Latest Odisha News

BREAKING NEWS

ପୁନଃରୁଦ୍ଧାର ହେବ ବ୍ରାହ୍ମଣୀ ନଦୀ, ଖୁବଶିଘ୍ର ଆରମ୍ଭ ହେବ ରିସର୍ଚ୍ଚ: ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ଵର: ପୁନଃରୁଦ୍ଧାର ହେବ ବ୍ରାହ୍ମଣୀ ନଦୀ । ଏଥିପାଇଁ ଖୁବଶିଘ୍ର ଆରମ୍ଭ ହେବ ରିସର୍ଚ୍ଚ । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ସେ କହିଛନ୍ତି ଯେ, ଗତ ୪୫ ବର୍ଷ ହେବ ବ୍ରାହ୍ମଣୀ ନଦୀ କାହିଁକି ଶୁଖିଲା ପଡୁଛି ସେ ନେଇ ଖୁବଶିଘ୍ର ରିସର୍ଚ୍ଚ ଆରମ୍ଭ ହେବ । IIT ଗୌହାଟି ଏହାର ରିସର୍ଚ୍ଚ କରିବ । ତା ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ତାକୁ ଆଧାର କରି ବ୍ରାହ୍ମଣୀ ନଦୀର ପୁନଃରୁଦ୍ଧାର କରିବ ଜଳ ସମ୍ପଦ ବିଭାଗ ।

ସେ ଆହୁରି କହିଛନ୍ତି ଯେ, ବ୍ରାହ୍ମଣୀ ନଦୀ ଶୁଖିବା କିଛି ନୂଆ କଥା ନୁହେଁ । ଏହି ଇତିହାସ ବହୁ ପୁରୁଣା । ଝାଡଖଣ୍ଡରୁ ବାହାରିଥିବା ଏହି ନଦୀ ଯାଜପୁର ଜିଲ୍ଲା ଜେନାପୁର ପାଖରୁ ବିଭିନ୍ନ ଶାଖା ନଦୀରେ ପରିଣତ ହୋଇଛି । ଖରସୁଆ ଏହି ନଦୀର ପ୍ରଥମ ଶାଖା ନଦୀ । ସେହି ସମୟରେ ଇଂରେଜମାନେ ଜୋକଡିଆ ଓ ଜେନାପୁରଠାରେ ଦୁଇଟି ଆନିକଟ ତିଆରି କରିଥିଲେ । କିନ୍ତୁ ପାଞ୍ଚ ବର୍ଷ ପରେ ଆନିକଟ ସମ୍ପୁର୍ଣ୍ଣ ପୋତି ହୋଇଯିବା ପରେ ରେଙ୍ଗାଲି ଡ୍ୟାମ ତିଆରି ହୋଇଥିଲା ।

ଅଣମୌସୁମୀ ସମୟରେ ୮୫% ଜଳ ଖରସୁଆ ନଦୀକୁ ପଳାଇଥିଲା । ୧୦ କିଲୋମିଟର ପରେ ଏହି ନଦୀ ପୁଣି ବିଭାଜନ ହୋଇ ଦୁଇ ଶାଖା ନଦୀ କେଲୁଅ ଓ ବ୍ରାହ୍ମଣୀ ନଦୀରେ ବିଭକ୍ତ ହୋଇଗଲା । ଖରସୁଆକୁ ଯାଉଥିବା ପାଣିର ବଳକା ୧୫% ପାଣି କେଲୁଅକୁ ଗଲା । ତେଣୁ ଜେନାପୁରରୁ କେନ୍ଦ୍ରାପଡ଼ା ଇନ୍ଦୁପୁର ଯାଏ ବ୍ରହ୍ମଣୀ ନଦୀ ଶୁଖିଲା ରହିଲା । ଖୁବଶିଘ୍ର ଏହାକୁ ପୁନରୁଦ୍ଧାର କରାଯିବ ।  ISS ଯୋଜନାରେ ଜେନାପୁର ଓ ଜୋକଡିଆଠାରେ ବ୍ୟାରେଜ ତିଆରି ହେବ । କିନ୍ତୁ ଏହାର ନିର୍ମାଣ ପୂର୍ବରୁ ବ୍ରାହ୍ମଣୀ ନଦୀ ଶୁଖିବାର ପ୍ରକୃତ କାରଣ ଜାଣିବା ପାଇଁ ରିସର୍ଚ୍ଚ ଆରମ୍ଭ ହେବ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

Leave A Reply

Your email address will not be published.