Latest Odisha News

BREAKING NEWS

ବାହାରେ ବର୍ଷା

ବାହାରେ ବର୍ଷା

ନୀଳିମା ନିବେଦିତା

ଚାଖଣ୍ଡେ ଦୂରତା…
ସଫା ଦିଶୁଥିଲା
ଯୋଜନେ କ୍ଷୋଭ ।

କୋହଲା ପବନ…
ଶିହରୁଥିଲା
ତମାମ ଅବୟବ ।

ଝିପିଝିପି ବର୍ଷା
ରାଜରାସ୍ତାର ନିରବତା ଚିରି
ବେଦମ ନାଚୁଥିଲା,
ରହି ରହି ଶୁଭୁଥିଲା
ଟୁପଟାପ୍ ଟୁପଟାପ୍ ଶବ୍ଦ ।

ଛାତି ତଳ କୋହରୁ ଏଣେ
ଉତୁରୁଥିଲା ଲୁହ
ହାତ ଠାରି ଡାକୁଥିଲା…
ଓହ୍ଲେଇଆରେ ବାରିଦ
ଭିଜେଇ ଦେ’ ଥରୁଟେ
ମାପି ପାରୁଥିବା ଯାବତୀୟ ପ୍ରମାଦ ।

ରେଲିଂ ସେପାଖେ
ଆଜି ବି ବର୍ଷା…
ରୋଆନୁର ରାଜନୀତି,
ମାଇଲ ମାଇଲ ଦୂରରେ
କେହିଜଣେ
ଆଙ୍କି ଚାଲିଛି ନୀଳିମାର ଜ୍ୟାମିତି ।

ଅଚିହ୍ନା ସ୍ଵର, ଅଜଣା ଗୀତ
କାଗଜ ଡଙ୍ଗାରେ ଲେଖୁଛି
କେହିଜଣେ
ଅଲେଖା କାହାଣୀର ଇତି ।

ଏବେଳେ ଖିଲି ଖିଲି ହସ
ଓଠ ଡେଇଁ କହୁଛି ,
ଦେଖୁନ !

ନୀଳିମା ଯେମିତିକୁ ସେମିତି !

………………..

ଜନ୍ମ: ୬ ମଇ ୧୯୮୪
ସାମ୍ବାଦିକତା ଛାତ୍ରୀ,
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ, ସମ୍ବଲପୁର
ମୋବାଇଲ: ୯୬୬୮୯୯୬୩୮୯

Leave A Reply

Your email address will not be published.