ନୂଆଦିଲ୍ଲୀ: ୨୩ ବର୍ଷ ପର୍ଯ୍ୟନ୍ତ ଛାଡିଲେନି ସ୍ବାମୀଙ୍କ ପିଛା
ସାଢେ ୩ କୋଟି ଆଲିମନି ଦେଇ ରଫାଦଫା କରିଦେଇଥିଲେ ସ୍ବାମୀ
୮୫ କୋଟି ନେଇ ମାନିଲେ ମହିଳା
ଛାଡପତ୍ର ନେବାର ୨୩ ବର୍ଷ ପରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା । କିଛି ଏପରି ଘଟଣା ସାମ୍ନାକୁ ଆସିଛି ବ୍ରିଟେନରୁ । ବ୍ରିଟେନର ସବୁଠାରୁ ଲମ୍ବା ଚାଲିଥିବା ଛାଡପତ୍ର ମାମଲାରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି । ବ୍ରିଟେନରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ବର୍ଷା ଗୋହିଲ ୨୩ ବର୍ଷର ଆଇନଗତ ଲଢ଼େଇ ପରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଛାଡପତ୍ର ସମୟରେ ତାଙ୍କ ପୂର୍ବତନ ସ୍ୱାମୀ ଲୁଚାଇ ରଖିଥିବା ପ୍ରାୟ ୮୫ କୋଟି ମୂଲ୍ୟର ସମ୍ପତ୍ତି ପାଇବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଭାରତୀୟ ବଂଶୋଦ୍ଭବ ମହିଳା ବର୍ଷା ଗୋହିଲ ୨୦୦୨ ମସିହାରେ ତାଙ୍କ ପୂର୍ବତନ ସ୍ୱାମୀ ଭଦ୍ରେଶ ଗୋହିଲଙ୍କ ଠାରୁ ଛାଡପତ୍ର ନେଇଥିଲେ । ସେତେବେଳେ ଏହି ମାମଲା ସମାଧାନ ହୋଇଯାଇଥିଲା । ସ୍ବାମୀଙ୍କ ସମ୍ପତ୍ତି ଅନୁଯାୟୀ, ସେତେବେଳେ ବର୍ଷାଙ୍କୁ ଭରଣପୋଷଣ ପାଇଁ ପ୍ରାୟ ୨.୭ ଲକ୍ଷ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ପ୍ରାୟ ୩.୪୭ କୋଟି ଟଙ୍କା ମିଳିଥିଲା । ଏଥିସହିତ ପରିବାର ଏକ କାର ମଧ୍ୟ ବର୍ଷା ନିଜ ପାଖରେ ରଖିଥିଲେ । ହେଲେ ଭଦ୍ରେଶ ଏଠି ବଡ ଗେମ୍ ଖେଳିଥିଲେ । ସେ ନିଜର ସମସ୍ତ ସ୍ତାବରଅସ୍ତାବର ସମ୍ପତ୍ତି ସହିତ ଜଡିତ ସଠିକ୍ ତଥ୍ୟ ବର୍ଷାଙ୍କୁ ପ୍ରଦାନ କରିନଥିଲେ । ଆଇନ୍ ଅନୁଯାୟୀ, ଛାଡପତ୍ର ସମୟରେ ସ୍ବାମୀ-ସ୍ତ୍ରୀଙ୍କୁ ନିଜର ସମ୍ପତ୍ତି ଏବଂ ଆୟର ତଥ୍ୟ କୋର୍ଟକୁ ଦେବାକୁ ପଡେ । ତଥାପି, ବର୍ଷା ଆରମ୍ଭରୁ ସନ୍ଦେହ କରିଥିଲେ ଯେ ତାଙ୍କ ସ୍ୱାମୀ କୋର୍ଟରେ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ପ୍ରକାଶ କରିନାହାଁନ୍ତି। ସେତେବେଳେ, ଏହି ଦାବିକୁ ପ୍ରମାଣିତ କରିବା ପାଇଁ ତାଙ୍କ ପାଖରେ ଠୋସ୍ ପ୍ରମାଣ ନଥିଲା, କିନ୍ତୁ ପରବର୍ତ୍ତୀ ବର୍ଷଗୁଡ଼ିକରେ ଘଟିଥିବା ଘଟଣା ତାଙ୍କ ସନ୍ଦେହକୁ ସଠିକ୍ ପ୍ରମାଣିତ କରିଥିଲା।
କୁହନ୍ତିନି ଚୋର ଘର କେବେ ଅନ୍ଧାର ନଥାଏ । ସେହିପରି ବିଗତ ଦିନରେ ତାଙ୍କ ପୂର୍ବତନ ସ୍ୱାମୀ ଏକ ବଡ଼ ମନି ଲଣ୍ଡରିଂ ସ୍କାଣ୍ଡାଲରେ ଫସିଯାଇଥିଲେ । ଯାହା ପରେ ତାଙ୍କ ସମ୍ପତ୍ତିର କଳାଚିଠା ସବୁ ସାମ୍ନାକୁ ଆସିଥିଲା । ଦୀର୍ଘ ତଦନ୍ତ ପରେ, ପୂର୍ବତନ ସ୍ବାମୀଙ୍କୁ ମନି ଲଣ୍ଡରିଂ, ଜାଲିଆତି ଏବଂ ଠକେଇ ଷଡ଼ଯନ୍ତ୍ର ଭଳି ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୧୧ ମସିହାରେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା। ଅପରାଧୀକ ତଦନ୍ତ ସମୟରେ, ଅଧିକାରୀମାନେ ଲକ୍ଷ ଲକ୍ଷ ପାଉଣ୍ଡ ମୂଲ୍ୟର ସମ୍ପତ୍ତି ଠାବ କରିଥିଲେ, ଯାହାର ସୂଚନା ଛାଡପତ୍ର ବେଳେ ବର୍ଷାଙ୍କୁ ଦିଆଯାଇନଥିଲା । ଏହାପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପ୍ରାୟ ୨୮ ନିୟୁତ ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୩୬୦ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କରିଦେଇଥିଲେ।
ଆଉ ଏହା ଜଣାପଡିବା ପରେ ବର୍ଷା ୨୦୦୭ରେ ପୁଣି ଛାଡପତ୍ର ଚୁକ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲା ଶେଷରେ ୟୁକେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ୨୦୧୫ରେ ଛାଡପତ୍ର ମାମଲାକୁ ପୁଣିଥରେ ଖୋଲିବାକୁ କୋର୍ଟ ଅନୁମତି ଦେଇଥିଲେ । ଏହା ପରେ, ହାଇକୋର୍ଟରେ ଏକ ଲମ୍ବା ଶୁଣାଣି ହୋଇଥିଲା। ଏହାପରେ ପୂର୍ବତନ ସ୍ବାମୀଙ୍କ ସମସ୍ତ ସମ୍ପତ୍ତିରୁ କୋର୍ଟ ପ୍ରାୟ ୬.୬୬ ନିୟୁତ ପାଉଣ୍ଡ, ଭାରତୀୟ ମୁଦ୍ରାରେ ପ୍ରାୟ ୮୫ କୋଟି ଟଙ୍କା ମୂଲ୍ୟର ବୈଧ ସମ୍ପତ୍ତି ଚିହ୍ନଟ କରିଥିଲେ । ଆଉ ସେ ସମସ୍ତ ସମ୍ପତ୍ତିକୁ ବର୍ଷା ଗୋହିଲଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ନିଜ ରାୟରେ, ବିଚାରପତି ପୂର୍ବତନ ସ୍ବାମୀ ଭଦ୍ରେଶ ଗୋହିଲଙ୍କ ଆଚରଣକୁ ପ୍ରତାରଣାପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ। ଆଉ ଏହିପନରି ଭାବେ ୨୩ ବର୍ଷ ଧରି ଚାଲିଥିବା ଏହି ଅସାଧାରଣ ଆଇନଗତ ଲଢ଼େଇର ଅନ୍ତ ଘଟିଥିଲା ।