Latest Odisha News

BREAKING NEWS

ସାଧାରଣ ଜନତା ଓ ଛାତ୍ରଛାତ୍ରୀଙ୍କୁ ‘ମୋ ସାଇକେଲ୍‌’ ଦେବ ବିଏମସି

ଭୁବନେଶ୍ୱର: ରାଜଧାନୀରେ ‘ମୋ ସାଇକେଲ୍‌’ ଯୋଜନାରେ କିଣାଯାଇଥିବା ସାଇକେଲ୍ ମରାମତି କରାଯାଇ ଭୁବନେଶ୍ୱରରେ ସାଧାରଣ ଜନତା ଓ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ତିନି ବର୍ଷରୁ ଅଧିକ ସମୟ ଧର ଖରା, ବର୍ଷା, ଶୀତ କାକରରେ ପଡି ଅବ୍ୟବହୃତ ହୋଇ ପଡିରହିବା ପରେ ପ୍ରଶାସନ ଏପରି ନିଷ୍ପତି ନେଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସିି) କମିଶନର ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଏହି ସୂଚନା ଦେଇଛନ୍ତି । ତେବେ ମାଗଣାରେ ସାଇକେଲ ଦେବା ପୂର୍ବରୁ ଉପଯୁକ୍ତ ଏସଓପି ଅନୁସରଣ କରି ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯିବ ।

ସେ କହିଛନ୍ତି, ଆମେ ଏବେ ‘ମୋ ସାଇକେଲ’ ମରାମତି କରୁଛୁ । କୋଭିଡ୍ କଟକଣା ସମୟରେ ଏଗୁଡ଼ିକୁ ବ୍ୟବହାର କରାଯାଇ ପାରିବ ନାହିଁ । ନାଗରିକମାନେ କିଭଳି ଏହାର ବ୍ୟବହାର କରିପାରିବେ ତାହା ଉପରେ ନଜର ରହିବ । କିଛି ଯୁବକ, କିଛି ଛାତ୍ର ଏବଂ କିଛି ସାଇକେଲ ପ୍ରେମୀଙ୍କୁ ଏହି ସାଇକେଲ ମିଳିବ । ଆଉ କୌଣସି ସାଇକେଲ୍ ଅବ୍ୟବହୃତ ରହିବ ନାହିଁ ବୋଲି କୁଲାଙ୍ଗେ କହିଛନ୍ତି ।

୨୦୧୮ରେ ୩ଟି ସଂସ୍ଥାଠାରୁ ୨୫ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରି ପ୍ରାୟ ୨ ହଜାର ସାଇକେଲ କିଣା ଯାଇଥିଲା । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ୧୦୦୦ ହେକ୍ସି ବାଇକ୍‌, ୫୦୦ ୟାନା ଓ ୫୦୦ ୟୁଲୁ ବାଇକ୍ ଆଣିଥିଲା ।

ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନବନ୍ଦର ଛକରୁ କଳିଙ୍ଗ ଷ୍ଟାଡିୟମ ମୋ ସାଇକେଲର ଶୁଭାରମ୍ଭ କରିଥିଲେ । ସହରର ପବ୍ଲିକ୍ ସାଇକେଲ୍ ସେୟାରିଂ (ପିବିଏସ୍‌) ପ୍ରକଳ୍ପ ଥିଲା ଯାହାକୁ ‘ମୋ ସାଇକେଲ୍‌’ ନାମରେ ନାମିତ କରାଯାଇଥିଲା । ତେବେ ପ୍ରଶାସନ ଯେଉଁଭଳି ଭାବେ ମୋ ସାଇକେଲର ଚାହିଦା ରହିବ ବୋଲି ଭାବିଥିଲା ହେଲେ ତାହା ଓଲଟା ହୋଇଥିଲା । ଡିସେମ୍ବର ୨୦୧୮ରେ ୩୭,୦୦୮ ୟୁଜର୍ସ ଥିବା ବେଳେ ମାର୍ଚ୍ଚ ୨୦୧୯ରେ ଏହା ୬,୨୧୬ରେ ପହଂଚିଥିଲା ।

Leave A Reply

Your email address will not be published.