Latest Odisha News

BREAKING NEWS

ରେଳ ବଜେଟ: ଓଡ଼ିଶାକୁ ମିଳିଲା କେତେ ଅନୁଦାନ ଜାଣନ୍ତୁ..

ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ଘୋଷଣା ହୋଇଛି ଓଡ଼ିଶାର ରେଳ ବଜେଟ । ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪,୩୭୩ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଯାହା ଗତ ବର୍ଷର ବ୍ୟୟ ୨୨୦ କୋଟି ଟଙ୍କା କମ୍‌ ରହିଛି।

ଗତବର୍ଷ ରେଳପଥର ବିଭିନ୍ନ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ୪୫୯୩ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଏହି ପାଣ୍ଠିକୁ ବିଭିନ୍ନ ପ୍ରକଳ୍ପ, ଯାତ୍ରୀ ସୁବିଧା, ଟ୍ରାକ୍‌ ଉନ୍ନତୀକରଣ, ମରାମତି, ନୂଆ ଟ୍ରାକ୍‌ ବିଛାଇବା, ବିଦ୍ୟୁତୀକରଣ, ଲାଇନ ଦୋହରୀକରଣ ଭଳି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇଥିଲା।

ଗତବର୍ଷ ଝାରସୁଗୁଡା ବରପାଲି କୋଇଲା କରିଡରର ରେଳ ପ୍ରକଳ୍ପ ଲାଗି ଏନ୍‌ଟିପିସି ୧୪୦୦ କୋଟି ପୁଞ୍ଜି ବିନିଯୋଗ କରିଥିଲା। ଫଳରେ ରାଜ୍ୟ ଲାଗି ମୋଟ ରେଳ ପ୍ରକଳ୍ପ ପାଣ୍ଠି ୫୯୯୩ କୋଟି ଟଙ୍କା ଛୁଇଁଥିଲା। ପ୍ରକଳ୍ପଟି ଗତବର୍ଷ ଆରମ୍ଭ ହୋଇଥିବାରୁ ଏହାକୁ ଚଳିତବର୍ଷ ଏଥିରେ ସାମିଲ କରାଯାଇନାହିଁ। ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାରୁ ଏହି ପ୍ରକଳ୍ପ କିମ୍ବା ଏଭଳି ଅନ୍ୟ ପ୍ରକଳ୍ପରେ ଏନ୍‌ଟିପିସି କୌଣସି ପୁଞ୍ଜି ବିନିଯୋଗ କରିନାହିଁ।

କେଉଁଥିପାଇଁ କେତେ ଜାଣନ୍ତୁ..

ପୂର୍ବତଟ ରେଳପଥ ଲାଗି ୫,୮୬୫ କୋଟି ଟଙ୍କା

ରାଜ୍ୟର ବିଭିନ୍ନ ପ୍ରକଳ୍ପ ବାବଦକୁ ୪,୩୭୩ କୋଟି ଟଙ୍କା ଏହା ମଧ୍ୟରେ ସାମିଲ ରହିଛି।

ଗୋପାଳପୁର-ସମ୍ବଲପୁର ମଧ୍ୟରେ(ଭାୟା ଫୁଲବାଣୀ) ୨୪୧ କିମି ବିଶିଷ୍ଟ ନୂଆ ରେଳ ପ୍ରକଳ୍ପ ଲାଗି ୨,୯୫୭ କୋଟି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପ୍ରକଳ୍ପକୁ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ଚୂଡାନ୍ତ ମଞ୍ଜୁରୀ ପ୍ରଦାନ କରିବ।

ଗତ ବର୍ଷ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥ ଲାଗି ୩୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଚଳିତ ବର୍ଷ ଏହା ଲାଗି ୫୨୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିବା ସୂଚନା ରହିଛି।

ଗତ ବର୍ଷ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ୨୫୦ କୋଟି ଟଙ୍କା ପାଇଥିବା ବେଳେ ଚଳିତ ବର୍ଷ ଏହି ପ୍ରକଳ୍ପ ଲାଗି ୪୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପକୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ କରାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଶେଷ ହେବାକୁ ଥିବାରୁ ଏହା ଲାଗି ୧୦୦ କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା ହୋଇଛି। ଗତ ବର୍ଷ ଏହି ପ୍ରକଳ୍ପକୁ ୪୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

ରାଜ୍ୟରେ ରେଳ ଲାଇନ ଦୋହରୀକରଣକୁ ଗୁରୁତ୍ୱ ଦେଇ ରେଳପଥ ପକ୍ଷରୁ ପୁଞ୍ଜି ଯୋଗାଣକୁ ଚଳିତ ଥର ଅଧିକ କରାଯାଇଛି। ବିଶେଷ କରି ସମ୍ବଲପୁର-ତାଳଚେର, ସମ୍ବଲପୁର-ଟିଟିଲାଗଡ, ଟିଟିଲାଗଡ-ରାୟଗଡା, ଟିଟିଲାଗଡ-ରାୟପୁର ଭଳି ପ୍ରମୁଖ ପ୍ରକଳ୍ପ ଏହା ମଧ୍ୟରେ ସାମିଲ ରହିଛି।

ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ଲାଇନ ଏବଂ ଲାଞ୍ଜିଗଡ ରୋଡ-ଜୁନାଗଡ ରୋଡ ରେଳ ଲାଇନ ବିଦ୍ୟୁତୀକରଣକୁ ପ୍ରାଥମିକତା ଦିଆଯାଇଛି।

ମଞ୍ଚେଶ୍ୱର ଏବଂ ସମ୍ବଲପୁର ନିକଟରେ ଥିବା ରେଳଡବା ମରାମତି ଓ୍ବାର୍କଶପ ଲାଗି ୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

ଯାତ୍ରୀ ନିରାପତ୍ତାକୁ ଗୁରୁତ୍ୱ ଦେଇ ରୋଡ ଓଭରବ୍ରିଜ (ଆର୍‌ଓବି) ନିର୍ମାଣ ଦ୍ୱାରା ଲେଭଲ କ୍ରସିଂ ଉଚ୍ଛେଦ, ରୋଡ ଅଣ୍ଡରବ୍ରିଜ(ଆର୍‌ୟୁବି) ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। ଏଥି ଲାଗି ୧୧୬୫ କୋଟି ଟଙ୍କା ବ୍ୟବସ୍ଥା ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ବଜେଟରେ ପ୍ରାୟ ସମସ୍ତ ପ୍ରମୁଖ ରେଳ ପ୍ରକଳ୍ପଗୁଡିକର ବ୍ୟୟ ବରାଦ ବଢିଛି। ପ୍ରକଳ୍ପଗୁଡିକର ଆବଶ୍ୟକତା ଅନୁସାରେ ପୁଞ୍ଜି ପ୍ରଦାନ କରାଯାଇଛି। ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ ଏବଂ ସମୀକ୍ଷା କରାଯିବା ପରେ ଏଭଳି ବ୍ୟବସ୍ଥା କରାଯାଇଥିବା ରେଳପଥ ପକ୍ଷରୁ ସୂଚନା ରହିଛି।

Leave A Reply

Your email address will not be published.