ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବିଏମସିର ଦକ୍ଷିଣ-ପୂର୍ବ ଜୋନ୍ ଅଧୀନରେ ଆସୁଥିବା ଆବାସିକ ଘରଗୁଡ଼ିକୁ ବେଆଇନ ଭାବେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ବିଏମସି ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ବିଏମସିର କ୍ଷେତ୍ରୀୟ ଅଧିକାରୀମାନଙ୍କ ଦ୍ୱାରା ନିକଟରେ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଆଧାରରେ ଗତ ଜୁଲାଇ ୨୯ ତାରିଖରେ (ଚିଠି ନଂ ୬୬୦୪) ଦକ୍ଷିଣ-ପୂର୍ବ ଜୋନ୍ର ଭାରପ୍ରାପ୍ତ ଜୋନାଲ୍ କମିଶନର ଏକ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ମୁତାବକ, ଏହି ଜୋନ୍ରେ ମୋଟ ୧୩୮୦ ଜଣ ପ୍ଲଟ୍ କିମ୍ବା ଘର ମାଲିକ ସେମାନଙ୍କ ଆବାସିକ ଘରକୁ ବିନା ଅନୁମତିରେ ବାଣିଜ୍ୟିକ କିମ୍ବା ଅଣ-ଆବାସିକ କାର୍ଯ୍ୟରେ ଲଗାଉଛନ୍ତି। ମନଇଚ୍ଛା ଘରର ଢାଞ୍ଚା ବଦଳାଇ ବ୍ୟବସାୟ କରିବା ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆଇନ, ୧୯୮୨ ଏବଂ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନର ସିଧାସଳଖ ଉଲ୍ଲଂଘନ ବୋଲି ନୋଟିସ୍ରେ ଦର୍ଶାଯାଇଛି।
ଏହି କାର୍ଯ୍ୟାନୁଷ୍ଠାନ ପଛରେ ମାନ୍ୟବର ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି। ତାମିଲନାଡୁ ସରକାର ଏବଂ ଲୋଗାନାଥନ୍ଙ୍କ ମଧ୍ୟରେ ଥିବା ଏକ ମାମଲାରେ ସୁପ୍ରିମକୋର୍ଟ ଗତ ମେ ୨୦.୨୦୨୬ ଏବଂ ଜୁଲାଇ ୦୯.୨୦୨୬ ତାରିଖରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ।
ବିନା ଅନୁମତିରେ ବେଆଇନ ନିର୍ମାଣ କିମ୍ବା ଆବାସିକ ଘରକୁ ବ୍ୟବସାୟିକ କାର୍ଯ୍ୟରେ ଲଗାଉଥିଲେ, ତାହାକୁ ତୁରନ୍ତ ଉଚ୍ଛେଦ କିମ୍ବା ସିଲ୍ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପୌରସଂସ୍ଥା ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିଏମସି ପକ୍ଷରୁ ପ୍ରସ୍ତୁତ ୧୩୮୦ ଜଣିଆ ତାଲିକାରେ ରାଜଧାନୀର ଅନେକ ପ୍ରମୁଖ ଅଞ୍ଚଳ ସାମିଲ ରହିଛି। ସେଗୁଡ଼ିକ ମଧ୍ୟରେ ମୁଖ୍ୟତଃ: ମଧୁସୂଦନ ନଗର, ଆଚାର୍ଯ୍ୟ ବିହାର, ଏବଂ ଭୋଇ ନଗର । ସହିଦ ନଗର, ଲକ୍ଷ୍ମୀସାଗର, ବୋମିଖାଲ, ଓ ଝାରପଡ଼ା।
ସତ୍ୟ ନଗର, ଖାରବେଳ ନଗର, ବାପୁଜୀ ନଗର, ଏବଂ ଅଶୋକ ନଗର। ଗୌତମ ନଗର, କଳ୍ପନା, ବିଜେବି ନଗର, ବଡ଼ଗଡ଼, ଭୀମପୁର, ମେହେରପଲ୍ଲୀ। ପୁରୁଣା ଭୁବନେଶ୍ୱର, ସାମନ୍ତରାପୁର, ନୂଆଗାଁ ଏବଂ କପିଳପ୍ରସାଦ ଇତ୍ୟାଦି ଅଞ୍ଚଳ ଅନ୍ତର୍ଭୁକ୍ତ।
ନୋଟିସ୍ ପାଇଥିବା ସମସ୍ତ ମାଲିକ ଏବଂ ଡେଭେଲପରମାନଙ୍କୁ ସେମାନଙ୍କର କାଗଜପତ୍ର ଯଥାଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ନିଜର ‘ଅନୁମୋଦିତ ବିଲ୍ଡିଂ ପ୍ଲାନ୍’ ଏବଂ ‘ଅକ୍ୟୁପାନ୍ସି କିମ୍ବା କମ୍ପ୍ଲିସନ୍ ସାର୍ଟିଫିକେଟ୍’ ଦାଖଲ କରିବାକୁ ପଡ଼ିବ।
ଏହି ସମସ୍ତ କାଗଜପତ୍ର କଳ୍ପନା ଛକ ସ୍ଥିତ ଦକ୍ଷିଣ-ପୂର୍ବ ଜୋନାଲ କମିଶନରଙ୍କ କାର୍ଯ୍ୟାଳୟ କିମ୍ବା ସତ୍ୟ ନଗର ଆଇସିଓଏମସି ଟାୱାରର ତୃତୀୟ ମହଲାରେ ଥିବା ଓଡିଏ (ସାଉଥ୍-ଇଷ୍ଟ ଜୋନ୍) କୋର୍ଟରେ ଦାଖଲ କରିବାକୁ କୁହାଯାଇଛି। ଏହାକୁ ଅତ୍ୟନ୍ତ ଜରୁରୀ ବୋଲି ବିବେଚନା କରିବାକୁ ବିଏମସି ସତର୍କ କରାଇଛି। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ମାଲିକମାନେ ଉପଯୁକ୍ତ ପ୍ରମାଣପତ୍ର ଦାଖଲ ନକରନ୍ତି, ତେବେ ଉକ୍ତ ଘରଗୁଡ଼ିକୁ ସମ୍ପୂର୍ଣ୍ଣ ବେଆଇନ ଘୋଷଣା କରାଯିବ ଏବଂ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି।