Latest Odisha News

BREAKING NEWS

ଦିଗପହଣ୍ଡି ରାଜନୀତିରେ ତନ୍ତ୍ର ପ୍ରୟୋଗ କୌଶଳ, ନିର୍ବାଚନ ଆସନ୍ନ ବେଳେ ବଢ଼ାଇଲା ନୂଆ ଚର୍ଚ୍ଚା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ରାଜନୀତିରେ କଳାଯାଦୁ ବା ତନ୍ତ୍ର ପ୍ରୟୋଗ ଅଭିଯୋଗରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସ୍ବର୍ଗତ ବିଧାୟକ ସୂର୍ଯ୍ଯ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର, ତାଙ୍କ ସହଯୋଗୀ ସିମାଦ୍ରି ପାତ୍ର ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନିରଞ୍ଜନ ରେଡ୍ଡୀଙ୍କ ଫଟୋ ବଟବୃକ୍ଷ ନିକଟରେ ଚିରି ଦିଆଯାଇଥିଲା ଏଥିସହ ପାଖରେ ପୂଜା ସାମଗ୍ରୀ ଏବଂ ମାଛ ଥିବା ଦେଖିବାକୁ ମିିଳିଛି।

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବଙ୍କ ଉପରେ କେହି ତନ୍ତ୍ରପ୍ରୟୋଗ କରିଥିବା ସନ୍ଦେହ କରାଯାଉଛି। ଏହା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହି ଘଟଣା ଦିଗପହଣ୍ଡିରେ ବିଜେଡି ନେତାଙ୍କ ମଧ୍ୟରେ ଚାଲିଥିବା ଅନ୍ତଃକନ୍ଦଳକୁ ପୁଣି ଥରେ ଚର୍ଟ୍ଟାକୁ ଆଣିଛି।

ନିକଟରେ ବିପିନ ପ୍ରଧାନଙ୍କ ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିପ୍ଲବ ପାତ୍ରଙ୍କ ଗୋଷ୍ଠୀକୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏଭଳି ପରିସ୍ଥିତିରେ ବିପ୍ଲବ ପାତ୍ରଙ୍କ ଉପରେ ସନ୍ଦିଗ୍ଧ କଳା ଯାଦୁ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜଣେ ଶିକ୍ଷିତ ବ୍ୟକ୍ତି ଭାବେ ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ସେଭଳି କୌଣସି କଳା ଯାଦୁ ନାହିଁ ଏବଂ ସବୁକିଛି ଅନ୍ଧବିଶ୍ୱାସ। ତେବେ ଏହା ପଛରେ ବିପ୍ଳବ ପାତ୍ର ଓ ତାଙ୍କ ସମର୍ଥକଙ୍କୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ହାତ ଥାଇପାରେ ବୋଲି ଜଣାପଡ଼ୁଛି ବୋଲି ବିପ୍ଲବ ପାତ୍ରଙ୍କ ସମର୍ଥକ ପ୍ରଶାନ୍ତ ପ୍ରଧାନ କହିଛନ୍ତି।

ପ୍ରଶାନ୍ତ କହିଛନ୍ତି ଯେ, ବିପ୍ଲବ ପାତ୍ର ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ହୋଇଥିବାରୁ ଏବଂ ବିଜେଡିର ପ୍ରମୁଖ ପଦପଦବୀରେ ରହିଥିବାରୁ କେହି ଜଣେ ବହୁ ଆଶାୟୀଙ୍କୁ ନେଇ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା ସହ ଏଭଳି ଶସ୍ତା କୌଶଳ ଅବଲମ୍ବନ କରିପାରନ୍ତି।

ବିଜେଡି ନେତା ବିପିନ୍ ପ୍ରଧାନ କହିଛନ୍ତି,ଏ ସମ୍ପର୍କରେ ମୋର କିଛି ଧାରଣା ନାହିଁ। ଜଣେ ବନ୍ଧୁ ଭିଡିଓ ଦେଖାଇବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏ ସମ୍ପର୍କରେ ଜାଣିବାକୁ ପାଇଲି।. ଆମ ପ୍ରତିଦ୍ୱନ୍ଦ୍ୱୀମାନେ ଆମକୁ ବଦନାମ କରିବା ପାଇଁ ଏହା କିଛି ଷଡ଼ଯନ୍ତ୍ର କରିଥାଇ ପାରନ୍ତି। ବିପ୍ଳବଙ୍କ କୌଣସି ଗୋଷ୍ଠୀ ନଥିବା ବେଳେ ପ୍ରଶାନ୍ତ ଜଣେ ଠିକାଦାର ଓ ତାଙ୍କ ପତ୍ନୀ ସରପଞ୍ଚ ଅଛନ୍ତି। ବିଜେଡି ଏକ ଏବଂ ସମସ୍ତେ ଏକାଠି ଅଛନ୍ତି। ଭାଇରାଲ ଭିଡିଓ ଲୋକଙ୍କୁ ବିଭ୍ରାନ୍ତ କରିବାର ଏକ ପ୍ରୟାସ ହୋଇପାରେ।

ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟପାତ୍ର ରାଜ୍ୟ ରାଜନୀତି ସହିତ ଗଞ୍ଜାମ ବିଜେଡିର ଜଣେ ଟାଣୁଆ ନେତା ଥିଲେ। ତାଙ୍କ ଅବର୍ତ୍ତମାନ ପରେ ଏବେ କିଏ ତାଙ୍କ ଆସନରୁ ପ୍ରାର୍ଥୀ ହେବେ ସେ ନେଇ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଉଭୟ ବିପ୍ଲବ ଏବଂ ଅନ୍ଯ କିଛି ନେତା ବିଧାୟକ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ସୂଚନା ରହିଛି।

Leave A Reply

Your email address will not be published.