ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ: ହାଇ-ସିକ୍ୟୁରିଟି ଜୋନ୍ରେ ଥିବା ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ
ଭୁବନେଶ୍ୱର: ପୋଲିସ ନାକ ତଳୁ ଚନ୍ଦନ ଗଛ ଲୁଟ୍। ରାଜଧାନୀର ହାଇ-ସିକ୍ୟୁରିଟି ଜୋନରେ ଥିବା ଜୟଦେବ ଭବନ ପରିସରରୁ ଚନ୍ଦନ ଗଛ କାଟି ନେଇଛନ୍ତି ଦୁର୍ବୃତ୍ତ। ସୁରକ୍ଷା କର୍ମୀ ମୁତୟନ ଥିବା ସତ୍ତ୍ୱେ ଦୁର୍ବୃତ୍ତମାନେ କେମିତି ଏତେ ବଡ଼ କାଣ୍ଡ ଭିଆଇଲେ, ତାହା ଏବେ ବଡ଼ ସୃଷ୍ଟି କରିଛି ପ୍ରଶ୍ନବାଚୀ। ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହା ଏକ ଖୋଲା ଚ୍ୟାଲେଞ୍ଜ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏଭଳି ସ୍ଥାନରୁ ମୂଲ୍ୟବାନ ଚନ୍ଦନ ଗଛ ଚୋରି ଘଟଣା ରାଜଧାନୀର ଆଇନଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଉଠାଇଛି । ଶନିବାର ବିଳମ୍ବିତ ରାତିରେ ଜୟଦେବ ଭବନ ପରିସର ଶୂନଶାନ ଥିବାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଭିତରକୁ ପ୍ରବେଶ କରିଥିଲେ । ସେମାନେ ଚତୁରତାର ସହ ସେଠାରେ ଥିବା ଚନ୍ଦନ ଗଛକୁ କାଟି ସାଙ୍ଗରେ ନେଇ ଯାଇଛନ୍ତି । ରବିବାର ସକାଳେ କର୍ମଚାରୀମାନେ ଆସିବା ପରେ ଗଛଟି କଟା ହୋଇ ଗଣ୍ଡି ଚୋରି ହୋଇଥିବା ବେଳେ ଡାଳ ସବୁ ପଡ଼ିଥିବା ଦେଖିବାକୁ ପାଇଥିଲେ । ଜୟଦେବ ଭବନ ପରିସରରୁ ମୂଲ୍ୟବାନ ଚନ୍ଦନ ଗଛ ଚୋରି ଘଟଣା ଖବର ପ୍ରଚାରିତ ହେବାପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା ।
ଜୟଦେବ ଭବନ କର୍ମଚାରୀମାନଙ୍କ କହିବା ଅନୁସାରେ, ଯେଉଁ ସ୍ଥାନରୁ ଗଛଟି କଟାଯାଇଛି, ତା’ ନିକଟରେ କୌଣସି ସିସି କ୍ୟାମେରା ଲାଗିନାହିଁ । ଏହାର ଫାଇଦା ଉଠାଇ ଚୋରମାନେ ସହଜରେ କାଣ୍ଡ ଘଟାଇ ଖସିଯିବାରେ ସଫଳ ହୋଇଛନ୍ତି । ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ କ୍ୟାପିଟାଲ ଥାନା ପୋଲିସ ଜୟଦେବ ଭବନ ପରିସରରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛି । ଆଖପାଖ ଅଞ୍ଚଳରେ ଲାଗିଥିବା ଅନ୍ୟ ସିସି କ୍ୟାମେରାର ଫୁଟେଜ୍କୁ ଆଧାର କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ତେବେ ଏତେ ସୁରକ୍ଷା ବଳୟ ଭିତରେ ଚୋରମାନେ କେମିତି ଜୟଦେବ ଭବନ ପରିସରରେ ପଶିଲେ ଏବଂ ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଗଲେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଭୁବନେଶ୍ୱରର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରେକ୍ଷାଳୟ ପରିସରରୁ ଚନ୍ଦନ ଗଛ ଚୋରି ହେବା ଘଟଣା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.