Latest Odisha News

BREAKING NEWS

ପଞ୍ଚମ କରୋନା ରୋଗୀଙ୍କ ପରିଚୟ ସାର୍ବଜନୀନ କଲା ବିଏମ୍‌ସି

ଭୁବନେଶ୍ୱର: ଅହମଦାବାଦ ମହାନଗର ନିଗମ ପଦାଙ୍କ ଅନୁସରଣ କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ରାଜ୍ୟର ପଞ୍ଚମ କରୋନା ପଜିଟିଭ ରୋଗୀଙ୍କ ନାମ ଓ ଠିକଣା ସାର୍ବଜନିନ କରାଯାଇଛି । ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ତଥା କୋଭିଡ୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହା କରାଯାଇଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଏହା ଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ବିଶେଷ ଅବଗତ ହେବା ସହିତ ସତର୍କତା ଅବଲମ୍ବନ ବୋଲି ସେ ସୂଚନା ଦେଇଛନ୍ତି ।

ବୁଧବାର ରାଜ୍ୟରେ ଚିହ୍ନଟ ହୋଇଥିବା ପଂଚମ କରୋନା ପଜିଟିଭ ରୋଗୀଙ୍କ ନାମ ପ୍ରଦୀପ୍ତ କୁମାର ଦଳବେହେରା ଏବଂ ସେ ଭୁବନେଶ୍ୱରର ୪୬ ନମ୍ବର ୱାର୍ଡର ସୂର୍ଯ୍ୟନଗର ଅଂଚଳର ପ୍ଲଟ ନମ୍ବର ୩୭ରେ ରହୁଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିବା ଏହି ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ତୁରନ୍ତ ୧୦୪ ହେଲପଲାଇନ ନମ୍ବରରେ ସୂଚନା ଦେବା ସହିତ ୧୪ ଦିନର ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ ବ୍ୟକ୍ତିଙ୍କର କୌଣସି ବିଦେଶ ଯାତ୍ରାର ଇତିହାସ ନ ଥିବା ବେଳେ ସେ ନିକଟରେ ଦେଶର କୌଣସି ଅନ୍ୟ ଅଂଚଳକୁ ବି ଯାଇ ନ ଥିବା ବିଏମସି ସୂଚନା ଦେଇଛି । ଏହି ଦୃଷ୍ଟିରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଠାବ କରାଯିବା ପ୍ରାୟ ଅସମ୍ଭବ ହୋଇଥିବାରୁ ପରିଚୟ ସାର୍ବଜନୀନ କରାଯାଇଥିବା ଜଣାପଡିଛି ।

ତେବେ କୌଣସି ବ୍ୟକ୍ତି ରୋଗୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ ସାମାଜିକ ବାସନ୍ଦ କିମ୍ବା ହଇରାଣ ହରକତ ନ କରିବା ପାଇଁ ସତର୍କ କରାଯାଇଛି । ଏଥିରେ ଖିଲାପ କଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଭାରତୀୟ ପିଙ୍ଗଳ କୋଡର ଧାରା ୧୮୮ ଏବଂ ଏପିଡେମିକ ଡିଜିଡ ଆକ୍ଟ ୧୮୯୭ ଆଧାରରେ ଦଣ୍ଡିତ କରାଯିବ ବୋଲି ସୂଚନା ଦିଆଯାଇଛି ।

ସୁରକ୍ଷା ଦୃଷ୍ଟିରୁ ସୂର୍ଯ୍ୟନଗର ଅଂଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ବାଟକୁ ସିଲ୍ କରି ବିଏମସି ପକ୍ଷରୁ ସାନିଟାଇଜ କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.