Latest Odisha News

BREAKING NEWS

ଦୂରସଞ୍ଚାର କ୍ଷେତ୍ରରେ ବୃହତ ସଂସ୍କାରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଦୂରସଞ୍ଚାର କ୍ଷେତ୍ରରେ ଅନେକ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାରକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଏହି ସଂସ୍କାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରୋଜଗାର ଅବସରକୁ ସୁରକ୍ଷିତ ରଖିବ । ଏହା ସୁସ୍ଥ ପ୍ରତିଯୋଗିତା ବଢ଼ାଇବା ସହିତ ଉପଭୋକ୍ତାଙ୍କ ସ୍ବାର୍ଥକୁ ସୁରକ୍ଷା ଦେବ । ସେହିପରି ନମନୀୟତା ବଢ଼ାଇବା ସହିତ ନିବେଶକୁ ପ୍ରୋତ୍ସାହିତ କରିବ । ଏହାଛଡ଼ା ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନିୟାମକ ବୋଝ ହ୍ରାସ କରିବ ବୋଲି ଆଶା କରାଯାଉଛି ।

କ୍ୟାବିନେଟ ବୈଠକ ପରେ କେନ୍ଦ୍ର ଆଇଟି ଓ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଟେଲିକମ କ୍ଷେତ୍ରରେ ୯ଟି ସଂସ୍କାରକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସଂସ୍କାର ଟେଲିକମ ସେକ୍ଟରର ସଂପୂର୍ଣ୍ଣ ରୂପରେଖକୁ ବଦଳାଇବାରେ ସହାୟକ ହେବ । ଏହା ସହିତ ସ୍ପେକ୍ଟ୍ରମ ପ୍ରୟୋଗକର୍ତ୍ତା ଶୁଳ୍କକୁ ସୁସଙ୍ଗତ କରାଯାଇଛି । ପ୍ରସ୍ତାବିତ ଆଶ୍ବସ୍ତି ଉପାୟରେ ବକେୟା ଭରଣା କରିବା ପାଇଁ ସମୟ ଦେବା, ଏଜିଆରକୁ ପୁଣି ଥରେ ପରିଭାଷିତ କରିବା ଓ ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କରେ ଛାଡ ଆଦି ସାମିଲ ରହିଛି । ଏହା ଜରିଆରେ ଟେଲିକମ କ୍ଷେତ୍ରରେ ସୁଧାର କରାଯାଇପାରିବ । ଏହାସହିତ ଟେଲିକମ କମ୍ପାନୀ ଓ ଅଣଟେଲିକମ କମ୍ପାନୀର ଆୟକୁ ଆଇନଗତ ଶୁଳ୍କ ଭରଣାରୁ ଅଲଗା କରାଯାଇଛି ।

ଦେୟ ପ୍ରଦାନ ପାଇଁ ଟେଲିକମ୍ କମ୍ପାନୀଗୁଡିକୁ ଚାରି ବର୍ଷର ସମୟ ଦେଇଛନ୍ତି କେନ୍ଦ୍ର ସରକାର । ଲାଇସେନ୍ସ ଶୁଳ୍କ ଏବଂ ଅନ୍ୟ ଶୁଳ୍କ ପାଇଁ ଆବଶ୍ୟକ ୮୦ ପ୍ରତିଶତ ବ୍ୟାଙ୍କ ଗ୍ୟାରେଣ୍ଟିକୁ ହ୍ରାସ କରାଯାଇଛି । ବ୍ୟାଙ୍କ ଗ୍ୟାରେଣ୍ଟି ଏଣିକି କେନ୍ଦ୍ରୀକୃତ ଭାବେ ଦେବାକୁ ହେବ । ସୁଧ ଦରକୁ ଯୁକ୍ତିସଂଗତ କରାଯାଇଛି/ଜରିମାନା ଉଚ୍ଛେଦ କରାଯାଇଛି । ଅକ୍ଟୋବର ୧ ତାରିଖରୁ ଲାଇସେନ୍ସ ଶୁଳ୍କ ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କର ବିଳମ୍ବିତ ପରିଶୋଧ ଉପରେ ଲାଗୁ ସୁଧ ଦରକୁ ଏସବିଆଇର ଏମସିଏଲଆର ଯୁକ୍ତ ୪ ପ୍ରତିଶତ ପରିବର୍ତ୍ତେ ଏମସିଏଲଆର ଯୁକ୍ତ ୨ ପ୍ରତିଶତ କରାଯାଇଛି । ସୁଧ ଦର ମାସିକ ପରିବର୍ତ୍ତେ ବାର୍ଷିକ ଭାବେ ଲାଗୁ ହେବ । ଏହାସହ ଜରିମାନା ଏବଂ ଜରିମାନା ଉପରେ ସୁଧକୁ ଉଚ୍ଛେଦ କରାଯିବ ।

ଏଣିକି ନିଲାମୀ ପାଇଁ, କିସ୍ତି ପରିଶୋଧକୁ ସୁରକ୍ଷିତ ରଖିବା ଲାଗି କୌଣସି ବ୍ୟାଙ୍କ ଗ୍ୟାରେଣ୍ଟିର ଆବଶ୍ୟକତା ରହିବ ନାହିଁ । ଭବିଷ୍ୟତର ନିଲାମୀରେ, ସ୍ପେକ୍ଟ୍ରମର ଅବଧିକୁ ୨୦ରୁ ବଢ଼ାଇ ୩୦ ବର୍ଷ କରାଯାଇଛି । ଭବିଷ୍ୟତ ନିଲାମରେ ମିଳିବାକୁ ଥିବା ସ୍ପେକ୍ଟ୍ରମ ଲାଗି ୧୦ ବର୍ଷ ପରେ ସ୍ପେକ୍ଟ୍ରମ ସରେଣ୍ଡର ପାଇଁ ଅନୁମତି ଦିଆଯିବ । ସେହିପରି ନିବେଶକୁ ପ୍ରୋତ୍ସାହିତ କରିବା ଲାଗି, ଦୂରସଞ୍ଚାର କ୍ଷେତ୍ରରେ ସ୍ବୟଂକ୍ରିୟ ମାର୍ଗ ଅନ୍ତର୍ଗତ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶକୁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.