Latest Odisha News

BREAKING NEWS

ସମ୍ବଲପୁର ହିଂସା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଲା ରାଜ୍ୟ ବିଜେପି

ଭୁବନେଶ୍ୱର: ହନୁମାନ ଜୟନ୍ତୀ ପାଳନ ଅବସରରେ ଗତ ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଅଭାବନୀୟ ହିଂସାକାଣ୍ଡ ଓ ଗଣ୍ଡଗୋଳ ଘଟିଯାଇଥିଲା । ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୋଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏପରିକି ବ୍ୟାପକ ମାତ୍ରାରେ ଦୋକାନ ବଜାର, ଯାନବାହନ, ସରକାରୀ ଓ ବେସରକାରୀ ସଂପତି ପୋଡି ଦିଆଗଲା ।

ହନୁମାନ ଜୟନ୍ତୀ ଦିନ ଜଣେ ଆଦିବାସୀ ଯୁବକକୁ ହତ୍ୟା କରାଗଲା ଏବଂ ସଂଖ୍ୟାଧିକ ସାଧାରଣ ଜନତା ଆହତ ହୋଇଥିଲେ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଗଣ୍ଡଗୋଳ କାରଣରୁ ହିଂସାକାଣ୍ଡ ଘଟିଥିଲା । ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

ସାଂସଦ ଏବଂ ବିଧାୟକଙ୍କ ସ୍ୱାକ୍ଷରିତ ଚିଠି ଜରିଆରେ ଘଟଣା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରାଯାଇଛି । ହନୁମାନ ଜୟନ୍ତୀରେ ହିଂସା ଆଶଂକା କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ୫ ତାରିଖ ଦିନ ସମସ୍ତ ରାଜ୍ୟକୁ ସଚେତନ ରହିବା ପାଇଁ ନିର୍ଦ୍ଦେଶାବଳୀ ଜାରୀ କରାଯାଇଥିଲା । ମାତ୍ର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଏବଂ ଯାତ୍ରାର ପୂର୍ବଦିନ ଦଙ୍ଗା ଓ ଗଣ୍ଡଗୋଳ ଘଟିବାର ଆଶଂକାକୁ ଜାଣି ନପାରିବା ରାଜ୍ୟ ସରକାରଙ୍କ ଦୁର୍ବଳ ଗୋଇନ୍ଦା ବ୍ୟବସ୍ଥାକୁ ପଦାରେ ପକାଇଛି । ଆଇନଶୃଙ୍ଖଳା ନାମରେ ବର୍ତମାନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିଛି ଏବଂ ସମଗ୍ର ଜିଲ୍ଲାରେ ଇଂଟରନେଟ ସେବା ଉପରେ ରୋକ ଲଗାଯାଇଛି । ଯାହାକି ଜିଲ୍ଲାବାସୀଙ୍କୁ ହନ୍ତସନ୍ତ କରିସାରିଛି ।

ପୂର୍ବ ବର୍ଷ ହନୁମାନ ଜୟନ୍ତୀ ପାଳନ ଅବସରରେ ଶୋଭାଯାତ୍ରା ଉପରକୁ ସେହି ସମାନ ସ୍ଥାନରେ ଆକ୍ରମଣ କରାଯାଇଥିଲା । ୨୦୦ରୁ ଉର୍ଦ୍ଧ୍ୱ ମୁସଲିମ ସଂପ୍ରଦାୟର ବ୍ୟକ୍ତିମାନେ ସଂଘବଦ୍ଧ ହୋଇ ଖଣ୍ଡା, ଲୁହା ରଡ୍, ଲାଠି ସହାୟତାରେ ସମ୍ବଲପୁର ସହରର ମୋତିଝରନଠାରେ ମୋଟର ସାଇକେଲ ଶୋଭାଯାତ୍ରା ଉପରେ ମରଣାନ୍ତକ ଆକ୍ରମଣ କରିବାର ଯୋଜନା କରିଥିଲେ ବୋଲି ପୋଲିସ ଦ୍ୱାରା ରୁଜୁ ହୋଇଥିବା ଏଫଆଇଆରରେ ଉଲ୍ଲେଖ ଅଛି ଏବଂ ଏସପି ନିଜେ ସ୍ୱୀକାର କରିଛନ୍ତି । ଏପରିକି ଏହି ଗଣ୍ଡଗୋଳ ଏକ ସୁଚନ୍ତିତ ଏବଂ ପୂର୍ବ ଯୋଜନାବଦ୍ଧ ଥିଲା ବୋଲି ପୋଲିସ ମଧ୍ୟ ନିଜେ ସ୍ୱୀକାର କରିଛି ।

ଆକ୍ରମଣ ସମୟରେ ଦଙ୍ଗାକାରୀମାନେ “କାଫିର୍ ଲୋଗ୍, ସାଲେ ଲୋଗ୍ କୋ କାଟ୍ ଦେଙ୍ଗେ; ସାଲୋଁକୋ ଇଣ୍ଡିଆ ୱାପସ୍ ନେହିଁ ଜାନେ ଦେଙ୍ଗେ” ଭଳି ବିଭିନ୍ନ ଉତେଜନାମୁଳକ ଓ ରାଷ୍ଟ୍ରବିରୋଧୀ ସ୍ଲୋଗାନ ଦେଇଥିଲେ । ଦଙ୍ଗାକାରୀମାନଙ୍କ ଏଭଳି ସ୍ଲୋଗାନ ଆଦୈା ଗ୍ରହଣୀୟ ନୁହେଁ ଏବଂ ୟୁଏପିଏ ଓ ଏନଏସଏ ଆଇନ ବଳରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ । ଶୋଭାଯାତ୍ରାର ଭିଡିଓ ପୋଲିସ ପାଖରେ ରହିଛି । ପୋଲିସ ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣା ସଂପର୍କରେ ଅବଗତ ଥିଲେ ମଧ୍ୟ କୈାଣସି ବିହୀତ ପଦକ୍ଷେପ ଗ୍ରହଣ କରିନଥିଲେ । ଶାନ୍ତପ୍ରିୟ ସମ୍ବଲପୁରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ।

ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ଆଚରଣ ଓ ବ୍ୟବହାର ରାଜ୍ୟବାସୀଙ୍କୁ ଆଚମ୍ବିତ କରିଛି । ବର୍ତମାନ ସୁଦ୍ଧା ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ କରାନଯିବା ଆଶ୍ଚର୍ଯ୍ୟ କରିଛି । ରାଜନୈତିକ ସ୍ୱାର୍ଥ ହାସଲ ପରିପ୍ରେକ୍ଷୀରେ ମୁଖ୍ୟ ଷଡଯନ୍ତ୍ରକାରୀକୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେଉଛନ୍ତି । ଦଙ୍ଗାକାରୀଙ୍କ ବଦଳରେ ଦଙ୍ଗାର ଶିକାର ହୋଇଥିବା ନିରୀହ ଲୋକଙ୍କୁ ପୋଲିସ ଗିରଫ କରୁଛି ।

ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଆଜି ଅନୁପ୍ରବେଶକାରୀ, ସାଂପ୍ରଦାୟୀକ ଓ ରାଷ୍ଟ୍ରବିରୋଧୀ ଶକ୍ତିମାନେ ଏକାଠି ହୋଇ ଭିଆଉଥିବା ଦଙ୍ଗା ଓ ଗଣ୍ଡଗୋଳକୁ ରୋକିବାରେ ବିଫଳ ହେଉଛନ୍ତି ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ବାଂଲାଦେଶୀ ଅନୁପ୍ରବାଶକାରୀମାନେ ବେଆଇନ ଭାବେ ସରକାରୀ ଜମି ମାଡି ବସି ବଡ ବଡ ବାସଗୃହ ନିର୍ମାଣ କରି ବେଆଇନ ଅସ୍ତ୍ର ଓ ବିସ୍ପୋରକ ଦ୍ରବ୍ୟ ରଖି ବ୍ୟାପାର କରୁଛନ୍ତି । ସ୍ଥାନୀୟ ପୋଲିସ ପ୍ରଶାସନ ଏଭଳି ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପକୁ ଅଣଦେଖା କରୁଛି । ଏଭଳି ଘୃଣ୍ୟ ସାଂପ୍ରଦାୟୀକ ହିଂସାକାଣ୍ଡକୁ ଦୃଢ ନିନ୍ଦା କରିବା ସହିତ ଏହି ଘଟଣାର ନିରପେକ୍ଷ ତଦନ୍ତ ଏନଆଇଏ ଦ୍ୱାରା କରାଯାଇ ଷଡଯନ୍ତ୍ରକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି ।

ଦଙ୍ଗାରେ ଶିକାର ହୋଇଥିବା ନିରୀହ ଲୋକଙ୍କୁ କ୍ଷତିପୁରଣ ଓ ରିଲିଫ ପ୍ରଦାନ କରାଯାଉ । ସ୍ୱାଭାବିକ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସାଂପ୍ରଦାୟୀକ ସଦଭାବନା ଫେରାଇ ଆଣି ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଭବିଷ୍ୟତରେ ଯେପରି ଏହାର ପୁନରାବୃତି ନଘଟେ ସେଥି ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗୃହ ବିଭାଗ ତରଫରୁ ନିଦେ୍ର୍ଦଶ ଦେବାକୁ କୁହାଯାଇଛି ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସ୍ୱାକ୍ଷରିତ ଏହି ଚିଠିରେ ସାଂସଦ ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କେ.ନାରାୟଣ ରାଓ, ଡ.ବୁଧାନ ମୁର୍ମୁ, ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ସ୍ୱାକ୍ଷର କରିଛନ୍ତି ।

Leave A Reply

Your email address will not be published.