Latest Odisha News

BREAKING NEWS

ଭୁବନେଶ୍ୱରରୁ ଲଢ଼ିବେ ତିନି ପ୍ରଶାସକ !

ଭୁବନେଶ୍ୱର: ଭୁବନେଶ୍ୱରରେ ମୁହାଁମୁହିଁ ହେବେ କି ତିନି ପ୍ରଶାସକ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ତିନି ପ୍ରଶାସକ ଅପରାଜିତା, ଅରୂପ ଓ ବିଜୟଙ୍କୁ ଦେଖିବାକୁ ମିଳିବ କି ? ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି ବିଜେପି କଂଗ୍ରେସରେ ଏବେ ପୂର୍ବତନ ପ୍ରଶାସକ ମାନଙ୍କ ଦବଦବା ଦେଖିବାକୁ ମିଳିଛି।

2024 ସାଧାରଣ ନିର୍ବାଚନରେ ପ୍ରଶାସକ ମାନଙ୍କ ମଧ୍ୟରେ ରୋଚକ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି। ଦଳକୁ ସମୃଦ୍ଧ କରିବା ପାଇଁ ପ୍ରଶାସକ ମାନଙ୍କ ଆବଶ୍ୟକତା ମଧ୍ୟ ଧୀରେ ଧୀରେ ଅଧିକ ଅନୁଭୂତ ହେଉଛି। ସେମାନଙ୍କ ବୁଦ୍ଧି ଓ ନିର୍ବାଚନ ପରିଚାଳନା ରାଜନେତାଙ୍କ ଠାରୁ ଅଧିକ ତୀକ୍ଷ୍ଣ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ ବ୍ୟବସ୍ଥାରେ ଥିବା ବିଜେଡି ପ୍ରଶାସକ ମାନଙ୍କୁ ଅଧିକ ଗୁରୁତ୍ୱ ଦିଏ ବୋଲି କୁହାଯାଏ।

ସରକାରୀ କାର୍ଯ୍ୟଠୁ ଆରମ୍ଭ କରି ନିର୍ବାଚନ ପରିଚାଳନା ସବୁଥିରେ କିଛି ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ନାଁ ଆସୁଥିବା ବେଳେ ସେମାନେ ବିଜେଡିକୁ ଲଗାତର ସଫଳତା ମଧ୍ୟ ଦେଇ ଆସିଛନ୍ତି। ପୂର୍ବରୁ ପ୍ୟାରୀମୋହନ ମହାପାତ୍ରଙ୍କ କଥା ସମସ୍ତେ ଜାଣିଥିବା ବେଳେ ଏବେ ଫାଇଭ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନଙ୍କ କଥା ସମସ୍ତେ ଜାଣନ୍ତି।

ଏପରିକି ଅନ୍ୟ କିଛି ପ୍ରମୁଖ ପ୍ରଶାସନିକ ଅଧିକାରୀ ମଧ୍ୟ ବହୁ ପ୍ରମୁଖ ନିଷ୍ପତ୍ତି ନେଉଥିବା କୁହାଯାଏ। କେବଳ ଶାସକ ବିଜେଡି ନୁହେଁ ବିଜେପିରେ ମଧ୍ୟ ବହୁ ପ୍ରଶାସନିକ ଅଧିକାରୀ ଅଗ୍ର ଭାଗରେ ରହି ଦଳକୁ ସମୃଦ୍ଧ କରୁଥିବା ଦେଖାଯାଇଛି। ସେଥିମଧ୍ୟରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁ ପ୍ରଥମେ ଆସୁଛି। ଏ ସବୁ କ୍ଷେତ୍ରରେ ପଛରେ ପଡିଥିବା କଂଗ୍ରେସ ଏବେ ଆଗକୁ ଆସିଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏବେ କଂଗ୍ରେସରେ ମୁଖ୍ୟ ପ୍ରଶାସନିକ ଚେହେରା। କିଛି ଦିନ ତଳେ ହାତର ହାତ ଧରିବା ସହ ସକ୍ରିୟ ରାଜନୀତିକୁ ଓଲ୍ହାଇଛନ୍ତି ବିଜୟ। ବିଜୟ କଂଗ୍ରେସରେ ମିଶିବା ପରେ ଦଳକୁ ନେଇ ଏବେ ଚର୍ଚ୍ଚା ଜୋର। ତେଣୁ ତିନି ଦଳରେ ଏବେ ସିଧାସଳଖ ପ୍ରଶାସକ ମାନଙ୍କ ମଧ୍ୟରେ ଲଢେ଼ଇ ହେବ ବୋଲି ଚର୍ଚ୍ଚା ହେଉଛି।

ପ୍ରଶାସକ ମାନେ କେବଳ ଉପଦେଶ କିମ୍ବା ପଛରେ ରହି ଦଳକୁ ସମୃଦ୍ଧ କରିବା ବଦଳରେ ସିଧା ନିର୍ବାଚନ ରଣାଙ୍ଗନକୁ ଓଲ୍ହାଇଛନ୍ତି। ପୂର୍ବ ନିର୍ବାଚନରେ ବିଜେପିରୁ ଅପରାଜିତା ଷଡଙ୍ଗୀ ଓ ବିଜେଡିରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ମୁହାଁମୁହିଁ ହୋଇଥିଲେ। ଅପରାଜିତା ବାଜି ମାରି ନେଇଥିଲେ ମଧ୍ୟ ଅରୂପ ଏବେ ବିଜେଡିରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି।

କଂଗ୍ରେସର ଯୋଗ ଦେଇଥିବା ବିଜୟ ପଟ୍ଟନାୟକ ଭୁବନେଶ୍ୱରରୁ ସାଂସଦ ଭାବେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ଦଳରେ ମିଶିବା ପରେ ସେ କଂଗ୍ରେସର ଲୋକପ୍ରିୟ ବିଧାୟକ ସୁରେଶ ରାଉତରାୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏଭଳି ଭେଟଘାଟ ପରେ ବିଜୟଙ୍କ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ଲଢ଼ିବା ଚର୍ଚ୍ଚା ଜୋର ଧରିଛି।

ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ତିନି ପ୍ରଶାସକଙ୍କ ମଧ୍ୟରେ ଲଢେ଼ଇ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।ଅପରାଜିତା ହୁଅନ୍ତୁ କିମ୍ବା ବିଜୟ ପଟ୍ଟନାୟକ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସେ ସମୟରେ ପ୍ରିୟ ଥିଲେ। ଅପରାଜିତା ଭୁବନେଶ୍ୱର ମହାନଗର ନିଗମ କମିଶନର ଭାବେ ହେଉ କିମ୍ବା ବିଦ୍ୟାଳୟ ଗଣଶିକ୍ଷା ସଚିବ ଉଭୟ ପଦବୀରେ ରହି ସରକାରଙ୍କ ପାଇଁ ପ୍ରଶଂସା ଆଣିଥିଲେ।

ବିଜୟ ପଟ୍ଟନାୟକ ମଧ୍ୟ ନବୀନଙ୍କ ବହୁ ସଫଳ ନିଷ୍ପତ୍ତି ଓ ଏହାର କ୍ରିୟାନ୍ଵୟନର ପ୍ରମୁଖ ଭାଗିଦାର ଭାବେ ଗଣାଯାଆନ୍ତି। ତେଣୁ ଏବେ ନବୀନଙ୍କ ବିରୋଧରେ ଏମାନେ ଗୋଟି ଚାଳନାରେ କେତେ ସଫଳ ହେଉଛନ୍ତି ତା ଉପରେ ନଜର।

Leave A Reply

Your email address will not be published.