ବାଡ଼ି ଫୋପାଡ଼ି ଦେଇ ଘର ଭିତରକୁ ପଳାଇଲେ ।

ଏପରି କ୍ରୋଧ ପ୍ରକାଶ ପାଇବା ପଛରେ ଯୁକ୍ତିଯୁକ୍ତ କାରଣଟିଏ ଅଛି । ତାହାକୁ ଉପେକ୍ଷା କରାଯାଇ ନପାରେ । ସେହି ଲୋକର ଅଭିଯୋଗ ସାରଙ୍କ ମାନସିକ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଥିଲା । ତାଙ୍କ ଛାତ୍ରମାନେ ରାତିରେ ପଣସ ଚୋରି କରିବା ଘଟଣା ଆଦୌ କ୍ଷମଣୀୟ ନୁହେଁ ବୋଲି ସେ ଭାବିବା ଯଥାର୍ଥ ।

କାନ୍ଦିପାରି ନଥିଲି । ସାମନାରେ ବସିଥିଲା ଅରୁନ୍ଧତୀ । ଗୋଟିଏ ସୁନ୍ଦରୀ ଝିଅ ଆଗରେ କାନ୍ଦିବା ଦୁର୍ବଳତାର ଲକ୍ଷଣ ହେବ ଭାବି, ସବୁ ମାଡ଼କୁ ସହି ନେଇଥିଲି । ପ୍ରକୃତରେ ଆମେ କେହି ପଣସ ଚୋରି କରି ନଥିଲୁ । ଡାଇନିଙ୍ଗ ହଲରୁ ଫେରିବାବେଳେ ଖସିପଡ଼ିଥିବା ଏକ ପାଚିଲା ପଣସକୁ ପ୍ରଶାନ୍ତ ହାତରେ ଏପଟ ସେପଟ କରିବାର ଦୃଶ୍ୟଟିକୁ କେହି ବୋଧହୁଏ ଲକ୍ଷ୍ୟ କରିଥିଲା । ମାତ୍ର ସେହିଦିନଠାରୁ ଆମ ତିନିଜଣଙ୍କ ମଧ୍ୟରେ ବନ୍ଧୁତା ଆଉ ରହିଲା ନାହିଁ । ନିଜ ନିଜ ଇଚ୍ଛାରେ ଅଲଗା ହୋଇଗଲୁ, ଯାହା ଫଳରେ ଅରୁନ୍ଧତୀ ସମ୍ପର୍କରେ ନୂଆ ନୂଆ ଅନୁଭବର କଥା ଆଉ କେହି କାହାକୁ କହିବା ପାଇଁ ସମର୍ଥ ହେଲୁନାହିଁ ।

ଅରୁନ୍ଧତୀ କାହା ପାଖକୁ ପ୍ରେମଚିଠି ଲେଖୁଚି, ତାହା କାହାରି ମନରେ କୌତୂହଳ ସୃଷ୍ଟି କରିବା ଆଉ ଆବଶ୍ୟକ ହେଲା ନାହିଁ । ବାସ୍ତବିକ ଏହି ସମୟ ଆମ ପାଇଁ ଶୁଭଦାୟକ ନଥିଲା ।

ଆଉ ଗୋଟିଏ ଘଟଣା, ଯାହା ଘଟିଲା, ସେଥିପାଇଁ କେହି ବୋଧେ ପ୍ରସ୍ତୁତ ହୋଇ ନଥିଲେ । ବିସ୍ମିତ ହେବା ସ୍ୱାଭାବିକ । ଏତେ ଭଲ ପଢ଼ୁଥିବା ପିଲାଟି ଏମିତି ଭୁଲ କାର୍ଯ୍ୟ କରିପାରିବ, ତାହା ସନେ୍ଦହହୀନ ଥିଲା । ଅଥଚ ସୁମନ୍ତ ଏହି ଅବିଶ୍ୱାସ୍ୟ କାର୍ଯ୍ୟଟି କରିଥିବାରୁ ନିନ୍ଦିତ ହେଲା । ସମସ୍ତଙ୍କ ଆଗରେ ନାରାୟଣ ସାର ତାକୁ ନିଲଡାଉନ କରିଦେଲେ ।

ସିଝିଗଲା ସୁମନ୍ତ । ତା’ ମୁହଁ ଦିଶିଲା ଲାଲ- ଖରାରେ, ଲଜ୍ଜାରେ । କିଛି ଉତ୍ତର ଦେବାକୁ ସେ ସମର୍ଥ ହେଲା ନାହିଁ । ତା’ ମୂର୍ଖତା ପାଇଁ ସେ ନିଜେ ଦାୟୀ, ଆଉ କେହି ନୁହେଁ । ଏକଥା ସ୍ୱୀକାର କଲାବେଳେ, ଆଖିରୁ ଝରିପଡ଼ିଲା ଲୁହ ।

ବିଶ୍ୱାସ କରିପାରିନଥିଲେ ନାରାୟଣ ସାର । ତା’ ସାଙ୍ଗରେ ପ୍ରଶାନ୍ତ, ନ ହେଲେ ମୋ’ ଉପସ୍ଥିତି ନିଶ୍ଚିତ ଥିବ ବୋଲି ଆଶା କରିଥିଲେ । ଏହାର କାରଣ ହେଲା, ଗଣିତରେ ମୁଁ ବିଶେଷ ଦୁର୍ବଳ । ଯେତେ ଚେଷ୍ଟା କଲେ ବି ମୁଁ ଗଣିତର ଜଟିଳ ସୂତ୍ର ସବୁ ବୁଝିବାରେ ଅସଫଳ । ବାପାଙ୍କ ଅର୍ଥହାନି କରିବାରେ ସହଯୋଗ କରୁଚି ବୋଲି ଅଧିକାଂଶ ସମୟରେ ତାଙ୍କ ମନ୍ତବ୍ୟରୁ ଜଣାପଡେ଼ । ମାତ୍ର ସୁମନ୍ତ ସହ ମୁଁ ନଥିଲି । ନ ହେଲେ ସେ କହିପାରିଥା’ନ୍ତା ମୋ’ ନାଆଁ । ତେବେ, ମୋ’ ଜୀବନରେ ଏହା ଏକ ଅପ୍ରୀତିକର ଘଟଣା ହୋଇ ନପାରେ । ମାତ୍ର ଦି’ଦିନ ପରେ ଗାଆଁରୁ ଆସିଥିଲେ ବାପା । ଏହି କଥା ସେ ଶୁଣିଥିଲେ । ସୁମନ୍ତ ଆମ ଗାଆଁର ପିଲା । ମନ ଦୁଃଖ କରି ଚାଲିଯାଇଥିଲେ ସେ ।

ଭାବି ପାରି ନଥିଲି । ଭୂତ ସବାର ହୋଇଥିଲା ବୋଧେ ସୁମନ୍ତ ଦେହରେ । ନ ହେଲେ କ’ଣ ସେ ନାରାୟଣ ସାରଙ୍କ ଟ୍ରଙ୍କ ଖୋଲିଥା’ନ୍ତା ଘରେ ପଶି, କେହି ନଥିବାବେଳେ! କ’ଣ ଖୋଜୁଥିଲା ସେ? ଅବଶ୍ୟ କିଛିଦିନ ପରେ ମୋ’ ଆଗରେ ସେ ସ୍ୱୀକାର କରିଥିଲା ଏହି କଥା । ଅରୁନ୍ଧତୀ ଲେଖିଥିବା ପ୍ରେମ ଚିଠିର ସନ୍ଧାନରେ ସେ ପଶିଥିଲା ସାରଙ୍କ ଘରେ । ସେଥିପାଇଁ ସେ ଟ୍ରଙ୍କ ଖୋଲିଥିଲା । ଗୋଟେ ଟ୍ରଙ୍କରୁ ପାଇଥିଲା ପରୀକ୍ଷା ପାଇଁ ନାରାୟଣ ସାର ପ୍ରସ୍ତୁତ କରିଥିବା ଗଣିତର ପ୍ରଶ୍ନପତ୍ର । ପ୍ରେମଚିଠି ବଦଳରେ ପ୍ରଶ୍ନପତ୍ରକୁ ସେ ନେଇଆସିଥିଲା । ଅଥଚ କଥାଟିକୁ ଲୁଚାଇ ରଖିପାରି ନଥିଲା। ପ୍ରଶାନ୍ତ ଆଗରେ ପ୍ରକାଶ କରିଥିଲା । ଯା’ ଫଳରେ ଶେଷ ପରିଣତି ହେଲା, ନିଲଡାଉନ ଡହଡହ ଖରାରେ ।

ସ୍ତମ୍ଭୀଭୂତ ହୋଇଥିଲି ସୁମନ୍ତର ସ୍ୱୀକାରୋକ୍ତିରେ । ଭଲପାଇବା ହେତୁ ଏହିପରି ଭୁଲ ହୋଇପାରେ, ବୁଝିପାରିଥିଲି ।

ବ୍ୟସ୍ତତା ଭିତରେ ସମୟ କଟୁଥିବାବେଳେ ବାପା ଗୋଟିଏ ପ୍ରସ୍ତାବ ମୋତେ ଦେଇଥିଲେ । ପଟ୍ଟାମୁଣ୍ଡାଇରେ ନୁହଁ; ବରଂ ଢେ଼ଙ୍କାନାଳରେ ପାଠ ପଢ଼ିବା ପାଇଁ । ଅବଶ୍ୟ ମାଆ ଏଥିରେ ଆଦୌ ରାଜି ନଥିଲା । ଏତେ ଦୂରରେ ଯାଇ ପାଠ ପଢ଼ିବା କଥାଟିକୁ ସେ ଗ୍ରହଣ କରିପାରିଲା ନାହିଁ । ଢେ଼ଙ୍କାନାଳରେ ଅଜା ଘର । ଭରସା ଓ ପ୍ରତ୍ୟୟର ଭାଷା ଯେତେବେଳେ ଅଜାଙ୍କ ପାଖରୁ ଆସି ମାଆ ପାଖରେ ପହଞ୍ଚିଲା, ସେ ଆଉ ନାହିଁ କରିପାରିଲା ନାହିଁ ।

ମାତ୍ର ମୁଁ ଉଲ୍ଲସିତ, ବିଭୋର ହେଲି ନାହିଁ । ପରିଚିତ ପରିବେଶ ନିକଟରୁ ଦୂରେଇ ଯିବା ସହଜ କଥା ନୁହେଁ । ଗାଆଁଠାରୁ ଦୂର । ପଟ୍ଟାମୁଣ୍ଡାଇଠାରୁ ଦୂର । ଦୂର ମଧ୍ୟ ଅରୁନ୍ଧତୀ ପାଖରୁ । ଉଡ଼ିଯାଉଥିବା ଲାଲ ରିବନ ପରି ଏକ ଦୃଶ୍ୟ ଦେଖିବା ମୋ’ ପାଇଁ ଆଉ ସମ୍ଭବ ହେବନାହିଁ, ବୁଝିପାରିଲି । ଜୀବନକୁ ସେତେବେଳେ କେତେ ବୁଝିପାରିଥିଲି, ତାହା ଜାଣେ ନାହିଁ । ମାତ୍ର ଏତିକି ହୃଦୟଙ୍ଗମ କରିଥିଲି, ଛାଡ଼ି ଯାଉଚି ପରିପୂର୍ଣ୍ଣ ପୃଥିବୀ । ଯେଉଁଠାରେ ଅଛି, ଏକମାତ୍ର ଅରୁନ୍ଧତୀ, ଯାହାକୁ ଭଲପାଏ ବୋଲି କହିବା ସକାଶେ ମୋର ସାମର୍ଥ୍ୟ ନାହିଁ । ସାହସ ବି ନାହିଁ ।

ସବୁଠାରୁ ବିସ୍ମୟର କଥାଟି ହେଲା, ଆସିବାବେଳେ ଅରୁନ୍ଧତୀକୁ ଭେଟିପାରିଲି ନାହିଁ । କିନ୍ତୁ ମନେଅଛି, ଚାକୁଣ୍ଡାଗଛରେ ଭର୍ତ୍ତି ହୋଇଥିଲା ଫୁଲ । ଆକାଶରେ ଭାସୁଥିଲା ମେଘ । ଆଜବେଷ୍ଟସ ଛାତ ଉପରେ ବସିଥିଲେ ପାରା ଦମ୍ପତ୍ତି । କ୍ଲାସ ରୁମରୁ ଶୁଣାଯାଉଥିଲା ନାରାୟଣ ସାରଙ୍କ ଅନୁଶାସନର ସ୍ୱର ।

ସେହି ପରିବେଶରୁ ହିଁ ଜାଣିପାରିଲି, ବାସ୍ତବତାକୁ ଗ୍ରହଣ କରିବା ହେଉଚି ବିଜ୍ଞତାର ପରିଚୟ । କେତେ ବୟସ ହୋଇଥିବ ମୋତେ? ସାଇକେଲ କ୍ୟାରିଅରରେ ବସିବାବେଳେ, ମୋତେ ଲାଗିଲା ମୁଁ ଯାଉଚି ଆଉ ଗୋଟିଏ ପୃଥିବୀକୁ, ଯେଉଁଠି ମୋର କେହି ନାହାନ୍ତି । ତେଣୁ ଯନ୍ତ୍ରଣା ଭିତରେ କେମିତି ବଞ୍ଚିବା ପାଇଁ ହେବ, ତାହା ଶିଖିବାକୁ ପଡ଼ିବ । ନିଃସଙ୍ଗତା ଭିତରେ ଜିଇରହିବାର କୌଶଳ ପାଇବା କ’ଣ କମ ସୌଭାଗ୍ୟର କଥା! ଅଥଚ ରହିଗଲା ପଟ୍ଟାମୁଣ୍ଡାଇରେ ଅରୁନ୍ଧତୀ ।

ଢେ଼ଙ୍କାନାଳରେ ପାଣି ଓହଳା ପାହାଡ଼ । ଝରିପଡେ଼ ଧାରଧାର ହୋଇ ମେଘ । ଗଛରେ, ଡାଳରେ ଓ ପତ୍ର ଉପରେ । ଛୁଏଁ ଲାଲ ରଙ୍ଗର ମାଟି । ସ୍ତମ୍ଭୀଭୂତ ହେଲି ଏହି ଦୃଶ୍ୟ ଦେଖି । ବାସ୍ତବିକ ସମସ୍ତ ନିଃସଙ୍ଗତା ସତ୍ତ୍ୱେ ସେଠି ମୋ’ ପାଇଁ ଅପେକ୍ଷା କରି ରହିଥିଲା ଏକ ସଂପ୍ରସାରିତ ସୁରକ୍ଷିତ ଭବିଷ୍ୟତ । ତେଣୁ ପଟ୍ଟାମୁଣ୍ଡାଇ ଆଉ ଦୂର ବୋଧ ହେଲା ନାହିଁ । ବର୍ଷରେ ଥରେ ଦି’ଥର ଆସିବା ହେତୁ ବୁଝିପାରିଲି ମାଟିର ରଙ୍ଗ ଭିନ୍ନ ହେଲେ ବି ସବୁଠାରେ ଅଛି ଅବିଭାଜିତ ସ୍ନେହ ଓ ଶ୍ରଦ୍ଧା । ନିରାପଦ ସମୟ । ହେଲେ ଲାଲ ରିବନ ଭଳି ଉଡ଼ିଯାଉଥିବା ଦୃଶ୍ୟର ପୁନରାବୃତ୍ତି ହେଲା ନାହିଁ ।

ଯଥାସମ୍ଭବ ନିଜକୁ ନିୟନ୍ତ୍ରଣରେ ରଖି ପାଠପଢ଼ାରେ ମନ ଦେଲି । ନବମ ଶ୍ରେଣୀର ପରୀକ୍ଷା ଫଳ ଆଣିଦେଲା ବାପାଙ୍କ ମୁହଁରେ ସନ୍ତୋଷର ଚିହ୍ନ । ଏହା ମାମୁଲି କଥା ନୁହେଁ । କାରଣ ସେ ପରିସ୍ଥିତି ସହ ଲଢେ଼ଇ କରି ଅନେକ ଥର ହାରିଯିବାର ପ୍ରମାଣ ଅଛି । ତାଙ୍କ ଅସୁରକ୍ଷିତ ଭବିଷ୍ୟତକୁ ମୋ’ ପାଠପଢ଼ା ସହ ସଂଯୋଗ କରି ସେ ଚିନ୍ତିତ ହେବା ସ୍ୱାଭାବିକ ।

ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ରହିଗଲି ଢେ଼ଙ୍କାନାଳରେ । ସେଠାରୁ ଫେରିବା ସମ୍ଭବ ହେଲା ନାହିଁ। ନବମ ପରେ ଦଶମ । ତା’ପରେ ମାଟି୍ରକ । ମାଟି୍ରକ ପରୀକ୍ଷାରେ ଭଲ କରିବା ସତ୍ତେ୍ୱ ବାପା ଢେ଼ଙ୍କାନାଳ କଲେଜରେ ମୋ’ର ଆଡ଼ମିସନ କରିଦେଲେ । ଏହା ଫଳରେ ସମସ୍ତଙ୍କ ସହ ସମ୍ପର୍କ ଛିନ୍ନ ହେବାର ସମ୍ଭାବନା ଦେଖାଦେଲା । ଅବଶ୍ୟ ପୂଜାଛୁଟିରେ ସୁମନ୍ତ ସହ ଗାଆଁରେ ଭେଟ ହେଉଥିଲା । ତାହାରି ପାଖରୁ ମିଳିଥିଲା ଅରୁନ୍ଧତୀ ବିଭାଘରର ଖବର । ପଟ୍ଟାମୁଣ୍ଡାଇ ପାଖରେ ଥିବା କୌଣସି ଏକ ଗାଆଁରେ ତା’ ଶାଶୂଘର । ସ୍ୱାମୀ ଭେଟେରେନାରିରେ ଅଛନ୍ତି ଅଫିସର। ପ୍ରଶାନ୍ତ ମାଟ୍ରିକ ଫେଲ ହୋଇ ରହିଚି ଘରେ । କଲିକତା ଯିବା ପାଇଁ ପ୍ରସ୍ତୁତ ହେଉଚି ।

ବୋଧହୁଏ ଏସବୁ ଖବର ମୋ’ ପାଇଁ ଥିଲା ନିରର୍ଥକ, ସମୟର ତାସମୁଠାରୁ ଖସିପଡ଼ିଥିବା କୌଣସି ଏକ କାଡର଼୍ ପରି ।

ଗୋଟିଏ ଯୁଗ ବିତିଗଲା ।

ସତ କହୁଚି, ଭୁଲିଯାଇଥିଲି ସବୁକିଛି । ମନେ ନଥିଲା, ଫୁଲ ଭର୍ତ୍ତି ଚାକୁଣ୍ଡା ଗଛ । ଯୋଡ଼ି ହୋଇ ବସିଥିବା ପାରା ଦମ୍ପତ୍ତି । ନାରାୟଣ ସାରଙ୍କ ଅନୁଶାସନର ସ୍ୱର । ଅରୁନ୍ଧତୀର ଢ଼ଳଢ଼ଳ ଆଖି ।

ସ୍ମୃତିର ଦରଜା ଖୋଲିଦେଲା ଅରୁନ୍ଧତୀର ସ୍ୱର ହଠାତ ।

– ‘ହ୍ୟାଲୋ, ମୁଁ ଅରୁନ୍ଧତୀ କହୁଚି ।’

ସେହି ସ୍ୱର । କିଛି ବି ଅଲଗା ଲାଗୁନି । ସେହି ସ୍ୱରରେ କ’ଣ ଥିଲା କେଜାଣି, ଅଭିଭୂତ ହୋଇଗଲି । ଏତେଦିନ ପରେ ଫୋନରେ ଅରୁନ୍ଧତୀର ସ୍ୱର ମୋ’ ମନର ଆକାଶରେ ଆଣିଦେଲା ବୋଧେ ବର୍ଷା । ମୋ’ ଭିତରେ ଓଦାଓଦା ଅନୁଭବ ।

– ‘କ’ଣ ଜାଣିପାରୁନ? ତୁମେ ସିନା ମୋ’ ଖବର ରଖି ନଥିବ । ମାତ୍ର ତୁମ ଖବର ମୁଁ ରଖିଚି । ଚିହ୍ନା ପରିଚିତ ଲୋକଙ୍କଠାରୁ ପଚାରି ବୁଝିଚି । ପଟ୍ଟାମୁଣ୍ଡାଇ ଛାଡ଼ି ଢେ଼ଙ୍କାନାଳରେ ରହି ପଢ଼ିଲ । ଏବେ ଚାକିରି କରି କଟକରେ ଅଛ ।’

କ’ଣ କହିବି, ତାହା ମନେମନେ ଭାବିଲି । ମାତ୍ର କିଛି କହିବା ପୂର୍ବରୁ ସେ ପଚାରିଲା, ‘ତୁମକୁ ଭେଟିବା ପାଇଁ ଚାହୁଁଚି, ଜୟନ୍ତ । କଥା ଅଛି । ଅନେକ ଦିନରୁ ଭାବୁଚି ତୁମକୁ ଟିକେ ଦେଖା କରିବି ବୋଲି, ତାହା ସମ୍ଭବ ହେଉ ନଥିଲା । ଜାଣିଛ, କାଳୀଗଳିରେ ଘର ତୋଳି ଏବେ ରହୁଚି । କୁହ, ତୁମେ କେତେବେଳେ ଘରେ ଥିବ?’

କାଳୀଗଳିଠାରୁ ଚାନ୍ଦିନୀଚୌକ କେତେ ଦୂର?

ଯଥାସମ୍ଭବ ନିଜ ମନୋଭାବକୁ ଚାପି ରଖି କହିଲି, ‘ସାତଟା ପରେ ଆସିଲେ ମୋ’ ସହିତ ଭେଟ ହେବ ।’

ସତ କଥା ହେଉଚି, ମୋତେ ଟିକେ ହେଲେ ସମୟ ମିଳେ ନାହିଁ । ସକାଳ ଦଶରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଘାଣ୍ଟିହେବାକୁ ପଡେ଼ ବ୍ୟାଙ୍କ କାର୍ଯ୍ୟରେ । ଅରୁନ୍ଧତୀ ଏତେ ଦିନ ପରେ ମୋତେ କାହିଁକି ଭେଟିବାକୁ ଚାହୁଁଚି, ତାହା ଠିକ ରୂପେ ବୁଝିପାରିଲି ନାହିଁ । କ’ଣ କହିବ ମୋତେ?

ଘର ପାଇବାରେ ଅସୁବିଧା ହେତୁ ଅରୁନ୍ଧତୀ ପହଞ୍ଚିଲା ବିଳମ୍ବରେ । ପାହାଚ ଚଢ଼ୁ ଚଢ଼ୁ କହିଲା, ‘ଜୟନ୍ତ, ତୁମେ ମୋତେ ଚିହ୍ନିପାରୁଛ?’

ରଙ୍ଗ ସେତେ ଗୋରା ନଥିଲା । ଆଖି ତଳେ ହାଲୁକା କଳା ଦାଗ । ଓଠ ଟିକେ ଚଉଡ଼ା ଲାଗିଲା । ପିନ୍ଧିଚି ଗହମ ରଙ୍ଗର ଶାଢ଼ି । ପାହାଚ ଉଠିଲାବେଳେ ଧଇଁ ସଇଁ ହୋଇପଡ଼ିଲା ଅରୁନ୍ଧତୀ । କପାଳରେ ଝଟକି ଉଠିଲା ବୁନ୍ଦାବୁନ୍ଦା ଝାଳ । ହାତରେ ପଟେ ଲେଖାଏଁ ସୁନା ଚୁଡ଼ି । ସୀମନ୍ତରେ ଅସ୍ପଷ୍ଟ ସିନ୍ଦୂର ବିନ୍ଦୁ ।

ଅରୁନ୍ଧତୀକୁ ଚିହ୍ନିବା ମୋ’ ପକ୍ଷରେ ସହଜ ହେଲା ନାହିଁ । ପେଟ ଓ ପିଠିରେ ଅସମ୍ଭବ ଭାବରେ ଗୁଡ଼ାଏ ଭାଙ୍ଗ । ତାକୁ ଦେଖି ମୋତେ ଲାଗିଲା, ଯେମିତି ସେ ଅରୁନ୍ଧତୀ ନୁହେଁ, ଅନ୍ୟ କେହି ଜଣେ। ସମ୍ଭବତଃ ପିଲାଦିନେ ପତଳା ଝିଅଟିର ଢ଼ଳଢ଼ଳ ଆଖି ଦୁଇଟି ଯେଉଁ ଆବେଗ ସୃଷ୍ଟି କରିବାର କ୍ଷମତା ବହନ କରିଥିଲା, ତାହା ଏବେ ନାହିଁ ।

ହସିଲା ଅରୁନ୍ଧତୀ । ଅତି ଧୀରେ କହିଲା, ‘ମୋଟା ହୋଇଯାଇଚି । ତେଣୁ ଖିଆପିଆ କମାଇ ଦେଇଚି । ହେଲେ ଟିକେବି ଝଡ଼ୁନି । ଏଇ ନିକଟରେ ଲଣ୍ଡନ ଯାଇଥିଲି । ଝିଅ ପାଖରେ ଦି’ମାସ ରହିଲି । ପତଳା ହେବାପାଇଁ ସେଠି ଚେଷ୍ଟା କରିଥିଲି । ହେଲେ, କିଛି ହେଲା ନାହିଁ । ଫେରିବା ପରେ ଅଧିକ ମୋଟା ହୋଇଯାଇଚି ।’

ଅରୁନ୍ଧତୀକୁ ଦେଖିବା ପରେ ମନେ ପଡ଼ିଲା ସୁମନ୍ତର କଥା । ମାଟ୍ରିକ ପରେ ଆଇ.ଏସସି. ପଢ଼ିଲା । ଥରକରେ ମେଡିକାଲ ଏଣ୍ଟ୍ରାସରେ କୃତକାର୍ଯ୍ୟ ହେଲା । ତା’ କୃତକାର୍ଯ୍ୟ ହେବା ଖବର ଆମ ଅଞ୍ଚଳରେ ଖୁସିର ଲହର ଖେଳାଇଦେଲା । କ’ଣ ହେଲା କେଜାଣି, ଦ୍ୱିତୀୟ ବର୍ଷ ସେ ମେଡ଼ିକାଲ ପଢ଼ା ଛାଡ଼ିଦେଲା । ଏବେ ଯାଇ ରହୁଚି ଆସାନସୋଲରେ ।

କହିବି, ଏ କଥା ଅରୁନ୍ଧତୀକୁ? କହିଲେ ଲାଭ କ’ଣ ହେବ? ସେ କ’ଣ ଜାଣିଚି, ସୁମନ୍ତ ତାକୁ ଭଲ ପାଇଥିଲା? ସୁମନ୍ତ ଏବେ ଅରୁନ୍ଧତୀକୁ ଦେଖିଲେ କ’ଣ ଚିହ୍ନିପାରିବ? ଏସବୁ ପ୍ରଶ୍ନର ଉତ୍ତର ମିଳିବା ସହଜ ନୁହେଁ ।

ସମୟ କାହାକୁ କେଉଁଠି ପହଞ୍ଚାଇଚି, ତାହା ବିସ୍ମୟର କଥା । ବୋଧେ ସେଥିପାଇଁ ଅରୁନ୍ଧତୀ ନିଜ କଥା କହିଲା, ‘ଜୟନ୍ତ, ମୋ କଥା ତୁମେ ଜାଣି ନଥିବ । ଇଣ୍ଟରମିଡିଏଟ ପଢ଼ିଲାବେଳେ ମୋ ବାହାଘର ହୋଇଗଲା । ସ୍ୱାମୀ ଭେଟେରନାରିରେ ଅଫିସର ଥିଲେ । ସେ ରହୁଥିଲେ କଟକରେ । ଆଉ ମୁଁ ଗାଆଁରେ । ନିପଟ ମଫସଲ ଗାଆଁରେ ଚଳିବା କେତେ କଷ୍ଟ, ତମେ ତାହା ଜାଣିପାରିବ ନାହିଁ । ମାତ୍ର ସବୁ ସହି ରହିଗଲି ସେଠି । ଲାଗ ଲାଗ ହୋଇ ତିନୋଟି ପିଲା । ଦେହ ଖରାପ ହେଲା । ବାଧ୍ୟ ହୋଇ ଆସିଲି କଟକ । ମାତ୍ର ମୋ’ ଭାଗ୍ୟରେ ସୁଖ ନଥିଲା । ଅଚାନକ ତାଙ୍କୁ ଜ୍ୱର ହେଲା । ସମସ୍ତେ ଚିକିତ୍ସା ସତ୍ତ୍ୱେ ଜ୍ୱର ଛାଡ଼ିଲା ନାହିଁ ।

ନୀରବ ରହିଲା କଥା ମଝିରେ ଅରୁନ୍ଧତୀ । ଅନେକ ଦିନ ତଳେ ହୃଦୟ ଭିତରେ ହୋଇଥିବା ଦୁଃଖର ଚିତ୍ରଟିକୁ ଆଉଥରେ ଦେଖିଥିଲା ଯେମିତି । ଛଳଛଳ ଆଖି, ଲୁହରେ । ଦୁଇ ପାପୁଲିରେ ଜକେଇଥିବା ଲୁହ ବୁନ୍ଦାକୁ ପୋଛି କହିଲା, ‘ସେ ଚାଲିଗଲେ । ଦୁଇଝିଅ ଆଉ ପୁଅ । ସେମାନଙ୍କୁ ନେଇ କିପରି ବଞ୍ଚିରହିବି, ତାହାହିଁ ମୋ’ ପାଇଁ ବଡ଼କଥା ଥିଲା । ସେଥିପାଇଁ ଅନେକ କଷ୍ଟ କରିଚି। ନିଜେ ପଢ଼ିଚି ଆଉ ସେମାନଙ୍କୁ ପଢ଼ାଇବାରେ କୌଣସି ଅବହେଳା କରିନାହିଁ । ପ୍ରାଇଭେଟରେ ପାଶ କରିଚି ଏମ.ଏ. । ରେଡ଼ିଓରେ ପ୍ରୋଗ୍ରାମ କରିଚି । ନିଜର ଦୁଃଖକୁ ଭୁଲିଯିବା ପାଇଁ ଗିଟାର ଶିଖିଚି ପାଞ୍ଚବର୍ଷ ଧରି । ଚାକିରି କରିଚି ଭେଟେରେନାରି ଅଫିସରେ । କିନ୍ତୁ ଦୁଃଖ ମୋତେ ଛାଡ଼ି ନାହିଁ ।’

ଧୀରେ ଧୀରେ ସହଜ ହେଲା ଅରୁନ୍ଧତୀ । ଦୁଃଖକୁ ଅତିକ୍ରମ କରିଯିବା ପାଇଁ ତା’ ଭିତରେ ଗୋଟେ ପ୍ରଚଣ୍ଡ ଶକ୍ତି ସୃଷ୍ଟିହୋଇଚି, ତାହା ହିଁ ସୂଚେଇଦେଲା ସେ । ସେହିି ଶକ୍ତି ସାମନାରେ ସମସ୍ତ ଦୁଃଖ କିପରି ପଙ୍ଗୁ ହୋଇଗଲା, ତାହା ବର୍ଣ୍ଣନା କରିବାକୁ ପଛେଇଲା ନାହିଁ । ଅତି ଶାନ୍ତ ସ୍ୱରରେ ସେ କହିଲା, ‘ସେ ଚାଲିଯିବା ପରେ ଗୋଟେ ଅଭାବନୀୟ ପରିସ୍ଥିତିର ଶିକାର ହେବାକୁ ପଡ଼ିଲା । ମୋ’ ଲୁହକୁ କେହି ପୋଛିବା ପାଇଁ ଇଚ୍ଛା କଲେ ନାହିଁ । ମାତ୍ର ମୋ’ ହାତରେ ଥିବା ଚୁଡ଼ିତକ ଭାଙ୍ଗିଦେଇ ସବୁ ସମ୍ପର୍କକୁ ବିଚ୍ଛିନ୍ନ କରିଦେଲେ । ଧଳା ଲୁଗା ଖଣ୍ଡେ ମୋ’ ଦେହରେ ଗୁଡ଼ାଇ ଦାମ୍ପତ୍ୟର ସବୁ ଅନୁଭବକୁ ପାଣିରେ ଧୋଇଦେଲେ । ପ୍ରତିବାଦ କରିବା ପାଇଁ ସାହସ ନଥିଲା । ଫେରିଆସିଲି, ସେହି ଶୋକାର୍ତ୍ତ ମୁହୂର୍ତ୍ତର ଧଳା ଫୁଲ କେତୋଟି ଆଞ୍ଜୁଳିରେ ଭରି ।’

ଅରୁନ୍ଧତୀ ତା’ ନିଜ କଥା କହୁଚି ନା, ପ୍ରତ୍ୟେକ ନାରୀ ହୃଦୟର ଦୁଃଖଦ ଅନୁଭବର ଚିତ୍ରଟିଏ ମୋ’ ଆଗରେ ଆଙ୍କୁଚି? କେଉଁ ରଙ୍ଗ ଦେଉଚି ସେହି ଚିତ୍ରରେ? ଲାଲ ନା ଧଳା? ବାସ୍ତବିକ କିଛି ଭାବିବା ମୋ’ ପକ୍ଷରେ ସମ୍ଭବ ହେଲା ନାହିଁ । ଦୁଃଖକୁ ନେଇ ସେ କିପରି କଟାଇପାରିଲା ଏତେ ଦୀର୍ଘ ଜୀବନ?

– ‘ଜାଣିଚ ଜୟନ୍ତ, ପୁଣି ଥରେ ଯେତେବେଳେ ଗାଆଁକୁ ଗଲି, ମୋତେ ଦେଖି ସମସ୍ତେ ଚମକିପଡ଼ିଲେ । ମୁଁ ପିନ୍ଧିଥିଲି କାଚ । ପଟେ ଦି’ପଟ ନୁହଁ, ବରଂ ଚାରି ମୁଠା କାଚ । ଛମଛମ କରୁଥିଲି ଜାଣିଶୁଣି । କାହାକୁ ଦୁଃଖ ଦେବା ପାଇଁ ନୁହେଁ, ବରଂ ମୋ’ ଭିତରୁ ଦୁଃଖକୁ ପୋଛିଦେବା ପାଇଁ । କହିଲ ଦେଖି, କାଚ ଭାଙ୍ଗି ଦେଲେ କ’ଣ ଭୁଲିହୋଇଯିବ ସବୁକିଛି? ବଦଳିଯିବ ସମ୍ପର୍କର ପରିଭାଷା! ଲିଭିଯିବ ଅନୁଭବର କୋମଳ ଦାଗ । ଯଦି ତାହା ହେବ, ଏ ସଂସାରରେ ଭଲପାଇବା ବୋଲି ଆଉ କିଛି ରହିବ ନାହିଁ ।’

ଅରୁନ୍ଧତୀ ଏତକ କହିସାରିବା ପରେ ସଚେତନ ହେଲା ଯେ ସେ କେବଳ ନିଜ କଥା କହିଚାଲିଚି । ନିଜ ଦୁଃଖର ଦର୍ପଣକୁ ମୋ’ ଆଗରେ ଧରି ବସିଚି । ବ୍ୟାକୁଳତା ଓ ଅନିଶ୍ଚିତତାରେ ତା’ର ସମଗ୍ର ସତ୍ତା ସଙ୍କୁଚିତ ହୋଇଗଲା ।

ଏହା ଥିଲା ଏକ ଅଦ୍ଭୁତ, ଶିହରଣପୂର୍ଣ୍ଣ ଅନୁଭୂତି ।

ଦୁଃଖ ଆସିବା ଅତି ସହଜ ଦୁର୍ଘଟଣା । ମାତ୍ର ଏହି ଦୁର୍ଘଟଣାକୁ ସହିନେଇ ସଳଖି ହୋଇ ଚାଲିବା ପାଇଁ ସମର୍ଥ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା । ଅରୁନ୍ଧତୀ ନିଜ ରାସ୍ତା ବୋଧେ ସ୍ଥିର କରିପାରିଥିଲା, ଯାହା ଫଳରେ ଦୁଇଟି ଝିଅ ଓ ପୁଅ ଉଚ୍ଚଶିକ୍ଷିତ । ରୋଜଗାରକ୍ଷମ ।

ପ୍ରଥମଥର ପାଇଁ ଅରୁନ୍ଧତୀ ପଚାରିଲା, ‘ତୁମ କଥା କିଛି କୁହ, ଜୟନ୍ତ । ଏତେ ସମୟ ମୋ’ କଥା ଖାଲି କହିଲି । କଥା କ’ଣ, ଦୁଃଖ ଗୁଡ଼ାଏ । ସତକଥା ହେଉଚି, ତୁମ ଗପ ମୋତେ ବାଟ ଦେଖାଏ । ଦୁଃଖରୁ ମୁକୁଳି ଆସିବା ପାଇଁ ମିଳେ ଉପାୟ । ଯେଉଁ ବହିଦୋକାନରେ ତୁମ ବହି ଦେଖେ, କିଣିନେଇ ପଢେ଼ । ଏତେ ସୁନ୍ଦର ଗପ ତୁମେ କିପରି ଲେଖୁଚ? ଏତେ ଅନୁଭବ ହେଲା କିପରି? ସବୁଠୁ ବଡ଼କଥା କ’ଣ ଜାଣିଚ, ତୁମ ଗପକୁ ନେଇ ଗର୍ବ କରେ, ମୋ’ ତଳ ଶ୍ରେଣୀରେ ପଢ଼ୁଥିବା ପିଲାଟି ଏତେ ସୁନ୍ଦର ଗପ ଲେଖିପାରେ ବୋଲି ।’

ଏକଥା କହିବାବେଳେ ଅରୁନ୍ଧତୀ ମୁହଁରେ ଦେଖାଦେଲା ଖୁସିର ଚିହ୍ନ । ମୋ’ ଗପ ତା’ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିପାରିଚି, ତାହା ଆଶା କରି ନଥିଲି । କାରଣ ଗପର ପରବର୍ତ୍ତୀ ଭାଗ୍ୟ ଉପରେ ମୁଁ ବେଶ ଉଦାସୀନ ।

ବ୍ୟାଗରୁ ବାହାର କରି ମୋ’ ହାତକୁ କେଇଖଣ୍ଡ କାଗଜ ବଢ଼ାଇବାବେଳେ ଅରୁନ୍ଧତୀ କହିଲା, ‘ତୁମପରି ଗପ ଲେଖିପାରିବିନି । ମାତ୍ର ମୋ’ ଭାଷାରେ କିଛି ଅନୁଭବର କଥା ଲେଖିପାରିଚି । ସଜାଡ଼ି ଦେବ । ପ୍ରିୟ ମଣିଷକୁ ହିଁ ଅନୁଭବର କଥା କୁହାଯାଏ । ପିଲାମାନଙ୍କୁ କହିଥିବା କଥା ଅନୁଯାୟୀ ମୋ’ ଇଚ୍ଛାରେ ଭଲେଣ୍ଟାରି ରିଟାୟାରମେଣ୍ଟ ନେଇସାରିଚି । ଏବେ ଘରେ । ଆଉ ଯେତିକି ଜୀବନ ରହିଲା, ସେଥିରେ ଖାଲି ପଢ଼ିବି ଆଉ ଲେଖିବି । ତୁମେ ମୋତେ ସହଯୋଗ କରିବ ତ?’

ଅରୁନ୍ଧତୀର ସମସ୍ତ ଅଧିକାର ମୋ’ ଉପରେ ଯେମିତି । ଇତସ୍ତତଃ ହେବାର କୌଣସି ସମ୍ଭାବନା ନାହିଁ । ଗପର ଚରିତ୍ରଟେ ମିଳିଯାଇଥିବାରୁ । ଆପାତତଃ ଏକ ସୁଖଦ ମୁହୂର୍ତ୍ତ । ରଙ୍ଗ ତୋଫା ଗୋରା । ଲାଲ ଓଠ, ଢ଼ଳଢ଼ଳ ଆଖି, ନବମ ଶ୍ରେଣୀରେ ପଢ଼ୁଥିବା ଝିଅ । ବସିଚି ମୋ’ ଆଗରେ। ଜଟିଳ ଗଣିତର ସୂତ୍ର ବୁଝି ନ ପାରିବା ହେତୁ ।

ସଜାଡ଼ି ଧରିଲି ସବୁ ପୃଷ୍ଠା । ଗୋଟେ ଗପ ।

ବିଶ୍ୱାସ ହେଉନି ତ! ମୁଁ ବି ବିଶ୍ୱାସ କରିପାରୁ ନାହିଁ । କେହି କ’ଣ ଏମିତି ଏକ ଘଟଣାକୁ ବିଶ୍ୱାସ କରିପାରିବ? ଯାହା ହଜିଯାଏ, ତାହା ମିଳିବା ସହଜ ନୁହେଁ । ହୋଇପାରେ ତାହା ସମୟ, ବୟସ ଓ ପ୍ରେମ । ଭୁଲ କରିଥିଲା ସୁମନ୍ତ । ପ୍ରେମଚିଠିଟି ଲେଖି ସମସ୍ତଙ୍କ ଅଜାଣତରେ ଅରୁନ୍ଧତୀର ସ୍କୁଲ ବ୍ୟାଗରେ ପୂରାଇବା ପାଇଁ ସେ ଚେଷ୍ଟା କରିଥିଲା । ସେତିକିବେଳେ କେହି ଜଣେ ଘର ଭିତରକୁ ପଶିଆସୁଥିବାର ଶବ୍ଦ ଶୁଣିପାରି ତଟସ୍ଥ ହୋଇଥିଲା । ସେ କ’ଣ କରିବ କିଛି ବୁଝି ନପାରି ସାରଙ୍କ ଟ୍ରଙ୍କ ଖୋଲି ଉଣ୍ଡାଳି ପକାଇଲା । ଅନ୍ୟମନସ୍କ ଭାବରେ ପ୍ରଶ୍ନପତ୍ର ଧରି ପଳାଇଆସିଲା । ପ୍ରେମଚିଠି ରହିଯାଇଥିଲା ପ୍ୟାଣ୍ଟ ପକେଟ ଭିତରେ ।

ଏକଥା କ’ଣ ଜାଣିଚି ଅରୁନ୍ଧତୀ!

ରାତି ଦଶଟା ବାଜିଲା । ଘଣ୍ଟାକୁ ଦେଖି ସେ ଉଠିଲା । ପାହାଚରେ ଓହ୍ଲାଇବା ବେଳେ କହିଲା, ‘ତୁମକୁ ଆଉ ଗୋଟିଏ କଥା କହି ନାହିଁ । କହୁଚି ଶୁଣ, ଆଉ ଥରେ ମୁଁ ବିବାହ କରିଚି । ଟିକିଏ ସୁଖ ପାଇଁ । ମାତ୍ର ଲୋକମାନେ ଅଲଗା କଥା କହୁଛନ୍ତି । ସାରା ଜୀବନ ସମସ୍ତଙ୍କ ପାଇଁ ସୁଖ ବାଣ୍ଟିଆସିଥିବା ସ୍ତ୍ରୀଲୋକଟି ନିଜ ପାଇଁ ସଂସାରରୁ ଟିକେ ସୁଖ ନେଲେ, କାହାର କ’ଣ କ୍ଷତି ହେଉଚି? ମୋ’ ଭାଗ୍ୟରେ କ’ଣ ଭଲପାଇବା ନାହିଁ?’

କେଉଁଠି ସୁମନ୍ତ? ଗାଆଁରେ ନା ଆସାନସୋଲରେ? କିପରି ଦିଶୁଥିବ ସେ? ଅନେକ ଦିନ ହେଲା ତା’ ସହ ଭେଟ ହୋଇ ନାହିଁ । ପେଟ ସାମାନ୍ୟ ଆଗକୁ ବାହାରିଥିବ । କେଶ ନଥିବ ମୁଣ୍ଡରେ । ଆଖିରେ ମୋଟା ଲେନ୍ସର ଚଷମା । ମନେ ପକାଇ ପାରୁଥିବ ଅରୁନ୍ଧତୀର କଥା? ତାହା ଜାଣେ ନାହିଁ ।

କିନ୍ତୁ ଏବେ ମୋ’ ପାଖରେ ଅରୁନ୍ଧତୀ । ଅତି ପାଖରେ । ସେ ଏମିତି କହୁଥିଲା, ଯେମିତି ଟିକେ ସୁଖ ପାଇବା ନିହାତି ସ୍ୱାଭାବିକ କଥା, ଫୁଲଫୁଟିବା ପରି ।

Leave A Reply

Your email address will not be published.