Latest Odisha News

BREAKING NEWS

ଜୟ ନାରାୟଣଙ୍କ ପଛରେ ବଂଶଲ ପାୱାର !

ଭୁବନେଶ୍ୱର: କାହା ବଳରେ ବଳିୟାନ ଜୟନାରାୟଣ ମିଶ୍ର? କାହାଠୁ ଏତେ ଶକ୍ତି ପାଉଛନ୍ତି ଜୟ? ଜୟଙ୍କ ପଛରେ କିଏ? ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଲଗାତର ଟାର୍ଗେଟ କରୁଥିବା ଜୟନାରାୟଣଙ୍କୁ ବିଜେପିର କିଛି ପ୍ରଭାବଶାଳୀ ନେତା ପରୋକ୍ଷରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ଜୟଙ୍କ ପଛରେ ବିଜେପିର ପ୍ରଭାରୀ ସୁନୀଲ ବଂଶଲଙ୍କ ପୂର୍ଣ ସହଯୋଗ ଥିବା ଚର୍ଚ୍ଚା ହେଉଛି।

ରାଜ୍ୟରେ ବିଜେପି ୨୦୧୯ ନିର୍ବାଚନ ପରଠାରୁ ଆଉ ଆକ୍ରମଣାତ୍ମକ ହେଉ ନାହିଁ। ୨୦୧୯ ନିର୍ବାଚନରେ ବିଜେପି ଜୋରଦାର ଆକ୍ରମଣାତ୍ମକ ପ୍ରଦର୍ଶନ କରି ମୁଖ୍ୟ ବିରୋଧୀ ଆସନ ହାତେଇବାକୁ ସକ୍ଷମ ହୋଇଥିଲା। କିନ୍ତୁ ଏହା ପରେ ଦଳ ଧିମେଇ ଯାଇଥିବା କୁହାଯାଏ। ଏପରିକି ଧୀରେ ଧୀରେ ଦଳୀୟ ନେତାମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେବଳ ରୁଟିନ ବିରୋଧ କରିବା ଦେଖାଯାଇଥିଲା। ୨୦୨୧ ମସିହା ମାର୍ଚ୍ଚ ମାସରେ ଚାଲିଥିବା ବିଧାନସଭା ଅଧିବେଶନ ବେଳେ ବିଜେପି ବିଧାୟକମାନେ ଧାନ ସଂଗ୍ରହ ପ୍ରସଙ୍ଗକୁ ବିରୋଧ କରି ନବୀନ ନିବାସ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟ ମଧ୍ୟ ସ୍ୱୀକାର କରିଥିଲେ। ଯାହାକୁ ନେଇ ବିଜେପି ବିଧାୟକମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା।

କିନ୍ତୁ ନବୀନ ନିବାସ ଭିତରକୁ ଜୟ ନାରାୟଣ ମିଶ୍ର ସେତେବେଳେ ପ୍ରବେଶ କରି ନ ଥିଲେ। ଏପରିକି ସେତେବେଳେ ମଧ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଠୋର ସମାଲୋଚନା କରୁଥିବା ଜୟ ନାରାୟଣ ଏବେ ବିରୋଧୀ ଦଳ ନେତା ହେବା ପରେ ଆହୁରି ଆକ୍ରମଣାତ୍ମକ ହେଉଛନ୍ତି। ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଶାସକ ଦଳର ମଙ୍ଗୁଆଳଙ୍କୁ ସିଧାସଳଖ ଆକ୍ରମଣ ହେଉ କିମ୍ବା ଫାଇଭ ଟି ବିଭାଗକୁ ନେଇ ପ୍ରଶ୍ନ ଉଠାଇବା, ଏପରିକି ମନ୍ତ୍ରୀମାନେ କିଭଳି ଅଫିସରଙ୍କ ନିକଟରେ ନତମସ୍ତକ ହେଉଛନ୍ତି ବୋଲି ଅଭିଯୋଗ କରି ଏବେ ଲଗାତର ଚର୍ଚ୍ଚାରେ ଜୟ ନାରାୟଣ ମିଶ୍ର।

ଏସବୁ ପାଇଁ ବିଜେପି ପ୍ରଭାରୀ ସୁନୀଲ ବଂଶଲ ଜୟଙ୍କୁ ଶକ୍ତି ଯୋଗାଉଥିବା କୁହାଯାଉଛି। ଉତ୍ତରପ୍ରଦେଶ ନିର୍ବାଚନରେ ସଫଳତା ପାଇଁ ସୁନୀଲ ବଂଶଲଙ୍କୁ ଶ୍ରେୟ ମିଳେ ବୋଲି କୁହାଯାଏ। ଦେଶର ବିଭିନ୍ନ ରାଜ୍ୟରେ ବିଜେପିର ସଂଗଠନ ଦୁର୍ବଳ ଥିବା ସ୍ଥାନରେ ସୁନୀଲ ବେଶ ଭିନ୍ନ ଅନ୍ଦାଜରେ କାମ କରନ୍ତି। ଓଡ଼ିଶାରେ ବିଜେଡିର ବିକଳ୍ପ କେହି ନାହାଁନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇଥିବା କୁହାଯାଏ। ତେଣୁ ଏଭଳି ସ୍ଥିତିରେ ଜୟଙ୍କ ଏଭଳି ଆଭିମୁଖ୍ୟ ବିଜେପିକୁ ନୂଆ ରୂପରେ ଉପସ୍ଥାପିତ କରୁଥିବା ଚର୍ଚ୍ଚା ହେଉଛି। ଏପରିକି ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ଶାସନ ପରିଚାଳନାରେ ଥିବା ମଙ୍ଗୁଆଳଙ୍କୁ ଜୟଙ୍କ ଭଳି ଆଉ କେଉଁ ନେତା ଲଗାତର ଟାର୍ଗେଟ କରୁଥିବା ଦେଖାଯାଇ ନ ଥିଲା।

କୌଣସି ପ୍ରସଙ୍ଗ ନେଇ ଆଗରୁ ବିରୋଧୀ ନେତାମାନେ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ପରେ ଥମି ଯାଆନ୍ତି। ଯାହାକୁ ନେଇ ବିରୋଧୀ ମ୍ୟାନେଜ ହେଉଥିବା ଅଭିଯୋଗ ଆସେ। ଏବେ କିନ୍ତୁ ଜୟନାରାୟଣ ଲଗାତର ଶାସକ ଦଳକୁ ଆକ୍ରମଣ କରୁଛନ୍ତି। ଆଗକୁ ନିର୍ବାଚନ ଥିବାରୁ ଏହା ସୁନୀଲ ବଂଶଲଙ୍କ ଷ୍ଟ୍ରଟେଜି ବୋଲି ଆଲୋଚନା ହେଉଛି। ଏପରିକି ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା ନିଷ୍ପତ୍ତି ନିଅନ୍ତି ସେଭଳି ହିଁ ହୁଏ ବୋଲି କୁହାଯାଏ। କିନ୍ତୁ ଏବେ କାଳେ ସେଭଳି ହେଉ ନ ଥିବା ଚର୍ଚ୍ଚା ହେଉଛି। ସୁନୀଲ ବଂଶଲ ନିଜେ ହିଁ ସଂଗଠନ କାର୍ଯ୍ୟ ସହ ରାଜ୍ୟରେ ରାଜନୈତିକ ଷ୍ଟ୍ରାଟେଜି କଣ ହେବ ସେ କଥା ବୁଝୁଛନ୍ତି ବୋଲି କୁହାଯାଉଛି।

ଜୟଙ୍କୁ ଶକ୍ତି ଦେବାରେ ସୁନୀଲଙ୍କର ବଡ଼ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି। ରାଜ୍ୟରେ ବିଜେଡି ବିଜେପି ଏକ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି କିମ୍ବା ଚର୍ଚ୍ଚା ହେଉଛି ସେହି ଧାରଣା ଦୂର କରିବା ପାଇଁ ସୁନୀଲ ଉଦ୍ୟମ କରୁଥିବା କୁହାଯାଉଛି। ଏପରିକି ଓଡ଼ିଶାରେ ନବୀନଙ୍କ ବିରୋଧୀ ଦଳ ଉପରେ ବେଶ ନିୟନ୍ତ୍ରଣ ଥାଏ ବୋଲି ଚର୍ଚ୍ଚା ହୁଏ।

ତେଣୁ ଆଗକୁ ନିର୍ବାଚନ ଥିବାରୁ ବିଜେପି ଜୟ ନାରାୟଣଙ୍କ ଭଳି ଜଣେ ଆଗ୍ରେସିଭ ନେତାଙ୍କ ଦ୍ୱାରା ଶାସକ ଦଳକୁ ଲଗାତର ଟାର୍ଗେଟ କରୁଥିବା କୁହାଯାଉଛି। ଯାହାଦ୍ୱାରା ବିଜେପିକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଏ ସବୁ ଧାରଣା ଦୂର ହେବା ସହ ଦଳ ସପକ୍ଷରେ ଏକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି। ଲଗାତର ବିଜେଡି ମୁଖିଆମାନଙ୍କୁ ଆକ୍ରମଣ କରୁଥିବା ଜୟ ନାରାୟଣଙ୍କୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗାମୀ ନିର୍ବାଚନରେ ବିଜେପିକୁ ଏହା କେତେ ଫାଇଦା ଦେବ ତାକୁ ଅପେକ୍ଷା।

Leave A Reply

Your email address will not be published.