ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ବଡ଼ ମୋଡ଼: ସାମ୍ନାକୁ ଆସିଲା ବାନ୍ଧବୀଙ୍କ ଭାଇରାଲ ଅଡିଓ ଓ ହ୍ଵାଟ୍ସଆପ ଚାଟ୍
ଭୁବନେଶ୍ୱର: ବାଲିଅନ୍ତା ଭିଡ଼ ହିଂସା ଭିତରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟଣାରେ ଏବେ ଏକ ନୂଆ ଏବଂ ଚାଞ୍ଚଲ୍ୟକର ମୋଡ଼ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସୌମ୍ୟଙ୍କ ବାନ୍ଧବୀଙ୍କ ଏକ ଅଡିଓ କଲ୍ ଏବଂ ହ୍ଵାଟ୍ସଆପ ଚାଟ୍ରୁ ହତ୍ୟାକାଣ୍ଡ ପଛର ପୁରୁଣା ଶତ୍ରୁତାକୁ ନେଇ ବଡ଼ ଖୁଲାସା ହୋଇଛି। ଏହି ତଥ୍ୟ ପଦାରେ ପଡ଼ିବା ପରେ ଘଟଣାରେ ସନ୍ଦେହଘେରକୁ ଆସିଥିବା ‘ଓମ’ ନାମକ ଯୁବକଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିବା ଆରମ୍ଭ କଲାଣି।
ଭାଇରାଲ ହୋଇଥିବା ହ୍ଵାଟ୍ସଆପ ଚାଟ୍ ଏବଂ ଅଡିଓ ରେକର୍ଡିଂ ଅନୁଯାୟୀ, ଗତ ନଭେମ୍ବର ମାସରୁ ସୌମ୍ୟ ଏବଂ ଓମଙ୍କ ମଧ୍ୟରେ ବିବାଦ ଚାଲିଥିଲା। ସତ୍ୟବିହାର ସ୍ଥିତ ଏକ ଜିମକୁ ନେଇ ଉଭୟଙ୍କ ଭିତରେ ପ୍ରଥମେ ମତାନ୍ତର ସୃଷ୍ଟି ହୋଇଥିଲା। ବିବାଦ ଏତେ ବଢ଼ିଯାଇଥିଲା ଯେ, ସୌମ୍ୟ ନିଜ ବାନ୍ଧବୀଙ୍କ ଜରିଆରେ ଓମକୁ ଅଡ଼ସପୁର ଜିମକୁ ନଆସିବା ପାଇଁ ସ୍ପଷ୍ଟ ଭାବେ ଚେତାବନୀ ଦେଇଥିଲେ। ସୌମ୍ୟ ଓ ଓମଙ୍କ ମଧ୍ୟରେ ଥିବା ଏହି ତିକ୍ତତା ବିଷୟରେ ସୌମ୍ୟଙ୍କ ବାନ୍ଧବୀ ନିଜେ ମୁହଁ ଖୋଲି ସତ୍ୟ ସ୍ୱୀକାର କରିଛନ୍ତି।
ଏହି ଅଡିଓ ଭାଇରାଲ ହେବା ପରେ ସୌମ୍ୟଙ୍କ ଶୋକାକୁଳ ପରିବାର ଲୋକେ ଓମର ସଂପୃକ୍ତିକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ହତ୍ୟାକାଣ୍ଡ ଘଟିଥିବା ଦିନ ଅର୍ଥାତ୍ ମେ ୭ ତାରିଖରେ ଓମର ଗତିବିଧି କ’ଣ ଥିଲା, ତାହା ଜାଣିବା ପାଇଁ ପରିବାର ଲୋକେ ପୋଲିସ ନିକଟରେ ଓମର କଲ୍ ଡିଟେଲ୍ସ ରେକର୍ଡ (CDR) ଯାଞ୍ଚ କରିବାକୁ ଦୃଢ଼ ଦାବି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ମେ ୭ ତାରିଖ (ହତ୍ୟାକାଣ୍ଡ ଦିନ) ଓମ କାହା କାହା ସହ ଫୋନରେ କଥା ହେଉଥିଲେ? ସେହିଦିନ ଏକାଧିକ ଥର ସେ ନିର୍ଦ୍ଦିଷ୍ଟ ଭାବେ କେଉଁ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ? ସେ ସବୁଠାରୁ ଅଧିକ ସମୟ କାହା ସହ କଥା ହୋଇ ସମୟ ବିତାଇଛନ୍ତି?
ସାଧାରଣ ଜନତା ଏବଂ ସ୍ଥାନୀୟ ଅଞ୍ଚଳରେ ଏବେ ଏହି ବିଷୟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଲୋକଙ୍କ କହିବା ଅନୁଯାୟୀ, ଓମର ଫୋନ୍ କଲ୍ ଏବଂ ଚାଟ୍ର ସଠିକ୍ ଭାବେ ଗଭୀର ଖୋଳତାଡ଼ କରାଗଲେ, ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟଙ୍କୁ କିଭଳି ପ୍ଲାନ୍ କରି ହତ୍ୟା କରାଗଲା ତାହାର ଅସଲ ରହସ୍ୟ ଲୋକଲୋଚନକୁ ଆସିପାରିବ।