ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ।
ସେ ଏକାଧାରାରେ ଜଣେ କବି, ବକ୍ତା, ରାଜନୀତିଜ୍ଞ, ସମାଜ ସେବୀ, ସମ୍ପାଦକ, କୂଟନୀତିଜ୍ଞ ତଥା ଜଣେ ଦୃଢ ପ୍ରଶାସକ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ହେଲେ ଦେଶର ଏହି ମହାନ ଜନନାୟକ ମଧ୍ୟ ଜଣେ ଅଭିନେତ୍ରୀଙ୍କର ବଡ ଫ୍ୟାନ୍ ଥିଲେ ।
ବଲିଉଡର ଡ୍ରିମ୍ ଗାର୍ଲ ଭାବେ ପରିଚିତ ଅଭିନେତ୍ରୀ ହେମା ମାଳିନୀଙ୍କ ଫଇଲ୍ମକୁ ଖୁବ୍ ପସନ୍ଦ କରିଥାନ୍ତି ବାଜପେୟୀ । ଏପରିକି ସେ ତାଙ୍କ ଅଭିନୀତ ବଲିଉଡ ଫିଲ୍ମ ୧୯୭୨ରେ ଆସିଥିବା ‘ସୀତା ଅର୍ ଗୀତା’କୁ ପାଖାପାଖି ୨୫ ଥର ଦେଖିଥିଲେ ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ ହେମାମାଳିନୀ ଏନେଇ ଖୁଲାସା କରିଥିଲେ । ଏକଦା ହେମା ମାଳିନୀଙ୍କୁ ଅଚାନକ ସାମ୍ନାରେ ଦେଖି ହଡବଡେଇ ଯାଇଥିଲେ ବାଜପେୟୀ । ପରେ ସେ ଜାଣିବାକୁ ପାଇଥିଲେ ଯେ ବାଜପେୟୀ ତାଙ୍କର ଜଣେ ପ୍ରଶଂସକ ବୋଲି ।
ଉଲ୍ଲେଖଯୋଗ୍ୟ, ଅଟଳ ବିହାରୀ ବାଜପେୟୀ ଥିଲେ ଭାରତୀୟ ରାଜନୀତିର ପିତାମହ ଭୀଷ୍ମ । ଦେଶକୁ ସୁଶାସନ ଦେଇ ବିକାଶ ପଥରେ ଆଗେଇ ନେଇଥିଲେ ଏହି କାଳଜୟୀ ରାଜନୀତିଜ୍ଞ । ଜଣେ ନିଷ୍ଠାପର ରାଜନୀତିଜ୍ଞ ତଥା ସରଳ ଓ ଅମାୟିକ ପ୍ରଶାସକ ଭାବେ ଭାରତୀୟ ଜନ ମାନସରେ ଅଟଳ ବିହାରୀ ବାଜପେୟୀ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ ।