Latest Odisha News

BREAKING NEWS

ଫୋକସରେ ପ୍ରଣବ ପ୍ରକାଶ: ଜାଣନ୍ତୁ କାହାକୁ ବିଜେଡି ଦେଇପାରେ ଟିକେଟ୍

ଭୁବନେଶ୍ୱର: ନବୀନ ନିବାସ ୱାରରୁମରେ ଫାଇନାଲ୍ ହେଉଛି ଟିକେଟ । କାହାକୁ ମିଳିବ ? କାହାର କଟିବ ? କେଉଁଠି ଦଳ ଦେବ ନୂଆ ମୁହଁ ? ମହାସଂଗ୍ରାମ ପାଇଁ ରଣନୀତି ହେଉଛି। ବର୍ତ୍ତମାନ ସୁଦ୍ଧା ୧୧ ଲୋକସଭା ଓ ୭୭ ବିଧାନସଭା ଆସନର ସମୀକ୍ଷା ସାରିଲେଣି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିଛି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଲଢ଼ିବା ପାଇଁ ଗ୍ରୀନ ସିଗନାଲ୍ ମିଳିଛି। ଯେଉଁମାନଙ୍କୁ ଦଳରୁ ସ୍ପଷ୍ଟ ସଙ୍କେତ ମିଳିଛି ସେମାନେ ନବୀନ ନିବାସ ବୈଠକ ପରେ ଗ୍ରାଉଣ୍ଡକୁ ଓହ୍ଲାଇଲେଣି ।

ପୁରୀରୁ ଅରୂପ ପଟ୍ଟନାୟକ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ଫାଇନାଲ୍ କରିଛି । ସାଂସଦ ପିନାକୀ ମିଶ୍ର ଏଥର ପୁରୀରୁ ଲଢ଼ିବେନି । ତାଙ୍କ ସ୍ଥାନରେ ପୁରୀ ମାଟିର ପୁଅ ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ଲଢିବା ନିଶ୍ଚିତ ହୋଇଛି । ଗତଥର ଭୁବନେଶ୍ୱରରୁ ପ୍ରାର୍ଥୀ ହୋଇଥିଲେ । ବିଜେପିର ଅପରାଜିତାଙ୍କଠାରୁ ୨୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଥିଲେ ଅରୂପ । ନବୀନ ନିବାସ ବୈଠକ ପରେ ସେ ପୁରୀ ଲୋକସଭା କ୍ଷେତ୍ରର ବିଧାୟକଙ୍କ ସହ ମିଶି ପୁରୀରୁ ପ୍ରଚାର ଶଙ୍ଖ ଫୁଙ୍କିଲେଣି ।

ତେବେ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି ସମ୍ବଲପୁର ଲୋକସଭା ଆସନ ପାଇଁ କାହାକୁ ପ୍ରାର୍ଥୀ କରିବ ତାଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏହି ଆସନରୁ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ତେଣୁ ସେ ଯଦି ପ୍ରାର୍ଥୀ ହୁଅନ୍ତି ଏପଟୁ ବିଜେଡିରୁ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବା ଏକ ପ୍ରକାର ଚୂଡାନ୍ତ ବୋଲି କୁହାଯାଉଛି।

ବ୍ରହ୍ମପୁରରୁ ଏଥର ରିପିଟ ହେବେ ସାଂସଦ ଚନ୍ଦ୍ରଶେଖର ସାହୁ । ତାଙ୍କର ଟିକେଟ ଫାଇନାଲ୍ କରିଛି ଦଳ । ଲଢ଼ିବାକୁ ସଙ୍କେତ ମିଳିବା ପରେ ଚନ୍ଦ୍ରଶେଖର କ୍ଷେତ୍ର ପ୍ରସ୍ତୁତିରେ ଲାଗିଲେଣି । ୨୦୧୯ରେ ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଭୃଗୁ ବକ୍ସିପାତ୍ରଙ୍କଠାରୁ ୯୪ ହଜାରରୁ ଅଧିକ ଭୋଟର ପରାସ୍ତ ହୋଇଥିଲେ । ଏଥର ପୁଣି ଥରେ ହାଇକମାଣ୍ଡଙ୍କ ବିଶ୍ୱାସ ଓ ଭରସା ଜିତିଛନ୍ତି ଚନ୍ଦ୍ରଶେଖର । କନ୍ଧମାଳରୁ ଡକ୍ଟର ଅଚ୍ୟୁତ ସାମନ୍ତ ଠିଆ ହେବା ଏକ ପ୍ରକାର ନିଶ୍ଚିତ । ଅରୂପ, ଚନ୍ଦ୍ରଶେକରଙ୍କୁ ଛାଡିଦେଲେ ଆଉ କିଛି ଲୋକସଭା ଆସନରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ବିଜେଡି ଚୂଡ଼ାନ୍ତ କରିଥିବା ସୂଚନା ମିଳିଛି ।

ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡିଥିବା ବେଳେ ତାଙ୍କ ସ୍ଥାନରେ ନୂଆ ଚେହେରା ଦେବ ଦଳ । ରେସରେ ଆଗରେ ଅଛନ୍ତି କର୍ପୋରେଟ ଦୁନିଆ ଛାଡି ରାଜନୀତିରେ ପାଦ ଥାପିଥିବା ସନ୍ତୃପ୍ତ ମିଶ୍ର । ସେ କଟକର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ତାଙ୍କ ନାଁରେ ସୁପ୍ରିମୋ ମୋହର ମାରି ପାରନ୍ତି । ଆଜି ନବୀନ ନିବାସରେ କଟକ ସଂସଦୟୀ କ୍ଷେତ୍ରର ସମୀକ୍ଷା ଚାଲିଛି। ଏହି ବୈଠକ ପରେ ସନ୍ତୃପ୍ତଙ୍କୁ ମିଳିପାରେ ସ୍ପଷ୍ଟ ସୂଚନା।

ନବରଙ୍ଗପୁର ଲୋକସଭା ପାଇଁ ଚର୍ଚ୍ଚାରେ ଅଛନ୍ତି ପ୍ରଦୀପ ମାଝୀ । କଂଗ୍ରେସ ଛାଡି ସେ ବିଜେଡିରେ ଯୋଗ ଦେଇଥିଲେ । ବଲାଙ୍ଗିରରୁ ପୁଣି ପ୍ରାର୍ଥୀ ହୋଇପାରନ୍ତି କଳିକେଶ ନାରାୟଣ ସିଂହଦେଓ । ଗତଥର ସେ ହାରିଥିଲେ ବି ଏଥର କଳିକେଶଙ୍କ ସମ୍ଭାବନା ଅଧିକ ରହିଛି । ଭୁବନେଶ୍ୱର ପାଇଁ ରେସରେ ଆଘରେ ରହିଛନ୍ତି ଶ୍ରୀମୟୀ ମିଶ୍ର । ବହୁ ଦିନରୁ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲି ଲୋକ ସମ୍ପର୍କ ଯୋଡୁଛନ୍ତି ।

କେନ୍ଦ୍ରାପଡ଼ାରୁ ଯୁବ ଚେହେରା ଅଂଶୁମାନ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିବା ଯଥେଷ୍ଟ ସମ୍ଭାବନା ରହିଛି । ହାତ ଛାଡି ନିକଟରେ ସେ ଶଙ୍ଖ ଫୁଙ୍କିଛନ୍ତି । ଏମିତି ବି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଦଳରେ ଥାଇ ନଥିଲା ଭଳି ଅଛନ୍ତି । ନିକଟରେ ନବୀନ ନିବାସରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକକୁ ବି ତାଙ୍କୁ ଡକାଯାଇ ନଥିଲା । ପାରିବାରିକ ବିବାଦରେ ଛନ୍ଦି ହେବା ପରେ ଦଳୀୟ କାର୍ଯ୍ୟକ୍ରମକୁ ଅନୁଭବନଙ୍କୁ ଡକାଯାଉନି।

ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ଭଦ୍ରକରୁ ମଞ୍ଜୁଲତା ମଣ୍ଡଳଙ୍କୁ ପୁଣି ଥରେ ଟିକେଟ ସମ୍ଭାବନା ଅସ୍ପଷ୍ଟ । ସେମାନଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଆଉ ଥରେ ସୁଯୋଗ ଦେବେ ନା ପ୍ରାର୍ଥୀ ବଦଳାଇବେ କିଛି ସ୍ପଷ୍ଟ ହୋଇନି । କେନ୍ଦୁଝରରେ ଚନ୍ଦ୍ରାଣୀ ମୁର୍ମୁ ଓ ଆସିକାରେ ପ୍ରମିଳା ବିଷୋୟୀଙ୍କ ସ୍ଥାନରେ ଦେଖିବାକୁ ମିଳିପାରେ ନୂଆ ଚେହେରା । କୋରାପୁଟରୁ ପୁଣି ଥରେ କୌଶଲ୍ୟା ହିକକାଙ୍କୁ ମୈଦାନାକୁ ଓହ୍ଲାଇପାରେ ବିଜେଡି । କଳାହାଣ୍ଡି ଲୋକସଭା ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ କିଛି ସ୍ପଷ୍ଟ ହୋଇନି । ଗତଥର ହାରିଥିଲେ ପୁଷ୍ପେନ୍ଦ୍ର ସିଂହଦେଓ । ଏଥର ସେ ନା ଆଉ କିଏ ତାଉପରେ ନଜର ରହିଛି । ଅନ୍ୟପଟେ ଜଗତସିଂହପୁର ଓ ଯାଜପୁର ପ୍ରାର୍ଥୀଙ୍କୁ ନେଇ କୌଣସି ଆଲୋଚନା ହୋଇନି ।

୨୦୧୯ରେ କେବଳ ପିନାକୀ ମିଶ୍ର ଓ ଭର୍ତ୍ତୃହରିଙ୍କୁ ଦଳ ରିପିଟ୍ କରିଥିଲା । ଆଉ ସମସ୍ତେ ଥିଲେ ନୂଆ । ଏଥର ବି ଦଳ ଅଧିକାଂଶ ସିଟରେ ନୂଆ ଯୋଦ୍ଧାଙ୍କୁ ତୟାର କରୁଛି । ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ତାଲିକା ବାହାର କରିପାରେ ବିଜେଡି।

Leave A Reply

Your email address will not be published.