Latest Odisha News

BREAKING NEWS

ଏକାମ୍ର ପରମ୍ପରା : ବିନ୍ଦୁସାଗର

ସୁକାନ୍ତ ପଣ୍ଡା

ପୁଣ୍ୟଭୂମି ଭାରତର ଚାରି ଦିଗରେ ରହିଛି ଚାରିଗୋଟି ପ୍ରସିଦ୍ଧ ତୀର୍ଥ ପୁଷ୍କରିଣୀ , ପୁରାଣ ବର୍ଣ୍ଣନା ଅନୁସାରେ ସେଗୁଡ଼ିକ ହେଲା ଉତ୍ତରରେ ମାନସ ସରୋବର ଦକ୍ଷିଣରେ ପମ୍ପା ସରୋବର , ପଶ୍ଚିମରେ ନାରାୟଣ ସରୋବର ଏବଂ ପୂର୍ବରେ ବିନ୍ଦୁ ସରୋବର ବା ବିନ୍ଦୁ ସାଗର। ମହାପ୍ରଭୁ ଶଙ୍କର ଦ୍ୱାରା ସୃଷ୍ଟ ଏହି ପବିତ୍ର ସରୋବରରେ ସାରା ଦେଶର ସବୁ ପବିତ୍ର ନଦ ନଦୀ ଓ ତାଙ୍କର ଜଳ ସମାହିତ ହୋଇଛି। ନିଜେ ମହାପ୍ରଭୁ ଶଙ୍କର ତାର ନାମକରଣ କରିଛନ୍ତି ବିନ୍ଦୁ ସାଗର। ଏହାର ଅନ୍ୟନାମ ଶଙ୍କର ବାମ୍ଫୀ ।

ପୁରାଣ ବର୍ଣ୍ଣିତ ଅନୁସାରେ କୈଳାଶ ଓ କାଶୀରେ ଭଗବାନ ଶଙ୍କରଙ୍କୁ ନପାଇ ପ୍ରଭଙ୍କ ନିର୍ଦ୍ଦେଶକ୍ରମେ ଦେବୀ ପାର୍ବତୀ ଗୋପାଳୁଣୀ ବେଶରେ ଏକାମ୍ର କ୍ଷେତ୍ରକୁ ଆସିଛନ୍ତି । ଶ୍ରୀ ଲିଙ୍ଗରାଜ ମନ୍ଦିରର ଅଧିଷ୍ଟାତ୍ରୀ ଦେବୀ ଭବବନେଶ୍ୱରୀଙ୍କ ଅନ୍ୟନାମ ଗୋପାଳୁଣୀ ତାଙ୍କର ପ୍ରାର୍ଥନା ହେଉଛି :
ଗୋପାଳିନୀ ନମସ୍ତୁତେ କୀର୍ତ୍ତିବାସ ବିମର୍ଦ୍ଧିନୀ
ପୁତ୍ରଂ ପୋୖତ୍ରଂ ପ୍ରପୋୖତ୍ରଂ ଚ ଦେହି ମା ଭବନେଶ୍ୱରୀ

ତେଣୁ ଦେବୀ ଗୋପାଳୁଣୀ ବେଶରେ ଏକାମ୍ର ବଣରେ ଥିବା ବେଳେ ସେଠାରେ ଆତଙ୍କ ସୃଷ୍ଟି କରିଥିବା ଦୁଇ ଦାନଵ କୀର୍ତ୍ତି ଓ ବାସ ଦେବୀଙ୍କ ଅପରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କୁ ବିବାହ ନିମନ୍ତେ ପ୍ରସ୍ତାବ ଦେଲେ  । ଦେବୀ ଏହାକୁ ଗ୍ରହଣ କଲେ ଏବଂ ଦୁଇ ଭାଇ ତାଙ୍କ ସ୍କନ୍ଦରେ ଏକତ୍ର ବନ ବୁଲାଇବା ସର୍ତ୍ତ ରଖିଲେ । ପରବର୍ତ୍ତୀ ସମୟରେ ଦେବୀ ଦୁଇଭାଇ କୀର୍ତ୍ତି ଓ ବାସଙ୍କ ସ୍କନ୍ଦ ଆରୋହଣ କରି ଦୁଇ ପାଦରେ ଦୁଇ ଭାଇଙ୍କୁ ଚାପି ମାରି ଦେଇଥିଲେ ଯେଉଁ ସ୍ଥାନରେ ଦେବୀ ରାକ୍ଷସ ଭ୍ରାତାଙ୍କ ବଡ଼ କରିଥିଲେ ତାର ନାମ ଦେବୀ ପାଦଭରା ଏହା ଲିଙ୍ଗରାଜ ମନ୍ଦିରର ସମ୍ମୁଖ ଭାଗର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ ।

ରାକ୍ଷସ ନିଧନ ପରେ ଦେବୀ କ୍ଲାନ୍ତ ହୋଇ ବିଶ୍ରାମ କରୁଥିବା ବେଳେ ନିଜେ ମହାପ୍ରଭୁ ଶଙ୍କର ଆସି ଶ୍ରମକ୍ଲାନ୍ତା ଦେବୀଙ୍କ ପାଦରେ କରସ୍ପର୍ଶ କଲେ ଏଥିରେ ଦେବୀଙ୍କ ନିଦ୍ରା ଭଙ୍ଗ ହେଲା ( ବିନ୍ଦୁ ସାଗର ଦକ୍ଷିଣ ଦିଗରେ ଭବାନୀ ଶଙ୍କର ମଧ୍ୟରେ ଦେବୀ ଶାୟିତ ଅବସ୍ଥାରେ ଥିବା ବେଳେ ତାଙ୍କ ପାଦ ପାଖରେ ଶିବଲିଙ୍ଗ ପୂଜିତ ) । ତତ୍ପରେ ମହାପ୍ରଭୁ ତ୍ରିଶୁଳ ମୁନରେ ବାମ୍ଫି ସୃଷ୍ଟିକରି ଦେବୀଙ୍କୁ ଜଳ ପ୍ରଦାନ କଲେ ( ବିନ୍ଦୁ ସାଗର ମଧ୍ୟରେ ଭାଗରେ ମଠ ଘାଟ ନିକଟରେ ଏହି ବାମ୍ଫି ରହିଛି ଦକ୍ଷିଣ ୨୫ x ୧୦ x ୧୦ ଏହି ଜଳାଶୟ ୧୯୭୮ ମସିହାରେ ଏହା ଦୃଷ୍ଟିକୁ ଆସିଥିଲା ଏଥିରେ ସାତ ଗୋଟି ପାହାଚ ମଧ୍ୟ ରହିଛି ) ।

ଦେବୀଙ୍କ ଅନୁରୋଧ କ୍ରମେ ସମସ୍ତ ତିର୍ଥଙ୍କୁ ନିମନ୍ତ୍ରଣ ପାଇଁ ବୃଷଭଙ୍କୁ ପ୍ରେରଣ କରାଗଲା । ଧର୍ମରୂପୀ ବୃଷଭ ସମେତ ଦେବ , ନାଗ , ଯକ୍ଷ ଓ ଗନ୍ଧର୍ବ ନତୀର୍ଥ ମାମାଙ୍କ ନିମନ୍ତ୍ରଣ କରି ଆଣିଲେ କିନ୍ତୁ ଗୋଦାବରୀ ମିଛ ବ ବାହାନା କରି ନ ଆସିବାରୁ ଭାଗବାନ ଶଙ୍କର ତାଙ୍କୁ ଅସ୍ପୃଶ୍ୟାର ଅଭିଶାପ ଦେଇଥିଲେ ହେଁ ପରବର୍ତ୍ତୀ ସମୟରେ କ୍ଷମା ପ୍ରଦାନ କରିଥିଲେ ଏବଂ ବିନ୍ଦୁ ସାଗର ଉତ୍ତର ଦିଗରେ ଏକକ୍ଷୁଦ୍ର ପୁଷ୍କରିଣୀ ଭାବରେ ଗୋଦାବରୀ ଏକାମ୍ର କ୍ଷେତ୍ରରେ ସ୍ୱତନ୍ତ୍ର ଭାବରେ ବିରାଜିତ ) ।

ଭଗବାନ ଶଙ୍କର ଅନୁରୋଧକ୍ରମେ , ଭଗବାନ ନାରାୟଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବ୍ରହ୍ମା ବିନ୍ଦୁ ସାଗରର ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଥିଲେ ୨୨ ଏକର ପରିମିତ ବିନ୍ଦୁସାଗରରେ ରହିଛି ୭ ଟି ଘାଟ ।

୧. ପୂର୍ବପଟରେ ବ୍ରହ୍ମା ଘାଟ
୨. ମାଣିକର୍ଣ୍ଣିକା ଘାଟ
୩ . ପଶ୍ଚିମ ପଟେ ବିଶ୍ରାମ ଘାଟ
୪ . ଉତ୍ତର ପଟେ ଉତ୍ତରେଶ୍ଵର ଘାଟ ବା ଗୋଦାବରୀ ଘାଟ
୫. ଦକ୍ଷିଣ ପଟେ ମଠ ଘାଟ
୬. ମୋହିନୀ ଘାଟ
୭. ବଡୁ ସାହି ଘାଟ

ପୂର୍ବ ପାଶ୍ୱରେ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର , ହନୁମାନ ମନ୍ଦିର , ବ୍ରହ୍ମା ମନ୍ଦିର , ଦ୍ୱାରା ବନ୍ଧନୀ ମନ୍ଦିର , ମାଣିକର୍ଣ୍ଣେଶ୍ୱର ମନ୍ଦିର
, ଉତ୍ତର ଦିଗରେ ଉତ୍ତରେଶ୍ଵର ମନ୍ଦିର , ଉତ୍ତରାୟଣୀ ମନ୍ଦିର , ଏମାର ମଠ , ପଶ୍ଚିମ ପାର୍ଶ୍ୱରେ ଏକାମ୍ର ବନ , ନୀଳକଣ୍ଠେଶ୍ୱର ମନ୍ଦିର , ଦକ୍ଷିଣ ପାର୍ଶ୍ୱରେ ଶାରୀଶ୍ୱର ମନ୍ଦିର , ମୋହିନୀ ମନ୍ଦିର , ମର୍କେଣ୍ଡେଶ୍ଵର ମନ୍ଦିର , ଆଖଡ଼ା ଚଣ୍ଡୀ ମନ୍ଦିର , ବିନ୍ଧ୍ୟ ବାସିନୀ ମନ୍ଦିର , ଭବାନୀ ଶଙ୍କର ମନ୍ଦିର ଏବଂ ଶଙ୍କରାନନ୍ଦ ସରସ୍ୱତୀ ମଠ  ।

ବିନ୍ଦୁସାଗର ମଧ୍ୟ ଭାଗରେ ରହିଛି ଜଗତି । ୧୨୧ ଡିସମିଲ ଆୟତନର ଉଆଁରେ ରହିଛି ରେଖ ଓ ପୀତ ଶୈଳୀରେ ଛୋଟ ଦୁଇଟି ମନ୍ଦିର । ଜଗତି ଚଉତରା ଠାରୁ ୬ ଫୁଟ ଉଚ୍ଚରେ ରହିଛି ମନ୍ଦିର  ।ଏତତ ବ୍ୟତୀତ ମହାପ୍ରଭୁଙ୍କ ଚନ୍ଦନ ସ୍ନାନ ପାଇଁ ଦୁଇଟି ଚନ୍ଦନ କୁଣ୍ଡ ,  , ଦୁଇଟି ରୋଷ ଘର ଏବଂ ତିନି ଫୁଟ ଉଚ୍ଚରେ ଏକ ଚଉତରା । ଚଉତରା ତଳେ ଏକ ରୋଷଘର ଅଛି ଯାହାକି ଏବେ ବ୍ୟବହୃତ ହେଉ ନାହିଁ ।

ସାରା ଓଡ଼ିଶାରେ ଚନ୍ଦନ ଯାତ୍ରା ୨୧ ଦିନ ଧରି ପାଳନ କରାଯାଉଥିବା ବେଳେ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ୨୨ ଦିନ ଧରି ପାଳନ କରାଯାଏ । ଶେଷ ଦିନକୁ ହଳଦୀ ପାଣି ଭାବରେ ପାଳନ କରାଯାଏ । ୨୧ ତମ ଦିନକୁ ସେଦିନ ପ୍ରଭୁ ଚାପରେ ସାରା ସରୋବର ବୁଲିଥାନ୍ତି  । ୨୨ ଦିନ ଧରି ପ୍ରତିଦିନ ଦିନ ଚାପ ଓ ରାତି ଚାପ କରାଯାଏ । ଦିନ ଚାପ ପରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମା ପାର୍ବତୀ , ମା ଭୁବନେଶ୍ୱରୀ ପ୍ରଭୃତି ବସୁଦେବ ଓ ପ୍ରଭୁ ଶ୍ରୀ କପିଳେଶ୍ୱର ଜଗତ ସ୍ମିତ ଚନ୍ଦନ କୁଣ୍ଡରେ ଚନ୍ଦନ ସ୍ନାନ ସାରି ମନ୍ଦିରରେ ବିଶ୍ରାମ କରନ୍ତି ( କେତେକ ବିବାଦ ଯୋଗୁ ପ୍ରଭୁ କପିଳେଶ୍ୱର ଆଉ ମହାପ୍ରଭୁ ଯାତ୍ରାରେ କିଛି ବର୍ଷ ହେଲା ସାମିଲ ହେଉ ନାହାନ୍ତି ) । ପରେ ଭୋଗ ପରେ ,  ରାତି ଚାପ ଆରମ୍ଭ ହୁଏ ଏବଂ ମହାପ୍ରଭୁ ବିନ୍ଦୁ ସରୋବର ପୂର୍ବ ପଟେ ଚାପ ଆରୋହଣ କରୁଥିବା ବେଳେ ପଶ୍ଚିମ ପଟରେ ବିଶ୍ରାମ ଘାଟରେ ଅବତରଣ କରି ନିଶରମ ନିଅନ୍ତି । ପରେ ନୃତ୍ୟ ଗୀତ ସହ ମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି ।

ଚନ୍ଦନ ଯାତ୍ରା ବ୍ୟତୀତ ମହାଶିବ ରାତ୍ରି ଦିନ ପୁଷ୍ୟାଭିଷେକ ଅବସରରେ ବିନ୍ଦୁସାଗରରୁ ୧୦୮ ଜଳ ମାଠିଆ ଅଣାଯାଇ ମହାପ୍ରଭୁଙ୍କ ଅଭିଷେକ କରାଯାଏ । ଏତତବ୍ୟତୀତ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ସମୟରେ ମଧ୍ୟ ମହାପ୍ରଭୁ ଗ୍ରହଣ ସ୍ନାନ ପାଇଁ ସପରିବାର ବିନ୍ଦୁ ସାଗରକୁ ଯାଇଥାନ୍ତି । ଶିବ ବିବାହ ପରେ ଚତୁର୍ଥୀ ଦିନ ମଧ୍ୟ ମହାପ୍ରଭୁ ଓ ମା ପାର୍ବତୀ ବ୍ରହ୍ମା ପାଟକୁ ଯାଇ ସେମାନେ ସ୍ନାନ କରି ନବ ବସ୍ତ୍ର ପରିଧାନ କରନ୍ତି । ବିନ୍ଦୁ ସାଗରରେ ସ୍ନାନ କରି ଅନନ୍ତ ବାସୁଦେବଙ୍କ ଦର୍ଶନ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଅତ୍ୟନ୍ତ ପୁଣ୍ୟ ଦାୟୀ ବୋଲି ବିଚାର କରାଯାଏ । ଏହା ବ୍ୟତୀତ ବିନ୍ଦୁ ସାଗରରେ ତର୍ପଣ , ଶ୍ରାଦ୍ଧ ଓ ପିଣ୍ଡଦାନ ଅତ୍ୟନ୍ତ ଫଳ ଦାୟକ ବୋଲି ପୁରାଣରେ ବର୍ଣନା କରାଯାଇଛି ।

Leave A Reply

Your email address will not be published.