Latest Odisha News

BREAKING NEWS

ସମ୍ପାଦକ ଦେବଜିତ ସାଇକିଆଙ୍କ ଅସୁସ୍ଥତା ଯୋଗୁଁ ସ୍ଥଗିତ ରହିଲା ବିସିସିଆଇର ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍‌ର ନିରାଶାଜନକ ପ୍ରଦର୍ଶନ ପରେ ହେବାକୁ ଥିବା ବିସିସିଆଇର ସମୀକ୍ଷା ବୈଠକ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।  ସୂଚନା ଅନୁଯାୟୀ, ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି  । ଅଗଷ୍ଟ ପ୍ରଥମ ସପ୍ତାହରେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆଗାମୀ କିଛି ଦିନ ମଧ୍ୟରେ ଅନୁଷ୍ଠିତ ହେବ, ଯେଉଁଥିରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଭର୍ଚୁଆଲି ଭାବେ ଯୋଗଦେବେ । ଟି-୨୦ ବିଶ୍ୱବିଜେତା ଭାରତୀୟ ଦଳର ନିକଟତର ବିଦେଶ ଗସ୍ତ ଅତ୍ୟନ୍ତ ନିରାଶାଜନକ ରହିଛି । ମୋଟ ୧୦ଟି ମ୍ୟାଚ୍‌ରୁ ଦଳ ମାତ୍ର ୨ଟିରେ ବିଜୟୀ ହୋଇପାରିଛି । ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ  କ୍ଲିନ୍ ସ୍ୱିପ୍‌ର ଶିକାର ହୋଇଥିଲା ।

ପରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଦଳ ୪-୦ ରେ ହାରିଥିଲା । ଶୁଭମନ ଗିଲ୍‌ଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ଦିନିକିଆ ସିରିଜ୍‌କୁ ମଧ୍ୟ ଭାରତ ୨-୧ରେ ହାରିଥିଲା । ବିଦେଶୀ ପିଚ୍‌ରେ ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନକୁ ନେଇ କ୍ରିକେଟ ବିଶେଷଜ୍ଞମାନେ ସମାଲୋଚନା କରିଛନ୍ତି । ଆଇପିଏଲ୍ ୨୦୨୬ ଏବଂ ଘରୋଇ ପିଚ୍‌ରେ ଅଭ୍ୟାସ ହେତୁ ବ୍ୟାଟରମାନେ ପ୍ରତିକୂଳ ପରିସ୍ଥିତିରେ ନିଜକୁ ଖାପଖୁଆଇ ପାରିନଥିବା କୁହାଯାଉଛି । ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଖେଳାଳିମାନଙ୍କୁ କେବଳ ପିଚ୍ ନୁହେଁ, ବରଂ ପବନର ଦିଗ ଏବଂ ପଡ଼ିଆର ଆକାର ଭଳି ବିଷୟଗୁଡ଼ିକୁ ବୁଝିବାର ଆବଶ୍ୟକତା ରହିଛି । ଏହି ସମୀକ୍ଷା ବୈଠକରେ ଖେଳାଳିମାନଙ୍କର ବାରମ୍ବାର ଆଘାତପ୍ରାପ୍ତ ହେବା ପ୍ରସଙ୍ଗ ମଧ୍ୟ ପ୍ରମୁଖ ସ୍ଥାନ ପାଇବ । ନିକଟରେ ଯଶପ୍ରୀତ ବୁମରା ଶ୍ରୀଲଙ୍କା ଟେଷ୍ଟ ଗସ୍ତରୁ ବାଦ୍ ପଡ଼ିଥିବା ବେଳେ ସାଇ ସୁଦର୍ଶନ, ହର୍ଷିତ ରାଣା, ୱାଶିଂଟନ୍ ସୁନ୍ଦର ଏବଂ ନିତୀଶ ରେଡ୍ଡୀ ମଧ୍ୟ ଚିକିତ୍ସାଧୀନ ଅଛନ୍ତି । ଖେଳାଳିମାନେ ବାରମ୍ବାର ଆହତ ହେଉଥିବାରୁ ଦଳର ଫିଜିଓ କମଲେଶ ଜୈନଙ୍କ କାର‌୍ୟ୍ୟଶୈଳୀକୁ ନେଇ ଅଧିନାୟକ ଗିଲ୍ ଏବଂ କୋଚ୍ ଗମ୍ଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.