Latest Odisha News

BREAKING NEWS

ବାଲିଅନ୍ତା ହତ୍ୟାକାଣ୍ଡ: କ୍ରାଇମବ୍ରାଞ୍ଚର ମାରାଥନ ତଦନ୍ତ ଆରମ୍ଭ; ପୋଲିସର ଅବହେଳା ମଧ୍ୟ ଯାଞ୍ଚ ହେବ

ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଛାନଭିନ୍‌ ଜୋରଦାର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ବାଲିଅନ୍ତା ଥାନାରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧରଙ୍କ ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ମୋଟ ୨ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୪ ଜଣ ଲେଖାଏଁ ମୋଟ ୮ ଜଣ ସଦସ୍ୟ ରହିଛନ୍ତି। ଗୋଟିଏ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ବେଳେ ଅନ୍ୟ ଟିମ୍‌ଟି ଥାନାରେ ରହି ସମସ୍ତ କାଗଜପତ୍ର ଏବଂ ପୋଲିସର ଭୂମିକାକୁ ନେଇ ଯାଞ୍ଚ କରୁଛି।

ଘଟଣା ସମୟରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ସବୁ ଭିଡିଓର ତନ୍ନତନ୍ନ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ। ଡିଆଇଜି କହିଛନ୍ତି ଯେ, କୌଣସି ବି ଦିଗକୁ ବାଦ୍‌ ଦିଆଯିବ ନାହିଁ ଏବଂ ପ୍ରତ୍ୟେକ ପକ୍ଷର ବୟାନ ରେକର୍ଡ କରାଯିବ। ଆବଶ୍ୟକ ପଡ଼ିଲେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ।

ଏହି ଘଟଣାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସ୍ଥାନୀୟ ପୋଲିସର ଭୂମିକା। ପୋଲିସ ଉପସ୍ଥିତିରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ପୋଲିସର ଅପରାଧିକ କିମ୍ବା ପ୍ରଶାସନିକ ଅବହେଳା ରହିଛି କି ନାହିଁ, ସେ ନେଇ କ୍ରାଇମବ୍ରାଞ୍ଚ ଗଭୀର ତଦନ୍ତ କରିବ।

କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ଏହି ମାମଲାର ନୂଆ ତଦନ୍ତକାରୀ ଅଧିକାରୀ (IO) ଭାବେ ନିଯୁକ୍ତ କରାଯାଇଛି। ଏହି ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ଏସପି ଅନିରୁଦ୍ଧ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିବ।

Leave A Reply

Your email address will not be published.