Latest Odisha News

BREAKING NEWS

ବିଜେପି ପାଇଁ ରିସ୍କ

 ପଲିଟିକସ ଫଲିଟିକସ 

ବିଜେପି ପାଇଁ ରିସ୍କ

ଜ୍ୟୋତି ପ୍ରକାଶ ମହାପାତ୍ର

ଏବେ ଏମିତି ହିଁ କଥା ଉଠୁଛି । ନିଜର ସମସ୍ତ ଉଦ୍ୟମ ସତ୍ତ୍ୱେ ବିଜେପି ଯେତେବେଳେ ଓଡ଼ିଶାରେ ବିଧାନସଭା ନିର୍ବାଚନ ଜିତି ପାରିଲା ନାହିଁ, ସେତେବେଳେ ଏହା ରାଜ୍ୟରେ ଶାସକ ଦଳ ବିଜେଡ଼ି ସହ ଅଲିଖିତ ଚୁକ୍ତି କରିବା ପାଇଁ ବାଧ୍ୟ ହୋଇଛି । କିନ୍ତୁ ଏହି ଚୁକ୍ତି ବିଜେପି ପାଇଁ ଏତେଟା ସହଜ ନ ହୋଇପାରେ । ବରଂ ପୁରୁଣା ଦିନ ପରି ବିଜେପି ନିମନ୍ତେ ଏହା ଘାତକ ହୋଇପାରେ ।

ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ଓଡ଼ିଶାରେ ବିଜେଡ଼ି ବିରୋଧରେ ପଦୁଟିଏ କିଛି ବି କହୁନି । ଅପରପକ୍ଷରେ ଲୋକସଭା ବାଚସ୍ପତିଙ୍କ ନିର୍ବାଚନଠାରୁ ଆରମ୍ଭ କରି ରାଜ୍ୟସଭା ନିର୍ବାଚନରେ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରି ବିଜେଡ଼ି ଏହି ଅଲିଖିତ ଚୁକ୍ତିକୁ ସବୁଜସଂକେତ ଦେଇଛି । କିନ୍ତୁ ଏଠି ପ୍ରସଙ୍ଗ ବିଜେପିର । ବିଜେପି ହାତରେ ଏମିତି ଅନେକ ପ୍ରସଙ୍ଗ ରହିଛି- ଯାହା ନବୀନ ପଟ୍ଟନାୟକ ସରକାରକୁ କଣଠେସା କରିଦେଇ ପାରେ । ମାତ୍ର ସେସବୁ ବ୍ୟବହାର ନକରି ହୁଏତ ତାମିଲନାଡୁ ପରି ପରିସ୍ଥିତି ଉପୁଜିବ ଆଉ ସେଥିରୁ ସହଜରେ ମାଛ ମାରିହେବ ଭାବି ବିଜେପି ଅପେକ୍ଷା କରି ବସିଛି ।

ତାମିଲନାଡ଼ୁରେ ଜୟଲଳିତା କାହାକୁ ନିଜର ଉତ୍ତରାଧିକାରୀ ଭାବେ ବାଛି ନଥିଲେ । ଅଚାନକ ତାଙ୍କ ପରଲୋକ ତାମିଲନାଡ଼ୁ ରାଜନୀତିରେ ବଡ଼ ଶୂନ୍ୟତା ସୃଷ୍ଟି କଲା । ଯାହା ସିଧାସଳଖ ବିଜେପି ପାଇଁ ଦକ୍ଷିଣ ଭାରତୀୟ ରାଜ୍ୟରେ ସୁଯୋଗ ଆଣିଦେଲା । ସେମିତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୩ ବର୍ଷ ହେଲାଣି । ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ଆଜିଯାକେ ନିଜର ଊତ୍ତରାଧିକାରୀ ବାଛି ନାହାନ୍ତି । କେତେବେଳେ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ନେଇ ଚର୍ଚ୍ଚା ହେଉଛି ତ କେତେବେଳେ ତାଙ୍କ ପୁତୁରା ଅରୁଣଙ୍କୁ ନେଇ । ନବୀନ କିନ୍ତୁ ଏସବୁକୁ ଦୂରେଇ ରଖିଛନ୍ତି । ଅବଶ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉତ୍ତରାଧିକାରୀ ନ ବାଛିବା ଏକଦମ ଯୁକ୍ତିଯୁକ୍ତ । ନହେଲେ ତ ତାହା ବଂଶବାଦ ହୋଇଗଲା । କିନ୍ତୁ ତାମିଲନାଡ଼ୁ ପରି ଓଡ଼ିଶାରେ ବିଜେପି ନବୀନଙ୍କ ପରବର୍ତ୍ତୀ ସ୍ଥିତିରୁ ଫାଇଦା ଉଠେଇବାକୁ ବସିଛି ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ବିଜେପି ହାତରେ ନବୀନଙ୍କୁ ଘେରିବା ପାଇଁ ଅନେକ ପ୍ରସଙ୍ଗ ଥିଲା । ୨୦୦୯ରୁ ୨୦୧୯ ମଧ୍ୟରେ ନବୀନଙ୍କ ଶାସନ ସମୟରେ ଖଣି ମହାଦୁର୍ନୀତି ଓ ଚିଟଫଣ୍ଡ କେଳେଙ୍କାରୀ ହୋଇଛି । ଖଣି ଦୁର୍ନୀତିର ପରିମାଣ ଓ ଆକାର ଏତେ ବଡ଼ ଯେ, ତାହା ଗୋଟିଏ ସରକାରଙ୍କୁ ସାଫ କରିଦେବା ପାଇଁ ଯଥେଷ୍ଟ । ସେମିତି ଚିଟଫଣ୍ଡରେ ଲୋକଙ୍କ ଝାଳବୁହା ପଇସା ଯାଇଛି । ଏଥିରେ ବିଜେଡ଼ିର ଅନେକ ନେତା ସାମିଲ । ବିଧାୟକମାନେ ଏହି ପ୍ରସଙ୍ଗରେ ଗିରଫ ହୋଇ ଜେଲରେ ରହିଛନ୍ତି । ସାଂସଦ ବର୍ଷ ବର୍ଷ ଧରି ଜେଲରୁ ବାହାରି ପାରି ନାହାନ୍ତି । ଏପରିକି ନବୀନ ନିବାସରେ କାମ କରୁଥିବା କର୍ମଚାରୀକୁ ଜେରା ପାଇଁ ସିବିଆଇ ଡାକିଛି । ହେଲେ ଅଚାନକ ସେ ତଦନ୍ତ ଅଧାରୁ ଶିଥିଳ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ସେ ତଦନ୍ତ ଏକରକମ ବନ୍ଦ ହୋଇଯାଇଥିଲା ବୋଲି ବିରୋଧୀ କଂଗ୍ରେସ ବାରବାର ଅଭିଯୋଗ କରିଛି । ନ ହେଲେ ବିଜେଡ଼ିର ଅନେକ ନେତା ଜେଲ ଭିତରେ ପଶି ଥାଆନ୍ତେ ବୋଲି କଂଗ୍ରେସ କହିଥିଲା । ଆଉ ଏବେ ବିଜେପି-ବିଜେଡ଼ି ମଧ୍ୟରେ ନୂଆ କରି ଗଢି ଉଠିଥିବା ସଂପର୍କ ସେକଥାକୁ ପରୋକ୍ଷରେ ପ୍ରମାଣିତ କରି ଦେଉଛି ।

ବିଗତ ସମୟରେ ବିଜେପି କେବେହେଲେ ବିଜେଡ଼ି ବିରୋଧରେ ଏହିସବୁ ପ୍ରସଙ୍ଗ ବ୍ୟବହାର କରିନାହିଁ । କିମ୍ବା ଯଦି କରିଛି- ସରକାରଙ୍କୁ ଚାରିଆଡ଼ୁ ଭୀଷଣ ଭାବେ ଘେରି ନାହିଁ । ଫଳରେ ନବୀନ ପଟ୍ଟନାୟକ ନିଜର ଏକ ଦୂର୍ଗ ତିଆରି କରିବାରେ ସକ୍ଷମ ହୋଇଛନ୍ତି ।

୨୦୦୮ରେ କନ୍ଧମାଳର ଜଲେସପେଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ରାଜ୍ୟରେ ଆକ୍ରୋଶ ବଢିଥିଲା । ଦଙ୍ଗାରେ ସଢିଥିଲା କନ୍ଧମାଳ ଜିଲ୍ଲା । ପରେ ଏକା ପ୍ରସଙ୍ଗକୁ ନେଇ ବିଜେଡ଼ିଠାରୁ ସଂପର୍କ ଛିନ୍ନ କରିବାକୁ ବିଜେପିକୁ ବାରମ୍ବାର କୁହାଯାଇଥିଲା । ୨୦୦୦ରୁ ଉଭୟେ ସାଙ୍ଗ ହୋଇ ଓଡ଼ିଶାରେ ରାଜୁତି କରି ଆସୁଥିଲେ । କିନ୍ତୁ ସେହି ସମୟରେ ରାଜ୍ୟରେ କ୍ଷମତାରେ ରହିବା ନିଶାରେ ହୁଏତ ବିଜେପି କର୍ତ୍ତୃପକ୍ଷ ନବୀନ ପଟ୍ଟନାୟକ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କଲେନାହିଁ । ଆଉ ତା’ପରେ ୨୦୦୯ ନିର୍ବାଚନ ପୂର୍ବରୁ ବିଜେଡ଼ି ଅଚାନକ ବିଜେପିଠାରୁ ଅଲଗା ହୋଇ ଯାଇଥିଲା । ଆଉ ମେଣ୍ଟ ହୋଇ ନିର୍ବାଚନ ଲଢିବ ନାହିଁ ବୋଲି ଘୋଷଣା କରିଥିଲା । କହିଥିଲା- ବିଜେପି ହେଉଛି ସାଂପ୍ରଦାୟିକ ଦଳ । ଆଉ କନ୍ଧମାଳର ଦୋଷ ବିଜେପି ମୁଣ୍ଡରେ ଢାଳି ବିଜେଡ଼ି ୨୦୦୯ ନିର୍ବାଚନ ଆରାମରେ ପାର କରି ଯାଇଥିଲା । ସେଇ ବର୍ଷ ନିର୍ବାଚନରେ ଏକାକୀ ଲଢିଥିବା ବିଜେପି ଲୋକସଭା ନିର୍ବାଚନରେ ଗୋଟିଏ ବି ଆସନ ଜିତି ପାରିନଥିବା ବେଳେ ବିଧାନସଭା ନିର୍ବାଚନରେ ମାତ୍ର ଛଅଟି ଆସନ ଜିତିଥିଲା ।

୨୦୦୯ରୁ ୨୦୧୪ ମଧ୍ୟରେ ବିଜେପି ରାଜ୍ୟରେ ପ୍ରାୟତଃ ଚୁପ ରହିଥିଲା । ଶାସକ ବିଜେଡ଼ିକୁ କୌଣସି ପ୍ରସଙ୍ଗରେ ଘେରି ପାରିନଥିଲା । ଫଳରେ ୨୦୧୪ ନିର୍ବାଚନରେ ବିଜେଡ଼ି ଲୋକସଭା ଆସନ ୧୫ରୁ ୨୦ ହୋଇଥିବା ବେଳେ ବିଧାନସଭାରେ ଦଳ ୧୧୭ଟି ଆସନ ଜିତିଥିଲା । ଏହା ତା’ପୂର୍ବ ନିର୍ବାଚନ ଅପେକ୍ଷା ୪ଟି ଆସନ ଅଧିକ ଥିଲା । ବିଜେଡ଼ିର ଜୟଯାତ୍ରା ଜାରି ରହିଥିଲା ।

୨୦୧୪ ପରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିଥିଲା । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସଂପର୍କ ଅନେକ ସମୟରେ ଭଲ ନଥିଲା । ରାଜ୍ୟ ସରକାର ବରାବର କେନ୍ଦ୍ରକୁ ଦୋଷ ଦେଇ ଆସୁଥିଲେ । କିନ୍ତୁ କେନ୍ଦ୍ରରୁ ରାଜ୍ୟକୁ ଆସୁଥିବା ନେତାମାନେ ଓଡ଼ିଶା ସରକାର, ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଏତେଟା ଶକ୍ତ ମନୋଭାବ ଦେଖାଇ ନଥିଲେ । ସେମାନେ କଣ କହିବେ, ତାହା ଠିକ ଭାବେ କହୁ ନଥିଲେ । ଇଆଡେ଼ ବିଜେପିର ତୃଣମୂଳ କର୍ମୀ ବିଜେଡ଼ି ବିରୋଧରେ ଅଣ୍ଟା ଭିଡ଼ିଥିଲେ । ଏମିତି ଦ୍ୱନ୍ଦ୍ୱ ମଧ୍ୟରେ ବିଜେପି ୨୦୧୭ ପଞ୍ଚାୟତ ନିର୍ବାଚନରେ ୩୦୦ରୁ ଅଧିକ ଜିଲ୍ଲା ପରିଷଦ ଆସନ ଜିତିଥିଲା । ଯାହା ବିଜେଡ଼ି ପାଇଁ ଶକ୍ତ ଧକ୍କା ଥିଲା । ବିଜେପି ଦ୍ୱିତୀୟ ଶକ୍ତି ଭାବେ ଓଡ଼ିଶାରେ ଉଭା ହୋଇଥିଲା । ସେତିକିବେଳେ ବିଜେପି ପକ୍ଷରୁ ଓଡ଼ିଶାରେ ‘ମିଶନ-୧୨୦’ କଥା ଉଠିଥିଲା । କିନ୍ତୁ ବିଜେପି ସେହି ଉତ୍ସାହକୁ ଧରି ଆଗେଇ ପାରିଲା ନାହିଁ । ଆଉ ବିଜେଡ଼ି କ୍ରମଶଃ ନିଜ ପତିଆରା ବଢେଇ ନେଲା ।

୨୦୧୯ ନିର୍ବାଚନରେ ଲୋକସଭାରେ ବିଜେପି ଓଡ଼ିଶାରେ ଭଲ କରିଥିବା ବେଳେ ବିଧାନସଭାରେ ପ୍ରଦର୍ଶନ ବେଶ ନୈରାଶ୍ୟଜନକ ହେଲା । ସିଆଡେ଼ କେନ୍ଦ୍ରରେ ପୁଣି ବିଜେପି କ୍ଷମତାକୁ ଫେରିଲା । ଅଧିକ ଆସନ ଓ ଅଧିକ ଉତ୍ସାହ ସହିତ । ଜାତୀୟ ରାଜନୀତିରେ ପ୍ରାୟ ସମସ୍ତ ଦଳ ବିଜେପି ଆଡ଼କୁ ଢଳୁଥିବା ବେଳେ ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକ ସେଥିରେ ସାମିଲ ନଥିଲେ । ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ ବିଜେପି ଅଲଗା ରଣନୀତି ଆପଣାଉ ଥିବା ବେଳେ ଓଡ଼ିଶାରେ କିନ୍ତୁ ବିଜେପି-ବିଜେଡ଼ି ପୁଣି କୋଳାକୋଳି ହୋଇଛନ୍ତି ।

ଯେଉଁ ଦଳ ବିଜେପିକୁ ୨୦୦୯ରେ ମଝି ରାସ୍ତାରେ ଛାଡ଼ି ଦେଇଥିଲା ଓ ଫଳରେ ବିଜେପି ଓଡ଼ିଶାରେ ଏକରକମ ବିଜେପି ସଫା ହୋଇ ଯାଇଥିଲା, ଏବେ ପୁଣି ସେହି ବିଜେଡ଼ି ସହ ବିଜେପି ସଂପର୍କ ବାନ୍ଧିଛି । କିନ୍ତୁ ପୁରୁଣା ରେକଡର଼୍ କହୁଛି- ଏହା ରିସ୍କ ବ୍ୟପାର । ୨୦୦୯ ତାହା ଦେଖାଇ ସାରିଛି । ଆଉ ନବୀନ ବି କାହାକୁ ଏତେ ସହଜରେ ଇଞ୍ଚେ ଭୂମି ଛାଡ଼ନ୍ତି ନାହିଁ । ତେଣୁ ତାମିଲନାଡ଼ୁ ଏପିସୋଡ଼ ପାଇଁ ନବୀନ ବି ସୁଯୋଗ ନଦେଇ ପାରନ୍ତି । ନଦେବାର ପ୍ରତିଶତ ଅଧିକ । ନବୀନ ହୁଏତ ଅଚାନକ କାହାକୁ ନିଜର ଉତ୍ତରାଧିକାରୀ ବାଛି ପାରନ୍ତି ।

ସେତେବେଳେ ବିଜେପି ପାଦତଳୁ ଭୂମି ଖସି ଯାଇଥିବ ଯେ!

Leave A Reply

Your email address will not be published.