Latest Odisha News

ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକା, କଟିଲା ୫ବିଧାୟକଙ୍କ ଟିକେଟ୍

ଭୁବନେଶ୍ଵର; ଆସିଛି ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକା । ୬ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୁଷାରକାନ୍ତି ବେହେରାଙ୍କୁ ଛାଡି ବାକି ୫ଆସନରେ ନୂଆ ପ୍ରାର୍ଥୀ ଦେଇଛି ବିଜେଡି । କେଉଁଠି ବିଧାୟକଙ୍କ ଟିକେଟ୍ କଟିଛି ତ କେଉଁଠି ପତ୍ନୀଙ୍କୁ ପ୍ରାର୍ଥୀ କରିଛି ଦଳ । ବିରୋଧୀଙ୍କୁ ଚେକ୍ ଦେବାକୁ କଣ ରହିଛି ବିଜେଡି ରଣନୀତି?

ତୁଷାର ରିପିଟ୍ ୫ନୂଆ ମୁହଁ

ପୁଣି କାକଟପୁରରୁ ଲଢିବେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ତୁଷାରଙ୍କ ଉପରେ ପୁଣି ଭରସା କରିଛି ବିଜେଡି । ତେବେ ସୋମବାର ଘୋଷଣା ହୋଇଥିବା ବାକି ୫ଟି ଆସନରେ ନୂଆ ମୁହଁ ଦେଇଛି ଦଳ । ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲ୍ଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, ବାଙ୍ଗିରିପୋଷିରୁ ରଞ୍ଜିତା ମାରାଣ୍ଡି ଓ ବରୀରୁ ବିଶ୍ୱରଞ୍ଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି ।

କଟିଲା ୫ ବିଧାୟକଙ୍କ ଟିକେଟ୍‌

୫ବିଧାୟକଙ୍କ ଟିକେଟ୍ କାଟିଛି ବିଜେଡି । ହିନ୍ଦୋଳ ବିଧାୟିକା ସୀମା ନାୟକଙ୍କ ଜାଗାରେ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛିା ଗତଥର ମହେଶ ଢେଙ୍କାନାଳ ଲୋକସଭା ଲଢି ଜିତିଥିଲେ । ତେବେ ଏଥର ତାଙ୍କୁ ଲୋକସଭା ଟିକେଟ୍ ନଦେଇ ବିଧାନସଭାରୁ ପ୍ରାର୍ଥୀ କରିଛି ବିଜେଡି । ହିନ୍ଦୋଳରୁ ପ୍ରଥମ ଥର ଲଢିବେ ମହେଶ । ସେପଟେ ରଘୁନାଥପାଲ୍ଲୀରେ ସୁବ୍ରତ ତରାଇଙ୍କ ଜାଗାରେ ଅର୍ଚ୍ଚନା ବେହେରା ଓ ବାଙ୍ଗିରିପୋଷିରେ ସୁଦାମ ମାରାଣ୍ଡିଙ୍କ ଜାଗାରେ ପ୍ରାର୍ଥୀ ହୋଇଛନ୍ତି ରଞ୍ଜିତା ମାରାଣ୍ଡି । ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଜାଗାରେ ବିଶ୍ୱରଞ୍ଜନ ମଲ୍ଲିକ ଓ ବାଲିକୁଦା ଏରସମାରେ ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ଜେନାଙ୍କୁ ଟିକେଟ୍ ଦେଇଛି ବିଜେଡି ।

ପୁଣି ପତ୍ନୀ ହେଲେ ପାର୍ଥୀ

ସୋମବାର ଘୋଷଣା ହୋଇଥିବା ତାଲିକାରେ ଦୁଇ ବିଧାୟକଙ୍କ ଜାଗାରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବାଙ୍ଗିରିପୋଷିରେ ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡି ପ୍ରାର୍ଥୀ ହୋଇଛନ୍ତି । ସୁଦାମ ମାରାଣ୍ଡି ଏଥର ମୟୂରଭଞ୍ଜ ଲୋକସଭା ନିର୍ବାଚନ ଲଢୁଛନ୍ତି । ତାଙ୍କ ସିଟରୁ ପତ୍ନୀ ରଞ୍ଜିତାଙ୍କୁ ଟିକେଟ୍ ଦେଇଛି ଦଳ । ସେହିପରି ରଘୁନାଥପାଲ୍ଲୀରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ବେହେରା ।

ଆମଦାନୀ ନେତାଙ୍କୁ ଟିକେଟ୍

ପୁଣି ଆମଦାନୀ ନେତାଙ୍କୁ ଭରସା କରିଛି ବିଜେଡି । ବରୀରୁ ପ୍ରାର୍ଥୀ ହୋଇଛନ୍ତି ବିଶ୍ୱରଞ୍ଜନ ମଲ୍ଲିକ । ୨୦୧୯ରେ ବିଜେପିରୁ ଓ ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବରୀରୁ ଲଢିଥିଲେ ବିଶ୍ୱରଞ୍ଜନ । ଗତଥର ଖୁବ୍ କମ୍ ବ୍ୟବଧାନରେ ସୁନନ୍ଦା ଦାସଙ୍କଠାରୁ ହାରିଥିଲେ । ବିଜେଡି ସୁନନ୍ଦାଙ୍କ ଟିକେଟ୍ କାଟି ବିଶ୍ୱରଞ୍ଜନଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ଛାଡି ବିଜେଡିକୁ ଆସିଥିବା ସାରଦା ଜେନାଙ୍କୁ ବାଲିକୁଦା ଏରସମାରୁ ଟିକେଟ୍ ଦେଇଛି ବିଜେଡି । ପ୍ରଥମ ଥର ପାଇଁ ବିଜେଡି ଟିକେଟରୁ ଲଢିବେ ସାରଦ।।

ବିଜେଡି ୧୪୧ଟି ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ଆଉ ୬ଟି ଆସନ ବାକି ରହିଛି । ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡା, କୋରେଇ, ଭୋଗରାଇ ଓ ନୀଳଗିରି ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି ବିଜେଡି ।

 

 

Leave A Reply

Your email address will not be published.