Latest Odisha News

BREAKING NEWS

ଅବତରଣର ୭ ମିନିଟ ପୂର୍ବରୁ ଖସି ପଡିଲା ସିଡିଏସ୍ ରାଓ୍ୱତଙ୍କ ହେଲିକପ୍ଟର

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଅବତରଣ କରିବାର ୭ ମିନିଟ ପୂର୍ବରୁ ଦୁର୍ଘଟଣାର ଶିକାର ହେଲା । ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ତାଙ୍କ ହେଲିକପ୍ଟର ଓ୍ୱେଲିଂଟନରେ ଅବତରଣ କରିବାର ଥିଲା । ତାର ୭ ମିନିଟ ପୂର୍ବରୁ ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହୋଇଥିଲା । ଲୋକସଭାରେ ଦୁର୍ଘଟଣା ବିଷୟରେ ସୂଚନା ଦେଇ ଏକଥା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ସିଡିଏସ୍‌ ବିପିନ ରାୱତଙ୍କ ହେଲିକପ୍ଟରଟି କେତେବଳେ ଏୟାରବେସ୍‌ରୁ ଉଡାଣ ଭରିଥିଲା ଏବଂ କ’ଣ ଘଟିଥିଲା ଗୃହରେ ସବୁ ତଥ୍ୟ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ରାଜନାଥ ସିଂହ କହିଛନ୍ତି, ସୁଲୁର ଏୟାରବେସରୁ ଓ୍ୱେଲିଂଟନ୍ ଅଭିମୁଖେ ଉଡ଼ାଣ ଭରିଥିଲା ବାୟୁସେନାର MI-17V-5 ହେଲିକପ୍ଟର । ଏଥିରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଥିଲେ । ସକାଳ ୧୧ଟାରେ ସୁଲୁର ଏୟାରବେସରୁ ହେଲିକପ୍ଟର ଉଡ଼ାଣ ଭରିଥିଲା ।

୧୨ଟା ୧୫ ମିନିଟରେ ସେଠାରେ ପହଞ୍ଚିବାର ଥିଲା । କିନ୍ତୁ ୧୨ଟା ୮ ମିନିଟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କିଛି ସ୍ଥାନୀୟ ଲୋକ ଜଙ୍ଗଲରେ ହେଲିକପ୍ଟର ଜଳୁଥିବା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ବୋଲି ରାଜନାଥ ଲୋକସଭାକୁ ଅବଗତ କରାଇଛନ୍ତି ।

ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ ଗୁରୁତର ଅଛନ୍ତି । ତାଙ୍କୁ ଏବେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ତାଙ୍କ ଜୀବନ ବଞ୍ଚାଇବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଥିବା କହିଛନ୍ତି ରାଜନାଥ ସିଂହ ।

କେମିତି ଓ କେଉଁ ପରିସ୍ଥିତିରେ ଏତେବଡ଼ ଦୁର୍ଘଟଣା ଘଟିଲା ତାହାର ତ୍ରିସ୍ତରୀୟ ତଦନ୍ତ କରୁଛି ବାୟୁସେନା । ଏୟାର ମାର୍ଶଲ ମନଭେନ୍ଦ୍ର ସିଂ ତଦନ୍ତର ନେତୃତ୍ୱ ନେଉଛନ୍ତି । ଗତକାଲି ତଦନ୍ତକାରୀ ଟିମ୍ ଓ୍ୱେଲିଂଟନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ସୂଚନା ଦେଇଛନ୍ତି ।

ଗତକାଲି ତାମିଲନାଡୁର କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ୱତଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ସିଡିଏସ୍ ରାଓ୍ୱତ, ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଭି. ଆର୍. ଚୌଧୁରୀ । ଘଟଣାସ୍ଥଳରୁ ଜବତ ହୋଇଛି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ ବକ୍ସ ।

Leave A Reply

Your email address will not be published.