Latest Odisha News

BREAKING NEWS

ଦମ୍ପତ୍ତି ସାଜିଥିଲେ ଟ୍ରାଫିକ୍ ସିଗନାଲ୍ ବ୍ୟାଟେରୀ ଚୋର

ଭୁବନେଶ୍ୱର: ଟ୍ରାଫିକ୍ ସିଗନାଲ୍‌ରେ ବ୍ୟାଟେରୀ ଚୋରି ଭଳି ଘଟଣା ଟ୍ରାଫିକ୍ ବ୍ୟବସ୍ଥାକୁ ଅସଜଡା କରିଦେଇଥିଲା । ବ୍ୟତିବ୍ୟସ୍ତ ହୋଇପଡିଥିଲେ ପୋଲିସ ଓ ସ୍ଥାନୀୟ ପ୍ରଶାସନ । ଏପରି ଅଜବ ଘଟଣା ତଥା ଚୋରିକୁ ନେଇ ଚର୍ଚ୍ଚାକୁ ଆସିଛି ବେଙ୍ଗାଳୁରୁ । ହେଲେ ଶେଷରେ ସଂପୃକ୍ତ ଚୋରଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଟ୍ରାଫିକ୍ ସିଗନାଲ୍ ବ୍ୟାଟେରୀ ଚୋରି ଅଭିଯୋଗରେ ଏକ ଦମ୍ପତ୍ତିକୁ ବେଙ୍ଗାଳୁରୁ ପୋଲିସ ଗିରଫ କରିଛି । ପୋଲିସ ରିପୋର୍ଟ ଅନୁଯାୟୀ ଜୁନ୍ ୨୦୨୧ରୁ ଜାନୁଆରୀ ୨୦୨୨ ମଧ୍ୟରେ ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀ ୬୮ଟି ଟ୍ରାଫିକ୍ ଜଙ୍କସନ୍‌ରୁ ପାଖାପାଖି ୨୩୦ଟି ବ୍ୟାଟେରୀ ଚଳୁ କରିଥିଲେ । ତନାଘନାରୁ ଜଣାପଡିଛି ଦୁଇ ଅଭିଯୁକ୍ତ ଏଥିପାଇଁ ନିର୍ଦ୍ଧିଷ୍ଟ ସମୟ ତଥା ସୁଯୋଗ ଖୋଜି ନିଜ ସ୍କୁଟିରେ ବ୍ୟାଟେରୀ ଲଦି ଚମ୍ପଟ୍ ମାରୁଥିଲେ ।

ତଦନ୍ତକାରୀ ଦଳ ଅନୁଯାୟୀ, ପ୍ରତି ସପ୍ତାହରେ ଟ୍ରାଫିକ୍ ସିଗନାଲ୍ ବ୍ଲାଙ୍କ ଆସୁଥିବା ନେଇ କ୍ରମାଗତ ଅଭିଯୋଗ ଆସୁଥିଲା । ତନାଘନାରେ ବ୍ୟାଟେରୀ ଚୋରି ହେଉଥିବା ଯୋଗୁଁ ଏପରି ଘଟଣା ଘଟୁଥିବା ଜଣାପଡିଥିଲା । ପ୍ରାୟ ୩୦୦ଟି ସିସିଟିଭି ଫୁଟେଜ ଯାଂଚ କରିବା ପରେ ୪ହଜାର ସ୍କୁଟି ଚାଳକଙ୍କ ମଧ୍ୟରୁ ୩୫୦ଜଣଙ୍କୁ ଜେରା କରିବା ପରେ ଲୁଟେରା ଦମ୍ପତ୍ତି ପୋଲିସ ଜାଲରେ ପଡିଥିଲେ ।

ବ୍ୟାଟେରୀ ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଏସ୍ ସିକନ୍ଦର ଚିକ୍କାବନାଭରା ବାସିନ୍ଦା ହୋଇଥିଲାବେଳେ ନଜମା ସିକନ୍ଦର ଚିକ୍କାବଲ୍ଲପୁର ବାସିନ୍ଦା ବୋଲି ଜଣାପଡିଛି । ପୋଲିସ ରିପୋର୍ଟ ଅନୁଯାୟୀ ପୂର୍ବରୁ ଗାଡି ଚରି ଅଭିଯୋଗରେ ସିକନ୍ଦର ୨୦୧୭ ଓ ୨୦୧୮ରେ ଗିରଫ ହୋଇଥିଲା । ହେଲେ ତା ସ୍ତ୍ରୀ ବିରୋଧରେ କୌଣସି ଅପରାଧିକ ମାମଲା ନଥିଲା ।

ପୂର୍ବରୁ ଚା ବିକ୍ରୟ କରୁଥିବା ସିକନ୍ଦର ଲକଡାଉନରେ ନିଜ ଜୀବିକା ହରାଇଥିଲା । ଜେରା ସମୟରେ ସିକନ୍ଦରର ବୟାନ ଅନୁଯାୟୀ, ଦିନେ ସେ ରାତିରେ ଗୋଟିଏ ଟ୍ରାଫ୍‌କି ସିଗନାଲର ବାକ୍ସ ଖୋଲା ପଡିଥିବା ଦେଖିବାକୁ ପାଇଥିଲା । ସେହି ବାକ୍ସରେ ଥିବା ତିନୋଟି ବ୍ୟାଟେରୀକୁ ସେ ଧରି ନିଜ ସ୍କୁଟିରେ ଚମ୍ପଟ୍ ମାରିଥିଲା । ତିନୋଟି ବ୍ୟାଟେରୀରର ଓଜନ ପ୍ରାୟ ୫୪ କି.ଗ୍ରା ଥିବାବେଳେ ସେଗୁଡିକୁ ସେ କି.ଗ୍ରା ପିଛା ୭୫ ଟଙ୍କାରେ କବାଡିଆଙ୍କୁ ବିକ୍ରୟ କରି ୪ ହଜାର ୫୦ ଟଙ୍କା ଆୟ କରିଥିଲା ।

ଜୁନ୍ ୨୦୨୧ରେ ପ୍ରଥମେ ଚୋରି ଆରମ୍ଭ କରିଥିବା ସିକନ୍ଦର ପରବର୍ତ୍ତୀ ସମୟରେ ନିଜ ସ୍ତ୍ରୀଠାରୁ ମଧ୍ୟ ସମର୍ଥନ ପାଇଥିଲା । ତେବେ ଚୋରି କରିବା ସମୟରେ ଦୁହେଁ ସିସିଟିଭିକୁ ନେଇ ମଧ୍ୟ ବେଶ ଭଲ ଭାବେ ଅବଗତ ଥିଲେ । ଏଥିପାଇଁ ସେମାନେ ଗାଡିର ଉଭୟ ଆଗ ଓ ପଛ ଲାଇଟ୍ ଲିଭାଇ ଚୋରି କରୁଥିଲେ । ତେବେ ରାସ୍ତାରେ ତନଖି କରୁଥିବା ପୋଲିସଙ୍କୁ ଚକ୍‌ମା ଦେବା ପାଇଁ ନଜମା ସାଥିରେ ସବୁବେଳେ ପରିବା ବ୍ୟାଗ ନେବାକୁ ଭୁଲୁନଥିଲା । ପ୍ରାୟ ୨୩୦ଟି ବିକି ଉଭୟ ସିକନ୍ଦର ଓ ନଜମା କି.ଗ୍ରା ପିଛା ୧୦୦ ଟଙ୍କା ଦରରେ ବିକ୍ରୟ କରିଥିଲେ । ବ୍ୟାଟେରୀ ଚୋରି ପାଇଁ ପୋଲିସ ବିଭାଗ ପ୍ରାୟ ୨୦ ଲକ୍ଷ ଟଙ୍କାର କ୍ଷତି ସହିଥିବା ସୂଚନା ରହିଛି ।

ତେବେ ସିସିଟିଭି ଫୁଟେଜ ଜରିଆରେ ବେଙ୍ଗାଳୁରୁ ପୋଲିସ ଏହି ଦମ୍ପତ୍ତିକୁ ଠାବ କରିଥିଲେ ହେଁ ଗାଡିର ନମ୍ବର ଜାଣିବାରେ ଅସମର୍ଥ ହୋଇଥିଲେ । ଶେଷରେ ବହୁ ଖୋଳତାଡ ପରେ ଦୁହିଁଙ୍କୁ ପୋଲିସ ଧରିବାରେ ସଫଳ ହୋଇପାରିଛି ।

Comments are closed, but trackbacks and pingbacks are open.