Latest Odisha News

BREAKING NEWS

ମହୁଆ କାଣ୍ଡ ୧୮ ବର୍ଷ ତଳ ଘଟଣାର ପୁନରାବୃତ୍ତି: ପ୍ରଶ୍ନ ପାଇଁ ଟଙ୍କା ନେଇ ଫସିଥିଲେ ୧୧ ସାଂସଦ

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଟଙ୍କା ବା କ୍ୟାଶ ଫର କୋରି । ଆଉ ଏଥିପାଇଁ ସଦସ୍ୟ ପଦ ରଦ୍ଦ । ଲୋକସଭାରେ ମହୁଆ ଝଡକୁ ନେଇ  ରାଜନୀତି ସରଗରମ । ଗର୍ଜୁଛନ୍ତି ବିରୋଧୀ । ଟିଏମସି ଫାୟର । ସଦସ୍ୟ ପଦ ହରାଇବା ପରେ ସଫେଇ ଦେଉଛନ୍ତି ମହୁଆ  । କହୁଛନ୍ତି ତାଙ୍କ ବିରୋଧରେ କିଛି ଅଭିଯୋଗ ନାହିଁ ।  ହେଲେ ଟିକେ ପଛକୁ ଚାହିଁଲେ ଜାଣିପାରିବା, ଏହି  ଅଭିଯୋଗ ଆଜି ନୂଆ ନୁହେଁ କି ପ୍ରଥମ ଥର ପାଇଁ ମହୁଆ ଫସି ନାହାନ୍ତି ।

୧୮ ବର୍ଷ ତଳ ଘଟଣାର ଆଜି ପୁନରାବୃତ୍ତି ଘଟିଛି । ୨୦୦୫ରେ ମଧ୍ୟ ଠିକ ଏମିତି ଘଟଣା ଘଟିଥିଲା । ୧୧ ଜଣ ସାଂସଦ ଏହି ମାମଲାରେ ଫସିଥିଲେ । ୧୧ ଜଣ ସାଂସଦ ସେତେବେଳେ ଟଙ୍କା ନେଇ ପ୍ରଶ୍ନ ପଚାରୁଥିବା ଜଣାପଡିଥିଲା । ସେମାନଙ୍କର ସାଂସଦ ପଦ ମଧ୍ୟ ରଦ୍ଦ ହୋଇଥିଲା । ଏମାନଙ୍କ ମଧ୍ୟରେ ଜଣେ ରାଜ୍ୟସଭା ସାଂସଦ ବି ଥିଲେ ।

୨୦୦୫ ଡିସେମ୍ବର ୧୨ ତାରିଖରେ ଏକ ଘରୋଇ ଚାନେଲ ଷ୍ଟିଙ୍ଗ ଅପରେସନ କରିଥିଲା । ଗୁପ୍ତ କ୍ୟାମେରାରେ କିଛି ସାସଂଦ ଗୃହରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଉଥିବା ଧରାପଡିଥିଲା । ଦେଶର ସଂସଦୀୟ ଇତିହାସରେ ଏହା ପ୍ରଥମ ଘଟଣା । ସବୁଠାରୁ ବଡ କଥା ହେଉଛି, ଏହି ୧୧ ସାଂସଦ କୌଣସି ଗୋଟିଏ ଦଳର ନ ଥିଲେ । ଏମାନଙ୍କ ମଧ୍ୟରୁ ୬ ଜଣ ବିଜେପି, ତିନିଜଣ ବିଏସପି ଏବଂ ଜଣେ ଲେଖାଏ ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସର ଥିଲେ ।

ଏହି ସାଂସଦମାନେ ହେଲେ ବିଜେପିର ସୁରେଶ ଚନ୍ଦେଲା, ଅନ୍ନା ସାହେବ ପାଟିଲ, ଚନ୍ଦ୍ର ପ୍ରତାପ ସିଂହ, ଛତ୍ରପାଲ ସିଂହ ଲୋଧ, ୱାଇ ଜି ମହାଜନ ଏବଂ ପ୍ରଦୀପ ଗାନ୍ଧୀ । ବିଏସପିର ସାଂସଦମାନେ ହେଲେ ନରେନ୍ଦ୍ର କୁମାର କୁଶବାହା ଏବଂ ରାଜା ରାମପାଲ ଏବଂ ଲାଲଚନ୍ଦ୍ର । ସେହିପରି ଆରଜେଡିରୁ ମନୋଜ କୁମାର ଏବଂ କଂଗ୍ରେସର ରାମ ସେବକ ସିଂ ଏହି ମାମଲାରେ ବହିଷ୍କୃତ ହୋଇଥିଲେ ।

ଷ୍ଟିଙ୍ଗ ଅପରେଶନ କରୁଥିବା ସାମ୍ବାଦିକମାନେ ଏକ କାଳ୍ପନିକ ସଂସ୍ଥାର ପ୍ରତିନିଧି ଭାବେ ସାଂସଦଙ୍କୁ ଦେଖା କରି ତାଙ୍କ ସଂସ୍ଥା ପାଇଁ ପ୍ରଶ୍ନ ପଚାରିବାକୁ କହିଥିଲେ । ଏହି ସମୟରେ ପ୍ରଶ୍ନ ପଚାରିବା ପାଇଁ ସାଂସଦମାନେ ଟଙ୍କା ନେଉଥିବାର ଭିଡିଓ କରିଥିଲା ।

ସେତେବେଳେ ଏହି ୪ ଦଳକୁ ଛାଡିଦେଲେ ଅନ୍ୟ ସବୁ ବିରୋଧୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି କକ୍ଷ ତ୍ୟାଗ କରିଥିଲେ । ସେତେବେଳେ ବିରୋଧୀ ଦଳ ନେତା ଥିଲେ ଲାଲ କୃଷ୍ଣ ଆଡଭାନୀ । ସେ କହିଥିଲେ, ସାଂସଦମାନେ ଯାହା କରିଛନ୍ତି ତାହା ନିଶ୍ଚିତ ଭାବେ ଭ୍ରଷ୍ଟାଚାର ମାମଲା । ହେଲେ ଗୃହରୁ ବହିଷ୍କାର କରିବା ବେଶି ହୋଇଗଲା ।

Leave A Reply

Your email address will not be published.