Latest Odisha News

‘କେଜ୍ରିଓ୍ବାଲଙ୍କ ଲୋକପ୍ରିୟତାରେ ଭୟଭୀତ, ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି ବିଜେପି’

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅଭିଯୋଗ କରିଛନ୍ତି ଯେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ଦେଖି ଭୟ କରୁଛି ଏବଂ ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାରରୁ ରୋକିବାକୁ ଚେଷ୍ଟା କରୁଛି । ବିଜେପି କେଜ୍ରିଓ୍ଵାଲ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)କୁ ଶେଷ କରିବାକୁ ଚେଷ୍ଟା କରୁଛି ବୋଲି ମାନ ଦାବି କରିଛନ୍ତି।

ନିକଟରେ ଦିଲ୍ଲୀ ମଦ ନୀତି ମାମଲାରେ ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜ୍ରିୱାଲଙ୍କୁ ଗିରଫ କରିଛି। ବର୍ତ୍ତମାନ ସେ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ତଦନ୍ତକାରୀ ସଂସ୍ଥାର ହେପାଜତରେ ଅଛନ୍ତି।

ଅବକାରୀ ନୀତି ମାମଲାରେ କେଜ୍ରିଓ୍ଵାଲ କିଙ୍ଗପିନ୍ ବୋଲି ଇଡିର ଅଭିଯୋଗକୁ ମାନ ‘ରାଜନୈତିକ ପ୍ରତିଶୋଧ’ ବୋଲି କହି ଖଣ୍ଡନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଶରତ ରେଡ୍ଡୀ ପ୍ରଥମେ କେଜ୍ରିୱାଲଙ୍କୁ ଜାଣିବାକୁ ଅସ୍ୱୀକାର କରିଥିଲେ କିନ୍ତୁ ପରେ ତାଙ୍କ ବୟାନ ବଦଳାଇଥିଲେ। ଏହାପରେ ବିଜେପିକୁ ୫୫ କୋଟି ଟଙ୍କା ଦାନ କରି ଇଲେକ୍ଟୋରାଲ ବଣ୍ଡ ତାଲିକାରେ ରେଡ୍ଡିଙ୍କ ନାମ ରହିଛି।

ବିଜେପି ଶାସିତ ରାଜ୍ୟରେ ରାଜନେତାଙ୍କ ଉପରେ ଚଢ଼ାଉ କରୁନଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ସମାଲୋଚନା କରିବା ସହ ବିଜେପି ବିରୋଧୀ ଦଳଗୁଡ଼ିକୁ ସମାପ୍ତ କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। ଇଡି, ନୀତି ଆୟୋଗ, ସିବିଆଇ ଏବଂ ଆୟକର ବିଭାଗକୁ ବିଜେପି ସହ ତୁଳନା କରି ସେ ପ୍ରଶ୍ନ କରିଛନ୍ତି ଯେ କେବଳ ଅଣବିଜେପି ରାଜ୍ୟରେ କାହିଁକି ଚଢ଼ାଉ କରାଯାଉଛି?

ମାନ ଅଦାଲତ ଉପରେ ଆସ୍ଥା ପ୍ରକଟ କରିବା ସହ କହିଛନ୍ତି ଯେ ମନୀଷ ସିସୋଦିଆ, ସଞ୍ଜୟ ସିଂହ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସମେତ କେଜ୍ରିୱାଲ ଏବଂ ଅନ୍ୟ ଆପ୍ ନେତାଙ୍କ ବାସଭବନରେ ଇଡି ଗୋଟିଏ ପଇସା ବି ପାଇନାହିଁ।

ଶେଷରେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ଵାଲ ଆପରେ ଯୋଗ ଦେବେ ବୋଲି ଚର୍ଚ୍ଚାକୁ ମାନ ଖଣ୍ଡନ କରିଛନ୍ତି। ଆମେ ସମସ୍ତେ କେଜ୍ରିୱାଲ ବୋଲି ସେ କହିଛନ୍ତି।

Leave A Reply

Your email address will not be published.