Latest Odisha News

BREAKING NEWS

ଯୁଗେ ଯୁଗେ ଦାଢ଼ି ଚାଷ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସମ୍ଭ ଏଇ କଥାକୁ ……

ମଝିରେ ମଝିରେ କିଛି ଦାନ୍ତଭଙ୍ଗା ଇଂରାଜୀ ଶବ୍ଦ ସବୁ ନିକ୍ଷେପ କରି ଖ୍ୟାତିସମ୍ପନ୍ନ ରାଜନୀତିଜ୍ଞ ତଥା ସୁଲେଖକ ଶଶୀ ଥରୁର ଭାରତୀୟ ଜନତାଙ୍କୁ ଅମୋଦିତ ଓ ଚକିତ କରିପକାନ୍ତି। ଏ କ୍ଷେତ୍ରରେ ତାଙ୍କର ସଦ୍ୟତମ ଅବଦାନ ହେଲା ‘ପଗନୋଟ୍ରଫି’। କଣ ବୁଝିବାକୁ କଷ୍ଟ ଲାଗିଲା? ଚିନ୍ତା କରିବାର କିଛି କାରଣ ନାହିଁ, ଯେହେତୁ ଏ ଅଦ୍ଭୁତ ଧ୍ୱନୀଟିର ଥଳମୁଳ ପାଉନଥିବା ଆପଣ ଓ ମୋ ସାଥିରେ ଅଛନ୍ତି ଭାରତର କୋଟି କୋଟି ଜନତା। ଶଶୀଙ୍କର ନୂତନ ଭେଟି ଟିର ଅର୍ଥ ହେଲା ‘ଦାଢ଼ି ଚାଷ’। କହିବା ବାହୁଲ୍ୟ ଏହି କିମ୍ଭୂତକିମାକାର ଶବ୍ଦଟିର ଶରବ୍ୟ ଥିଲା  ଭାରତର ପ୍ରଧାନମନ୍ତ୍ରୀଙ୍କର କ୍ରମବର୍ଦ୍ଧିଷ୍ଣୁ ଶ୍ମଶ୍ରୁ।

ଆଜି ସିନା ପ୍ରଧାନମନ୍ତ୍ରୀଙ୍କର ଶ୍ମଶ୍ରୁ ସାମୟିକ ଭାବେ ସର୍ବସାଧାରଣଙ୍କର ଏତେ କୌତୁହଳର ବିଷୟବସ୍ତୁ ହୋଇଯାଇଛି, ହେଲେ ମଣିଷ ମୁହଁର ବଢନ୍ତା କେଶର କାହାଣୀ ବହୁ ପୁରାତନ, ମାନବର ଆବିର୍ଭାବର ଆରମ୍ଭରୁ ଏହାର ସୃଷ୍ଟି। ଯଦି ଦାଢିଆଳ ଓ ଦାଢ଼ିହୀନ ଦିହିଁଙ୍କ ଭିତରେ ବରିଷ୍ଠତାକୁ ନେଇ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ହୁଏ, ଆପଣ ନିର୍ବିବାଦରେ କହିପାରିବେ ଯେ ଦାଢିଆଳ ହିଁ ଜ୍ୟେଷ୍ଠ, କାରଣ ପ୍ରଥମେ ଦାଢ଼ି ବାହାରିଲା ବୋଲି ତ ସେ ତାକୁ କାଟିକୁଟି ସଫା କଲା। ଆଦିମାନବ ଯେତେବେଳେ ପଶୁପକ୍ଷୀ ଶିକାର ଓ ଫଳମୂଳ ସଂଗ୍ରହ କରି ବଞ୍ଚିବାର ପର୍ଯ୍ୟାୟ ଅତିକ୍ରମ କରି ଚାଷ କାମରେ ମନୋନିବେଶ କରିଥିବ ଓ ଜୀବନରେ ସ୍ଥିରତା ଆଣିଥିବ, ସେତେବେଳେ ଅନ୍ୟାନ୍ୟ ବହୁତ ନୂଆ କାମରେ ହାତ ଦେବା ସହିତ ସେ ଏହି ଦାଢ଼ି ଚାଷ ବା ଶଶୀଙ୍କ ଉଦଘାଟିତ ‘ପଗନୋଟ୍ରଫି’ ପ୍ରତି ଯତ୍ନବାନ ହୋଇଥିବ। ସେଇଥିପାଇଁ ତ ସୁମେରୀୟ, ମିଶରୀୟ ଅଥବା ସିନ୍ଧୁ ସଭ୍ୟତାର ଧ୍ୱଂସାବଶେଷରୁ ଆବିଷ୍କୃତ ଅନେକ ପୁରୁଷ ମୂର୍ତ୍ତି ବା ଚିତ୍ର ଗୁଡିକରେ ସେମାନଙ୍କର ପରିପାଟୀ ଯୁକ୍ତ ଦାଢିର ନିଦର୍ଶନ ଦେଖିବାକୁ ମିଳେ। ମିଶରୀୟ ସଭ୍ୟତାର ନୃପତି ଫେରୋ ମାନେ ତ ସୁନାର ତିଆରି ନକଲି ଦାଢ଼ି ପରିଧାନ କରୁଥିବାର ପ୍ରମାଣ ମିଳିଛି।

କୃଷି କର୍ମ ପରେ ଲୁଣ୍ଠନ, ରାଜ୍ୟ ଜୟ ପାଇଁ ଯୁଦ୍ଧ ଇତ୍ୟାଦିର ଅୟମାରମ୍ଭ, ହେଲେ ଏ ସବୁ କ୍ଷେତ୍ରରେ ମଧ୍ୟ ଦାଢିର ପତିଆରା କେବେ କମିନାହିଁ, ଅବଶ୍ୟ ବିଶ୍ଵବିଜୟୀ ଆଲେକଜାଣ୍ଡାର ଙ୍କ ଯୁଦ୍ଧ କ୍ଷେତ୍ରରେ ଦାଢ଼ି ବର୍ଜନ ଆଦେଶ ବ୍ୟତିରକେ। ଆଲେକଜାଣ୍ଡାର ଙ୍କ ଧାରଣା ଅନୁସାରେ ମୁହଁର କେଶ ହାତାହାତି ଲଢେଇ ବେଳେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଥିଲା। ଆଧୁନିକ ସମୟରେ ଭାରତରେ ରାଜୁତି କରୁଥିବା ଇଂରେଜ ମାନଙ୍କର ମଧ୍ୟ ସୈନିକ ମାନଙ୍କ ପାଇଁ କଡା ନିର୍ଦ୍ଦେଶ ଥିଲା ଯେ ଶିଖ ଓ ମୁସଲମାନ ଭଳି ପାରମ୍ପରିକ ଜାତି ମାନଙ୍କୁ ଛାଡିଦେଲେ ଅନ୍ୟମାନେ ଦାଢ଼ି ରଖି ପାରିବେ ନାହିଁ। ଏ ନିୟମ ଇଂରେଜ ମାନେ ଯିବା ପରେ ବି ଭାରତୀୟ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ବଳବତ୍ତର ରହିଛି, ଯଦିଓ କିଛିଟା ଛାଡ଼ ଦିଆଯାଇଛି ସ୍ୱଳ୍ପ ପ୍ରବିଧାନର ସହ। ଅବଶ୍ୟ ଦାଢ଼ି ନିଶ ପ୍ରତି ନିହାତି ଦୁର୍ବଳତା ଥିବା ସୈନିକ ମାନେ ଏ ବିଷୟରେ ବାୟୁସେନା ଅଧିକାରୀ ଅଭିନନ୍ଦନ ବର୍ତ୍ତମାନ ଙ୍କ ଶୈଳୀ ଅବଲମ୍ବନ କରିପାରନ୍ତି। ପାକିସ୍ତାନ ସୀମା ଭିତରେ ଲଢୁଆ ବିମାନରେ ଭୂପତିତ ହୋଇ ପୁଣି ସ୍ୱଦେଶକୁ ଫେରି ଆସିଥିବା ଏହି ଖ୍ୟାତନାମା ପାଇଲଟଙ୍କ ମୁହଁର କେଶବିନ୍ୟାସ ଉଭୟ ନିଶ ଓ ଦାଢ଼ିର ଆବଶ୍ୟକତା ପୂରଣ କରିଥାଏ।

ଯୁଦ୍ଧକ୍ଷେତ୍ରରେ ଥିବା ଏହି ବାଧା ବନ୍ଧନ କିନ୍ତୁ କ୍ରୀଡା କ୍ଷେତ୍ରରେ ନାହିଁ। ସେଇଥି ପାଇଁ ତ ଦାଢ଼ି ଭାରତୀୟ କ୍ରିକେଟ ଦଳର ସଦସ୍ୟ ମାନଙ୍କର ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲାଣି। ଆପଣ ଦେଖିବେ ପୋଷାକ ପତ୍ରରେ ନୂଆ  ଶୈଳୀ ସୃଷ୍ଟିରେ ସଙ୍କଟ ପଡିଲେ ଫ୍ୟାସନବିତ ମାନେ ଏହି ଦାଢ଼ି ନିଶରେ ଫ୍ୟାସନର ସନ୍ଧାନ ଖୋଜି ଥାନ୍ତି। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଏବେ ଏମିତି ଏକ ଗୋଲିଆ ଦାଢିର ଶୈଳୀ ଲୋକପ୍ରିୟ ହେବାରେ ଲାଗିଛି ଯାହା ଆଦୃତି ପାଇବା ସଙ୍ଗେ ସଙ୍ଗେ ବେଶ ଥଟ୍ଟା ମଜାର କାରଣ ହୋଇଉଠିଛି (ଦ୍ରଷ୍ଟବ୍ୟ: ‘ପ୍ରଗତିବାଦୀ’ ୧୪.୭.୨୦୨୧ ପୃଷ୍ଠା-୨)। କିନ୍ତୁ କହିଲେ ଦେଖି କେଉଁ ନୂଆ ଶୈଳୀ ପ୍ରଥମେ ଉପହାସ ଓ ବିରୋଧର ନିଶାଣ ହୋଇ ନଥାଏ? ସେଇଥି ପାଇଁ ତ କୁହାଯାଏ ପ୍ରତ୍ୟେକ ଉଦ୍ଭଟତା ଗୋଟିଏ ଗୋଟିଏ ନୂଆ ଶୈଳୀ।

ଦାଢିର ଗରିମା କେବଳ ସାମାଜିକ ଜୀବନ ନୁହେଁ ଆମର ଧାର୍ମିକ ପରିସରକୁ ମଧ୍ୟ ବ୍ୟାପି ଯାଇଛି। ଅନେକ ଧର୍ମ ର ପୂଜ୍ୟ ଈଶ୍ୱର, ପ୍ରବର୍ତ୍ତକ ତଥା ପ୍ରଚାରକ ମାନଙ୍କର ଚେହେରାର ବୈଶିଷ୍ଟ୍ୟ ହିଁ ଏହି ଦାଢି। ଅବଶ୍ୟ ହିନ୍ଦୁ ଧର୍ମରେ ବ୍ରହ୍ମାଙ୍କ ବ୍ୟତୀତ କ୍ଵଚିତ ଦେବତାଙ୍କର ଶ୍ମଶ୍ରୁ ଦେଖିବାକୁ ମିଳେ। ହେଲେ କଳ୍ପନା ପ୍ରବଣ କବି ମାନେ ତାଙ୍କ ସୃଷ୍ଟ ପୌରାଣିକ ଚରିତ୍ର ମାନଙ୍କୁ ଶ୍ମଶ୍ରୁ ପ୍ରଦାନ କରିବାକୁ ଭୁଲନ୍ତି ନାହିଁ। ଷୋଡଶ ଶତାବ୍ଦୀର ଓଡ଼ିଆ କବି ଦେବଦୁର୍ଲଭ ଦାସ ତାଙ୍କ ‘ରହସ୍ୟ ମଞ୍ଜରୀ’ କାବ୍ୟରେ ଶ୍ରୀକୃଷ୍ଣଙ୍କ ବାହନ ଗରୁଡଙ୍କ ରୂପକୁ ଏମିତି ବର୍ଣ୍ଣନା କରିଛନ୍ତି, “ଅଧର ସୁନ୍ଦର ଅରୁଣ ରେଖା କି, ଦାଢ଼ି କସ୍ତୁରୀ କଣ୍ଡାର କଳା; ଗୋ ସଜନି।”

ଯଦିଓ ‘ଦାଢ଼ି ଚାଷ’ ଯୁଗ ଯୁଗ ଧରି ଏହିପରି ଭାବରେ ଚାଲି ଆସିଛି, ତଥାପି ଆଧୁନିକ ଶବ୍ଦାଧିପତି ଶଶୀ ଥରୁର ଏହା ପ୍ରତି ସମାଜର ଦୃଷ୍ଟି ଆକର୍ଷଣ କରିଥିବାରୁ ସେ ଧନ୍ୟବାଦର ପାତ୍ର।

 

ମୋବାଇଲ: ୯୪୩୭୦୮୯୬୫୫

Leave A Reply

Your email address will not be published.