Latest Odisha News

BREAKING NEWS

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି!

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି!

ବିଚିତ୍ର ବିଶ୍ୱାଳ

ନିର୍ବାଚନ ପରବର୍ତ୍ତୀ ଥଣ୍ଡା ସମୟକୁ ସଂପ୍ରତି ଗରମ କରିଦେଇଛି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ନୂଆ ଘୋଷଣା । ଗୋଟିଏ ହେଉଛି ଫାଇଭ୍ ‘ଟି’ ଓ ଅନ୍ୟଟି ‘ ମୋ ସରକାର’ । ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇଟି ଘୋଷଣା ସାଧାରଣ ଲୋକଙ୍କଠୁ ନେଇ ସରକାରୀ କର୍ମଚାରୀଙ୍କ ଯାଏ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରିଦେଇଛି । ସ୍ୱଚ୍ଛତା, ଦଳଗତ କାମ, ସମୟାନୁବର୍ତ୍ତିତା ଆଦି ସରକାରଙ୍କ କାର୍ଯ୍ୟକ୍ରମର ମୁଖ୍ୟ ଆଧାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସେ ଆହରୁି ବି ଘୋଷଣା କରିଛନ୍ତି ଯେ ସରକାର ହେଉଛି, ଲୋକମାନଙ୍କର । ତେଣୁ ଲୋକମାନଙ୍କୁ ସେବା ଓ ସୁବିଧା ଯୋଗାଇବାରେ ସରକାରୀ କର୍ମଚାରୀ ମାନେ ଏତେ ଟିକେ ବି ଅବହେଳା କରିବା ଉଚିତ୍ ନୁହେଁ । ଏହା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ । ଏହା ବାସ୍ତବିକତାରେ ରୂପାନ୍ତରିତ ହେବାର ଅଛି ଓ ଏହା ଅନେକ ପୂର୍ବରୁ ବି ହେବାର ଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାରେ ସରକାରୀ କର୍ମଚାରୀଙ୍କ ଭିତରେ କୋକୁଆ ଭୟ ଦେଖାଦେଇଛି । ଏପରିକି ମୁଖ୍ୟମନ୍ତ୍ରୀ ନିଜେ ଲୋକମାନଙ୍କୁ ସିଧା ସଳଖ ଫୋନ୍ କରୁଛନ୍ତି ଓ ସେମାନଙ୍କ ଠାରୁ ଥାନା ଓ ଡାକ୍ତରଖାନାରେ ମିଳିଥିବା ସୁବିଧା ଆଦିର ଅଭିଜ୍ଞତା ବିଷୟରେ ପଚାରି ବୁଝୁଛନ୍ତି ।

ଓଡ଼ିଆରେ ଗୋଟେ ଲୋକକଥା ଅଛି, ‘ଗରିବ ମାଇପ ସବୁରୀ ଶାଳୀ’ । ଅର୍ଥାତ୍ ନିମ୍ନବର୍ଗର ତଥା ଗରିବ ମାନଙ୍କ ଉପରେ ସମସ୍ତେ ହାକିମାତି କରନ୍ତି । ସେମିତି ସରକାରୀ ସ୍ତରରେ ବି ଦେଖାଯାଏ ଯେ, ଯାହା ବି ଅବ୍ୟବସ୍ଥା ହୁଏ, କେବଳ ତଳ ପାହ୍ୟା କର୍ମଚାରୀ ମାନଙ୍କୁ ବଳି ପକେଇ ଦେଇ ବଡ଼ବଡ଼ିଆ ମାନେ ଖସି ଯାଆନ୍ତି । ଏବେ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କଳରେ ସ୍ୱଚ୍ଛତା ଆଣିବା ପାଇଁ ଏପରି ଡାକରା ଦେଇଛନ୍ତି ଓ ଏହାକୁ ନେଇ କଡ଼ାକଡ଼ି ତଦନ୍ତ କରାଯାଉଛି, ସେତେବେଳେ ସବୁ ଦୋଷ କେବଳ ତଳିଆ କର୍ମଚାରୀଙ୍କ ଉପରେ ଲଦି ଦେଇ ବଡ଼ବଡ଼ିଆ ମାନେ ଖସି ନଯାଆନ୍ତୁ । କାରଣ ସରକାରୀ ବ୍ୟବସ୍ଥାରେ ଉପରୁ ତଳ ଯାଏ ଚେର ଲମ୍ବିଛି । ଉପରୁ ନିଷ୍ପତ୍ତି ନହେଲେ କିଛି ବି ହୁଏ ନାହିଁ । କୌଣସି ଏକ ଅଘଟଣ ଘଟିଲେ ଗୋଟିଏ ଛୋଟ ଅଧିକାରୀ ଯେତିକି ଦାୟୀ ଥାଆନ୍ତି, ତାଙ୍କ ଉପର ଅଧିକାରୀ ମଧ୍ୟ ସେତିକି ଦାୟୀ ରହିବା ଉଚିତ୍ । କାରଣ ଉପରୋକ୍ତ ତଳିଆ କର୍ମଚାରୀଙ୍କ କାମକୁ ନିରୀକ୍ଷଣ କରିବା ତ ଉପର ଅଧିକାରୀଙ୍କ ଦାୟି୍ତ୍ୱ ଥିଲା । ଯଦି ତଳିଆ କର୍ମଚାରୀ ଜଣକ ନିଜ କାମ ଠିକ୍ ଭାବେ ନକଲେ, ତେବେ ଉପରିସ୍ଥ ଅଧିକାରୀ ତ ତାହା ଜାଣିବା କଥା ଓ ସେହି ହିସାବରେ ପଦକ୍ଷେପ ନେବା କଥା । କିନ୍ତୁ ଯଦି ଉପରିସ୍ଥ ଅଧିକାରୀ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇ ନଥିବେ ଅର୍ଥାତ୍ ତଳିଆ କର୍ମଚାରୀଙ୍କୁ ନିରୀକ୍ଷଣ କରିନଥିବେ, ତେବେ ତଳିଆ କର୍ମଚାରୀଙ୍କ ଭୁଲ୍ ଆହୁରି ବଢ଼ିବଢ଼ି ଚାଲିବ ଓ ଅବ୍ୟବସ୍ଥା କାୟମ ରହିବ । ତେଣୁ ଏପରି ସ୍ଥଳେ କୌଣସି ଅବ୍ୟବସ୍ଥା ପାଇଁ କେବଳ ତଳିଆ କର୍ମଚାରୀଙ୍କୁ ଦାୟୀ କରି ତାଙ୍କୁ ସସ୍ପେଣ୍ଡ କରି ସରକାର ନିଜ ଦାୟିତ୍ୱ ସାରି ଦିଅନ୍ତୁ ନାହିଁ । ଉପରିସ୍ଥ ଅଧିକାରୀଙ୍କ ଉତ୍ତରଦାୟିତ୍ୱକୁ ବି ନିଶ୍ଚିତ କରାନ୍ତୁ ଓ ତାଙ୍କୁ ବି ଅବ୍ୟବସ୍ଥା ପାଇଁ ସମାନ୍ ଭାବେ ଦୋଷୀ ବୋଲି ଗ୍ରହଣ କରନ୍ତୁ । ତାହେଲେ ଫାଇଭ୍ ଟି ହେଉ କି ମୋ ସରକାର ହେଉ, ସଫଳ ହେବ । ନହେଲେ କେବଳ କେତେଜଣ ତଳିଆ କର୍ମଚାରୀ ହିଁ ବଳି ପଡ଼ିବେ, କିନ୍ତୁ ସମସ୍ୟା ଯେଉଁଠିକୁ ସେଇଠି ଥିବ ।

ଗତ ସପ୍ତାହରେ ଆମ ରାଜ୍ୟର ଫାଇଭ୍ ଟି ଅଧିକାରୀ ଓ ଆଉ କେତେ ଜଣ ସଚିବ ସ୍ତରୀୟ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗ୍ରସ୍ତ କରି ଡାକ୍ତରଖାନା ଓ ଆଧାର କେନ୍ଦ୍ରମାନଙ୍କରେ ମିଳୁଥିବା ସୁବିଧା ସୁଯୋଗକୁ ନିରୀକ୍ଷଣ କରି ଫେରିଛନ୍ତି । ସେଠାରେ ସେମାନେ ସିଧା ଲୋକମାନଙ୍କ ସହିତ କଥା ବି ହୋଇଛନ୍ତି । ଏମିତିକି ସେହି ଅଧିକାରୀ ମାନେ ଆଧାର କେନ୍ଦ୍ରରେ ଖାଦ୍ୟ ବି ଖାଇଛନ୍ତି । ସମସ୍ତେ ଜାଣନ୍ତି ଯେ, କୌଣସି ବଡ଼ ଅଫିସରଙ୍କ ଗ୍ରସ୍ତ ଥିଲେ ତଳିଆ କର୍ମଚାରୀମାନେ ସବୁ ଅବ୍ୟବସ୍ଥାକୁ ଘୋଡେ଼ଇବାର ବ୍ୟବସ୍ଥା କରି ସବୁକିଛି ଠିକ୍ ଓ ଅତ୍ୟନ୍ତ ଉଚ୍ଚ ସ୍ତରୀୟ ଅଛି ବୋଲି କୃତ୍ରିମ ଭାବେ ଦେଖେଇବାର ବନ୍ଦୋବସ୍ତ କରିଥାନ୍ତି । କିନ୍ତୁ ତାହା ବାସ୍ତବ ସ୍ଥିତି ହୋଇନଥାଏ । ତେଣୁ ଏହି ଅଧିକାରୀ ମାନେ ସେହି ଭ୍ରମରୁ ବି ଉପରକୁ ଉଠିଥିବେ ବୋଲି ଆଶା କରାଯାଉ । ଏହି ଗ୍ରସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ଏକ ଡାକ୍ତରଖାନାରେ ଅତ୍ୟନ୍ତ ଅବ୍ୟବସ୍ଥା ଯୋଗୁ ସାଙ୍ଗେ ସାଙ୍ଗେ ଜଣେ ସି.ଡ଼ି.ଏମ୍.ଓ. କୁ ସସ୍ପେଣ୍ଡ କରାଯାଇଛି । ଜିଲ୍ଲାପାଳଙ୍କୁ ବି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏକ ଘରୋଇ ପାଥୋଲୋଜି କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି । ଏହା ବହୁତ ଭଲ ପଦକ୍ଷେପ । କିନ୍ତୁ ଏସବୁ ସହିତ ଉପରିସ୍ଥ ଅଧିକାରୀ ତଥା ବଡ଼ବାବୁ ମାନେ ବି ନିଜ କାମ ଠିକ୍ ଭାବେ କରିଛନ୍ତି କି ନାହିିଁ, ସେହି ଅଧିକାରୀମାନେ ତାହା ବି ଦେଖିବା କଥା । ଅବଶ୍ୟ ସି,ଡିଏମ.ଓ. ସ୍ତରୀୟ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟସ୍ଥଳରେ ନିଲମ୍ବନ କରିବା ପ୍ରଥମ ଘଟଣା । କିନ୍ତୁ ଏହା ସହିତ ସେହି ବାବୁ ମାନେ ଭୁବନେଶ୍ୱରରେ ସଚିବାଳୟରେ ବସୁଥିବା ବଡବାବୁମାନଙ୍କ କାର୍ଯ୍ୟକୁ ଓ ମୋ ସରକାର ଏବଂ ଫାଇଭ୍ ଟି କୁ ନିଶ୍ଚିତ କରିବାରେ ସେମାନଙ୍କ ଦାୟିତ୍ୱବୋଧ ଠିକ୍ ଭାବେ ପାଳନ କରିଛନ୍ତି କି ନାହିଁ ତାହା ବି ତଦନ୍ତ କରିବେ କି! ତାହେଲେ ତଳ ଉପରୁ ଉଭୟ ଆଡ଼ୁ ଠିକ୍ ହୋଇପାରନ୍ତା ଓ ସତରେ ଲୋକମାନେ କୁହନ୍ତେ ମୋ ସରକାର ।

………………………………
ଭିରଙ୍ଗ, ତିରଣ, ଜଗତସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.