Latest Odisha News

BREAKING NEWS

କାଲିଠୁ ପାର୍ଲମେଣ୍ଟ ବଜେଟ୍ ଅଧିବେଶନ, ଫୋକସରେ ଥିବା ପ୍ରସଙ୍ଗ ଉପରେ ନଜର ପକାନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲିଠ ଆରମ୍ଭ ହେବ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୧୧ଟାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ରହିଛି । ଏହାପରେ ଲୋକସଭା ଓ ରାଜ୍ୟସଭା ଅଧିବେଶ ଆରମ୍ଭ ହେବ । ଆସନ୍ତାକାଲି ଉଭୟ ଗୃହରେ ୨୦୨୧-୨୦୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଗୃହରେ ଉପସ୍ଥାପନ ହେବ । ତାପରଦିନ ଅର୍ଥାତ ଫେବ୍ରୁଆରୀ ୧ତାରିଖରେ ଉପସ୍ଥାପିତ ହେବ ବଜେଟ୍ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ୧୧ଟାରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ । ଚଳିତ ବଜେଟରେ କେଉଁ କ୍ଷେତ୍ରକୁ କେତେ ବ୍ୟୟ ବରାଦ ହେବ ? ନିର୍ମଳାଙ୍କ ପେଡିରେ କଣ ରହିଛି ତାଉପରେ ସମସ୍ତଙ୍କର ନଜର ରହିଛି । ବଜେଟରେ ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମାଞ୍ଚଳ ବିକାଶ, ଗମନାଗମନ ଓ ଯୋଗାଯୋଗ କ୍ଷେତ୍ରକୁ ସରକାର ଫୋକସ କରିପାରନ୍ତି ।

ସେହିପରି ଚଳିତବର୍ଷ ୫ଟି ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ନିର୍ବାଚନ ହେଉଛି । ଏସବୁ ରାଜ୍ୟର ଭୋଟରଙ୍କୁ ଆକୃଷ୍ଟ କରିବା ଭଳି ବଜେଟରେ କିଛି ଘୋଷଣା କରିବେ କି ସରକାର ତାଉପରେ ବି ରହିଛି ସମସ୍ତଙ୍କର ନଜର ।

ଏଥିସହ ଚଳିତ ବଜେଟ ଅଧିବେଶନ ସରଗରମ ହୋଇପାରେ । ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ । ଧାନର ଏମଏସପି ବୃଦ୍ଧି, କୃଷକଙ୍କ ସମସ୍ୟା ପ୍ରସଙ୍ଗରେ ସରକାରଙ୍କ ଘେରି ପାରନ୍ତି ବିରୋଧୀ । ସେହିପରି ପେଗାସସ୍ ବିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ । କରୋନା କଟକଣାରେ ଦୁଇଟି ପର୍ଯ୍ୟାୟରେ ଚଳିତ ବଜେଟ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ ତାରିଖ ଯାଏ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୪ରୁ ଅପ୍ରିଲ ୮ ତାରିଖ ଯାଏ ଚାଲିବାକୁ ଧାର୍ଯ୍ୟ କରାଯାଇଛି ।

Comments are closed, but trackbacks and pingbacks are open.