ବାଟ
ସିତାଂଶୁ ଲେଙ୍କା
ଗୋଟେ କବିତା ଜନ୍ମଦିଅ
ଏ ମାଟିକୁ,
ପୁରୁଷ ପୁରୁଷ ଧରି ପୁରୁଷାର୍ଥକୁ
ଜିଏଁଇ ରଖ ।
ଯେମିତିକି ପୋଷେ ଆଲୁଅର ସନ୍ଧାନରେ
ବାହାରିଯିବେ ଦଳେ ମଣିଷ
ଯେମିତିକି
ସବୁ ସଜବାଜକୁ ଭୁଲି
ବିହ୍ୱଳପଣରେ
ଠିଆ ହେଇଯିବେ ପ୍ରେମିକା ।
ସୋରିଷ ଫୁଲର କ୍ଷେତରୁ
ତଟସ୍ଥ ହେଇ ଚାହିଁ ରହିବେ
ଭଅଁର, ମହୁମାଛି, ପ୍ରଜାପତି ।
ଗୋଟେ କବିତାକୁ ଜନ୍ମଦିଅ ।
ଲକ୍ଷେ ପଦ୍ମ ଫୁଟିଥିବା
ପୋଖରୀଠୁ ସୁନ୍ଦର
କବିତାକୁ ଜନ୍ମଦିଅ ।
ଯେମିତିକି
ନିଆଁ ଲାଗିଯିବ ପାପରେ
ଯେମିତିକି
ବାଟ ହୁଡ଼ିଥିବା ପକ୍ଷୀଟି
ପହଞ୍ଚି ଯାଇପାରେ ନୀଡ଼ରେ ।
ଯେମିତିକି
ସତକୁ ସତ
ମିଛ ଧରାପଡ଼ିଯିବ ବାଟରେ ।
Comments are closed.