Latest Odisha News

BREAKING NEWS

ବୈଜୟନ୍ତ ପଣ୍ଡାଙ୍କ ଲୋକସଭାରୁ ଇସ୍ତଫା ପ୍ରସଙ୍ଗ: ଇସ୍ତଫା ଗ୍ରହଣ କରିବା ନେଇ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡ଼ି ସଂସଦୀୟ ଦଳ ନେତା

ଭୁବନେଶ୍ୱର : ବୈଜୟନ୍ତ ପଣ୍ଡା ଲୋକସଭାରୁ ଇସ୍ତଫା ପତ୍ର ଦେବା ପରେ ବାଚସ୍ପତି ତାହାକୁ ଗ୍ରହଣ କରିବା ନେଇ ଚିଠି ଲେଖିଛନ୍ତି ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ।

ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବାଚସ୍ପତିଙ୍କୁ ଦେଇଥିବା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଅନେକ ଦିନ ଧରି ବିଜେଡ଼ିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ରହିଥିଲେ । ତେଣୁ ଦଳ ବାଧ୍ୟ ହୋଇ ତାଙ୍କୁ ନିଲମ୍ବନ କରିଥିଲା । ଏ ସମ୍ପର୍କରେ ବାଚସ୍ପତିଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯାଇଛି ।

ଅବଶ୍ୟ ପରେ ସାଂସଦ ବୈଜୟନ୍ତ ପଣ୍ଡା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ପରେ ଲୋକସଭା ବାଚସ୍ପତିଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବୋଲି ସାଂସଦ ଭର୍ତ୍ତୃହରି ମହତାବ ଦଳ ପକ୍ଷରୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ସାଂସଦ ଭର୍ତ୍ତୃହରି ମହତାବ ଦଳ ପକ୍ଷରୁ ଦେଇଥିବା ତାଙ୍କ ଚିଠିରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସାମ୍ବିଧାନିକ ଆଇନ ଅନୁସାରେ ଏବେ ଲୋକସଭାର ସାଂସଦ ପଦରେ ରହିବାକୁ ବୈଜୟନ୍ତ ପଣ୍ଡା ଅଯୋଗ୍ୟ । ଯେହେତୁ ସେ ନିଜ ତରଫରୁ ଇସ୍ତଫା ଦେଇସାରିଛନ୍ତି ତେଣୁ ସେ ସାଂସଦ ହୋଇ ଆଉ ରହିପାରିବେ ନାହିଁ ।

ସାମ୍ବିଧାନିକ ବିଧି ଅନୁଯାୟୀ ତାଙ୍କର ଇସ୍ତଫା ପତ୍ରକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିନେବା ଉଚିତ । ଆଜି ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଏ ସମ୍ପର୍କରେ ଦେଇଥିବା ଚିଠିରେ ବୈଜୟନ୍ତଙ୍କ ଇସ୍ତଫା ପତ୍ର ବାଚସ୍ପତି ଗ୍ରହଣ କରିନେବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.