Latest Odisha News

BREAKING NEWS

ପୁସ୍ତକ ପରିଚୟ : ଭଙ୍ଗାଘର

ଭଙ୍ଗାଘର
କବି : ରବୀନ୍ଦ୍ର ଜେନା
ସର୍ବୋଦୟ ସାହିତ୍ୟ ସଂସଦ, ପୁରୀ
ପୃଷ୍ଠା : ୬୮
ମୂଲ୍ୟ : ୬୦

ଭଙ୍ଗାଘରର ଉଜୁଡ଼ା ସଂସାରୀ ‘ ରବି ଜେନା ‘ । ଏ ବିଚିତ୍ର ଦୁନିଆଁରେ ଯେଉଁଠି ପ୍ରତି ମୁହୂର୍ତ୍ତରେ ମିଳେଇଯାଏ ସମ୍ପର୍କ, ଧ୍ଵଂସ ପାଉଥାଏ କେଉଁଠି ନା କେଉଁଠି ଚେନାଏ ଉର୍ବର ଭୂଇଁ, ମରି ଆସୁଥାଏ ଅମୃତାଧାରା ନଈ, ସେଠାରେ କବି ମୁଠାଏ ଶବ୍ଦ ବିଞ୍ଚିଦେଇ ହଜିଯା’ନ୍ତି କୁଆଡେ।ଇଥର ସହ ମିଳେଇ ଯାଇଥିବା ଏକ କବି ପ୍ରାଣର ଛଳଛଳ ନିଃଶ୍ୱାସ କେମିତି ଖୋଜି ପାଆନ୍ତି
ଆଉ ଜଣେ ଖିଆଲି କବି ,ଅଜୟ ପ୍ରଧାନ ।

କବି ମାନେ ହଜିଯିବା ହିଁ କବିତା ଆଉ ସେମାନଙ୍କୁ ଖୋଜିହେବା ହିଁ କବିତା। କବିତା, କବିତାକୁ ଟାଣେ। ସଚ୍ଚା କବିର ଦରଦୀ ହୃଦୟ ଗୋଟେ ହସକୁରା ମୁହଁ ଆଗରେ ଆତ୍ମସମର୍ପଣ କରେ।ଏଇଥିରେ ହିଁ ଥାଏ,ଉଭୟ କବି ଆଉ କବିତାର ବିଜୟ ।

ସର୍ବୋଦୟ ସାହିତ୍ୟ ସଂସଦ, ପୁରୀ ଦ୍ଵାରା ସଦ୍ୟ ପ୍ରକାଶିତ ଭଙ୍ଗାଘର କବିତା ସଙ୍କଳନ ଦିବଂଗତ କବି ରବୀନ୍ଦ୍ର ଜେନାଙ୍କ ସ୍ୱପ୍ନର ଅମଳିନ ସ୍ୱାକ୍ଷର। ଏ ସ୍ବପ୍ନ ସତରେ ପରିଣତ ହେବା ପୂର୍ବରୁ ତମ୍ବୁ ଉଠେଇ ନେଇ ନଈ ଆରକୁଳେ କବି।ହେଲେ ଭଙ୍ଗା ଘରର ବତିଶଟି ଶେଣୀ ବାଉଁଶ ପିଠିରେ ଲେଖା ହୋଇଛି, ଗୋପନେ ଫୁଟି ମଉଳି ଯାଇଥିବା ଏକ ବନ ଫୁଲର ଗୋପନୀୟ ସୌନ୍ଦର୍ଯ୍ୟ। ସଢ଼ା ନଡ଼ା ଭିତରୁ ମହମହ ବାସୁଛି କମନୀୟ କବିତାର ଭୂରୁ ଗନ୍ଧ।ପ୍ରତି ଶବ୍ଦରେ ଭରି ରହିଛି ଗୋଟେ ମହାର୍ଘ୍ୟ ଅନ୍ୱେଷଣର ଆତୁରତା।ପ୍ରତି ଛନ୍ଦରେ ମାଟି – ଆକାଶକୁ ଜୀବନର ସୀମାହୀନ ପ୍ରଶ୍ନ।
” କିଏ ତୋତେ ବର୍ଷିଦେବ
ଶବ୍ଦର ଆଷାଢ଼ଟିଏ !
ଶୀତିଳେଇ ତୋ ଆତ୍ମାର
ଟାଙ୍ଗରା ଭୂଇଁକୁ ?
ଜୀବନ ନା ନିର୍ବାଣ ?
ସମୟ ନା ଈଶ୍ୱର ?

କବିତାରେ କାବ୍ୟ ପୁରୁଷକୁ ଏ ଗୁଢ଼ ପ୍ରଶ୍ନର ରହସ୍ୟ କଣ ଶବ୍ଦ ଭିତରେ ଦୈବତ୍ଵ ର ସନ୍ଧାନ?ସେ କଣ ଈଶ୍ୱରଙ୍କୁ ପ୍ରଶ୍ନ କରେ ଖୋଲିଦେବାକୁ ଜ୍ଞାନର ଅବଶିଷ୍ଟ ଦ୍ଵାର?
“ହୃଦୟ ମେଲେଇ ଦେ ରେ କବି,
ଦେଖ୍,ଆକାଶ ଏବେ ଶବ୍ଦମୟ
ପୃଥିବୀ ବି ଲେଖୁଛି କବିତା
ଖାଲିଟିକେ ଅପେକ୍ଷା ଲୋଡାରେ କବି
ମୁହୂର୍ତ୍ତକୁ, କଣ୍ଟକୁ,ଜହ୍ନକୁ
ଶବ୍ଦମାନେ ଓହ୍ଲାଇ ଆସିବେ ଆପେଆପେ
ସୁନାଫୁଲ ପରି ଜଳନ୍ତା ନିଆଁକୁ।”

ସଂସାରକୁ ଅପେକ୍ଷାର ଫୁଲଡାଲା ଧରେଇ କବି ଉଡନ୍ ଛୁ। ମାୟା – ମୋହ – କାମନାର ଜରି ବେଶ ଓହ୍ଲାଇଦେଇ ସେ ଏବେ ଦେଖୁଥିବେ ସୁନାଫୁଲ ପରି ଶବ୍ଦମାନଙ୍କର ଧରାବତରଣ।

କବି ମୋଟେ କଞ୍ଚାହାତର କାରିଗର ନୁହନ୍ତି।ପ୍ରତିଟି କବିତାରେ ସେ ଭରିଛନ୍ତି ମାନବୀୟ ଜୀବନର ସୁଖ – ଦୁଃଖର ମର୍ମରସ।ଭାଙ୍ଗିପଡୁଥିବା ଆକାଶ ପ୍ରତି ତାଙ୍କର ଯେତିକି ଆହାପଣ, ଉଜୁଡା ଯୌବନା ଅଭାବୀ ଘରର ଝିଅଟି ପାଇଁ ସେତିକି ସ୍ଵପ୍ନଗଢା ପ୍ରତିଶ୍ରୁତି।ବାସ୍ତବତାର ରୁକ୍ଷତାକୁ ସ୍ୱପ୍ନର ଝୀନବସ୍ତ୍ର ପିନ୍ଧାଇ ସେ ସମାଜକୁ ଜୀବନ ମନସ୍କ କରିବାକୁ ସତତ ବ୍ୟଗ୍ର। ସେ ସ୍ୱପ୍ନର ସବାରୀ କାନ୍ଧେଇ ସକାଳର ପଥାଚାରୀ।
ତୁମେ ମତେ ବାଧା ଦିଅନି
ଭିଜିବାକୁ ପ୍ରୀତିର ବର୍ଷାରେ
ସ୍ବପ୍ନକୁ ରଖନି କେବେ
ଚାବିଦେଇ ପୁରୁଣା ପେଡିରେ।

ଉଡନ ମୁଖୀ ନବ ସମ୍ଭାବନାକୁ ରୁଢ଼ିବାଦର ପୁରୁଣା ପାଚେରୀ ଭାଙ୍ଗି ବର୍ତ୍ତମାନର ସମାଜ ସହିତ ମିଶେଇ ଦେବାର ପ୍ରଚେଷ୍ଟା ବି ଏକ ପ୍ରକାର କବିତ୍ଵ। ଏହାହିଁ ତ ବର୍ତ୍ତମାନରୁ ଭବିଷ୍ୟତ ଯାତ୍ରା ନିମିତ୍ତ ଯଥାର୍ଥ ସମର୍ଥପଣ।ଏଇ ମୁକୁଳି ଯିବାର ଭବ୍ୟ ଇଚ୍ଛା ବ୍ୟକ୍ତି କୈନ୍ଦ୍ରିକ କାରାଗୃହରୁ ମୁକ୍ତି ଆଡ଼କୁ ଏକ ସଂକୀର୍ଣ୍ଣ ମାତ୍ର ସହଜ ପଥ,ଦୁଃଖ – ଅସହଜପଣ ସହିତ ଲଢି – ଝିଙ୍ଗାସି ନିରବତା ଭିତରେ ଶେଷତମ ଶବ୍ଦ ହୋଇ ବଞ୍ଚିରହିବାର ପ୍ରତିବଦ୍ଧତା।ଏଠି ଝଡ଼ ଭିତରେ ଦୃଢତାର ସହ ନିରବି ରହି ଦୁଃସମୟକୁ ପାର କରାଯିବାର ଦୃଢ଼ ଇଚ୍ଛାଧାରୀ କବିଟିଏ
ନିଜ କବିତାରେ ଲେଖେ –
ନୀରବି ଗଲେ ବି ଯା
କେଇ କାଳ ଅଜ୍ଞାତବାସରେ
ହେଲେ ଲେଖନୀ ମୂନରେ
ଶୁଣଉଥା ସତ୍ୟର ଗଜଲ୍।

କବିତାର ନିରବତା ଏକ ମହାର୍ଘ୍ୟ ଅଜ୍ଞାତବାସ,ଏକାନ୍ତ ଶକ୍ତି ସଞ୍ଚୟ,ସତ୍ୟର ଗଜଲ୍ ଗୁଣୁଗୁଣେଇବାର ନେପଥ୍ୟ କାର୍ଯ୍ୟକ୍ରମ।କବିର ନିରବତା ହିଁ କବିତା।

କବିମାନେ ହଜି ପାରନ୍ତି ନାହିଁ। ହଜେଇ ହୁଏନା ସେମାନଙ୍କର ସୂକ୍ଷ୍ମ କଳେବର।ବଡଦାଣ୍ଡର ପ୍ରତିଟି ବାଲିରେଣୁ କଥା କୁହନ୍ତି ରବି ଜେନା ବିଷୟରେ।ସେ କଥାରେ ଥାଏ କବି ରବି ଜେନାଙ୍କ ହସ ଲୁହର ଚିତ୍ରଲିପି। ଏମାର ମଠ ରୁ ପାରା ଡାକେ।ସେ ଡାକରେ ଓ କରେ ରବି ଜେନା। ତା ଅନୁପସ୍ଥିତ ପୃଥିବୀରେ କବିତା କଅଁଳେ।ମାଟି – ପାଣି – ପବନରେ ଭାସୁଥାଏ ଏକ ବଣମଲ୍ଲୀ ର ବାସ ଓ ଲାସ୍ୟ।ଏକ ନୁଖୁରା ଜୀବନ ମନସ୍କ ମଣିଷର ପରିପକ୍ବ ଚେତନା, ସରଳ ଗୀତ – ଗମାତ।ପୁଣି କେବେ ବଉଦ ଉପରେ ଅସ୍ତ ସୁର୍ଯ୍ୟ ଲେଖେ ରବି ଜେନାର କବିତା।ଶବ୍ଦ ସବୁ ଗଡୁଥାନ୍ତି ବାଇଶି ପାହାଚରେ।
ସମସ୍ତେ ପାଗଳ ଏଠି
ଏ ମାଟି ମୋହରେ
*****
ଏଠି ଭାରି ଲୋଭ ସତେ
ଶରଧାବାଲି ରେ, ସ୍ଵର୍ଗଦ୍ଵାରେ
ମରିଗଲେ ତରିଯିବାର
ଦୁର୍ଲଭ ସ୍ୱପ୍ନରେ।

କବି ଆଉ କବିତାର ଅଦିତୀୟ ବ୍ରଜ ଭୂମି – ପୁରୀ।ଏହାର ରେଣୁରେଣୁରେ କବିତାର ଅନନ୍ତ କଳେବର।ଏଠି କେହି ହଜି ପାରେନା ବରଂ ବୌଦ୍ଧିକ ନିରବତା ର ବଦ୍ଧ ବଳୟ ଭିତରେ ଯୁଗାନ୍ତର ସ୍ପନ୍ଦିତ ହେଉଥିବେ ରବି ଜେନାର ଭାବ,ଭାଷା ଓ ଶବ୍ଦ।।

ଅବକ୍ଷୟ ମୁଖୀ କଳାତ୍ମକ କୁରୁସଭା ଏବେ ପ୍ରକମ୍ପିତ ଆତ୍ମଘୋଷିତ କୁରୁବଳଙ୍କ ଅନିୟନ୍ତ୍ରିତ ପଦପାତରେ।ନିଜ ଢୋଲ ପିଟି ପିଟି ଧାଉଥିବା ଶବ୍ଦ ଚାଷୀମାନେ କବିତାକୁ ବିକିଦିଅନ୍ତି ବେପାରୀଙ୍କ ପାଖରେ।କିନ୍ତୁ ବିନ୍ଦୁଭିତରେ ସିନ୍ଧୁ ପରି ଆତ୍ମନାଦ ବିମୁଖ କିଛି କବି ହଜିଯାଇଥିବା ଶବ୍ଦଙ୍କ ପାଇଁ ଲେଖନ୍ତି ପୁବେଇ ପବନର ଗୀତ।ସେଇ ଗୀତ ଭିତରେ ସ୍ୱର ଟିଏ ଶୁଭେ,ଖୁବ୍ ତୀବ୍ର ମାତ୍ର ସ୍ଵତନ୍ତ୍ର।ସେ ସ୍ୱର ଏକ ନିରୀହ କବିର,ରବି ଜେନାର।

କାମଦେବ ମହାରଣା 
ପୂର୍ବତଟ ରେଳପଥ
ପୁରୀ -୨
୯୬୫୮୦୨୬୬୧୨

Leave A Reply

Your email address will not be published.