Latest Odisha News

BREAKING NEWS

ପୁସ୍ତକ ପରିଚୟ : କାକଳି

କବୀ ମନୋରମା ମିଶ୍ରଙ୍କ “କାକଳି” ଏକ ବିହଙ୍ଗମ ଦୃଷ୍ଟି

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା

କବିତା ସଙ୍କଳନ : କାକଳି 
କବୀ : ମନୋରମା ମିଶ୍ର
ପ୍ରକାଶକ ‐ ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ, ଭୁବନେଶ୍ବର
ପୃଷ୍ଠା ‐ ୯୪, ମୂଲ୍ୟ ‐ ଟ୧୦୦/

ମନୁଷ୍ୟ କେତେ ବସ୍ତୁବାଦୀ ଯେ ଆଖି ଆଗରେ ପ୍ରକୃତିର ଅହରହ ପରିବର୍ତ୍ତନ ଘଟି ଚାଲିଥିଲେ ମଧ୍ୟ ତାକୁ ଉପଭୋଗ କରିବାକୁ ତା’ ପାଖରେ ଇଞ୍ଚେ ସମୟ ନାହିଁ କି କାଣିଚାଏ ଇଚ୍ଛା ନାହିଁ । ସକାଳର ସୂର୍ଯ୍ୟୋଦୟ, ସନ୍ଧ୍ୟାର ସୂର୍ଯ୍ୟାସ୍ତ, ଗୋଧୂଳିର ଆକାଶ, ସମୁଦ୍ର ଭିତର ଜଳରାଶି ସହିତ ମିଶି ଯାଉଥିବା ଆକାଶ, ଦିଗନ୍ତକୁ ଛୁଉଁଥିବା ପାହାଡର ମଥାନ ଆଉ ପକ୍ଷୀର “କାକଳି” ଏସବୁକୁ ମନ ଭରି ଦେଖିବାକୁ, ବୁଝିବାକୁ ସମୟର କେତେ ଅଭାବ ସତେ ! ମୋହଗ୍ରସ୍ତ ମଣିଷଟେ ପାଇଁ ଏସବୁ ନିରର୍ଥକ ହୋଇପାରେ କିନ୍ତୁ କବି ପାଇଁ ? କବି ପାଏ ଏଠୁ ଅନନ୍ତ ପ୍ରେରଣା, ହୃଦୟଭରା ଉଚ୍ଛ୍ବାସ ଆଉ ପ୍ରାଣୋଚ୍ଛଳ ଜୀବନସ୍ରୋତ । ସେ କବିତା ଲେଖେ ପ୍ରକୃତିକୁ ନେଇ, ନିଜ ଚାରିପଟରେ ଆତଯାତ ମଣିଷଙ୍କୁ ନେଇ, ସେମାନଙ୍କ ଭଲମନ୍ଦ, ସୁଖଦୁଃଖକୁ ନେଇ । ଯଦି କବିତାର ଉତ୍ସ ଏତେ ଜୀବନ୍ମୟ ତେବେ କବିତା ବା କେମିତି ପ୍ରାଣସ୍ପର୍ଶୀ ନ ହେବ ! ଆମ ସମୟର ଜଣେ ସୁପରିଚିତ କବୀ, ଗାଳ୍ପିକା, ଶିଶୁ ସାହିତ୍ୟିକା ଶ୍ରୀମତୀ ମନୋରମା ମିଶ୍ରଙ୍କ କବିତା ଗ୍ରନ୍ଥ “କାକଳି”ର ଅନ୍ତଃସ୍ବର ଠିକ୍ ଏହିପରି ।

କବୀ ମନୋରମାଙ୍କ କବିତାବଳି ଯେମନ୍ତ ସରଳ ସେପରି ଭାବୋଦ୍ଦୀପକ । ପ୍ରକୃତି, ପରିବଶର ରୂପଛଟାକୂ ଶବ୍ଦରେ ଆଙ୍କୁଆଙ୍କୁ କବୀ ସାଧାରଣ ମଣିଷ ଜୀବନର ସୁଗଦୁଃଖକୁ ଅତି ନିବିଡଭାବେ ଆବୋରିଛନ୍ତି । ଖୁବ୍ ନିକଟରୁ ସେମାନଙ୍କୁ ପରଖିଛନ୍ତି । ଯେଉଁ ସାମ୍ୟତା ଓ ଭିନ୍ନତା ତାଙ୍କୁ ଆନମନା କରିଛି ତାକୁ କବିତାରେ ଉତାରିଛନ୍ତି । କବୀ ନିଜକୁ ଫୁଲ ଭଳି ହେବାକୁ ଚାହିଁଛନ୍ତି । ସଂସାର ଯାବତୀୟ କଠୋରତା, ନିଷ୍ଠୁରତା ଓ ନିର୍ମମତା ସତ୍ତ୍ବେ ସେ ଫୁଲ ଭଳି ନିଜର ସୁଗନ୍ଧ ବିତରିବାକୁ ଶ୍ରେୟ ମନେ କରିଛନ୍ତି । ତେଣୁ ସେ ଲେଖିଛନ୍ତି
‘ଇନ୍ଦ୍ରଧନୁର ସାତରଙ୍ଗକୁ ଫୁଲ ଆଣି ନିଜ ସଙ୍ଗେ
ଧରାର ଅଙ୍ଗ ସାଜି ଦେଉଥାଏ ନିତ୍ୟ ନୂତନ ରଙ୍ଗେ
ଫୁଲର ସୁରଭିମୃଦୁ ହିଲ୍ଲୋଳେ ଭାସି ଆସି ସମୀରଣେ
ମହକାଇ ଦେଇ ସାରା ପରିବେଶ ପୁଲକ ଜଗାଏ ପ୍ରାଣେ’

ଫୁଲର ଜୀବନ କ୍ଷଣଭଙ୍ଗୁର । ମାତ୍ର ସେଇ ସୀମିତ ସମୟ ମଧ୍ୟରେ ସେ ନିଜର ସୌନ୍ଦର୍ଯ୍ୟ ଓ ସୁଗନ୍ଧ ଦ୍ବାରା ଅଗଣିତ ଜନମନକୁ ହରଣ କରିଥାଏ । ସେଥିପାଇଁ ତ ସେ ଐଶ୍ବର୍ଯ୍ୟମୟୀ । କବୀଙ୍କ ମତରେ:-

‘ଅଳୀକ ଜୀବନେ ଅତୁଳ ସୁଷମା ନିଜ ଅଙ୍ଗେ ଭରି ନେଇ
ରୂପରଙ୍ଗ ରସ ବାସରେ ହାସରେ ଫୁଲ ଐଶ୍ବର୍ଯ୍ୟମୟୀ’

ମୌସୁମୀ ଯେମିତି ବର୍ଷାଗମର ବାର୍ତ୍ତା ନେଇ ଶୀତଳ ପବନକୁ ସାଙ୍ଗରେ ନେଇ ଧରା ପୃଷ୍ଠରେ ପ୍ରଥମ ପ୍ରମାଣ ସ୍ବରୂପ ବର୍ଷିଯାଇ ସମଗ୍ର ଜୀବଜଗତକୁ ଏକ ଦୀର୍ଘ ଅପେକ୍ଷମାଣ ମୁହୂର୍ତ୍ତର ସୁନ୍ଦର ଓ ମଧୁର ଅନ୍ତ ଦେଇଥାଏ, ତାକୁ କବୀ ସଜେଇଛନ୍ତି ଏହିପରି
‘ତୁମ ଆଗମନେ ଚପଳା ଚମକେ
ଶୁଭେ ଘଡଘଡି ସ୍ବନ
ନୀଳ ଗଗନକୁ ଆଚ୍ଛାଦି ଭାସେ
ନିର୍ଦ୍ବନ୍ଦେ କଳାଘନ
*********
ଶୀତଳ ସମୀର ଦିଅଇ ବାର୍ତ୍ତା
ଆସୁଛି ବର୍ଷା ଖରେ
ଉତ୍ସୁକ ମାଟି ବୁଜି ଦେଇ ଆଖି
ଭିଜିବା ସୁଖକୁ ସ୍ମରେ’
ସେମିତି ଫୁଲ ଫଗୁଣର ଋତୁ ବସନ୍ତର ଆଗମନରେ ସମଗ୍ର ଧରାପୃଷ୍ଠରେ ଆନନ୍ଦର ଜୁଆର ଖେଳି ଉଠେ । ଶୀତର ଶୁଷ୍କତାକୁ ପରିତ୍ୟାଗ ପୂର୍ବକ ହତଶ୍ରୀ ସବୁଜ ବନଲତା ଅପୂର୍ବ ରୂପସମ୍ଭାରରେ ନିଜକୁ ସଜେଇ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି । ଫଗୁଣ ଆଣେ ଅଜସ୍ର ରୂପର ସମ୍ଭାର, ମନରେ ବେପଥୁ ଆଉ ଶରୀରରେ ଶିହରଣ । ପ୍ରକୃତିର ଏହି ପରିବର୍ତ୍ତନକୁ କବୀ ମନୋରମା ଖୁବ୍ ପ୍ରତ୍ୟକ୍ଷ କରିଛନ୍ତି ଆଉ ତନ୍ମୟ ହୋଇ ଲେଖିଛନ୍ତି :-
‘ପ୍ରୀତିର ଫଗୁଣ ନହୁଲି ତନୁରେ କୋମଳ ବେପଥୁ ସୃଜିଲାଣି
ଅନୁରାଗେ ହୋଲି ଧରଣୀର ଅଙ୍ଗେ ନାଲିଆ ଓଢ଼ଣୀ ଖଞ୍ଜିଲାଣି
ସରାଗରେ କେହି ଅବିର ମୁଠାଇ ଆନନ୍ଦରେ ରଙ୍ଗ ମାଖିଲାଣି
ରଙ୍ଗ ମାଖି ହୋଇ ମତୁଆଲା କେହି ପ୍ରୀତିର ମଦିରା ଚାଖିଲାଣି’

ବସନ୍ତ କେବଳ ଏକ ଋତୁ ନୁହେଁ, ସମଗ୍ର ପାଦପ ଜଗତ ପାଇଁ ନବ ଯୌବନର ଆବାହନୀ । ବସନ୍ତ ଆଗମନେ ଶୁଷ୍କ ତରୁ ପୁଣି ପଲ୍ଲବିତ ହୁଏ, ପର୍ବପର୍ବାଣୀର ହିଲ୍ଲୋଳ ସଭିପ୍ରାଣରେ ଆନନ୍ଦ ଓ ଉନ୍ମାଦନା ଭରିଦିଏ । ଗୀବଜଗତରେ ଯେଉଁ ଉଲ୍ଲାସର ଜୁଆର ଉଠେ ତାକୁ ଲକ୍ଷ୍ୟ କରି କବୀ ଲେଖିଛନ୍ତି
‘ବସନ୍ତ ଆଗମେ ଶ୍ରୀହୀନ ପାଦପ
ସବୁଜ ଶୋଭାରେ ଭରିଗଲା
ଫୁଲର ଫଗୁଣ ଚଇତି ପବନ
ଦୁଃଖ ଶୋକ ସବୁ ହରିନେଲା
ହରିନେଲା ଯଦି ହରିନେଲା
ଆନନ୍ଦ ଉଲ୍ଲାସେ ମଜାଇ ସଭିଙ୍କୁ
ପ୍ରୀତି ଭାବେ ବଶ କରିଦେଲା’

କବୀ ମନୋରମାଙ୍କ ”କାକଳି” ୪୯ଟି ସୁମଧୁର ଛନ୍ଦ କବିତାର ମାଳଟିଏ । ପ୍ରତ୍ୟେକ କବିତାର ଆବେଦନ ସୁନ୍ଦର ଓ ମଧୁର । ଜୀବନ ବାତାୟନରେ ସେ ଯେଉଁ ସବୁ ଦୃଶ୍ୟ ବା ଘଟଣାକୁ ପ୍ରତ୍ୟକ୍ଷ କରିଛନ୍ତି ତାକୁ ଖୁବ୍ ସରଳ ମାତ୍ର ଆବେଗମୟୀ ଭାଷାରେ କବିତାରେ ଗାରେଇଛନ୍ତି । ସଂକଳନର କିଛି କବିତାରେ କବୀଙ୍କ ପ୍ରକୃତିପ୍ରୀତି ପ୍ରତିଫଳିତ ହୋଇଥିବା ବେଳେ ଆଉ କିଛିରେ ଦେଶ ଓ ଜାତିର କତିପୟ ବରେଣ୍ୟ ପ୍ରତିଭାଙ୍କ ଜୀବନାଲେଖ୍ୟ ଅଙ୍କିତ । ପୁଣି ଉତ୍କଳୀୟ ପରମ୍ପରା, ପର୍ବପର୍ବାଣୀ, ଲୋକଧର୍ମ ତଥା ଜୀବନଦର୍ଶନକୁ ନେଇ କବୀଙ୍କ ଅନେକ କବିତା ସମୃଦ୍ଧ । ଯେମିତି
‘ଜୀବନଟା ଯେବେ
ବୋଝ ହୋଇଯାଏ
ବୋହିବାକୁ ଭିଡ ଲାଗେ
ତଥାପି ମଣିଷ
ବଞ୍ଚିଥିବା ଯାଏ
ବୁହେ ତାକୁ ନିଜ ସଙ୍ଗେ’
କବୀ ମନୋରମାଙ୍କ କବିତାର ଅନେକ ପଂକ୍ତି ଭିତରେ ମାନବୀୟ ମୂଲ୍ୟବୋଧ ଓ ଉଚ୍ଚ ଦାର୍ଶନିକ ଚିନ୍ତା ଖୁବ୍ ସୁନ୍ଦର ଭାବେ ପ୍ରତିଫଳିତ । ଛୋଟଛୋଟ ବାକ୍ୟ ତଥା ସରଳ ଓ ଛନ୍ଦମୟ ପ୍ରକାଶଶୈଳୀ ହିଁ ତାଙ୍କ କବିତାର ଲକ୍ଷ୍ୟଣୀୟ ତାତ୍ପର୍ଯ୍ୟ । ତାଙ୍କ ପାଇଁ କବିତା ଶ୍ରଦ୍ଧା, ଶାନ୍ତି, ଇଚ୍ଛା, ପ୍ରାପ୍ତି, ଆନନ୍ଦ, ବେଦନା, ଭାବନା ଓ ଚେତନାର ଦ୍ୟୋତକ । କବିତାରେ ହିଁ ସେ ସତ୍ୟ, ଶିବ ଓ ସୁନ୍ଦରର ଉପାସନା କରନ୍ତି । ପ୍ରହେଳିକା ଓ କୁହେଳିକା ଭରା କ୍ଷଣଭଙ୍ଗୁର ଜୀବନରେ କବିତା ତାଙ୍କ ପାଇଁ ଉପାସନା, ଆଶ୍ବାସନା ପୁଣି ଅଗଣିତ ଉଜୁଡା ଓଠର ଅଭିମାନ ଓ ସ୍ବାଭିମାନ ଭରା ମୂର୍ଚ୍ଛନା । ନଶ୍ବର ଜୀବନର ଅସାରତାକୁ ସରସତାରେ ଭରିଦବା ପାଇଁ କବୀ ନିଜ ଅନ୍ତରାତ୍ମାକୁ ଈଶ୍ବରଙ୍କ ଶରଣାପନ୍ନ କରିବା ପାଇଁ ଆହ୍ବାନ ଦେଇ କହିଛନ୍ତି
‘ଜୀବନ ଯାହାର
ଯେମିତି ବି ହେଉ
ମନ ଦେଲେ ପ୍ରଭୁ ପାଶେ
ନଶ୍ବର ଜୀବନ
କଟିଯିବ ସୁଖେ
ଯେତେ ଦିନ ଥିବ ବିଶ୍ବେ’

ବିବିଧ ଦର୍ଶନ, ଚିନ୍ତା ଓ ଚେତନା ସମ୍ବଳିତ “କାକଳି”ର ବହୁଳ ପାଠକୀୟତା କାମନା କରିବା ସହିତ କବୀ ମନୋରମା ମିଶ୍ରଙ୍କ ଏହି ସଙ୍କଳନଟି ବିପୁଳ ପାଠକୀୟ ଆଦୃତି ଲାଭ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

୭୩୭୭୮୮୯୯୧୬
ନୀଳଚକ୍ର ନଗର
ଅଠରନଳା
ପୁରୀ

Leave A Reply

Your email address will not be published.