Latest Odisha News

BREAKING NEWS

ପୁସ୍ତକ ପରିଚୟ : ଗଛ ଓ ଅନ୍ୟାନ୍ୟ ଗଳ୍ପ

ଗଛ ଓ ଅନ୍ୟାନ୍ୟ ଗଳ୍ପ
ଗାଳ୍ପିକ : ରବି ପଣ୍ଡା
ପ୍ରକାଶକ : ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ
ବିନୋଦ ବିହାରୀ , କଟକ
ମୂଲ୍ୟ : ୧୯୫

ଗଳ୍ପ ସଙ୍କଳନ କହିଲେ ଅନେକଗୁଡ଼ିଏ ଗଳ୍ପର ସମାହାରରେ ମୁଦ୍ରିତ ହୋଇଥିବା ପୁସ୍ତକ ବୋଲି ଆମ ମନ ଓ ମସ୍ତିଷ୍କରେ ଚିତ୍ରଟେ ଅଙ୍କିତ ହୁଏ  । କିନ୍ତୁ ଗାଳ୍ପିକ ରବି ପଣ୍ଡାଙ୍କର ଗଳ୍ପ ସଙ୍କଳନ କହିଲେ ଅନେକଗୁଡିଏ ସମାଜିକ ସମସ୍ୟା , ସମସ୍ୟା ଭିତରର ଅନ୍ତର୍ଦ୍ୱନ୍ଦ ଏବଂ ଶେଷରେ ତାର ସମାଧାନର ବାଟ ଦେଖାଉଥିବା ନିଛକ କାହାଣୀସହ ପାଠକର ମନକୁ ଆନ୍ଦୋଳିତ କରୁଥିବା ଅନେକ ଚରିତ୍ର ଓ କାହାଣୀର ସମାହାର ବୋଲି ବୁଝାଯାଏ ।

ଠିକ ସେପରି ଏକ ଗଳ୍ପ ସଙ୍କଳନ “ଗଛ ଓ ଅନ୍ୟାନ୍ୟ ଗଳ୍ପ” । ସମୁଦାୟ ଚଉଦଟି କାହାଣୀରେ ପରିପୁଷ୍ଟ ଏହି ଗଳ୍ପ ସଙ୍କଳନର କଳେବର। ପ୍ରତ୍ୟେକ କାହାଣୀ ନିଜସ୍ୱ ଶୈଳୀରେ ବଖାଣନ୍ତି ଗାଳ୍ପିକଙ୍କର ଗଳ୍ପକଳାର ଗୂଢ଼ତତ୍ତ୍ୱ।

“ଗଛ” କେବଳ ଶାଖା ପ୍ରଶାଖା ମେଲି ଫଳ ଫୁଲରେ ଭର୍ତ୍ତି ହୋଇ ଛାଇ ଦେଉଥିବା ଅବୟବ ନୁହେଁ, ବରଂ ଗୋଟିଏ ପୀଢ଼ିରୁ ଆଉ ଗୋଟିଏ ପୀଢ଼ିକୁ ଯୋଡ଼ି ରଖୁଥିବା ଏକ ଜୀବନ୍ତ ମାଧ୍ୟମ ମଧ୍ୟ ହୋଇପାରେ। “ଗଛ ଅନ୍ୟାନ୍ୟ ଗଳ୍ପ”ର ପ୍ରଥମ ଗଳ୍ପ “ଗଛ” ଠିକ ସେପରି ଏକ କାହାଣୀର କଥାବସ୍ତୁ । ସାମ୍ପ୍ରତିକ ସମାଜରେ ଯୌଥ ପରିବାର ଭାଙ୍ଗି ଏକକ ପରିବାର ସୃଷ୍ଟି ହେଲାବେଳକୁ ଅଗଣାରେ ଥିବା ଗଛଟି ବାଧକ ସାଜିଛି । ଚାରିଟି ଭିନ୍ନ ଭିନ୍ନ ଚିନ୍ତାଧାରା ଭିତରେ ଅସହ୍ୟ ହୋଇଛି ଗଛଟିର ଅବସ୍ଥିତି। ଶେଷରେ ଗଛକୁ ରାସ୍ତାରୁ ହଟେଇ ଦେବା ଯୋଜନା ଭିତରେ ରାତିର ନିସ୍ତବ୍ଧ ମୁହୂର୍ତ୍ତ ଫେରାଇ ଦେଇଛି ଗଛକୁ ନେଇ ସାଇତା ହୋଇଥିବା ଯେତେସବୁ ସ୍ମୃତି । ସେଇ ସ୍ମୃତିର ସୁଗନ୍ଧରେ ଚାରିଟି ଭିନ୍ନ ଭିନ୍ନ ଚିନ୍ତାଧାରା ଗଛ ସହିତ  ସଜାଡ଼ି ନେଇଛନ୍ତି ତାଙ୍କର ଭାଗର ପରିସୀମା।

“ଧର୍ମ” କହିଲେ ଝାଞ୍ଜ, ଖୋଳ, ମୃଦଙ୍ଗ , ଧୂପକାଠି , ଘିଅ ସଳିତା କି ଶ୍ରୁତିମଧୁର ଭଜନ ନୁହେଁ। ଧର୍ମ ଏକ ମାନସିକତା। ସେ ମାନସିକତା ଭିତରେ ମାନବବାଦ। ଦୟା , କ୍ଷମା , କରୁଣା ସହ ପରକୁ ଆପଣାର କରିପାରୁଥିବା ଏକ ବିଚାରବୋଧ ହିଁ ଧର୍ମ। କିନ୍ତୁ କିଛି ସ୍ୱାର୍ଥକେନ୍ଦ୍ରିତ ଗୋଷ୍ଠୀ ଭିତରେ ଧର୍ମ ଏକ ପ୍ରହସନ , ବିଚାରବୋଧଶୁନ୍ୟ ଅମାନବୀୟ ଘଟଣା, ବ୍ୟକ୍ତିର ଭେକ ଦେଖି ଭିକ ଦେଲା ପରି ସେମାନେ ଅନ୍ୟକୁ ସାମିଲ କରନ୍ତି ନିଜ ଧାର୍ମିକ ଗୋଷ୍ଠିରେ। ଧର୍ମର ପ୍ରକୃତ ଅର୍ଥ ବୁଝେଇବାକୁ ଯାଇ ଗାଳ୍ପିକ ଏକ ବିକଳାଙ୍ଗ ମଣିଷର ଅସହାୟତା ଭିତରେ ତଥାକଥିତ ଧାର୍ମିକ ବ୍ୟକ୍ତିମାନଙ୍କର ବ୍ୟବହାରକୁ ନିଖୁଣ ଭାବରେ ଉପସ୍ଥାପିତ କରିଛନ୍ତି । ଅସୁର ଗପଟି ଏକ ଭିନ୍ନ ବାର୍ତ୍ତା ନେଇ ଆସେ। ସମାଜରେ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଆସୁରିକ ସତ୍ତାଟିଏ ଲୁଚି ରହିଥାଏ । ପ୍ରକାଶ ନକରିବା ଯାଏଁ ମଣିଷ ସ୍ୱତନ୍ତ୍ର କିନ୍ତୁ ଥରେ ପ୍ରକାଶିତ ହୋଇଗଲେ ଅସୁରର ଆଖ୍ୟା ନେଇ ଜୀବନ ସାରା ଘାଣ୍ଟିହୁଏ । ସମ୍ବୋଧନ ବିନା ସମ୍ପର୍କର କୌଣସି ମୂଲ୍ୟ ନାହିଁର ଦ୍ୱାହି ଦେଇ ବେଳେ ବେଳେ ଅସୁର ପାଲଟି ଯାଉଥିବା ମଣିଷ ଭିତରେ ବି ଲୁଚି ରହିଥାଏ ମଣିଷତ୍ୱର ଚେତନା । ନିଜ ରକ୍ତ ପାଣି ହୋଇଗଲେ ବିଶ୍ୱାସ ସବୁ ଧୂଆଁ ପରି ଆକାଶ ମୁହାଁ ହୁଅନ୍ତି । ସାରା ଆକାଶର ରଙ୍ଗ ସେତେବେଳେ ଦୁଃଖ ଓ ଯନ୍ତ୍ରଣାରେ କଳା ପଡ଼ିଯାଏ । ମାତୃଭୁମିର ମୂଲ୍ୟ ମୁଠାଏ ଟଙ୍କା ଆଗରେ ମୂଲ୍ୟହୀନ ହୋଇଯାଏ। ଜୀବନବ୍ୟାପି ନିରାପଦ ଭାବିଥିବା ସ୍ଥାନ ହିଁ ମୃତ୍ୟୁଶଯ୍ୟା ହୋଇଯାଏ। ଏହି ଗପଟିରେ ଗାଳ୍ପିକ ଏକ ଲୋଭଗ୍ରସ୍ଥ ପୁତ୍ରର ଅସହାୟ ପିତା ମାତାଙ୍କ ସଂଗ୍ରାମର ଏକ ନିଖୁଣ କାହାଣୀ ବର୍ଣ୍ଣନା କରିଛନ୍ତି ।

ହାଟ ସବୁବେଳେ ଏକ ଆକର୍ଷଣ । ସେ ଯେଉଁ ହାଟ ହେଉ। ହାଟକୁ ଯିବା ସହଜ , ମୂଲଚାଲ କରିବା ବି ସହଜ । କିନ୍ତୁ ନିର୍ଦ୍ଦିଷ୍ଟ ଦ୍ରବ୍ୟର ପ୍ରକୃତ ମୂଲ୍ୟ ନିରୂପଣ କରିବାକୁ ହେଲେ ନିଜ ଭିତରକୁ ଅଣ୍ଡାଳିବାକୁ ପଡ଼ିବ , ସେଥିପାଇଁ କେବଳ ଧନ ନୁହେଁ ମନ ଓ ହୃଦୟ ବି ଦରକାର । ହାଟ ନାରୀତତ୍ତ୍ୱର ଏକ ଚମତ୍କାର ପରିକଳ୍ପନା । ଘର ଗଳ୍ପଟି ସମାଜରେ ବ୍ୟକ୍ତିବିଶେଷର ଅସ୍ତିତ୍ୱର କଥା କହେ। ଘର ନଥିଲେ ଯେମିତି ପରିଚୟ ନାହିଁ। ନିଜ ଘର ନାହିଁ ମାନେ ସତ୍ତା ନାହିଁ ! ଯେମିତି ହେଲେ ଘରଟିଏ କିଏ କରିପାରେ ? କାହାକୁ ଘରର ପ୍ରକୃତ ନିର୍ମାତା ବୋଲି କୁହାଯିବ ? ଯିଏ ପ୍ରଚୁର ଅର୍ଥ ବିନିମୟରେ ଚାରିଟି କାନ୍ଥ ଓ ଛାତଟିଏ ତିଆରି କରେଇଥିବ ନା ଗାତ ଖୋଲିବାଠୁ ନେଇ ରଙ୍ଗ ଲାଗିବା ପର୍ଯ୍ୟନ୍ତ ସବୁକାମରେ ଯେଉଁମାନଙ୍କର ଝାଳବୁହା ପରିଶ୍ରମ ଥିବ ସେଇମାନଙ୍କୁ ! ଏ ଗଳ୍ପଟିରେ ଗାଳ୍ପିକ ଏକ ପ୍ରଶ୍ନ ଛାଡି ଦେଇଛନ୍ତି ପାଠକ ମନରେ । ଶୁନ୍ୟତାର ଚୌହଦି ଗପରେ ବର୍ଷାଦିନର ଏକ ହୃଦୟ ବିଦାରକ ଘଟଣାକୁ ଗାଳ୍ପିକ ଗଳ୍ପର ରୂପ ଦେଇଛନ୍ତି । ବଢ଼ି ପାଣି କାହାପାଇଁ ଏକ ଦୃଶ୍ୟ ତ କାହା ପାଇଁ ଏକ ସୁଯୋଗ । ପୁଣି ଆଉ କାହା ପାଇଁ ଦୁଃଖର ପସରା ହୋଇଯାଏ। ତଥାପି ମଣିଷ ବଞ୍ଚିବାର ରାହାଟିଏ ଖୋଜୁଥାଏ। ବେଳେ ବେଳେ ଜୀବନରେ ନିଜେ ନିଜ ସହ ଯୁଦ୍ଧ କରିବାକୁ ପଡ଼େ । ଅପ୍ରିୟ ସତକୁ ସାମ୍ନା କରିବା ପାଇଁ ମିଛଟିଏ ସାହାରା ହୋଇପାରେ କିନ୍ତୁ ଆତ୍ମଗ୍ଳାନିରୁ ରକ୍ଷା କରିବା ପାଇଁ କେବେ ବି ସମର୍ଥ ହୋଇପାରେନା । ଲଜ୍ୟା ଲଜ୍ଜା ନାରୀର ସର୍ବଶ୍ରେଷ୍ଠ ଆଭୂଷଣ କିନ୍ତୁ କେବଳ ନାରୀ ନୁହେଁ ପୁରୁଷ ବି ସେଥିପ୍ରତି ଦାୟିତ୍ୱବାନ ହେବା ଆବଶ୍ୟକ। ନାରୀର ବିବସନା ବେଶ ପଛରେ ତାର ଶକ୍ତି ସ୍ୱରୂପିଣୀ ରୂପଥାଏ । ମୂଷା ଗପରେ ରହିଛି ଦାୟିତ୍ୱହୀନ ପୁତ୍ରମାନଙ୍କ ପ୍ରତି ପିତାର ଉଚିତ ଶିକ୍ଷା ।
ପରିସ୍ଥିତି ପ୍ରତିକୂଳ ହେଲେ ସାଧାରଣ ମଣିଷଟେ ବି ହୋଇପାରେ ରକ୍ତମୁଖା । ମାଟିର ମଣିଷ ଖୋଜେ ଟିକିଏ ବିଶ୍ୱାସ । ସେ ବିଶ୍ୱାସରେ ବିଷ ମିଶିଗଲେ କାହାକୁ ବି ମେରିଆ କରିବାକୁ ତାକୁ ସମୟ ଲାଗେ ନାହିଁ । ଫଟୋ ଗପରେ ଗଙ୍ଗା ଚରିତ୍ରର ମାନସିକତା ତାର ଦାରିଦ୍ର୍ୟର କାରୁଣ୍ୟ ଭିତରେ ଅଣନିଃଶ୍ୱାସୀ ହୋଇପଡୁଥିବା ବେଳେ ପରିସ୍ଥିତିର ଚାପରେ ସେ ନଇଁ ପଡୁଛି । ଦାରିଦ୍ର୍ୟ ମଣିଷର ମନକୁ ଭାଙ୍ଗି ଚୁରମାର କରିଦିଏ । ଅନ୍ଧାରରେ ବି ଧାରେ ଆଲୁଅ ଥାଏ । ସେଇ ଧାରେକୁ ଧରି ପାରିଲେ ହେଲା । ଅନ୍ଧାରରୁ ପାଦେ ଆଗକୁ ଗଳ୍ପଟିରେ ସେଇ ଆଲୋକର ସନ୍ଧାନ ବିଷୟରେ ଗାଳ୍ପିକ କହିଛନ୍ତି ।

ଗଳ୍ପ ସଙ୍କଳନର ଶେଷ ଗପ ” ବୋଉ ” ଗାଳ୍ପିକଙ୍କର ଏକ ଚମତ୍କାର ସୃଷ୍ଟି । ଜନ୍ମଭୂମିରେ ଭୂମିଷ୍ଠ ହେବା ପୂର୍ବରୁ ସମଗ୍ର ସତ୍ତାକୁ ଆବୋରି ରଖିଥିବା ଏକ ନିବିଡ଼ ଅନୁଭବ ‘ ବୋଉ ‘ । ଯେତେବେଳେ ଇଚ୍ଛା ଅନିଚ୍ଛାବେଗ , ଆବେଗ ପରିସ୍ଥିତର ଦ୍ବାହିରେ ବୋଉମାନେ ନିଷ୍ପ୍ରାଣ ହୋଇଯାଆନ୍ତି , ସେତେବେଳେ ହୋଇଯାଆନ୍ତି ରକ୍ତ ମାଂସର, ମାଂସ ପିଣ୍ଡୁଳାଟିଏ । ବିନା ଆଶାରେ ବଂଶ ବୁନିଆଦିର ଆଦର୍ଶକୁ ଶେଷ ନିଃଶ୍ୱାସ ଯାଏଁ ବାନ୍ଧି ରଖିପାରନ୍ତି ବୋଉମାନେ । ସେଇ ଆଦର୍ଶକୁ ଅନାୟସରେ ଆଉ ଗୋଟିଏ ପୀଢ଼ିକୁ ଉତ୍ତରାଧିକାରୀ ସୂତ୍ରରେ କେତେବେଳେ ଦେଇ ଦିଅନ୍ତି ତାହା ଆକଳନ କରି ହୁଏନାହିଁ ।

ବାସ୍ତବରେ ଗଳ୍ପ ସଙ୍କଳନଟି କେବଳ ପାଠକଙ୍କୁ ବାନ୍ଧି ରଖିବ ନାହିଁ , ତା’ସହ ସମାଜର ଆଢ଼ୁଆଳରେ ରହୁଥିବା ଚରିତ୍ରକୁ ଆମ ସାମ୍ନାକୁ ଆଣିବ। ଆମ ଆଖିଆଗରେ ଚଳ ପ୍ରଚଳ ହେଉଥିବା ଅନେକ ଚିହ୍ନା ମୁହଁ ଭିତରେ ସେ ଗପଗୁଡ଼ିକର ଖିଅ ଯୋଡ଼ି ହେଉଥିବ । ସଙ୍କଳନସ୍ଥ ଅନେକ ଗପ ଓଡ଼ିଆ ଗପ କ୍ଷେତ୍ରରେ ବିରଳ ସୃଜନ ଓ ସେଗୁଡ଼ିକ ଅବିସ୍ମରଣୀୟ ହୋଇ ରହିବ , ସେଥିରେ କୋଣସି ସନ୍ଦେହ ନାହିଁ।

Leave A Reply

Your email address will not be published.