Latest Odisha News

BREAKING NEWS

ଏଏସ୍‌ଓ ମେଧା ତାଲିକା ରଦ୍ଦ ପ୍ରସଙ୍ଗ, ଓପିଏସ୍‌ସିକୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୌ ଚିନ୍ତିତ ନୁହଁନ୍ତି ବିଜେଡି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତିକୁ ନେଇ ବହୁ ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ଅତୀତରେ ଆରଆଇ ଓ ଅମିନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା । ରାଜ୍ୟରେ ଜାଲ୍ ସାର୍ଟିଫିକେଟ, ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଛି ବିଜେପି ।

ବିଜେଡି ସରକାରର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସରକାରୀ ନିଯୁକ୍ତିରେ ଚଂଚକତା କରାଯାଇ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରାଯାଉଥିବା ବେଳେ ବର୍ତମାନ ଏଏସଓ ନିଯୁକ୍ତିରେ ଘୋଟାଲା ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କ ଭିତରେ ନିରାଶା ଓ ହତାସର ବାତାବରଣ ସୃଷ୍ଟି କରିଛି । ଓଡ଼ିଶାର ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିବାର ଅଧିକାର ରାଜ୍ୟ ସରକାରଙ୍କୁ କିଏ ଦେଲା ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଇରାସିସ୍ କହିଛନ୍ତି, ଓପିଏସସି ଦ୍ୱାରା ଏଏସଓ ପରୀକ୍ଷା ସମ୍ପୂର୍ଣ୍ଣ ଅନୈତିକ । ୨୦୨୧-୨୨ରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ଦେଢ଼ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ମୂଳରୁ ବିବାଦ ଘେରରେ ଥିବା ଏହି ପରୀକ୍ଷାରେ ୧୧୦୪ ଜଣଙ୍କ ମେରିଟ ଲିଷ୍ଟରେ ନାଁ ପ୍ରକାଶିତ ହୋଇଥିଲା । ଏହା ପରେ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକାଟି ସଂପୂର୍ଣ୍ଣ ଅନୈତିକ ଭାବେ ପ୍ରସ୍ତୁତ ହେବାକୁ ନେଇ ମାନ୍ୟବର ହାଇକୋର୍ଟ କ୍ଷୋଭ ପ୍ରକାଶ କରି ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରିବା ସହିତ କଡା ଭାଷାରେ ଓପିଏସିକୁ ମଧ୍ୟ ତାଗିଦ୍ କରିଛନ୍ତି ।

ଏଥି ସହ ଆଉ ଥରେ ନୂତନ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ମାନ୍ୟବର ହାଇକୋର୍ଟ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି । ଏଏସଓ ପଦବୀ ପାଇଁ ପରୀକ୍ଷା ଦେଇଥିବା ଯୁବକଯୁବତୀଙ୍କ ଭବିଷ୍ୟତ କଣ ହେବ ? କେବଳ ସେତିକି ନୁହେଁ ଯେଉଁ ପରୀକ୍ଷାର୍ଥୀମାନେ ଉତୀର୍ଣ୍ଣ ହୋଇଛନ୍ତି ତାଙ୍କୁ ମଧ୍ୟ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର । କାରଣ ତାଙ୍କ ପରିବାର ଏବଂ ସେମାନେ ମଧ୍ୟ ଓପିଏସ୍‌ସିର ଭୁଲ ପଦ୍ଧତି, ସରକାରଙ୍କ ଖାମଖିଆଲ ମନୋଭାବ ଓ ଦୁର୍ନୀତି ଯୋଗୁଁ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସକ ବିଜେଡିର ଇଙ୍ଗିତରେ ଓପିଏସସି ବର୍ତମାନ ଦୁର୍ନୀତିର ଗନ୍ତାଘର ସାଜିଛି ଏବଂ ରାଜ୍ୟ ସରକାର ଏହାର ରିଙ୍ଗ୍ ମାଷ୍ଟର ସାଜିଛନ୍ତି ବୋଲି କହିଛନ୍ତି ଇରାସିସ୍ ।

ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଶ୍ୱ ଦରବାରରେ ୧ନଂ ବୋଲି ତାଙ୍କ ଦଳର ନେତା, ମନ୍ତ୍ରୀମାନେ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ରାଜ୍ୟ ସରକାର ଓଡ଼ିଶାର ଲକ୍ଷ ଲକ୍ଷ ମେଧାବୀ, ଶିକ୍ଷିତ ଯୁବକଯୁବତୀଙ୍କୁ ଭବିଷ୍ୟତକୁ ନେଇ ଖେଳୁଛନ୍ତି । ଏ କ’ଣ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଗୁଡ ଗଭର୍ଣ୍ଣେନ୍ସର ମଡେଲରେ କି? ଏହା ୫ଟି ସରକାରର କେଉଁ ପ୍ରକାର ଟ୍ରାନ୍ସପରେନ୍ସି ? ରାଜ୍ୟ ସରକାରଙ୍କ ‘କଥା ନୁହେଁ କଠିନ ପରିଶ୍ରମର’ ମଡେଲ କି ବୋଲି ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି ଇରାସିସ୍ ଦାବି କରିଛନ୍ତି ।

ଓଡ଼ିଶା ରାଜ୍ୟରେ ୮ ଲକ୍ଷ ୮୦ ହଜାର ୧୭୫ଜଣ ଏମ୍ପେ୍ଲଏମେଂଟ ଏକ୍ସଚେଞ୍ଜରେ ରେଜିଷ୍ଟେସନ କରିଛନ୍ତି । ରାଜ୍ୟ ସରକାର ବାରମ୍ବାର ଯୁବକମାନଙ୍କୁ ପ୍ରତାରଣା କରୁଛନ୍ତି । ୨୦୧୯ରେ ଓଡ଼ିଶା ପୋଲିସ ରିକ୍ର‌୍ୟୁଟମେଂଟ ବୋର୍ଡ (ଓପିଆରବି) ପରୀକ୍ଷାରେ ମଧ୍ୟ ବ୍ୟାପକ ଅନିୟମିତତା କାରଣରୁ ଯୁବକଯୁବତୀମାନେ ଡିଜି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଓଏସଏସସି ବୋର୍ଡ ଚେୟାରମ୍ୟାନଙ୍କ ଘରୁ କୋଟି କୋଟି ଟଙ୍କା ସମ୍ପତି ଧରାପଡିଥିଲା । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଏହି କେସ୍ ତଦନ୍ତ ହେଲା କି ନାହିଁ ଓ କେଉଁ ଅଫିସର ଏଭଳି ଦୁର୍ନୀତିରେ ଲିପ୍ତ ଥିଲେ ତାହା ମଧ୍ୟ ପ୍ରକାଶ ପାଇଲା ନାହିଁ । ଓଡିଶାର ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି କ୍ଷେତ୍ରରେ ହେଉଥିବା ଦୁର୍ନୀତି ଓ ଘୋଟାଲାର ତଦନ୍ତ ହେବ କି? ଯଦି ହେବ କେବେ ହେବ? ଦୋଷୀଙ୍କୁ ଦଣ୍ଡ ମିଳିବ ତ ? ନିଯୁକ୍ତି ଦୁର୍ନୀତିର ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କୁ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଅନ୍ତୁ ବୋଲି ବିଜେପି ନେତା ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ କୁମାର ଗୋଚ୍ଛାୟତ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଭକ୍ତବତ୍ସଳ ବସ୍ଥିଆ, ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ୍‌, ଯୁବମୋର୍ଚ୍ଚା ଗଣମାଧ୍ୟମ ସଂଯୋଜକ ଅଭିଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.