Latest Odisha News

ବିଧାୟକମାନଙ୍କୁ ନବୀନ ଦେଲେ ଗୁରୁମନ୍ତ୍ର: ଶିଷ୍ଟାଚାର ଓ ସରଳ ମନୋଭାବ ନେଇ ସେବା କରିବାକୁ ପରାମର୍ଶ

ଭୁବନେଶ୍ୱର: ଜନସାଧାରଣଙ୍କ ସେବା କରିବା ସମୟରେ ସଭ୍ୟ ଓ ସରଳ ମନୋଭାବ ନେଇ କାର୍ଯ୍ୟ କରିବାନେଇ ବିଧାୟକମାନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

“ଗଣତାନ୍ତ୍ରିକ ଶିଷ୍ଟାଚାର ଏକ ଅଧିକାର । ଏହି ଅଧିକାରକୁ କାର୍ଯ୍ୟକାରୀ କରିବା ସମୟରେ ବିଧାୟକମାନେ ଗଣତାନ୍ତ୍ରିକ ପଦ୍ଧତିରେ ସରଳତାକୁ ମଧ୍ୟ ଅଗ୍ରାଧିକାର ଦେବା ଆବଶ୍ୟକ । କୌଣସି ବି ପରିସ୍ଥିତିରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶିଷ୍ଟାଚାର ଏବଂ ସରଳତା କ୍ଷୁର୍ଣ୍ଣ ହେବା ଉଚିତ ନୁହେଁ,” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଧାୟକମାନଙ୍କର ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବା ଅବସରରେ ବିଧାୟକମାନଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ସମ୍ବୋଧିତ କରିଥିଲେ ।

ଏହି ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରିବା ଅବସରରେ ନବୀନ କହିଛନ୍ତି, ଭାରତୀୟ ଗଣତନ୍ତ୍ର ବିଗତ ବର୍ଷ ଗୁଡ଼ିକରେ କ୍ରମଶଃ ଶକ୍ତିଶାଳୀ ହୋଇ ଏହା ଏବେ ଅଧିକ ଶକ୍ତିଶାଳୀ ହୋଇଛି । ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଜନସାଧାରଣଙ୍କ ହାତରେ, ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧ ହିଁ ଜନସାଧାରଣଙ୍କ ଠାରେ ଏବଂ ଏହା ତୃଣମୂଳସ୍ତରରୁ ବିକଶିତ ହୋଇଥାଏ ।

“ଦେଖିବାକୁ ଗଲେ ଜନସାଧାରଣ ହିଁ ଗଣତନ୍ତ୍ରର ପ୍ରକୃତ ମାଲିକ, ମୁଁ ଆଶା କରୁଛି ଏହାକୁ ପ୍ରତ୍ୟେକ ନିର୍ବାଚିତ ଜନ ପ୍ରତିନିଧୀମାନେ ଏହାକୁ ଗୁରୁତ୍ୱର ସହ ବିଚାର କରିବେ । ଆପଣମାନେ ଯେଉଁପରି ଭାବେ ଏବଂ ଯେଉଁ ପରିସ୍ଥିତିରେ ରହିଥାଆନ୍ତୁ ନା କାହିଁକି ଜନସାଧାରଣ ହିଁ ଗଣତନ୍ତ୍ରରେ ସର୍ବୋତମ କର୍ତ୍ତା । ତେଣୁ, ଜନପ୍ରତିନିଧିମାନେ ଜନସାଧାରଣଙ୍କୁ କେନ୍ଦ୍ର କରି ନିଜର ଦାୟିତ୍ୱ ସୂଚାରୁରୂପେ ସମ୍ପନ୍ନ କରିବା ଆବଶ୍ୟକ,”ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.