ନୂଆଦିଲ୍ଲୀ: ଏବେ ଟେନସନ୍ ଗଲା । ବାରମ୍ବାର ଖରାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଏବେ ଆଉ ସନସ୍କ୍ରିନ୍ ଲଗାଇବାକୁ ପଡିବନି । ସିଧା ସନସ୍କ୍ରିନ୍ ପିଇଦେବେ ଯେ, କଥା ହିଁ ଶେଷ… ପୂରା ଶରୀର ସୂର୍ଯ୍ୟଙ୍କ ଠାରୁ ମୁକ୍ତି ପାଇବ । ଆପଣ ଭାବୁ ଥିବେ, ଏହା କିପରି ସମ୍ଭବ…ଏମିତି କ’ଣ କେବେ ହେବ…, ବାସ୍ତବରେ କ’ଣ ବଜାରକୁ କିଛି ଏମିତି ଉତ୍ପାଦ ଆସିଛି, ଯାହାକୁ ଖରାରୁ ମୁକ୍ତି ପାଇବା ପାଇଁ ସେବନ କରିବାକୁ ପଡିବ ? ତେବେ ଆସନ୍ତୁ ଜାଣିବା କ’ଣ ଏହି ସନସ୍କ୍ରିନ୍ ଡ୍ରିଙ୍କର ରହସ୍ୟ?
ତେବେ ବଜାରରେ ମିଳୁଥିବା ସବୁ ସ୍କିନ୍ କେୟାର ମଧ୍ୟରୁ ସବୁବେଳେ ଚର୍ଚ୍ଚାରେ ରହିଥାଏ, ସନସ୍କ୍ରିନ୍ । ଆପଣଙ୍କ ସ୍କିନକେୟାର ରୁଟିନରେ ଏହାର ଗୁରୁତ୍ୱ ସର୍ବୋପରି । ଏହା କେବଳ ଆପଣଙ୍କ ସ୍କିନକୁ ସନବର୍ଣ୍ଣରୁ ରକ୍ଷା କରେ ନାହିଁ ବରଂ ଚର୍ମ କର୍କଟ ଭଳି ମାରାତ୍ମକ ରୋଗକୁ ରୋକିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ ଏହି ଉତ୍ପାଦ । ତଥାପି କିଛି ଲୋକ ଏହାର ବିକଳ୍ପ ଖୋଜିଥାନ୍ତି । ଏହାର ଆବଶ୍ୟକତାକୁ ଖାତିର୍ ନକରି, ଅନ୍ୟ ଉପାୟରେ ସୂର୍ଯ୍ୟଙ୍କ ଠାରୁ କିପରି ରକ୍ଷା ପାଇପାରିବା, ତାହା ଦାବି କରନ୍ତି । କେହି କେହି ତ ଏହାର ବ୍ୟବହାର ଏବଂ ଏହି ଉତ୍ପାଦ କ’ଣ?, ତାହା ବିଷୟରେ ମଧ୍ୟ ଅବଜ୍ଞ ।
ଯାହାର ଚାହିଦାକୁ ନେଇ ଏବେ ମାର୍କେଟକୁ ଆସିଛି ସନସ୍କ୍ରିନ୍ ଡ୍ରିଙ୍କ୍ । କିଛି କିଛି ସଂସ୍ଥା ଦାବି କରୁଛନ୍ତି, ଏହାକୁ ଖାଇବା ଦ୍ବାରା ଏହା ଆପଣଙ୍କୁ ସୂର୍ଯ୍ୟଙ୍କ ରଶ୍ମି ଠାରୁ ବଞ୍ଚେଇବ । ଯାହାକୁ ନେଇ ପ୍ରଶ୍ନ ଉଠେ କ’ଣ ଏହି ସନସ୍କ୍ରିନ୍ ଡ୍ରିଙ୍କ୍?
ଆରେ ସନସ୍କ୍ରିନ୍ ଡ୍ରିଙ୍କ୍ ଅତି ସହଜ । ସିଧା ସନସ୍କ୍ରିନ୍ ଟ୍ୟୁବ୍ ଖୋଲିବେ, ଆଉ ପାଣିରେ ମିଶାଇ ପିଇଦେବେ । ସନସ୍କ୍ରିନ୍ ଡ୍ରିଙ୍କ୍ । ପଢିକି ଆଶ୍ଚର୍ଯ୍ୟ ଲାଗିଲା ନା….ତାହେଲେ ସାବଧାନ୍! ଭୁଲରେ ବି ଏପରି କରନ୍ତୁ ନାହିଁ । ତେବେ କିଛି କିଛି ଡାକ୍ତରଙ୍କ କହିବାନୁଯାୟୀ, ଡ୍ରିଙ୍କେବଲ୍ ସନସ୍କ୍ରିନ୍ ହେଉଛି ଏକ ସପ୍ଲିମେଣ୍ଟ, ଯାହା ଶରୀରକୁ ଭିତରରୁ ଅତିବାଇଗଣୀ ରଶ୍ମୀର କ୍ଷତି ସହିତ ଲଢ଼ିବାରେ ସାହାଯ୍ୟ କରିବା ସହିତ ଆଭ୍ୟନ୍ତରୀଣ ସୂର୍ଯ୍ୟ ସୁରକ୍ଷା ପ୍ରଦାନ କରିବା ପାଇଁ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ସନସ୍କ୍ରିନ୍ ଦୁଇଟି ରୂପରେ ଅଛି, ଗୋଟେ ଟାବଲେଟ୍, ଯାହାକୁ ଓରାଲ ସନସ୍କ୍ରିନ୍ କୁହାଯାଏ ଏବଂ ଏହାର ଉପାଦାନଗୁଡ଼ିକ ଏତେ ପ୍ରାକୃତିକ ନୁହେଁ । ଆଉ ଅନ୍ୟଟି, ସାଚେଟରେ ଉପଲବ୍ଧ ଏବଂ ଏଥିରେ ସମସ୍ତ ପ୍ରାକୃତିକ ଉପାଦାନ ରହିଛି । ସାଧାରଣତଃ ପାନୀୟ ସନସ୍କ୍ରିନ୍ ଭାବରେ ଏଗୁଡିକୁ ବ୍ୟବହାର କରାଯାଏ ।
ହେଲେ ପ୍ରଶ୍ନ କ’ଣ ବାସ୍ତବରେ ଏହା ଆମ ଶରୀରକୁ ସୂର୍ଯ୍ୟଙ୍କ ଠାରୁ ସୁରକ୍ଷିତ ରଖେ ? ଏହାକୁ ନେଇ ଏକ୍ସପର୍ଟଙ୍କ କହିବାନୁଯାୟୀ, ଏହି ସପ୍ଲିମେଣ୍ଟଗୁଡ଼ିକ ବାସ୍ତବ ସନସ୍କ୍ରିନ୍ ପରି ଆପଣଙ୍କ ଚର୍ମକୁ ୟୁଭି ରଶ୍ମି ଠାରୁ ରକ୍ଷା କରିନଥାଏ । ଏଥିରେ ଏପରି କିଛି ଉପାଦାନ ଥାଏ, ଯାହା ସୂର୍ଯ୍ୟ କିରଣ ଯୋଗୁଁ ହେଉଥିବା କ୍ଷତିକୁ ସୁଧାରିବାରେ ସାହାର୍ଯ୍ୟ କରିପାରେ । ହେଲେ ଟିପିକାଲ ସନସ୍କ୍ରିନ୍ ଯାହା ଚର୍ମରେ ଏକ ଭୌତିକ କିମ୍ବା ରାସାୟନିକ ପ୍ରତିବନ୍ଧକ ସୃଷ୍ଟି କରେ, ତାହା ଭଳି ଏହା କାମ କରେନାହିଁ । ଏଥିସହିତ ପାନୀୟ ସନସ୍କ୍ରିନ୍ ୟୁଭି ବିକିରଣ ବିରୁଦ୍ଧରେ ଶରୀରର ପ୍ରତିରକ୍ଷା ତନ୍ତ୍ରକୁ ବୃଦ୍ଧି କରି କୋଷୀୟ ସ୍ତରରେ କାର୍ଯ୍ୟ କରେ ।
ଏଥିସହିତ ଏହି ପାନୀୟ ସନସ୍କ୍ରନ୍ ମୂଲ୍ୟ ମଧ୍ୟ ଅଧିକ ହୋଇଥିବା ବେଳେ ଏହା ସମୟ ସାପେକ୍ଷ ନୁହେଁ । ଏହି ପିଇବା ସନସ୍କ୍ରିନ୍ ସପ୍ଲିମେଣ୍ଟଗୁଡ଼ିକ କିଛି ମାତ୍ରାରେ ସୁରକ୍ଷା ପ୍ରଦାନ କରିପାରନ୍ତି, କିନ୍ତୁ ପାରମ୍ପରିକ ସନସ୍କ୍ରିନର ବିକଳ୍ପ, ଏହା କେବେ ବି ନୁହେଁ । କ୍ଲିନିକାଲ୍ ଅଧ୍ୟୟନ ଏହା ପ୍ରମାଣ କରିଛି ଯେ, ଏଥିରେ ଥିବା କିଛି ଆଣ୍ଟିଅକ୍ସିଡାଣ୍ଟ ଏବଂ ଉଦ୍ଭିଦରୁ ପ୍ରାପ୍ତ ଯୌଗିକଗୁଡ଼ିକ ୟୁଭି ପ୍ରେରିତ ଚର୍ମ କ୍ଷତିକୁ ହ୍ରାସ କରିବାରେ ସାହାଯ୍ୟ କରିପାରନ୍ତି, କିନ୍ତୁ ଏଗୁଡ଼ିକ ଏସପିଏଫ ଆଧାରିତ କ୍ରିମ୍ କିମ୍ବା ଲୋସନ୍ ପରି ସମାନ ସ୍ତରର ସିଧାସଳଖ ସୁରକ୍ଷା ଦେଇପାରିବେ ନାହିଁ । ଏହି ପାନୀୟ ସନସ୍କ୍ରିନ୍, ବ୍ରଡ-ସ୍ପେକ୍ଟ୍ରମ୍ ସନସ୍କ୍ରିନ୍ ପରି ଟ୍ୟାନ୍, ସନବର୍ଣ୍ଣ କିମ୍ବା ଚର୍ମ କର୍କଟରୁ ରକ୍ଷା କରପାରିବେ ନାହିଁ । ତେଣୁ, ଯଦି ଆପଣ କେବଳ ପାନୀୟ ସନସ୍କ୍ରିନ ଉପରେ ନିର୍ଭର କରୁଛନ୍ତି, ତେବେ ଆପଣ ଆପଣଙ୍କ ଚର୍ମକୁ ଅସୁରକ୍ଷିତ ଛାଡି ଦେଉଛନ୍ତି ।
ତେବେ ପାନୀୟ ସନସ୍କ୍ରିନକୁ ଆମେ ଚର୍ମ ପାଇଁ ଏକ ଭଲ ଖାଦ୍ୟ ଭାବରେ ଭାବିପାରିବା ଅର୍ଥାତ୍, ସୁସ୍ଥ ଭାବରେ ଖାଇବା ଦ୍ୱାରା ଆମର ଚର୍ମର ସ୍ୱାସ୍ଥ୍ୟରେ ଯେପରି ଉନ୍ନତି ଆସିପାରେ, ଏହା ସେଭଳି କାମ କରିପାରେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆପଣ ଆପଣଙ୍କର ମଇଶ୍ଚରାଇଜର କିମ୍ବା ସନସ୍କ୍ରିନକୁ ଛାଡି ପାରିବେ । ଚର୍ମକୁ ସବୁବେଳେ ବାହ୍ୟ ସୁରକ୍ଷା ସ୍ତରର ଆବଶ୍ୟକତା ରହିଛି ।
କହିରଖୁଛୁ, ପାନୀୟ ସନସ୍କ୍ରିନ୍ ଏକ ନୂତନ ଧାରଣା କିମ୍ବା ପ୍ରଡକ୍ଟ ନୁହେଁ । ଆମେରିକାରେ ଏହାର ଏକ ଆକର୍ଷଣୀୟ ଇତିହାସ ରହିଛି । ଯାହା ସେଠି ବେଶ୍ ଆଦୃତ । ସେଠିକା ବଜାର ଅପେକ୍ଷା ଏହା ସମାନ ନାଁରେ କିନ୍ତୁ ଭିନ୍ନ ଉପାଦାନ ସହିତ ଭାରତୀୟ ବଜାରରେ ପ୍ରବେଶ କରୁଛି । ତେଣୁ ଏହି ସବୁ ସପ୍ଲିମେଣ୍ଟ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଏକ୍ସପର୍ଟ ।
Comments are closed.