Latest Odisha News

BREAKING NEWS

ପୁରୀ ବାର୍ଡ ଫ୍ଲୁ ଘଟଣା: କୃଷ୍ଣପ୍ରସାଦ ବ୍ଳକରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ

ବ୍ରହ୍ମଗିରି: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକରେ ବାର୍ଡ ଫ୍ଲୁ ମଡ଼କ ନେଇ ଭୋପାଳସ୍ଥିତ ଜାତୀୟ ପଶୁ ରୋଗ ସୁରକ୍ଷା ପ୍ରତିଷ୍ଠାନର ସ୍ପଷ୍ଟ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମାଲୁଦ ଗ୍ରାମରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ରାଜ୍ୟ ପଶୁ ସମ୍ପଦ ବିଭାଗର ଏକ ୫ଜଣିଆ ଦଳ ମାଲୁଦ ଗ୍ରାମରେ ଥିବା ଏକ କୁକୁଡ଼ା ପ୍ରଜନନ କେନ୍ଦ୍ରରେ ପହଞ୍ଚି ମୃତ କୁକୁଡ଼ା ଗୁଡ଼ିକୁ ଗାଁ ବାହାରେ ଗାତ ଖୋଳି ପୋତିବା ଆରମ୍ଭ କରିଛନ୍ତି ।

ଏହି ବାର୍ଡ ଫ୍ଲୁ ବ୍ୟାପିବା ପରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସଚିବ ବିଶାଲ ଗଗନ ଗଣମାଧ୍ୟମକୁ ସୂଚନା ଦେଇ ଗୁରୁବାର ଦିନ କହିଥିଲେ, ୫୦୦ କୁକୁଡ଼ା, କାଉ ଏବଂ ଚିକେନ ତଥା ବତକଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୦ଟିକୁ ଭୋପାଳସ୍ଥିତ ପଶୁ ରୋଗ ସୁରକ୍ଷା ପ୍ରତିଷ୍ଠାନକୁ ପରୀକ୍ଷା ନିମନ୍ତେ ପଠାଯାଇଥିଲା ।

ଏହି କୁକୁଡ଼ା ମଡ଼କ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲିଠାରୁ ଆଶୁ ପଯକ୍ଷେପ ଗ୍ରହଣ କରାଯିବା ସହିତ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଜିଲ୍ଲାର ଏହି ବ୍ଲକରେ କୁକୁଡ଼ା ଓ ଅଣ୍ଡା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଥିଲା । ଏହାବ୍ୟତୀତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ନଦେବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ନିର୍ଦ୍ଦେଶ ଜାରି କରାଯାଇଥିଲା ।

ଇତିମଧ୍ୟରେ ଯେଉଁ ସବୁ ସ୍ଥାନରେ କୁକୁଡ଼ା ଫାର୍ମମାନଙ୍କରେ ଏହି କୁକୁଡ଼ା ମଡ଼କ ଯୋଗୁଁ କ୍ଷୟକ୍ଷତି ହୋଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ରାଶି ଘୋଷଣା ନେଇ ବ୍ୟବସାୟୀଙ୍କ ତରଫରୁ କ୍ଷୋଭ ପ୍ରକାଶ ପାଇଛି ।

“ଜିଲ୍ଲା ପ୍ରଶାସନ ଦ୍ୱାରା ଘୋଷଣା କରାଯାଇଥିବା ଚିଆଁ ପିଛା ୨୦ ଟଙ୍କା ଏବଂ ବଡ଼ ଚିକେନ ପିଛା ଯେଉଁ ୫୦ ଟଙ୍କା କ୍ଷତିପୂରଣ ରାଶି ଦିଆଯିବାକୁ ଘୋଷିତ ହୋଇଛି ତାହାକୁ ଆମେ ଦୃଢ ଭାବେ ବିରୋଧ କରୁଛୁ । ଗୋଟିଏ ଚିଆଁର ମୂଲ୍ୟ ୫୦ରୁ ୫୫ ଟଙ୍କା ହୋଇଥିବା ବେଳେ ସେଥିଲାଗି ଦାନା କିଲୋ ପ୍ରତି ୩୨ ଟଙ୍କା । ଏହାଛଡ଼ା ଆମେ ଔଷଧ ମଧ୍ୟ ପ୍ରାୟ ୫ରୁ ୭ ଟଙ୍କା ବ୍ୟୟ କରୁଛୁ । ଜିଲ୍ଲା ପ୍ରଶାସନ ଯଦି ଏତେ କମ ର।।ଶିର କ୍ଷତିପୂରଣ ପ୍ରଦାନ କରିବେ ତେବେ ଆମେ କିପରି ବ୍ୟବସାୟ କରିପାରିବୁ? ଜିଲ୍ଲା ପ୍ରଶାସନ ଯଦି ଏହି କ୍ଷତିପୂରଣ ବାବଦରେ ପ୍ରଦାନ କରୁଥିବା ରାଶି ବୃଦ୍ଧି ନକରନ୍ତି ତେବେ ଆମେ ଆତ୍ମହତ୍ୟା କରିବୁ,” ବୋଲି ଗଣମାଧ୍ୟମକୁ କ୍ଷୋଭ ପ୍ରକାଶ କରି ଜଣେ କୁକୁଡ଼ା ପାଳନ ଚାଷୀ କହିଛନ୍ତି ।

ତେବେ ଏହି ବ୍ଲକର କିଛି ଅଞ୍ଚଳରେ କୁକୁଡ଼ା ମଡ଼କ ପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ଦୃଢ ପଦକ୍ଷେପମାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.