Latest Odisha News

BREAKING NEWS

ପୁସ୍ତକ ପରିଚୟ : ବିକ୍ଷୁବ୍ଧ ସମୁଦ୍ର

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା
କବିତା ବହି : ବିକ୍ଷୁବ୍ଧ ସମୁଦ୍ର
କବି : ପବିତ୍ର ମୋହନ ଦାଶ
ପ୍ରକାଶକ : ପେନ୍ ଇନ୍ ବୁକ୍ସ
ପ୍ରଥମ ପ୍ରକାଶ : ୨୦୧୮
ପୃଷ୍ଠା ସଂଖ୍ୟା : ୯୫

ସମସାମୟିକ ଓଡିଆ କବିତାରେ କବି ପବିତ୍ର ମୋହନ ଦାଶ ବେଶ୍ ଏକ ଚିହ୍ନା ମୁହଁ। ସଦ୍ୟ ପ୍ରକାଶିତ ତାଙ୍କ କବିତାରେ ‘ବିକ୍ଷୁବ୍ଧ ସମୁଦ୍ର’ ରେ ଶ୍ରୀଯୁକ୍ତ ଦାଶ ପ୍ରକୃତରେ ଯେଉଁ ଅନ୍ତର୍ବେଦନାକୁ ଭୋଗିଛନ୍ତି, ଯେଉଁ ମାଟିର ବାସ୍ନାକୁ ଅନୁଭବିଛନ୍ତି, ଜୀବନର ବାସ୍ତବତା ଓ ସତ୍ୟାନୁଭବର ନଗ୍ନ ଚିତ୍ରକୁ ଯେପରି ଭାବରେ ଦେଖିଛନ୍ତି ଠିକ୍ ସେପରି ଭାବରେ ତାକୁ ଥୋଇଛନ୍ତି କବିତାରେ। ଇଂରାଜୀ ବିଭାଗରେ ଅଧ୍ୟାପନା କରୁଥିଲେବି ଓଡ଼ିଆ ଭାଷାରେ ତାଙ୍କର କବିତା ଲେଖାର ଶୈଳୀ ନିଶ୍ଚିତ ଭାବରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରେ। କବି ମାଟିକୁ ଦେଖିଛନ୍ତି, ମାଟିର ମଣିଷକୁ ଦେଖୁଛନ୍ତି, କ୍ଷେତରେ ହଳ ଲଙ୍ଗଳ ଧରି ଚଷୁଥିବା କୃଷକ ଭାଇଙ୍କୁ ଦେଖିଛନ୍ତି ଏଵଂ ଦେଖିଛନ୍ତି ସେ ବୁଣୁଥିବା ବିହନକୁ। ହେଲେ ସେ ଅନୁଭବ କରିଛନ୍ତି ଏ ବିହନତ ସେ ବିହନ ନୁହେଁ ଯାହାକୁ କୁହା ଯାଇ ପାରିବ ମାଟିର ବିହନ। ଏ ବିହନ ସେ ବିହନ ନୁହେଁ ଯାହାକୁ ଆଜି ଯାଏ ସେ ଦେଖି ଆସୁଥିଲେ ତାଙ୍କ ବାପା ଜେଜେବାପାଙ୍କ ହାତରେ, ଅକ୍ଷିମୁଠାର ପୁଜାରେ। ଏ ବିହନତ ତାଙ୍କ କଟକି ଚମ୍ପା, ବାଗଡି ଚୁଡି କି ସୁନାସାରି ଅବା ମାଶୁରି ନୁହଁ । ଇଏତ ଆମ ଦେଶି ବିହନ ନୁହଁ ! ବରଂ ଆମ ଦେଶିକୁ ତଡି ହାଇବ୍ରିଡ୍ ନାମରେ ପ୍ରୟୋଗଶାଳାରେ ପ୍ରସ୍ତୁତ ବଜାରୀ ବିହନ। ଏ ବଜାରୀ ବିହନ ଭିତରେ ନାହିଁ ଟାଙ୍ଗରା ଭୁମିରେ ଠିଆ ହେବାର ଦମ୍ଭ, ମରୁଭୂମିରେ ଗଜୁରି ପାରିବାର କ୍ଷମତା କି ବଢି ପାଣିରେ ସଢି ନଯିବାର ଟାଣପଣ। ଏ ବିହନରୁ ଧାନତ ଉପୁଜୁନି ବରଂ ଉପୁଜିଛି ମହଣ ମହଣ ଦୁଃଖ, ସୁଝି ହେଉନଥିବା ୠଣର ବୋଝ ଏବଂ ଫାଶି ଖୁଣ୍ଟରେ ଝୁଲୁଥିବା ଅବା ଏଣ୍ଡ୍ରେସ୍ ଖାଇ ମରୁଥିବା କୃଷକର ମଲା ଦେହ। ଏଣୁ କବି କ୍ଷୋଭ ପ୍ରକାଶ କରିବା ସହିତ ତାଙ୍କର ଅନ୍ତର୍ବେଦନାକୁ ପରିପ୍ରକାଶ କରିଛନ୍ତି କବିତାରେ ଏକ ନିଆରା ଶୈଳୀରେ ନିଆରା ଭଙ୍ଗୀରେ। ଏଣୁ କବିଙ୍କ ଭାଷାରେ
“ରୁଷିଥିବା ମୈୗସୁମୀ
ବର୍ଷି ଗଲାଣି ଚାଷ ପାଣି
ରଜସ୍ବଳା ମାଟିର ବାସ୍ନାରେ
ଉଛ୍ଛନ ଲଙ୍ଗଳ ମୂନ,
ଗଭୀର କର୍ଷଣ ସାରିବି ଯେ
ହେଲେ ବୁଣିବି କୋଉ ବିହନ ?
ଖାଲ ବିଲରେ କଟଟି ଚମ୍ପା
ବାକଟି ଚିଡି, ଲଙ୍କେଶ୍ଵରୀ
** ** *
କର୍ପୂର କାନ୍ତି,କେଶରୀ,ତିଳକ ଚନ୍ଦନ
** ** ***
ମାଟି ଦେଇଥିବା ମଞିକୁ
ଧକ୍କା ମାରି ତଡି ଦେଲାଣି
ବଜାରୀ ବିହନ,
ଆଇ. ଆର୍. ଏଚ୍ ଧାନୀ
ସି. ଆର୍ ଟ୍ବେଣ୍ଟି , ଦେବଯାନୀ ଧାନ ”
(ପୃଷ୍ଠା ସଂଖ୍ୟା : ୧୧ ଓ ୧୨)

କବିତାରେ କବି କ୍ଷୋଭ ପ୍ରକାଶ କରିବା ସହିତ ପ୍ରଶ୍ନ କରିଛନ୍ତି ସରକାରଙ୍କୁ, ପ୍ରକୃତରେ ସରକାର ପ୍ରହରୀ ସାଜି କରୁଛି କଣ ? କବି ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହେଲା ପରି ମନେ ହେଉଥିଲେ ହେଁ କବିଙ୍କ ପ୍ରଶ୍ନ ଓ କ୍ଷୋଭ ବାସ୍ତବରେ ଚିନ୍ତାର ବିଷୟ। କବିତାଟି ଖୁବ୍ ଛୁଇଁଲା ମୋତେ। ଏମିତି ଆହୁରି
୪୧ ଗୋଟି କବିତା ଅଛି ସଂକଳନଟିରେ। ସବୁ କବିତାକୁ ଏଠି ଆଲୋଚନା କରିବା ମୋପକ୍ଷେ ସମ୍ଭବ ନୁହଁ। ତେବେ ଶେଷ କବିତା
‘ପତାକା ଉତ୍ତୋଳନ ‘ କବିତାରେ କବି ଦେଖିଛନ୍ତି ଗୋଟିଏ ସାଧାରଣ ମଣିଷର ଦୁଃଖକୁ, ଶୋକକୁ, ଆଶା ଓ ଅଵଶୋଷକୁ। ସେ ମଣିଷଟି ହୋଇଥାଇ ପାରେ ଦାରିଦ୍ର୍ୟର ସୀମାରେଖା ତଳେ ଥିବା ନିହାତି ଅପରିଷ୍କାର ଅପରିଛନ୍ନ ଗରିବ ମଣିଷଟିଏ ଅବା ନିଜର ଭବିଷ୍ୟତ ପାଇଁ ସ୍ବପ୍ନ ଦେଖି କୈୗଣସିବି ସ୍ବପ୍ନକୁ ଛୁଇଁ ପାରୁନଥିବା ନିମ୍ନ ମଧ୍ୟବିତ୍ତଟିଏ। ଆଜି ଯାଏଁ ସେ ବୁଝି ପାରିଲାନି ପ୍ରକୃତରେ ସେ କେତେ ସ୍ବାଧିନ। ସ୍ବାଧୀନତା ଦିବସରେ ବାରିକେଡ୍ ବାହାରେ ଠିଆ ହୋଇଥାଏ ସେ। ତା ସାମ୍ନାରେ ନେତା ମନ୍ତ୍ରୀ ମାନଙ୍କୁ ସଲାମ୍ ଠୋକି ଚାଲୁଥିବା କଦମ୍ ତାଲ୍ ଓ ବାଜୁଥିବା ମାର୍ଚ୍ଚିଂ କନସର୍ଟ ସତେଯେମିତି ବିଦ୍ରୁପ କରୁଥାଏ ତାର ଦାରିଦ୍ର୍ଯତାକୁ। ଏଣୁ କବି କୁହନ୍ତି,
“ବାରିକେଡ୍ ବାହାରେ ଠିଆ
ଅପାଙଂକ୍ତେୟ ଅସ୍ତିତ୍ୱ ମୋର ,
ବିଦ୍ରୁପ କରି ବାଜେ ମାର୍ଚ୍ଚିଂ କନସର୍ଟ
ଖାକି ବର୍ଦି ପିନ୍ଧା
ପାଳିତ ବାହୁବଳର ”
(ପୃଷ୍ଠା ସଂଖ୍ୟା : ୯୪ )

ଏମିତି ନିଆରା ଢଙ୍ଗରେ ସମାଜର ଦଳିତ, ନିଷ୍ପେଷିତ ଓ ଅବହେଳିତ ମଣିଷଙ୍କ କଥା କହୁଥିବା କବି ପବିତ୍ର ମୋହନ ଦାଶଙ୍କ ” ବିକ୍ଷୁବ୍ଧ ସମୁଦ୍ର ” ର ବେଶ୍ କିଛି କବିତା ଭଲ ଲାଗିଛି ମୋତେ ,ଆଶା ଅନ୍ୟମାନଙ୍କୁ ମଧ୍ୟ ନିଶ୍ଚୟ ଛୁଇଁବ ।

 

Leave A Reply

Your email address will not be published.