Latest Odisha News

BREAKING NEWS

ଜୈବିକ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି ଚୀନ୍ !

ନୂଆଦିଲ୍ଲୀ: ଚୀନର ଜୈବିକ ସାମଗ୍ରୀ ତସ୍କରୀ ମାମଲାକୁ ନେଇ ଆମେରିକାରେ ହଲଚଲ୍ । କିଛି ଦିନ ତଳେ ଦୁଇ ଜଣ ଚୀନ୍ ନାଗରିକଙ୍କୁ  ଜୈବିକ ସାମଗ୍ରୀ ତସ୍କରୀ ଅଭିଯୋଗରେ ଗିରଫ କରାଯାଇଥିଲା । ଏବେ ପୁଣି ଜଣେ ଚୀନ୍ ମହିଳା ଗବେଷକଙ୍କୁ ରାଉଣ୍ଡ ଓ୍ବର୍ମ ବା ଗୋଲାକାର କୃମିର ତସ୍କରୀ ନେଇ ଗିରଫ କରାଯାଇଛି । ଗୋଲାକାର କୃମି ପତଳା ଟ୍ୟୁବ ଆକାରର ପରଜୀବୀ । ୟୁଏସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଅନୁସାରେ, ଅତି ଛୋଟରୁ କିଛି ଇଞ୍ଚ ଲମ୍ବା ରହିଥିବା ଏହି କୀଟ ମଣିଷ ତଥା ଜୀବଜନ୍ତୁଙ୍କ ଶରୀରରେ ଗଭୀର ସଂକ୍ରମଣ କରିପାରେ । ଚୀନ୍ ଗବେଷକଙ୍କ ଗିରଫଦାରୀର ସପ୍ତାହେ ମଧ୍ୟରେ ପୁଣି ଜୈବିକ ସାମଗ୍ରୀ ତସ୍କରୀ ମାମଲା ସାମନାକୁ ଆସିବା ଚିନ୍ତା ବଢାଇଛି ।

ପୁଣି ଧରାପଡିଲେ ଚୀନ୍ ଗବେଷକ

ଉହାନସ୍ଥିତ ହୁଆଝୋଙ୍ଗ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ପିଏଚଡି ଛାତ୍ରୀ ହାନ୍ ଚେଙ୍ଗକ୍ସୁଆନଙ୍କୁ ଗିରଫ କରାଯାଇଛି । ସେ ଜୈବିକ ସାମଗ୍ରୀ ଥିବା ଚାରିଟି ପ୍ୟାକେଟ୍ ଚୀନରୁ ମିସିଗନ ୟୁନଭର୍ସିଟିର ଲାବୋରେଟାରୀକୁ ପଠାଇବା ସହ ଏନେଇ ଫେଡେରେଲା ଏଜେଣ୍ଟଙ୍କୁ ମିଛ କହିଥିବା ଅଭିଯୋଗ ହୋଇଛି । ରବିବାର ହାନ୍ ଡେଟ୍ରୟଟ ମେଟ୍ରୋପଲିଟାନ୍ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ସୀମା ସୁରକ୍ଷା ଅଧିକାରୀ ଅଟକାଇଥିଲେ । ତେବେ ଅଧିକାରୀଙ୍କ ଆଗରେ ମିଛ ବୟାନ ଦେଇଥିଲେ ହାନ୍ । ପରେ ସେ ଏଫବିଆଇ ଆଗରେ ଗତବର୍ଷ ଓ ଚଳିତ ବର୍ଷ ଆରମ୍ଭରେ ଜୈବିକ ସାମଗ୍ରୀ ଥିବା ପ୍ୟାକେଟ୍ ପଠାଇଥିବା ମାନିଥିଲେ । ଆମେରିକା ଆସିବାର ତିନି ଦିନ ପୂର୍ବରୁ ହାନଙ୍କ ମୋବାଇଲ୍ ଡାଟା ଡିଲିଟ କରାଯାଇଥିବା ଜଣାପଡିଛି । ଏହାପୂର୍ବରୁ ଗତ ସପ୍ତାହରେ ଚୀନ ବୈଜ୍ଞାନିକ ୟୁନକିଙ୍ଗ ଜିୟାନ ଓ ତାଙ୍କ ବୟଫ୍ରେଣ୍ଡ ଜୁନୟୋଙ୍ଗ ଲିୟୁ ଗିରଫ ହୋଇଥିଲେ । ଉଭୟ ଆମେରିକା କୃଷିରେ ବଡ଼ ଧରଣର କ୍ଷତି କରିବାରେ ସକ୍ଷମ ଫଙ୍ଗସ ତସ୍କରୀ କରିବା ନେଇ ଅଭିଯୋଗ ଆସିଥିଲା ।

ଚୀନ୍ କରୁଛି ବଡ଼ ଷଡ଼ଯନ୍ତ୍ର !

ପ୍ରଥମେ ଫସଲ ନଷ୍ଟ କରୁଥିବା ଫଙ୍ଗସ ସହ ଗିରଫ ହୋଇଥିଲେ ଚୀନର ଦୁଇ ନାଗରିକ । ଏବେ ମଣିଷ ତଥା ଜୀବଜନ୍ତୁଙ୍କୁ ଅସୁସ୍ଥ କଲାଭଳି ଗୋଲ୍ କୃମି ତସ୍କରୀ ଅଭିଯୋଗରେ ଚୀନ୍ ଗବେଷକ ଗିରଫ ହେବା ପରେ ଆମେରିକା ଅଧିକାରୀ ସତର୍କ ହୋଇଛନ୍ତି । ଏହା ଏକ ବିପଜ୍ଜନକ ପାଟର୍ଣ୍ଣର ଅଂଶ ବିଶେଷ ଓ ଆମେରିକା ସୁରକ୍ଷା ପ୍ରତି ବିପଦ ବୋଲି ଆମେରିକା ଅଧିକାରୀ କହିଛନ୍ତି । ହାନ୍ ମିଶିଗନ ୟୁନିଭର୍ସିଟିରେ ଏକ ପ୍ରୋଜେକ୍ଟ ଉପରେ ବର୍ଷେ ପର୍ଯ୍ୟନ୍ତ କାମ କରିଥାନ୍ତେ । ତେବେ ହାନଙ୍କ ସିପମେଣ୍ଟ ଧରାପଡିଛି । ଥରେ ସେ ପ୍ୟାକେଟକୁ ବହି ଭିତରେ ଲୁଚାଇ ପଠାଇଥିବା ଆମେରିକା ଗୁଇନ୍ଦା ସଂସ୍ଥା ଏଫବିଆଇ କହିଛି । ସିପମେଣ୍ଟରେ ମିଳିଥିବା କୀଟ ପଠାଇବାକୁ ହେଲେ ସରକାରଙ୍କ ଅନୁମତି ଆବଶ୍ୟକ । ତେଣୁ ଅତିରିକ୍ତ ଯାଞ୍ଚର ସାମନା ନକରିବାକୁ ହାନ୍ ଏପରି କରିଥାଇପାରନ୍ତି ବୋଲି କୁହାଯାଉଛି ।

ଫସଲ ନଷ୍ଟ କରିବାକୁ ଫଙ୍ଗସ !

ହାନଙ୍କ ପୂର୍ବରୁ ଦୁଇ ଚୀନ୍ ନାଗରିକଙ୍କୁ ଫସଲ ନଷ୍ଟ କରୁଥିବା ବିପଜ୍ଜନକ ଫଙ୍ଗସର ତସ୍କରୀ ଅଭିଯୋଗରେ ଆମେରିକାରେ ଗିରଫ କରାଯାଇଥିଲା । ଉଭୟଙ୍କ ବିରୋଧରେ ଷଡ଼ଯନ୍ତ୍ର, ତସ୍କରୀ, ମିଛ ବୟାନ ଦେବା ତଥା ଭିସା ଜାଲିଆତି ଅଭିଯୋଗ ଆସିଥିଲା । ଦୁଇ ଚୀନ୍ ନାଗରିକ ଆମେରିକାରେ ଫ୍ୟୁଜୋରିୟମ ଗ୍ରେମିନିରମ ନାମକ ଫଙ୍ଗସ ତସ୍କରୀ କରୁଥିବା ଆମେରିକାର ନ୍ୟାୟିକ ବିଭାଗ ପକ୍ଷରୁ କୁହାଯାଇଥିଲା । ଏହି ଫଙ୍ଗସକୁ ବୈଜ୍ଞାନିକ କୃଷି ଆତଙ୍କବାଦର ହତିଆର ବି କୁହନ୍ତି । ଏହା ଗହମ, ମକା ପରି ଫସଲକୁ ସଂକ୍ରମିତ କରିପାରେ । ଫଙ୍ଗସ କାରଣରୁ ଫସଲ ସଂକ୍ରମିତ ହେଲେ ଶସ୍ୟର ଗୁଣବତ୍ତା ଖରାପ ହୋଇଯାଏ । ଏହା ମଣିଷ କିମ୍ବା ଜୀବଜନ୍ତୁ ଖାଇବାଯୋଗ୍ୟ ରହେନାହିଁ । ଚିକାଗୋରେ ଥିବା ଚୀନ୍ ବାଣିଜ୍ୟ ଦୂତାବାସ ପକ୍ଷରୁ ଜିୟାନ ଓ ଲିୟୁଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ଆମେରିକା ଅଧିକାରୀଙ୍କୁ ତଥ୍ୟ ମଗାଯାଇଛି । ଏହାସହ ଦୂତାବାସ ପକ୍ଷରୁ ଗିରଫଦାରୀ ନେଇ କଡା ଆପତ୍ତି କରାଯାଇଥିଲା । ଏଭଳି ସ୍ଥିତିରେ ନୂଆ ଗିରଫଦାରୀ ଆମେରିକା ଓ ଚୀନର ସଂପର୍କ ବିଗାଡିପାରେ ।

Comments are closed.