Latest Odisha News

BREAKING NEWS

ପୁସ୍ତକ ପରିଚୟ : ସ୍ମୃତିରୁ ସାଉଁଟା ଫୁଲ

କବିତା ସଙ୍କଳନ : ସ୍ମୃତିରୁ ସାଉଁଟା ଫୁଲ
କବି : ପଦ୍ମଲୋଚନ ସାହୁ
ପ୍ରକାଶକ : ଲିପିକା , ଜଟଣୀ
ପୃଷ୍ଠା : ୧୧୨
ମୂଲ୍ୟ : ୧୫୦

ପ୍ରେମ ଏକ ଏକାନ୍ତ ଅନୁଭବ । ଶରୀର, ମନ ଓ ଆତ୍ମାକୁ ଶିହରେଇ ପାରେ,  ଆଖିରେ ଲୁହ ବି ଆଣିପାରେ , ତମାମ ଦୁଃଖ ଭିତରେ ଚେନାଏ ସୁଖ ବି ଅନୁଭବି ପାରେ। କେବେ ସ୍ମୃତିରେ ଭିଜେଇ ଦିଏ ତ ଆଉ କେବେ ଯନ୍ତ୍ରଣାରେ ଜର୍ଜରିତ କରିପାରେ । ସେହିପରି କିଛି ଭାବକୁ ଶବ୍ଦର ପରିପ୍ରକାଶ ସହ କବି ପଦ୍ମଲୋଚନ ସାହୁ ସଙ୍କଳିତ କରିଛନ୍ତି ତାଙ୍କ ସଦ୍ୟ ପ୍ରକାଶିତ କବିତା ସଙ୍କଳନ ‘ସ୍ମୃତିରୁ ସାଉଁଟା ଫୁଲ’ ରେ। ସମୁଦାୟ ଚଉରାଶିଟି ପଦ୍ୟ କବିତାର ସମାହାର ଏହି ସଙ୍କଳନରେ କବି କବିତା ମାଧ୍ୟମରେ ପ୍ରେମର ପରିଭାଷାକୁ ବର୍ଣ୍ଣନା କରିଛନ୍ତି।

କବିଙ୍କ ଭାଷାରେ :

ତୁମ ପାଇଁ ଆଜି ଲେଖିଛି କବିତା
ରାତି ଉଜାଗର ରହି
ପଢିବକି ବାରେ ବୁଝିବକି ଥରେ
ନୀରବ ରାତିରେ ସହି ।

×××××× ×××××××

ସାଇତି ରଖିଛି ତୁମ ପାଇଁ ସାଥୀ
ସ୍ମୃତିର ସାଉଁଟା ଫୁଲ
ଏଇ ଦୁନିଆରେ ତୁମ ଛଡ଼ା ଆଉ
କିଏ ଦେବ ତାର ମୂଲ?

ପ୍ରେମରେ ବିରହ ନଥିଲେ ପ୍ରେମକୁ ଅନୁଭବ କରି ହୁଏନା। ଯନ୍ତ୍ରଣା ନଥିଲେ ତାର ମୂଲ୍ୟ ବୁଝି ହୁଏନା। ପ୍ରେମ କେବଳ ପାଇବାରେ ନଥାଏ , ଥାଏ ଦେବାରେ। ପ୍ରେମରେ ଚେତନ,  ଅବଚେତନ ସବୁ ସମାନ।  ପ୍ରେମ କେବେ ମେଘ ପକ୍ଷୀର ଗୀତ ଗାଏ ତ କେବେ ଚିଠିଟିଏ ଭିତରେ ସବୁତକ ଅନୁରାଗକୁ ଉତାରି ଦେବାର ପ୍ରୟାସ କରେ। ସ୍ୱପ୍ନର ବାଲିଘରେ ଭାବନାର ଘର ତିଆରି, ରଙ୍ଗ ରୂପ ସଜାଡି ଜୀବନ ଏକ ନୂଆ ପରିଚୟ ସୃଷ୍ଟି କରିହୁଏ। ପ୍ରେମ ହିଁ  ଫଗୁଣରେ ବୀଣାର ଝଙ୍କାର ତୋଳେ। ଚିଠିର ମାଦକତାରେ ପ୍ରେମର ପରାକାଷ୍ଠାକୁ ଅନୁଭବ କରି ହୁଏ।

କବିଙ୍କ ଭାଷାରେ: –

ଲେଖିଥିଲ ପରା ଗୋଲାପୀ ଚିଠିରେ
ପ୍ରେମର ଅତର ଢାଳି
ଭୁଲିବାନି କେବେ ଲେଖିଥିଲ ତୁମେ
ଯେ ଯାଏ ଯାଇନେ ମରି।

ପ୍ରେମିକଟିଏ ସ୍ୱପ୍ନ ବିଳାସୀ ହୋଇଥାଏ। ସ୍ୱପ୍ନରେ ହିଁ ଭାସୁଥାଏ। ଅନିନ୍ଦ୍ର ହୁଏ, ଉଚ୍ଛନ୍ନ ହୁଏ। କିନ୍ତୁ ପ୍ରେମର ହାତ ଛାଡିପାରେ ନାହିଁ । ସେଇ ତାର ପ୍ରେମିକ ପଣର ସାର୍ଥକତା ।ପଥ ଦୁର୍ଗମ ହେଉ ଅବା ସୁଗମ ପ୍ରେମ ହାରେ ନାହିଁ।

ଅଧୁନା ଓଡ଼ିଆ ସାହିତ୍ୟର କବିତା ବିଭାଗରେ ଆଧୁନିକ କବିତାର ଧାରା ଚାଲିଥିବା ବେଳେ କବି ଶ୍ରୀ ସାହୁଙ୍କ ପଦ୍ୟ କବିତାର ଏଇ ସଙ୍କଳନ ଏକ ନିଆରା ସୃଷ୍ଟି। ପ୍ରେମ ପରି ଏକ ଭାବମୟ ବିଷୟରେ ଏତେ ସବୁ ପଦ୍ୟ କବିତା ଲେଖିବାରେ ସଫଳ ହେବା କବିଙ୍କ ଗଭୀର ସାହିତ୍ୟାନୁରାଗ ବିଷୟରେ ଅବଗତ କରାଏ। ଏହି ସଙ୍କଳନର ପ୍ରତିଟି କବିତାର ଶବ୍ଦ ସଂଯୋଜନା, ଭାବ ପାଠକଙ୍କ ହୃଦୟକୁ ଛୁଇଁବ। କବିତାଗୁଡ଼ିକ ଆଙ୍ଗିକ ଭାବରେ ଯେତିକି ସରଳ ଆତ୍ମିକ ଭାବରେ ସେତିକି ବୋଧଗମ୍ୟ। ଅଳ୍ପ କିଛି ବନାନ ଗତ ତ୍ରୁଟିକୁ ଛାଡ଼ି ଦେଲେ ସଙ୍କଳନର କାବ୍ୟିକ ବିଭବ ପାଠକଙ୍କୁ ନିଶ୍ଚିତ ଭାବରେ ବାନ୍ଧି ରଖିବାରେ ସଫଳ ହେବ ଏଥିରେ କୌଣସି ସନ୍ଦେହ ନାହିଁ।

Leave A Reply

Your email address will not be published.