Latest Odisha News

ବାହାର ନେତା ମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି, ସେମାନଙ୍କୁ ଆପଣମାନେ ମୁହଁତୋଡ଼ ଜବାବ ଦିଅନ୍ତୁ

ନିମାପଡା: ଓଡ଼ିଶାବାସୀଙ୍କର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ । ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି । ସେମାନଙ୍କ ମଧ୍ୟରେ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ମୁଁ ତାଙ୍କୁ କହିବାକୁ ଚାହେଁ ଯେ, ନବୀନ ବାବୁ ଆପଣଙ୍କ ଗୁରୁଙ୍କ ଗୁରୁ ସହିତ କାମ କରିଛନ୍ତି । ବାଜପେୟୀଙ୍କ ସରକାରରେ ନବୀନ ବାବୁ କ୍ୟାବିନେଟ୍‍ ମନ୍ତ୍ରୀ ଥିଲେ, ଆପଣ ସେତେବେଳେ ଓକିଲାତି କରୁଥିଲେ । ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଠାରୁ ସଂସ୍କାର ଶିଖନ୍ତୁ । ଓଡ଼ିଶା କେବେ ଅତିଥିଙ୍କୁ ଏମାଟିରେ ଅସମ୍ମାନିତ କରେ ନାହିଁ । ମହାପ୍ରଭୁ ତାଙ୍କୁ ସଦ୍‍ବୁଦ୍ଧି ଦିଅନ୍ତୁ, ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅସମ୍ମାନିତ କରୁଥିବା ଲୋକମାନଙ୍କୁ ଆପଣମାନେ ମୁହଁତୋଡ଼ ଜବାବ ଦେବେ ବୋଲି ନିମାପଡାରେ ନିର୍ବାଚନୀ ପ୍ରଚାରରେ ବିରୋଧିଙ୍କୁ ଟାର୍ଗେଟ କରି କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ବିରୋଧୀ ଦଳ ବିଜୁ ଜନତା ଦଳର କର୍ମୀମାନଙ୍କୁ ଧମକ ଦେଉଛନ୍ତି, ଆକ୍ରମଣ କରୁଛନ୍ତି । ଏଇଟା ଭଲ ନୁହେଁ । ଆମେ କୌଣସି କର୍ମୀଙ୍କ ଦେହରେ କାହାକୁ ହାତ ଲଗେଇବାକୁ ଦେବୁନାହିଁ । ମୁଖ୍ୟମନ୍ତ୍ରୀ ଶାନ୍ତିରେ ବିଶ୍ୱାସ କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପି କହୁଛି ମାଗଣା ବିଜୁଳି ଦେବ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ । ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ । ଦିନରେ ଲଣ୍ଠନ ଦେଖାଉଛନ୍ତି ଏମାନେ ତେଣୁ ଏମାନଙ୍କୁ ଚିହ୍ନିକି ରଖନ୍ତୁ ବୋଲି କହିଛନ୍ତି ପାଣ୍ଡିଆନ ।

ଏ ସରକାର ହେଉଛି ଆପଣମାନଙ୍କ ସରକାର, ଚାଷୀଭାଇମାନଙ୍କ ସରକାର, ଯୁବପିଢ଼ିର ସରକାର । ସୋମନାଥ ମନ୍ଦିର ପାଇଁ ୫ କୋଟି ଟଙ୍କା, ଜଟେଶ୍ୱର ମନ୍ଦିର ପାଇଁ ୧.୫୦ କୋଟି ଟଙ୍କା, ଅମରେଶ୍ୱର ମନ୍ଦିର ପାଇଁ ୧.୫୦ କୋଟି ଟଙ୍କା, ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ୧୫ ହଜାର ଟଙ୍କାର ପ୍ୟାକେଜ୍‍, ପାନ ଚାଷ ଲାଗି ସ୍ୱତନ୍ତ୍ର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା ମାଲକାନଗିରିରୁ ମୟୁରଭଞ୍ଜ, ସୁନ୍ଦରଗଡ଼ରୁ ଜଗତ୍‍ସିଂହପୁର ପର୍ଯ୍ୟନ୍ତ ଜାଣିଗଲେଣି, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନଜର ନିମାପଡ଼ା ଉପରେ ରହିବ, ଆପଣମାନଙ୍କୁ କେହି ବି ହଇରାଣ କରିପାରିବେ ନାହିଁ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ।

Leave A Reply

Your email address will not be published.