Latest Odisha News

BREAKING NEWS

ମୋଦି ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାର ପ୍ରଚାର ପାଇଁ ବିଭିନ୍ନ ସ୍ଥାନରେ ‘ମହିଳା ସମାବଶ’ ଆୟୋଜନ

ଭୁବନେଶ୍ୱର: ଆତ୍ମନିର୍ଭର ଭାରତ ଗଠନରେ ମହିଳାଙ୍କ ଭୁମିକାକୁ ମୋଦି ସରକାର ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି ବୋଲି କଟକଠାରେ ଅନୁଷ୍ଠିତ ‘ମହିଳା ସମାବେଶ’ରେ ଯୋଗ ଦେଇ ରାଜ୍ୟ ସଭାପତି  ସମୀର ମହାନ୍ତି କହିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମା ଓ ଭଉଣୀଙ୍କୁ ଶ୍ରୀ ମହାନ୍ତି ସମ୍ମାନିତ କରିଛନ୍ତି ।

ଭାରତର ଅଭିବୃଦ୍ଧି ପାଇଁ ମହିଳା ସଶକ୍ତିକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାମାନଙ୍କୁ କେବଳ ଗୃହିଣୀ ଭାବେ ନଦେଖି ରାଷ୍ଟ୍ର ନିର୍ମାଣକାରୀ ଭାବେ ଦେଖିବାକୁ ପଡିବ ।  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଅନେକ ମହିଳା କେନ୍ଦ୍ରିତ ଯୋଜନା ଆରମ୍ଭ କରିଛନ୍ତି । ଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ମହିଳାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରି ଏହାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ମୋଦି ସରକାର ନିରବିଚ୍ଛିନ ଭାବେ କାର୍ଯ୍ୟ କରୁଛନ୍ତି ।

ଏପରିକି ଗତ ୮ ବର୍ଷ ଶାସନ କାଳରେ ମୋଦି ସରକାରରେ ଶିକ୍ଷା, ଅର୍ଥ, ବୈଦେଶିକ, ସାମାଜିକ ସୁରକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ୱ ମହିଳାମାନଙ୍କୁ ପ୍ରଦାନ କରିଛନ୍ତି । ଗର୍ଭପାତ ସାମାଜିକ ସନ୍ତୁଳନକୁ ବ୍ୟାହତ କରୁଥିବାବେଳେ ଏହି ଅସନ୍ତୁଳନକୁ ଦୂର କରିବା ପାଇଁ ମୋଦି ସରକାର ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଆରମ୍ଭ କରିବା ଦ୍ୱାରା ବର୍ତମାନ ଦେଶର ୧୦୪ଟି ଜିଲ୍ଲାରେ କନ୍ୟା ଜନ୍ମ ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗରିବ ପରିବାରର ଝିଅଙ୍କୁ ମାଗଣା ଶିକ୍ଷା ଏବଂ ହଷ୍ଟେଲ ସୁବିଧା ଯୋଗାଇ ଦିଆଯାଉଛି । ପ୍ରାପ୍ତ ବୟସ ହେଲା ପରେ ଝିଅ ପିଲାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ଅଧିକ ସୁଧ ହାରରେ ପ୍ରାୟ ୨.୫କୋଟି ଝିଅଙ୍କ ଆକାଉଂଟ ଖୋଲାଯାଇଛି ।

ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ବିପଦମୁକ୍ତ ମାତୃତ୍ୱ ଏବଂ ଗର୍ଭଧାରଣ ସମୟରେ ପୃଷ୍ଟିକର ଖାଦ୍ୟ ପାଇଁ ମହିଳାଙ୍କ ବ୍ୟାଙ୍କ ଆକାଉଂଟରେ ୫ହଜାର ଟଙ୍କା ଜମା କରାଯାଉଛି । ମହିଳା କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟି ଅବଦ୍ଧି ୨୬ସପ୍ତାହ (୬ମାସ)କୁ ବୃଦ୍ଧି କରାଯିବା ଦ୍ୱାରା ନବଜାତ ଶିଶୁର ଅଧିକ ଯତ୍ନ ସମ୍ଭବ ହୋଇଛି ।

ମହିଳାଙ୍କର ସମ୍ମାନ ଓ ଆରୋଗ୍ୟକୁ ପ୍ରାଧାନ୍ୟ ଦିଆଯାଇ ବର୍ତମାନ ସୁଦ୍ଧା ୧୧.୫ କୋଟିରୁ ଉର୍ଦ୍ଧ୍ୱ ଶୈାଚାଳୟ ନିର୍ମାଣ କରାଯାଇଛି । ଗରିବ ମହିଳାଙ୍କ ଜୀବନକୁ ସହଜ କରିବା ଏବଂ ରୋଷେଇ ଧୂଆଁରୁ ମୁକ୍ତି ପାଇବା ସହ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଜରିଆରେ ଏପର୍ଯ୍ୟନ୍ତ ୯କୋଟିରୁ ମାଗଣା ଗ୍ୟାସ କନେକ୍ସନ ବଂଟନ କରାଯାଇଛି । ନୂତନ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଗାଁର ଗରିବ ପରିବାରର ମହିଳାଙ୍କୁ ମୁଦ୍ରା ଯୋଜନା ଜରିଆରେ ପ୍ରାୟ ୭୦% ରାଶି ମହିଳାଙ୍କୁ ଦିଆଯାଇଛି ।

ମହିଳାଙ୍କୁ ପରିବାରର ମୁଖ୍ୟଭାବରେ ବିଚାର କରି ରାସନକାର୍ଡ ତାଙ୍କ ନାମରେ କରାଯିବାର ଐତିହାସିକ ନିଷ୍ପତି ନିଆଯାଇଛି । ମହିଳାଙ୍କ ନାମରେ ସଂପତି ଥିଲେ ଷ୍ଟାମ୍ପ ଡ୍ୟୁଟିରେ ୧% ରିହାତି ଦିଆଯାଉଛି । ଷ୍ଟାଣ୍ଡ ଅଫ ଯୋଜନାରେ ୧୦ଲକ୍ଷ ଠାରୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ମହିଳାଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏମଏସଏମ୍‌ଇରେ ମୋଟ୍ କ୍ରୟର ୩ ପ୍ରତିଶତ ମହିଳା ଉଦ୍ୟୋଗିମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସର୍ବମୋଟ ୪୩.୦୪ କୋଟି ଜନଧନ ଆକାଉଂଟରୁ ୫୫ ପ୍ରତିଶତ ମହିଳା ଏବଂ ୬୭ ପ୍ରତିଶତ ଗ୍ରାମାଚଂଳ ଓ ସହରାଚଂଳ ମହିଳା ଅଛନ୍ତି ।

ଭାରତୀୟ ବାୟୁସେନାରେ ପ୍ରଥମଥର ପାଇଁ ଭାରତୀୟ ମହିଳାଙ୍କୁ ଯୁଦ୍ଧବିମାନ ପାଇଲଟ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି । ମହିଳାଙ୍କ ବିବାହର ସର୍ବନିମ୍ନ ବୟସ ୧୮ବର୍ଷରୁ ୨୧ବର୍ଷକୁ ବୃଦ୍ଧି କରାଯାଇଛି । ୧୨ବର୍ଷରୁ କମ୍ ଶିଶୁ କନ୍ୟା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ୧୬ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମ ମାମଲାରେ ସାବ୍ୟସ୍ତ ଦୋଷୀକୁ ସର୍ବନିମ୍ନ ୧୦ ରୁ ୨୦ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ପ୍ରଦାନ କରାଯିବାର ନିଷ୍ପତି ନିଆଯାଇଛି ।

ମୁସ୍‌ଲିମ୍ ମହିଳା ସଶକ୍ତିକରଣ ପାଇଁ ତିନ୍ ତଲାକ୍ ଆଇନ ଉଚ୍ଛେଦ ମୋଦି ସରକାରଙ୍କ ଅନ୍ୟ ଏକ ଐତିହାସିକ ପଦକ୍ଷେପ । ଜଳଜୀବନ ମିଶନ ଜରିଆରେ ଦେଶର ୯.୫୨କୋଟି ଗ୍ରାମୀଣ ପରିବାରକୁ ଟ୍ୟାପରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ମହିଳାଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ଉପଲବ୍ଧ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ବାସଗୃହ ଆବଂଟନରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଉଛି । ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ଜାତୀୟ ଜୀବିକା ମିଶନ ଜରିଆରେ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ଗ୍ୟାରେଂଟିରେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଅନ୍ୟ ପଟେ ୨୩ବର୍ଷ ଧରି ନିରଙ୍କ୍‌ୁଶ ଭାବରେ ଶାସନ କରିଆସୁଥିବା ବିଜୁ ଜନତା ଦଳ ମହିଳା ସଶକ୍ତିକରଣ ନାଁରେ ମହିଳା ଶୋଷଣ ନୀତି ଆପଣାଇଛି । ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ଉଦ୍ଧିଷ୍ଟ ମିଶନ ଶକ୍ତିକୁ ଶାସକ ଦଳ ନିଜ ଦଳୀୟ କାର୍ଯ୍ୟରେ ଅଧିକ ବ୍ୟବହାର କରୁଥିବାରୁ ମହିଳା ସଶକ୍ତିକରଣର ମୂଳ ଲକ୍ଷ୍ୟ ବ୍ୟାହତ ହୋଇଛି । ଡିପିଏମ (ଡିଷ୍ଟିଟ ପ୍ରୋଜେକ୍ଟ ମ୍ୟାନେଜର), ବିପିଏମ(ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର), ଏମବିକେ, ସିଆରପିମାନଙ୍କୁ ରାଜନୈତିକ କର୍ମୀଭାବେ ଶାସକ ଦଳ ପାଇଁ ଭୋଟ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ।

ମହିଳାମାନଙ୍କୁ ନାଗରିକ ମାନ୍ୟତା ପରିବର୍ତେ ଭୋଟ ବ୍ୟାଂକ ଭାବେ ବ୍ୟବହାର କରୁଛି ରାଜ୍ୟ ସରକାର । ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ଓଡିଶା ରାଜ୍ୟ ଆଜି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି । ରାଜ୍ୟ ସରକାରଙ୍କର ମହିଳା ସୁରକ୍ଷା ପ୍ରତି କୌଣସି ପ୍ରତିବଦ୍ଧିତା ନଥିବା କାରଣରୁ ପ୍ରତିଦିନ ହାରାହାରି ୪ ଦୁଷ୍କର୍ମ ଓ ୬ ଅପହରଣ ଭଳି ହୀନ ଘଟଣା ଘଟୁଛି । ଅଧିକାଂଶ ମହିଳା ହିଂସା ଘଟଣାରେ ଶାସକ ବିଜେଡି ନେତା ଓ କର୍ମୀଙ୍କ ସଂପୃକ୍ତି ଏବଂ ରାଜ୍ୟ ସରକାରଙ୍କ ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ପାଇଁ ପରୀ, ପିହୁ, ବେବିନା, ମମିତା ମେହେରା ଭଳି ଅନେକ ନିରୀହ ମହିଳାମାନେ ଦୁଷ୍କର୍ମ ଓ ହତ୍ୟାର ଶିକାର ହେଉଛନ୍ତି ଏବଂ ଅପରାଧୀମାନେ ନିର୍ଭୟରେ ବାହାରେ ବୁଲୁଛନ୍ତି ।

ଭାରତରେ ସହରାଚଂଳର ପ୍ରତ୍ୟେକ ୧୦୦୦ ମହିଳାଙ୍କ ୯୯ଜଣ ବେରୋଜଗାର ଥିବାବେଳେ ଓଡ଼ିଶାରେ ସେମାନଙ୍କ ସଂଖ୍ୟା ୨୧୯ । ରାଜ୍ୟରେ ୪୦୦ବାଳିକା ବିଦ୍ୟାଳୟରେ ଶୌଚାଳୟକୁ ପାଣିର ସଂଯୋଗୀକରଣ କରାଯାଇନାହିଁ । ରାଜ୍ୟରେ ମହିଳାଙ୍କ ସ୍ୱାକ୍ଷରତା ହାର ୬୪.୦୧ ପ୍ରତିଶତ ଏବଂ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟସ୍ତରରେ ୧୩ତମ ସ୍ଥାନରେ ରହିବା ଶିକ୍ଷାର ଅବ୍ୟବସ୍ଥାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ରାଜ୍ୟରେ ୩୭୦ଟି ପଂଚାୟତରେ ହାଇସ୍କୁଲ ନଥିବାବେଳେ ୪୦୦ବାଳିକା ବିଦ୍ୟାଳୟରେ ଶୌଚାଳୟକୁ ପାଣିର ସଂଯୋଗୀକରଣ ନହୋଇଥିବା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ମୋଦି ସରକାରଙ୍କ ୮ ବର୍ଷ ଶାସନ କାଳରେ ବିଭିନ୍ନ ମହିଳା କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଏହି ସମସ୍ତ ଯୋଜନାର ସୁପ୍ରଚାର ପାଇଁ ଦେଶବ୍ୟାପୀ ‘ହିତାଧିକାରୀ ମହିଳା ସମାବଶ’ ଆୟୋଜନ କରାଯିବା ସହିତ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କୁ ସମ୍ମାନିତ କରାଯାଉଛି । ଆଜି ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ‘ମହିଳା ସମାବଶ’ ଆୟୋଜନ କରାଯାଇଛି ।

Leave A Reply

Your email address will not be published.