Latest Odisha News

BREAKING NEWS

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା । ୧୬ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

ଅନନ୍ତନାଗ: ଅମରନାଥ ଗୁମ୍ଫା ନିକଟରେ ଅଘଟଣ । ବାଦଲ ଫଟା ବର୍ଷା ଯୋଗୁଁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ପ୍ରାୟ ୪୦ ଜଣ ନିଖୋଜ ରହିଥିବା ସୂଚନା । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି  । ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ପାଖରେ ବାଦଲ ଫାଟିଯିବା କାରଣରୁ ମୂଶଳ ଧାରରେ ବର୍ଷା ହୋଇଥିଲା । ଯାତ୍ରୀ ରହୁଥିବା ଟେଣ୍ଟ ଭାସିଯାଇଥିଲା । ଅନେକ ଲୋକ ମଧ୍ୟ ଏଥିରେ ଭାସିଯାଇଥିବା ସନ୍ଦେହ କରାଯାଉଛି ।

ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଭାସିଯାଇଥିଲେ । ଅମରନାଥ ଦର୍ଶନ ଆରମ୍ଭ ହେବା ପରେ ପ୍ରାୟ ୮ରୁ ୧୦ ହଜାର ଲୋକ ଦର୍ଶନ ପାଇଁ ଯାଇଛନ୍ତି । ଅମରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି । ତେବେ ପାଗ ଖରାପ ଥିବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି । ଏହାଛଡା ସେଠାକାର ଭୌଗଳିକ ସ୍ଥିତି ଓ ଉଚ୍ଚତା ଯୋଗୁଁ ଉଦ୍ଧାରକାରୀ ଟିମ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ପ୍ରବଳ ପାଣି ଯୋଗୁଁ ୩୦ରୁ ୪୦ ଟେଣ୍ଟ ଭାସିଯାଇଥିବା ଅନୁମାନ କରାଯାଉଛି । ହଠାତ ବାଦଲ ଫାଟିବା ଯୋଗୁଁ ପଣିର ପ୍ରକୋପ ବଢିଯାଇଥିଲା ଓ ଲୋକେ ଭାସିଯାଇଥିଲେ । ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗୁମ୍ଫା ନିକଟରେ ଏବେ ବି ବର୍ଷା ହେଉଛି । ଆହତଙ୍କୁ ଏୟାରଲିଫଟ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ଉଦ୍ଧାର କାମରେ ହେଲିକପ୍ଟରର ସହାୟତା ନିଆଯାଉଛି । ପାଗ ଅନୁକୂଳ ହେଲେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ପ୍ରଶାସନ କହିଛି । ଗତ ମାସ ୩୦ ତାରିଖରୁ ହିଁ ୪୩ ଦିନିଆ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ଶେଷ ଖବର ସୁଦ୍ଧା ପ୍ରାୟ ୭୦ ହଜାର ଲୋକ ବାବା ଅମରନାଥଙ୍କ ଦର୍ଶନ କରିସାରିଲେଣି । ୪୩ ଦିନ ଧରି ଚାଲିବାକୁ ଥିବା ଅମରନାଥ ଯାତ୍ରା ୧୧ ଅଗଷ୍ଟରେ ଶେଷ ହେବ ।

ଘଟଣା ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଆହତଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

 

Leave A Reply

Your email address will not be published.