Latest Odisha News

ଜହ୍ନ ଅଭିମୁଖେ ଭାରତର ଚନ୍ଦ୍ରଯାନ-୩, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀହରିକୋଟା: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରିଛି । ଏହା ହେଉଛି ଜହ୍ନ ଅଭିମୁଖେ ଭାରତର ତୃତୀୟ ମିଶନ । ଚନ୍ଦ୍ରଯାନ-୩ରେ ଇସ୍ରୋର ଏକ ହଜାରରୁ ଅଧିକ ବୈଜ୍ଞାନିକ କାମ କରୁଥିବା ବେଳେ ଏଥିରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ରହିଛି । ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ଲକ୍ଷ୍ୟ ରଖା ଯାଇଛି ।

ଶୁକ୍ରବାର ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେଶ୍ ସେଣ୍ଟରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଏଲଭିଏମ୍୩ ଏମ୍-୪ ରକେଟରେ ଚନ୍ଦ୍ରଯାନ-୩କୁ ଦିନ ୨ଟା ୩୫ରେ ଉତକ୍ଷେପ କରାଯାଇଥିଲା । ଯାହାକି ଅନ୍ତରୀକ୍ଷରେ ସଫଳତାର ସହ ଚନ୍ଦ୍ରଯାନ-୩କୁ ପହଞ୍ଚାଇଛି ।

ଇସ୍ରୋର ସୂଚନା ଅନୁସାରେ, ଚନ୍ଦ୍ରଯାନ-୩ ଆଗାମୀ ୪୦ ଦିନ ମଧ୍ଯରେ ୩.୮୦ ଲକ୍ଷ କିଲୋମିଟର ଯାତ୍ରା କରି ଚନ୍ଦ୍ରରେ ପହଞ୍ଚିବ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ କରିବାକୁ ଚେଷ୍ଟା କରାଯିବ । ସଫଳ ଅବତରଣ ପରେ ଲ୍ୟାଣ୍ଡର ଚନ୍ଦ୍ରରେ ରୋଭରକୁ ଓହ୍ଲାଇବ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ଟ୍ୱିଟ୍ କରିଛନ୍ତି । ଲେଖିଛନ୍ତି, ଚନ୍ଦ୍ରାୟନ-୩ର ସଫଳ ଉତକ୍ଷେପଣ କରି ଭାରତ ଆଉ ଏକ ମାଇଲଖୁଣ୍ଟ ମହାକାଶ କ୍ଷେତ୍ରରେ ଅତିକ୍ରମ କରିଛି ।

ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଚନ୍ଦ୍ରଯାନ-୩ ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଇତିହାସ ଲେଖିବ । ଏହା ପ୍ରତିଟି ଆଶା, ଅଭିଳାଶକୁ ବଢ଼ାଇବ । ମୁଁ ଇସ୍ରୋର ବୈଜ୍ଞାନିକଙ୍କୁ ଶୁଭକାମନା ଜଣାଇବା ସହ ଶକ୍ତି ଓ ସାମର୍ଥ୍ୟକୁ ସାଲ୍ୟୁଟ୍ କରୁଛି ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ

Comments are closed.