Latest Odisha News

BREAKING NEWS

ପଖାଳ ଦିବସ ପାଳିଲେ ଓଡ଼ିଆ ନେତା ଓ କର୍ମୀ, ସୋସିଆଲ ମିଡିଆରେ ଶୁଭେଚ୍ଛା ଓ ଫୋଟୋ ପୋଷ୍ଟ୍

ଭୁବନେଶ୍ୱର : ବିଶ୍ୱ ପଖାଳ ଦିବସ ଅବସରରେ ଗାଁଠୁ ସହର, ପ୍ରଦେଶରୁ ପ୍ରବାସୀ ଓଡ଼ିଆଙ୍କ ଯାଏଁ, ସବୁଠି ହୋଇଛି ପଖାଳ ଖିଆର ଆୟୋଜନ । ଓଡ଼ିଆଙ୍କ ପ୍ରିୟ ପଖାଳ କଂସା ପାଖରେ ଆଜି ଦେଖିବାକୁ ମିଳିଛି ଭଳିକିଭଳି ସୁସ୍ବାଦୁ ଖାଦ୍ୟର ପସରା, ଏସବୁ ଭିତରେ ପଲିଟିକାଲ ପଖାଳକୁ ନେଇ ମଧ୍ୟ ଚର୍ଚ୍ଚା ଜୋର । ସାମାଜିକ ଗଣମାମଧ୍ୟରେ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବିଶ୍ୱ ପଖାଳ ଦିବସର ଶୁଭେଚ୍ଛା ଜଣାଇବା ସହ ନିଜ ଟ୍ୱିଟରେ ଲେଖିଥିଲେ, ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ। ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର। ଏଥିସହ ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଜଣାଇଥିଲେ ନବୀନ।

ସେହିପରି ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପଖାଳ ଖାଇ ‘ପଖାଳ ଦିବସ’ ପାଳନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି ଯେ, ପଖାଳ ମୋର ପ୍ରିୟ ଖାଦ୍ୟ । ଏହା ଆମ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ । ‘ପଖାଳ ଦିବସ’ ଅବସରରେ ପଖାଳ ଖାଇବାର ମଜା ଅଲଗା । ପଖାଳ ଆମ ଓଡ଼ିଆ ଜନଜୀବନ ଓ ଖାଦ୍ୟପେୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଆଙ୍କ ଖାଦ୍ୟ ପ୍ରତି ଥିବା ଭଲ ପାଇବା ଓ ଶ୍ରଦ୍ଧାର ପ୍ରତୀକ ଓ ଏହି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ।

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପରେ ଏବେ ଆସିବା ନେତା ବା ଜନ ପ୍ରତିନିଧିଙ୍କ ଆଡ଼କୁ, ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପଖାଳ ଦିବସର ଶୁଭେଚ୍ଛା ସହ ଲେଖିଛନ୍ତି, ଓଡ଼ିଆ ଖାଦ୍ୟ ପରମ୍ପରାରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଓଡ଼ିଶାର ଏହି ସୁସ୍ୱାଦୁ ଖାଦ୍ୟ ପଖାଳ ବର୍ତ୍ତମାନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକଙ୍କ ଆଦର ଲାଭ କରିବା ଆମ ଓଡ଼ିଆଙ୍କ ପାଇଁ ଖୁସିର ବିଷୟ। ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର ଲେଖିଛନ୍ତି, ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ। ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର।,ପଖାଳଦିବସ ରେ ସମସ୍ତଙ୍କୁ ମୋର ଶୁଭେଚ୍ଛା, ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଦୋହରାଇଛ୍ତି ସସ୍ମିତ, ଏହି କ୍ରମରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ‘ପଖାଳ ଦିବସ’ର ଶୁଭେଚ୍ଛା ସହ ମୁଖ୍ୟମନ୍ତ୍ରୀଙ୍କ ଏକ ପଖାଳ ଖିଆ ଫଟୋ ସେୟାର କରି ଟ୍ୱିଟ୍ କରିଛନ୍ତି ଯେ, ଆମେ ଓଡ଼ିଆ ଆମ ପଖାଳ ଭାରି ବଢ଼ିଆ, ସୋସିଆଲ ମିଡିଆରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଲେଖିଛ୍ତି ପ୍ରତି ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏହା କେବଳ ଓଡ଼ିଶାରେ ନୁହଁ ଯେଉଁଠାରେ ଓଡ଼ିଆ ଅଛନ୍ତି ସେଇଠି ତାହାର ଚାହିଦା ରହିଛି। ସେପଟେ ଏକ ସହିଦନଗର ଦୁର୍ଗାି ପୂଜା କମିଟି ପକ୍ଷରୁ ଆୟୋଜିତ ପଖାଳ ଦିବସରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ମନ୍ତ୍ରୀ ଅଶୋକ ପଣ୍ଡା ଗୋଟିଏ ଟେବୁଲରେ ବସି ପଖାଳ ଖାଉଥୁବା ନଜର ଆସିଥିଲେ, ଏଥିରେ ବିଏମସିର ଏକାଧିକ କର୍ପୋଟେର ଓ ଭୁବନେଶ୍ବରର ଜଣାଶୁଣା ଚେହେରାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା, ସେପଟେ ନିଜ ଫୋଟୋ ସହ ସାଂସଦ ଅନୁଭବ ମହାନ୍ତି, ସୋସିଆଲ ମିଡିଆରେ ଲେଖିଛନ୍ତି, ଆମ ପଖାଳ ଆମ ପାଇଁ ଅମୃତ । ଏସବୁ ଭିତରେ ନୂଆ କରି ବିଧାୟିକା ହୋଇଥିବା ବର୍ଷା ସିଂ ବରିହା ମଧ୍ୟ ସୋସିଆଲ ମିଡିଆରେ ଫୋଟେ ପୋଷ୍ଟ କରି ଓଡ଼ିଶାବାସୀଙ୍କୁ ପଖାଳ ଦିବସର ଅଭିନନ୍ଦନ ଜଣାଇଛନ୍ତି ।

ଏବେ ଆସିବା ଭାରତୀୟ ଜନତା ପାର୍ଟି ଆଡକୁ । ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ସହିଦନଗରସ୍ଥିତ ଦୁର୍ଗାପୂଜା ମଣ୍ଡପଠାରେ ଦଳୀୟ ନେତୃବୃନ୍ଦଙ୍କ ସହିତ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଖାଇ ‘ପଖାଳ ଦିବସ’ ପାଳନ କରିଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ମଧ୍ୟ ନିଜ ଭୁବନେଶ୍ୱର ବାସଭବନରେ ପଖାଳ ଦିବସର ଅଭିନନ୍ଦନ ସହ ଫୋଟୋ ସେୟାର କରିଛନ୍ତି ।

ସେପଟେ ବିଧାୟକ ସୁରେଶ ରାଉତରାୟ ନିଜ ଭୁବନେଶ୍ବର ବାସଭବନରେ ନିଜ ପୁଅ ଓ ଲୋକଙ୍କ ସହ ପଖାଳ ଦିବସ ପାଳନ କରିଥିବା ଦେଖିବାକୁ ମିଳିଥିଲା। ଦହି ପଖାଳକୁ ସାଙ୍ଗକୁ ମାଛ ଭଜା ଖାଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଅନେକ ଲୋକଙ୍କ ପାଇଁ ପଖାଳ ଖାଇବାର ଆୟୋଜନ ମଧ୍ୟ କରିଥିଲେ ସୁର ଭାଇ।

ଡେରିରେ ହେଉପଛେ ଦଳୀୟ ସଭାମଞ୍ଚରୁ ବିଶ୍ୱ ପଖାଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଦିବଙ୍ଗତ ବିଜେଡି ନେତା ନବ ଦାସଙ୍କ ଝିଅ ଦିପାଳୀ ଦାସ, ଲେଖିଛନ୍ତି ପଖାଳ ଆମ ଆବେଗ, ପରିଚୟ ଓ ପରମ୍ପରାର ପ୍ରତୀକ। ଏମାନଙ୍କ ବ୍ୟତୀତ ଅନ୍ୟାନ୍ୟ ଦଳୀୟ ନେତାମାନେ ମଧ୍ୟ ନିଜ ବାସଭବନରେ କିମ୍ବା କର୍ମୀଙ୍କ ଗହଣରେ ପଖାଳ ଦିବସ ପାଳନ କରିଥିବା ନଜର ଆସିଥିଲା ।

Leave A Reply

Your email address will not be published.