ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜର ବଢ଼ିଥିବା ଓଜନକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲିଂର ଶିକାର ହୋଇଛନ୍ତି । ସେପ୍ଟେମ୍ବର ୧୪ରେ ମୁମ୍ବାଇର ଆଣ୍ଟିଲିଆଠାରେ ଆୟୋଜିତ ଗଣେଶ ଚତୁର୍ଥୀ ଉତ୍ସବରେ କ୍ୟାଟ୍ରିନା ତାଙ୍କ ସ୍ୱାମୀ ଭିକି କୌଶଲ ଓ ପୁଅ ବିହାନଙ୍କ ସହ ସାମିଲ ହୋଇଥିଲେ । ତେବେ ତାଙ୍କର ଗର୍ଭାବସ୍ଥା ପୂର୍ବର ଏବଂ ବର୍ତ୍ତମାନର ଫଟୋକୁ ଯୋଡ଼ି ‘ବିଫୋର-ଆଫ୍ଟର’ କୋଲାଜ୍ ବନାଇ ଲୋକେ ତାଙ୍କ ଶରୀରରେ ଆସିଥିବା ପରିବର୍ତ୍ତନକୁ ନେଇ କଟାକ୍ଷ କରୁଛନ୍ତି । କେବଳ କ୍ୟାଟ୍ରିନା ନୁହଁନ୍ତି, ଏହା ପୂର୍ବରୁ କାନ୍ସ ୨୦୨୬ ଉତ୍ସବରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମଧ୍ୟ ନିଜ ଓଜନ ପାଇଁ ଟ୍ରୋଲ୍ ହେବାକୁ ପଡ଼ିଥିଲା । ସେଲିବ୍ରିଟିମାନଙ୍କ ପ୍ରତି ହେଉଥିବା ଏହି ଆଚରଣ ସମାଜରେ ମୋଟାପଣ ପ୍ରତି ଥିବା ନକାରାତ୍ମକ ମନୋଭାବ ବା ‘ଫ୍ୟାଟ୍ଫୋବିଆ’କୁ ପୁଣି ଥରେ ପଦାରେ ପକାଇଛି ।
‘ଫ୍ୟାଟ୍ଫୋବିଆ’ କେବଳ ଏକ ବ୍ୟକ୍ତିଗତ ଘୃଣା ନୁହେଁ, ବରଂ ଏହା ଏକ ଦୂଷିତ ସାମାଜିକ ବ୍ୟବସ୍ଥା ଯାହା ବ୍ୟକ୍ତିକୁ ତାଙ୍କ ଶରୀରର ଆକାର ଅନୁଯାୟୀ ନ୍ୟୁନ ଦୃଷ୍ଟିରେ ଦେଖିଥାଏ। ଭାରତୀୟ ସିନେମାରେ ମଧ୍ୟ ମୋଟା ଲୋକଙ୍କୁ ପ୍ରାୟତଃ ହାସ୍ୟର ପାତ୍ର ଭାବରେ ଦର୍ଶାଯାଇ ବଡି ଶେମିଂକୁ ସ୍ୱାଭାବିକ କରାଯାଉଛି ବୋଲି ୨୦୨୫ ମସିହାରେ ମାଲାୟାଲମ୍ ସିନେମା ଉପରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ।
ଭାରତରେ ଏହି ସମସ୍ୟା କେତେ ଗମ୍ଭୀର ରୂପ ନେଇଛି, ତାହା ବାରିଆଟ୍ରିକ୍ ସର୍ଜରୀ ପାଇଁ ପ୍ରସ୍ତୁତ ହେଉଥିବା ରୋଗୀଙ୍କ ଉପରେ ହୋଇଥିବା ଏକ ସଦ୍ୟ ଅଧ୍ୟୟନରୁ ସ୍ପଷ୍ଟ ହୁଏ । ଏଥିରେ ସାମିଲ ହୋଇଥିବା ୭୧% ଲୋକ ନିଜ ଓଜନକୁ ନେଇ ନିଜକୁ ଘୃଣା କରୁଥିବା ବେଳେ ୭୪.୬% ଡିପ୍ରେସନ୍ ବା ମାନସିକ ଅବସାଦର ଶିକାର ହୋଇଥିଲେ। ମୁମ୍ବାଇର ବିଶିଷ୍ଟ ବାରିଆଟ୍ରିକ୍ ସର୍ଜନ ଡାକ୍ତର ଅପର୍ଣ୍ଣା ଗୋଭିଲ୍ ଭାସ୍କରଙ୍କ ମତରେ, ଓଜନକୁ ନେଇ ହେଉଥିବା ଏହି ଥଟ୍ଟାମଜା ପିଲାଦିନରୁ ଆରମ୍ଭ ହୋଇ ବୟସ୍କ ହେବା ପର୍ଯ୍ୟନ୍ତ ଚାଲିଥାଏ। ଦିଲ୍ଲୀ-ଏନସିଆରର ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଅଫିସ୍ କର୍ମଚାରୀମାନେ ମଧ୍ୟ ଓଜନ କାରଣରୁ ମାନସିକ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି ।
ଏହି ସାମାଜିକ ବ୍ୟାଧିର ଇତିହାସ ବହୁ ପୁରୁଣା। ୧୯୬୭ ମସିହାରେ ନ୍ୟୁୟର୍କର ସେଣ୍ଟ୍ରାଲ୍ ପାର୍କରେ ପ୍ରାୟ ୫୦୦ ଲୋକ ଫ୍ୟାଟ୍ଫୋବିଆ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ୨୦୦୧ରେ ୟେଲ୍ ୟୁନିଭରସିଟିର ଏକ ରିସର୍ଚ୍ଚରୁ ପ୍ରମାଣିତ ହୋଇଥିଲା ଯେ ମୋଟା ଲୋକମାନେ ନିଯୁକ୍ତି, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ଭେଦଭାବର ଶିକାର ହୁଅନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଡାକ୍ତରଖାନାରେ ମଧ୍ୟ ସେମାନଙ୍କୁ ହତାଦର କରାଯାଏ, ଯେଉଁ କାରଣରୁ ଅନେକ ଲୋକ ଡାକ୍ତରଙ୍କ ପାଖକୁ ଯିବାକୁ ଭୟ କରନ୍ତି ।

