Latest Odisha News

ବିଜେପିର ୨୦୨୪ ବ୍ଲୁ-ପ୍ରିଣ୍ଟ, କି ମନ୍ତ୍ର ଦେବେ ନଡ୍ଡା ?

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାର ୨୧ଲୋକସଭା ଆସନରୁ ୮ଟି ହାତେଇ ଥିଲା । ୨୪ରେ ସେହି ସଂଖ୍ୟା ବଢ଼ାଇବାକୁ ଗୋଟି ଚାଳନା ଆରମ୍ଭ କରିଛି ବିଜେପି । ୩ ମାସ ବ୍ୟବଧ୍ୟାନରେ ଜେପି ନଡ୍ଡା ଦ୍ୱିତୀୟ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ଜେପି ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

୨୦୨୪ ନିର୍ବାଚନ ଆଗରୁ ଜେପି ନଡ୍ଡାଙ୍କ ଘନ ଘନ ଓଡ଼ିଶା ଗସ୍ତ ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି । ଆସନ୍ତାକାଲି ଜେପି ନଡ୍ଡା କନ୍ଧମାଳ ଗସ୍ତରେ ଆସି ତୁମୁଡ଼ିବନ୍ଧର ଜଲେଶପଟ୍ଟା ଆଶ୍ରମରେ ଛାତ୍ରୀ ନିବାସ ଉଦଘାଟନ କରିବା ସହ ସାଧାରଣ ସଭାରେ ଯୋଗ ଦେବେ ।

୨୦୧୯ ସାଧାରଣ ନିର୍ବାଚନରେ ବିଜେପି କନ୍ଧମାଳ ଲୋକସଭା ଆସନରେ ଦ୍ୱିତୀୟ ସ୍ଥାନରେ ଥିଲା । ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁ ୩ ଲକ୍ଷ ୧୨ ହଜାର ୪୬୩ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ପାଇଥିଲେ ୪ ଲକ୍ଷ ୬୧ ହଜାର ୬୭୯ ଭୋଟ୍ । ଲକ୍ଷେ ୪୯ ହଜାର ୨୧୬ ଭୋଟ୍ ପାଇଁ ବିଜେପି ହାତେଇ ପାରି ନଥିଲା କନ୍ଧମାଳ ଲୋକସଭା ଆସନ ।

ସେହିଭଳି ନଡ୍ଡାଙ୍କ ନଜରରେ ରହିଛି ପୁରୀ ଲୋକସଭା ଆସନ । କନ୍ଧମାଳ ପରେ ଅପରାହ୍ଣରେ ନଡ୍ଡା ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ବାଣପୁର ଓ ଚିଲିକାର ୩ଟି ସ୍ଥାନକୁ ଯିବାର କାର୍ଯ୍ୟକ୍ରମ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ଆସନରେ ୧୧ ହଜାର ୭୧୪ ଭୋଟରେ ହାରିଥିଲା ବିଜେପି । ବିଜେଡିର ପିନାକୀ ମିଶ୍ର ୫ ଲକ୍ଷ ୩୮ ହଜାର ୩୨୧ ଭୋଟ୍ ପାଇଥିବା ବେଳେ ବିଜେପିର ସମ୍ବିତ ପାତ୍ର ପାଇଥିଲେ ୫ ଲକ୍ଷ ୨୬ ହଜାର ୬୦୭ ଭୋଟ୍ ।

୨୦୧୯ରେ କନ୍ଧମାଳ ଓ ପୁରୀ ଉଭୟ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କଡ଼ା ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ । ଆଉ କଣ କଲେ ୨୦୨୪ରେ ବିଜେପି ଏହି ଆସନରେ ବିଜୟୀ ହେବ । ତୃଣମୂଳ ସ୍ତରରେ କଣ ରହିଛି ଦଳର ସାଂଗଠନିକ ସ୍ଥିତି ? ୨୦୨୪ ନିର୍ବାଚନରେ ୨୦୧୯ ପ୍ରାର୍ଥୀ ରିପିଟ୍ ହେବେ ନା ବିଶ୍ୱାସ ଜିତିବାକୁ ଚେହେରା ବଦଳିବେ ? କନ୍ଧମାଳ ଓ ପୁରୀ ଗସ୍ତ ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏସବୁ ଦିଗ ଉପରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ ।

Leave A Reply

Your email address will not be published.