Latest Odisha News

BREAKING NEWS

ମାଗଣା ବିଜୁଳି ପ୍ରତିଶ୍ରୁତି କରେଣ୍ଟ ବିଜେପିକୁ ଜୋରଦାର ଲାଗିଛି: ବିଜେଡି

ଭୁବନେଶ୍ୱର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଦ୍ବିତୀୟ ପର୍ଯ୍ୟାୟ ପାଇଁ ଯୋରଦାର ଆରମ୍ଭ ହୋଇ ପ୍ରଚାର ପ୍ରସାର । କେତବେଳେ ନିର୍ବାଚନୀ ମୈଦାନରେ ବିଭିନ୍ନ ଦଳର ନେତା ଓ ପ୍ରାର୍ଥୀମାନେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବାବେଳେ, ଏପଟେ ଦଳ ଗୁଡିକର ରାଜ୍ୟ କାର୍ଯ୍ୟାଳୟରେ ତୁହାକୁ ତୁହା ସାମ୍ବାଦିକ ସମ୍ମିଳନୀ କରାଯାଇ ଟାର୍ଗେଟ କରାଯାଉଛି । ଏନେଇ ଆଜି ଶଙ୍ଖ ଭବନରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର ।

ସେ ବିଜେପିକୁ ଆକ୍ଷେପ କରି କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡିଶା ବିଜେପି ଭଲ ଭାବେ ଜାଣିସାରିଲାଣି ଯେ ସେମାନେ ଶୋଚନୀୟ ପରାଜୟକୁ ସାମ୍ନା କରୁଛନ୍ତି, ଆଉ ବିଜେଡି ୯୦ ପ୍ରତିଶତ ଆସନରେ ବାଜିମାତ କରିବାକୁ ଯାଉଛି । ଏହା ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି । ଯେଉଁଥିପାଇଁ ସେମାନେ ଅଭ୍ୟାସଗତ ଭାବେ ମିଛ କହିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର ।

ଶ୍ରୀ ବକ୍ସିପାତ୍ର ଆହୁରି କହିଛନ୍ତି ଯେ, ମାଗଣା ବିଜୁଳି ସଂକ୍ରାନ୍ତରେ ଆମ ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ଭାବେ କୁହାଯାଇଛି, ୯୦ ପ୍ରତିଶତ ଓଡିଶାବାସୀ ଏହି ମାଗଣା ବିଜୁଳି ପାଇବେ । ସାଢେ ୪ କୋଟି ଓଡିଶାବାସୀ ଜାଣିଛନ୍ତି, ନବୀନ ବାବୁଙ୍କ ଗ୍ୟାରେଣ୍ଟି ସବୁ ଶତ ପ୍ରତିଶତ ପାଳନ ହେବ । ଏହି ମାଗଣା ବିଜୁଳି ଘୋଷଣା ଶୁଣିବା ପରେ ସେମାନଙ୍କ ଶରୀରରେ ଏତେ ଜୋରରେ କରେଣ୍ଟ ଲାଗିଛି ଏବଂ ସେମାନେ ସଂପୂର୍ଣ୍ଣ ବିଚଳିତ ହୋଇଯାଇଛନ୍ତି ଓ ମନଇଛା କଥା କହିବା ଆରମ୍ଭ କରିଛନ୍ତି ।

ବିଜୁଳି ଯୋଗାଣ ସଂକ୍ରାନ୍ତରେ ମଧ୍ୟ ସେମାନଙ୍କର ମିଛ ଧରାପଡିଛି । ଓଡିଶା ବିଜୁଳି ଉତ୍ପାଦନ କରିବା ପରେ, କେଉଁ ରାଜ୍ୟକୁ କେତେ ବିଜୁଳି ଯୋଗାଣ କରାଯିବ ଏବଂ କେତେ ଦରରେ କରାଯିବ, ଏହା କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥାନ୍ତି । ବିଜେପି ଶାସିତ ବିହାର, ଉତ୍ତରପ୍ରଦେଶ ତୁଳନାରେ ଓଡିଶାର ବିଜୁଳି ଦର ବହୁତ ଶସ୍ତା । ଏସବୁ ରାଜ୍ୟରେ ଓଡିଶା ତୁଳନାରେ ବିଜୁଳି ଦର ଦୁଇଗୁଣା ଅଧିକ । ରାଜସ୍ଥାନରେ ବିଜୁଳି ଦର ଓଡିଶା ତୁଳନାରେ ୭୫ ପ୍ରତିଶତ ଅଧିକ ।

ସମୀର ମହାନ୍ତିଙ୍କ ପ୍ରତିକ୍ରିୟା ଶୁଣି ଲାଗିଲା, କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରୁଛନ୍ତି ବୋଲି ସେ କହିବାକୁ ଚାହୁଁଛନ୍ତି । ଆମେ ଶୁଣୁଥିଲୁ, ଚଳିତ ନିର୍ବାଚନରେ ଟିକେଟ ମିଳିଲା ନାହିଁ ବୋଲି ସେ ରାଗରେ ଥିଲେ । ଲାଗୁଛି ସେ ଏତେ ରାଗରେ ଅଛନ୍ତି ଯେ, ନିଜ ଦଳର ସରକାର ବିରୋଧରେ ତଦନ୍ତ କରିବାକୁ ଦାବି କରୁଛନ୍ତି । ତଦନ୍ତ ହେଉ, ସବୁ ସତ ପଦାକୁ ଆସିଯିବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

Leave A Reply

Your email address will not be published.